ଧର୍ମ, ବିଜ୍ଞାନ ଓ ଧର୍ମୋତ୍ତର ସମାଜ
ଧନେଶ୍ବର ସାହୁ
ସାଂପ୍ରତିକ ପରିଭାଷାରେ ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ ଇତ୍ୟାଦି କହିଲେ ‘ଧର୍ମ’ର ଯେଉଁ ଭାବନାଟି ବ୍ୟକ୍ତ ହେଉଛି ତାହା ପ୍ରାୟତଃ ଊନିବଂଶ ଶତାବ୍ଦୀରେ ବୈଚାରିକ ରୂପ ନେଇଥିଲା। ସାମ୍ରାଜ୍ୟବାଦର ବିକାଶପରେ ଯେତେବେଳେ ବିଭିନ୍ନ ସଭ୍ୟତାମାନଙ୍କ ବିଷୟରେ ଅଧ୍ୟୟନ ଓ ଅନୁଶୀଳନ ଆରମ୍ଭ ହେଲା, ସେହି ପୃଷ୍ଠଭୂମିରେ ବିଭିନ୍ନ ଭୌଗୋଳିକ ଭୂଖଣ୍ଡର ଧାର୍ମିକ ଚିନ୍ତା-ଚେତନା ବିଷୟରେ ଭାବନାମାନ ପ୍ରକାଶ ପାଇଲା। ଐତିହାସିକମାନେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ପ୍ରାଚୀନ ସଭ୍ୟତାମାନଙ୍କ ବିଷୟରେ କେତେକେତେ ଲୁକ୍କାୟିତ ତଥ୍ୟ ବାହାର କରିବାକୁ ଲାଗିଲେ। ବିଭିନ୍ନ ତଥ୍ୟ ଓ ପ୍ରତ୍ନତାତ୍ତ୍ବିକ ବିଶ୍ଳେଷଣ ଆଧାରରେ ଗତ ପାଞ୍ଚହଜାର ବର୍ଷ ଧରି ବିଭିନ୍ନ ସଭ୍ୟତାମାନଙ୍କର ଧାରାବାହିକ ଇତିହାସ ଏହି ଧାରାରେ ଉପଲବ୍ଧ ହେବା ମନେହୁଏ। କେତେକ ନୃତାତ୍ତ୍ବିକ ବ୍ୟାଖ୍ୟାନରୁ ଜଣାଯାଏ ଯେ ଖ୍ରୀ.ପୂ ଏକହଜାର ବର୍ଷ ବେଳକୁ ବିଭିନ୍ନ ଭୂଖଣ୍ଡରେ ଗୋଷ୍ଠୀଜୀବନରୁ ଗ୍ରାମୀଣ ଜୀବନ ବିଭିନ୍ନ ସଭ୍ୟତାରେ ଆରମ୍ଭ ହୋଇଛି। ପାରିବାରିକ ଜୀବନ ଦୃଢ଼ ଭିତ୍ତି ନେବାପରେ ବିଭିନ୍ନ ସଭ୍ୟତାରେ ଦିଅଁଦେବତାର କଳ୍ପନା ଓ ଧାର୍ମିକ ଭାବନା ସୃଷ୍ଟି ହୋଇଛି। ପ୍ରକୃତିର ବିଶାଳତା ଓ ଜୀବନର ଜଟିଳତା ମନୁଷ୍ୟକୁ ଅତ୍ୟନ୍ତ ରହସ୍ୟମୟ ଲାଗିଛି। ଏହି ସ୍ଥିତିରେ ବିିଭିନ୍ନ ପାରଲୌକିକ ଶକ୍ତିମାନ ବାହ୍ୟଜଗତ ଘଟନାମାନଙ୍କୁ ଯେ ନିୟନ୍ତ୍ରଣ କରୁଛନ୍ତି ଏହି ବିଚାର ସେ ସମୟରେ ସବୁ ସଭ୍ୟତାରେ ପ୍ରକାଶ ପାଇଛି। ପରିଣାମତଃ ବହୁଈଶ୍ବରବାଦର ଭାବନା ସହ ପଶୁବଳି, ନରବଳି ଓ କେତେକ କର୍ମକାଣ୍ଡ ଗ୍ରାମୀଣ ଜୀବନଧାରାରେ ବ୍ୟକ୍ତ ହୋଇଛି। ତେବେ ଖ୍ରୀ.ପୂ ଏକ ହଜାର ପରଠାରୁ ବିଭିନ୍ନ ସଭ୍ୟତାରେ କିଛିକିଛି ସାଂସ୍କୃତିକ ଜାଗରଣ ସୃଷ୍ଟି ହୋଇଛି। ଯେହେତୁ ସମୁଦ୍ର, ଜଙ୍ଗଲ, ମରୁଭୂମି ଇତ୍ୟାଦି ପ୍ରାକୃତିକ କାରଣରୁ ପୃଥିବୀ ଭାଗଭାଗ ହୋଇ ରହିଥିଲା ଓ ଗମନାଗମନର କୌଣସି ସୁଯୋଗ ନଥିଲା, ପ୍ରତ୍ୟେକ ସଭ୍ୟତା ଅନ୍ୟ ସଭ୍ୟତା ବିଷୟରେ ଅଜ୍ଞ ରହିଥିଲା ଓ ପ୍ରତ୍ୟେକ ସଭ୍ୟତା ନିଜସ୍ବ ଧାରାରେ ବିକଶିତ ହୋଇଥିଲା। ମନୁଷ୍ୟର ଧାର୍ମିକ ଆବେଗକୁ ବିିଭିନ୍ନ ସଭ୍ୟତାରେ ଆସିଥିବା ସାଂସ୍କୃତିକ ଆଲୋଡ଼ନମାନ ଗଭୀର ଭାବେ ପ୍ରଭାବିତ କରିଥିଲା। ଭାରତ ଭୂଖଣ୍ଡରେ ବେଦ, ଉପନିଷଦ, ବ୍ରହ୍ମସୂତ୍ର ଇତ୍ୟାଦି ରଚନାଦ୍ବାରା ଏଠିକାର ଜନଗଣ ଧାର୍ମିକ ଧାରାରେ ପ୍ରଭାବିତ ହୋଇଛନ୍ତି। ଖ୍ରୀ.ପୂ ଷଷ୍ଠ ଶତାବ୍ଦୀରେ ପର୍ଶିଆ ଭୂଖଣ୍ଡରେ ଜୋରାଷ୍ଟରଙ୍କ ବିଚାରବୋଧକୁ ନେଇ ପାର୍ଶୀ ଧର୍ମର ବିକାଶ ହୋଇଛି। ଅନ୍ୟ ଏକ ଭୌଗୋଳିକ ଭୂଖଣ୍ଡରେ ମୋଜେସ ଯେଉଁ ଭାବନାର ସୂତ୍ରପାତ କରିଛନ୍ତି ତାହାକୁ ଆଧାରକରି ଇହୁଦୀ ଧର୍ମ ସୃଷ୍ଟି ହୋଇଛି। ଭାରତ ଭୂଖଣ୍ଡରେ ଗୌତମ ବୁଦ୍ଧ ଓ ମହାବୀର ଯେଉଁ ତାତ୍ତ୍ବିକ ଓ ନୈତିକ ଚିନ୍ତନ ବ୍ୟକ୍ତ କରିଛନ୍ତି ତାହାକୁ ଆଧାରକରି ବୌଦ୍ଧଧର୍ମ ଓ ଜୈନଧର୍ମ ଦୁଇଟି ପୃଥକ୍ ସାଂସ୍କୃତିକ ଧାରାର ଅଭ୍ୟୁଦୟ ଘଟିଛି। ଚୀନ ଭୂଖଣ୍ଡରେ କନ୍ଫୁସିଅସ ଓ ଲାଓସେ ଯେଉଁ ବିଚାରବୋଧର ଅବତାରଣା କରିଛନ୍ତି ତାହାକୁ ନେଇ ଟାଓଇଜିମ ସୃଷ୍ଟି ହୋଇଛି। ଖ୍ରୀଷ୍ଟାବ୍ଦ ଆରମ୍ଭ ସମୟକୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିନ୍ତନକୁ ନେଇ ଖ୍ରୀଷ୍ଟଧର୍ମର ଆବିର୍ଭାବ ଘଟିଛି। ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ଆରବ ଭୂଖଣ୍ଡରେ ପ୍ରଫେଟ ମହମ୍ମଦ ଯେଉଁ ଭାବଧାରା ପ୍ରକାଶ କରିଛନ୍ତି ତାହା ଆଧାରରେ ଇସ୍ଲାମର ଉଦ୍ଭବ ହୋଇଛି। ଏହି ସମସ୍ତ ବ୍ୟକ୍ତି ଐତିହାସିକ ବ୍ୟକ୍ତିତ୍ବ, ଯେଉଁମାନେ ବିଭିନ୍ନ ଭୌଗୋଳିକ ଭୂଖଣ୍ଡରେ ସାଂସ୍କୃତିକ ଜାଗରଣର ପଥପ୍ରଦର୍ଶକ ହୋଇଛନ୍ତି। ବହୁ ଈଶ୍ବରବାଦ ଓ ନାନା ଉଦ୍ଭଟ କର୍ମକାଣ୍ଡ ଜନିତ ଭାବଧାରାରୁ ଏକେଶ୍ବରବାଦର ଭାବନା ଓ କେତେକ ସାମାଜିକ ତଥା ନୈତିକ ଶୃଙ୍ଖଳାର ଭାବ ସାମାଜିକ ବିକାଶଧାରାରେ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। ପ୍ରାଗ୍ ଧର୍ମୀୟ ସମାଜର ବିକାଶ ବିଭିନ୍ନ ଭୂଖଣ୍ଡରେ ସାଂସ୍କୃତିକ ଜାଗରଣର ନବଦିଗନ୍ତ ସୃଷ୍ଟିକରିଛି। ସମାଜ ଦୃଢ଼ ଭିତ୍ତି ନେଇଛି, ରାଜତନ୍ତ୍ରର ଯୁଗ ଆସିଛି, ବୃହତ୍ତର ଜନଗୋଷ୍ଠୀରେ ସାଂସ୍କୃତିକ ସଂହତି ସୃଷ୍ଟି ହୋଇଛି, ଜୀବନର ନୂତନ ଅର୍ଥ ପ୍ରକାଶ ପାଇଛି ଓ ଜୀବନର ଅନ୍ତିମ ଲକ୍ଷ୍ୟ ନେଇ ବିଭିନ୍ନ କଳ୍ପନା କରାଯାଇଛି। ଯେଉଁ ଧର୍ମମାନ ଏକେଶ୍ବରବାଦର ଭାବନା ଆଧାରରେ ବିକଶିତ ହୋଇଛନ୍ତି ସେମାନେ ନିଜସ୍ବ ଧାରାରେ ଈଶ୍ବରଙ୍କୁ ସ୍ରଷ୍ଟା, ସଂହର୍ତ୍ତା, ସର୍ବଜ୍ଞ, ସର୍ବଶକ୍ତିମାନ, କରୁଣାମୟ ଇତ୍ୟାଦି ଭାବରେ ବ୍ୟକ୍ତ କରିଛନ୍ତି ଓ ଏସବୁ ବିଶ୍ବାସ ଆଧାରରେ ବିପୁଳ ସାହିତ୍ୟ ସୃଷ୍ଟି କରିଛନ୍ତି। ତେବେ ବୌଦ୍ଧଧର୍ମ, ଜୈନଧର୍ମ ଓ ଟାଓଧର୍ମ କୌଣସି ଈଶ୍ବର ଭାବନାର ଅବତାରଣା ନକରି ନୈତିକ ଉତ୍କର୍ଷର କେତେକେତେ ଦିଗନ୍ତକୁ ସ୍ପର୍ଶ କରିଛନ୍ତି। ସଭ୍ୟତାମାନଙ୍କର କ୍ରମବିକାଶ ଧାରାରେ ବିଭିନ୍ନ ଭୂଖଣ୍ଡର ସାଂସ୍କୃତିକ ଜାଗରଣମାନ ଆନୁଷ୍ଠାନିକ ଧର୍ମର ରୂପ ନେଇଛନ୍ତି ଓ ପ୍ରତ୍ୟେକ ଧର୍ମ ଏକ ଜୀବନଧାରାରେ ବ୍ୟକ୍ତ ହୋଇଛି। ଶହଶହ ବର୍ଷର ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ ଧର୍ମ ବୃହତ୍ତର ଭୂଖଣ୍ଡକୁ ପରିବ୍ୟାପ୍ତ ହୋଇ ଜନଗଣଙ୍କ ମଧ୍ୟରେ ସାଂସ୍କୃତିକ ଐକ୍ୟସ୍ଥାପନ କରିବାସହ ବିଭିନ୍ନ ସଂପ୍ରଦାୟରେ ମଧ୍ୟ ବିଭାଜିତ ହୋଇଛି।
ବିଶ୍ବ ଦୃଶ୍ୟପଟରେ ବିଚାର କଲେ ଜ୍ଞାନବିଜ୍ଞାନର ବିକାଶ, ମାନବବାଦ ଓ ମାନବିକ ଅଧିକାରର ଅଭ୍ୟୁଦୟ କ୍ଷେତ୍ରରେ ଧର୍ମ ବହୁ ପ୍ରତିବନ୍ଧକ ସୃଷ୍ଟି କରିଆସିଛି। ଏହା ଏକ ଐତିହାସିକ ଉପଲବ୍ଧି ଯେ ଆଧୁନିକ ବିଜ୍ଞାନର ବିକାଶକୁ ଧାର୍ମିକ ବିଶ୍ବାସ ନାନା ବିରୋଧ କରିଛି। ପ୍ରତ୍ୟେକ ଧର୍ମଗୋଷ୍ଠୀ ନିଜର ଧର୍ମଗନ୍ଥକୁ ପବିତ୍ର, ଈଶ୍ବରୀୟ ଜ୍ଞାନ ଓ ଶାଶ୍ବତ ବୋଲି ମନେକରିଛି। ଧର୍ମ ରୂପାନ୍ତରିତ ହୋଇଛି ରୂଢ଼ିବାଦରେ। ବିଜ୍ଞାନକୁ ଅମୂଲ୍ୟ ଅବଦାନ ଦେଇ ଜ୍ଞାନର ନୂତନ ଦିଗନ୍ତ ସୃଷ୍ଟି କରିଥିବା ବହୁ ପ୍ରବୀଣ ବୈଜ୍ଞାନିକ, ଦାର୍ଶନିକ ଓ କ୍ରାନ୍ତିକାରୀ ବୁଦ୍ଧିଜୀବୀଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଛି ଓ ଏପରିକି ସହିଦ ହେବାକୁ ହୋଇଛି। ଧର୍ମଗ୍ରନ୍ଥରେ ରହିଥିବା ନାନା କାଳ୍ପନିକ ଭାବନା, ତତ୍ତ୍ବ ଓ କେତେକ ସିଦ୍ଧାନ୍ତକୁ ଯେତେବେଳେ େବୖଜ୍ଞାନିକ ଜ୍ଞାନ ବିରୋଧାଚରଣ କରିିଛି ସେତେବେଳେ ରକ୍ଷଣଶୀଳ ଧର୍ମବିଶ୍ବାସୀମାନେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଏହା ବିଶେଷକରି ପାଶ୍ଚାତ୍ୟ ଭୂଖଣ୍ଡରେ ଘଟିଛି। ବିଜ୍ଞାନର ଆଦି ପର୍ବଟିରେ ଧର୍ମ ଓ ବିଜ୍ଞାନ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଜୀବଜଗତକୁ କେହି ଈଶ୍ବର ସୃଷ୍ଟି କରିନାହାନ୍ତି। ପୃଥିବୀ ସ୍ଥିର ନୁହଁ, ପ୍ରାକୃତିକ ଦୁର୍ବିପାକ ବା ବିଭିନ୍ନ ରୋଗବାଧକ ଦୈବୀ ଦଣ୍ଡ ନୁହଁ ଇତ୍ୟାଦି ବହୁ ଭାବନାକୁ ଧାର୍ମିକବିଶ୍ବାସ ଗ୍ରହଣ କରିପାରି ନାହିଁ। ତେବେ ବୈଜ୍ଞାନିକ ସିଦ୍ଧାନ୍ତମାନ ତଥ୍ୟଭିତ୍ତିକ, ପରୀକ୍ଷାସାପେକ୍ଷ, ପ୍ରଣାଳୀବଦ୍ଧ ଜ୍ଞାନ, ସ୍ବସଂଶୋଧନାତ୍ମକ ଓ ସାର୍ବଜନୀନ ହୋଇଥିବାରୁ ବିଜ୍ଞାନର ବିକାଶ ଯାତ୍ରାକୁ ଧର୍ମ ପ୍ରତିରୋଧ କରିପାରିନାହିଁ। ସପ୍ତଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ବିଜ୍ଞାନର ଯାତ୍ରା ଏକ ନୂତନ ପୃଥିବୀ ନିର୍ମାଣ କ୍ଷେତ୍ରରେ ସଫଳ ହୋଇଛି ଓ ସଭ୍ୟତାର ରୂପରେଖ ବଦଳାଇ ପାରିଛି।
ପାଶ୍ଚାତ୍ୟ ଭୂଖଣ୍ଡରେ ଧର୍ମ ଓ ବିଜ୍ଞାନ ଭିତରେ ଯେପରି ସଂଘର୍ଷ ସୃଷ୍ଟି ହୋଇଛି, ପ୍ରାଚ୍ୟ ଭୂଖଣ୍ଡରେ ତାହା େହାଇନାହିଁ, କାରଣ ଆଧୁନିକ ବିଜ୍ଞାନର ବିକାଶ ପର୍ବ ପ୍ରାଚ୍ୟରେ ଆରମ୍ଭ ହୋଇନାହିଁ। ପରନ୍ତୁ ପ୍ରାଚ୍ୟ ଭୂଖଣ୍ଡରେ ଧର୍ମ ଓ ସମାଜ ସଂସ୍କାର ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଭାରତବର୍ଷରେ ସାମାଜିକ ଭେଦଭାବ, ବର୍ଣ୍ଣବ୍ୟବସ୍ଥା, ବାଲ୍ୟବିବାହ ପରି ପ୍ରଥା ଦୂର କରିବାକୁ ଯେତେବେଳେ ଭାବନା ସୃଷ୍ଟି ହୋଇଛି ତାହାକୁ ଧାର୍ମିକ ବିଶ୍ବାସ ଆଧାରରେ ବିରୋଧ କରାଯାଇଛି। ସାମନ୍ତବାଦ ଧାର୍ମିକ ପୃଷ୍ଠପୋଷକତାରେ ରହିଥିବା ଯୋଗୁଁ ନାରୀ ସ୍ବାଧୀନତା, ସାର୍ବଜନୀନ ଶିକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ସମତା, ମାନବିକ ଅଧିକାର ଇତ୍ୟାଦି ଭାବନାମାନଙ୍କୁ ଧାର୍ମିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସମାଜରେ ପ୍ରଗତିଶୀଳ ମୂଲ୍ୟବୋଧ ଓ ମାନବବାଦୀ ଜୀବନବୋଧର ପ୍ରସାର କ୍ଷେତ୍ରରେ ଧାର୍ମିକ ମାନସିକତା ଯେ ପ୍ରତିବନ୍ଧକ ହୋଇଆସିଛି, ଏହାହିଁ ଏକ ଐତିହାସିକ ଉପଲବ୍ଧି।
ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ବିିଭିନ୍ନ ସଭ୍ୟତା ଓ ଧର୍ମଧାରା ଉପରେ ତୁଳନାତ୍ମକ ଅନୁଶୀଳନରୁ ପ୍ରତ୍ୟେକ ଧର୍ମର ବୌଦ୍ଧିକ ଓ ପ୍ରତ୍ୟୟାତ୍ମକ ପରିମଣ୍ଡଳଟିକୁ ସୁନିର୍ଦିଷ୍ଟ କରାଯାଉଛି। ପ୍ରତ୍ୟେକ ଧର୍ମର ଉତ୍ପତ୍ତି ସମୟ, ଐତିହାସିକ ବିକାଶ ବା ପ୍ରସାରଣ, ତାତ୍ତ୍ବିକ ବିଚାର ସକଳ, କର୍ମକାଣ୍ଡ, ନୀତିବୋଧ, ସାହିତ୍ୟ କିମ୍ବଦନ୍ତୀ, ଧର୍ମଗ୍ରନ୍ଥ ଓ ବିଭିନ୍ନ ସାଂପ୍ରଦାୟିକ ଗୋଷ୍ଠୀମାନଙ୍କର ଚିତ୍ର ଓ ସ୍ବରୂପ ପ୍ରକାଶ ପାଇଛି। ଦାର୍ଶନିକ, ଐତିହାସିକ ଓ ସମାଜବିଜ୍ଞାନୀମାନେ ବିଭିନ୍ନ ଦିଗରୁ ଧର୍ମମାନଙ୍କର ବିଶ୍ଳେଷଣ କରି ସେମାନଙ୍କର ତାତ୍ତ୍ବିକ, ନୈତିକ ଓ ସାମାଜିକ ବିଭବଗୁଡ଼ିକୁ ସ୍ପଷ୍ଟ କରିଛନ୍ତି। ଏହି ଧାରାରେ ସଭ୍ୟତାମାନଙ୍କ ପ୍ରତି ଧର୍ମମାନଙ୍କର ସକାରାତ୍ମକ ଓ ନକାରାତ୍ମକ ଅବଦାନର ଚିତ୍ର ସ୍ପଷ୍ଟ ହୋଇଛି। ପ୍ରତ୍ୟେକ ଧର୍ମଧାରାରେ ପ୍ରକାଶ ପାଇଥିବା କେତେକ ନୀତିବୋଧ ଓ ଜୀବନଦୃଷ୍ଟି ଏକ ଶିଷ୍ଟ ଓ ଶୃଙ୍ଖଳିତ ଜୀବନ ବଞ୍ଚିବାପାଇଁ ଅନେକ ପ୍ରେରଣା ଯୋଗାଇଛି। ନିଜ ଧର୍ମରୁ ପ୍ରେରଣା ନେଇ କେତେକ ମନୀଷୀ ମହାମାନବୀୟ ଚେତନାରେ ଉଦ୍ବୁଦ୍ଧ ହୋଇଛନ୍ତି ବା ଦୁଃସ୍ଥ ମଣିଷର ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିପରୀତ ପକ୍ଷେ ଧର୍ମ ଯେଉଁଠି ସଂାପ୍ରଦାୟିକ ଭାବାବେଗରେ ରୂପାନ୍ତରିତ ହୋଇଛି ତାହା ନାନା ଅମାନବିକ କ୍ରୂରତା ଓ ବିେଦ୍ବଷର ମନୋଭାବ ସୃଷ୍ଟି କରିଛି। ଧାର୍ମିକ ଆବେଗକୁ ଆଧାରକରି ମାନବ ସମାଜରେ ଅଲଂଘ୍ୟ ଭେଦଭାବ ଘୃଣାର ପ୍ରାଚୀର ସୃଷ୍ଟିହୋଇଛି। ସଭ୍ୟତାର ଏହା ବିଡ଼ମ୍ବନା ଯେ ଅତୀତରେ ଧର୍ମକୁ ଆଧାରକରି ସଂସାରରେ ବହୁ ଯୁଦ୍ଧ, ବିଭୀଷିକା ଓ ହିଂସାର ପରିବେଶ ଆସିଛି ଓ ଏବେବି ସେହି ମାନସିକତା ସମାଜକୁ ଭାଗଭାଗ କରିରଖିଛି।
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବିଶ୍ବ ଭ୍ରାତୃତ୍ବର ଭାବନା ବ୍ୟକ୍ତ କରୁଥିବା ମାନବବାଦୀ ଦାର୍ଶନିକମାନେ ଧର୍ମକୁ ଅସ୍ମିତାର ପ୍ରସଙ୍ଗ ନକରି ଏହାକୁ ବିଶ୍ବାସର ସ୍ଥାନ ଦେଇଛନ୍ତି। ଯେଉଁ ଯୁଗରେ ଧର୍ମମାନ ଏକଏକ ସାଂସ୍କୃତିକ ଆଲୋଡ଼ନ ଭାବେ ବିଭିନ୍ନ ସଭ୍ୟତାରେ ବିକଶିତ ହୋଇଥିଲା ତାହା ଥିଲା ସଭ୍ୟତା ବିକାଶର ଶୈଶବକାଳ। ସେହି ସ୍ଥିତିଠାରୁ ମାନବ ସଭ୍ୟତା ବହୁ ଆଗକୁ ଆସିବାକୁ ସମର୍ଥ ହେଲାଣି। ପ୍ରାଗ୍ଧର୍ମୀୟ ସମାଜରୁ ଧର୍ମୀୟ ସମାଜ ଥିଲା ଏକ ବଡ଼ ସାଂସ୍କୃତିକ ଉତ୍ତରଣ। ସେହିପରି ମଧ୍ୟଯୁଗୀୟ ଧର୍ମୀୟ ସମାଜରୁ ଏକ ଧର୍ମନିରପେକ୍ଷ ସମାଜ ଓ ଧର୍ମୋତ୍ତର ସମାଜ ବା ପୋଷ୍ଟ-ରିଲିଜିୟସ ସୋସାଇଟି ହେବ ଏକ ବଡ଼ ନୈତିକ ଉତ୍ତରଣ। ଆଧୁନିକ ଜୀବନଧାରାକୁ ବିଜ୍ଞାନ ଓ ପ୍ରଯୁକ୍ତିର ବହୁ ଅମୂଲ୍ୟ ଅବଦାନ ଯୋଗୁ ସମଗ୍ର ବିଶ୍ବ ଏକ ଗ୍ରାମରେ ରୂପାନ୍ତରିତ ହେଲାଣି। ମାନବ ସମୁଦାୟର ଉନ୍ନତି ଓ ମଙ୍ଗଳ ପାଇଁ କେତେକେତେ ଆନ୍ତର୍ଜାତିକ ସଂଗଠନ ସମଗ୍ର ପୃଥିବୀରେ ବିସ୍ତାର ଲାଭ କଲାଣି। ଆନ୍ତର୍ଜାତିକ ମନୋଭାବ, ସାର୍ବଜନୀନ ଦୃଷ୍ଟି, ବିଶ୍ବ ଭ୍ରାତୃତ୍ବ ଓ ମାନବବାଦୀ ଜୀବନବୋଧ ଏ ଯୁଗର ଆଦର୍ଶ ଭାବେ ସାରା ପୃଥିବୀରେ ବିକାଶଲାଭ କଲାଣି। ଆଧୁନିକ ବିଜ୍ଞାନ ଜୀବନର ଭୌତିକମାନରେ ଆଣିଥିବା ଯୁଗାନ୍ତକାରୀ ପରିବର୍ତ୍ତନ ଯୋଗୁଁ ଜୀବନର ଗୁଣାତ୍ମକ ମାନରେ ବହୁ ଉନ୍ନତିସାଧନ ହେଲାଣି, ଯାହା ଗୋଟିଏ ଦୁଇଟି ଶତାବ୍ଦୀତଳେ ଚିନ୍ତା ବହିର୍ଭୂତ ଥିଲା। ବିଜ୍ଞାନର ଶାନ୍ତିପୂର୍ଣ୍ଣ ପ୍ରୟୋଗ ଓ ମାନବବାଦୀ ଜୀବନବୋଧର ବିକାଶ ସାଂପ୍ରତିକ ସମୟର ସବୁଠାରୁ ବଡ଼ ଆବଶ୍ୟକତା କହିଲେ ଅତ୍ୟୁକ୍ତି ହେବନାହିଁ।
ଉପସଂହାରରେ ଏହା କହିବା ଯଥାର୍ଥ ହେବ ଯେ ଧର୍ମକୁ ଏକ ବିଶ୍ବାସ ଓ ଏକ ଜୀବନଧାରା ଭାବରେ ନେବାରେ ପ୍ରତିବନ୍ଧକ ନାହିଁ। ଜୀବନଧାରାରେ ବିବିଧତା ରହିବା ଏକ ଆନୁଭବିକ ସତ୍ୟ। ଏହି ଅନୁଭବ ଭିତରେ ଉଦାରତା, ସହିଷ୍ଣୁତା, ସତ୍ୟବାଦିତା ଓ ମାନବିକତା ରହିଲେ ଜୀବନର ନୈତିକ ଉନ୍ମେଷ ସମ୍ଭବ ହୋଇଥାଏ। ଧାର୍ମିକ ଭାବଧାରା ଯଦି ନୈତିକ ଉନ୍ମେଷ ପାଇଁ ବ୍ୟଷ୍ଟି ଓ ଗୋଷ୍ଠୀ ଜୀବନକୁ ପ୍ରେରଣାଦିଏ ତାହା ସ୍ବାଗତଯୋଗ୍ୟ; ପରନ୍ତୁ ଧାର୍ମିକ ଅସ୍ମିତା ଯଦି ଅସହିଷ୍ଣୁତା ଓ ଅମାନବିକତାର ଭାବାବେଗ ଆଣେ ତେବେ ତାହା ସଭ୍ୟତା ପାଇଁ ଯେ ବଡ଼ ଆହ୍ବାନ ସୃଷ୍ଟି କରିବ ଏହା ନିଃସନ୍ଦେହରେ କୁହାଯାଇପାରେ। ପୁନଶ୍ଚ ଧର୍ମ ଏକ ବିଶ୍ବାସ କାରଣ ଏହା କେତେକ ପାରଲୌକିକ ଭାବନା ଉପରେ ଆଧାରିତ। ତେବେ ପାରଲୌକିକ ଦୃଷ୍ଟିଭଙ୍ଗୀ ଅପେକ୍ଷା ଇହଲୌକିକ ଜୀବନଦୃଷ୍ଟି ଏକ ମାନବବାଦୀ ବିଚାର। ଏହି ଜୀବନକୁ ସୁଖଶାନ୍ତିରେ ବଞ୍ଚିବାସହ ଏକ ପ୍ରୀତିଭରା ମାନବ ସମୁଦାୟର ପରିକଳ୍ପନା ଇହଲୌକିକ ଜୀବନବୋଧର ଅନ୍ତର୍ନିହିତ ଆଦର୍ଶ ଅଟେ। ଏହାହିଁ ହେବ ଧର୍ମୋତ୍ତର ସମାଜର ଆଦର୍ଶ ଓ ଲକ୍ଷ୍ୟ।
ଏ-୧୨, ଭାଗୀରଥି ବିହାର, ଢ଼େଙ୍କାନାଳ