ସମ୍ବଲପୁର : ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଦିନକୁ ଦିନ ମମତା ଓ ଆନ୍ତରିକତା ହ୍ରାସ ପାଉଛି। ଇଂରାଜୀ ପ୍ରୀତି ବଢ଼ି ଚାଲିଛି। ନିଜ ମାଟିରେ ଓଡ଼ିଆ ଭାଷା ଅବହେଳାର ଶିକାର ହେଉଛି। ସ୍ଥିତିରେ ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ଆମ ଭାଷା ଓ ସଂସ୍କୃତି ଅବକ୍ଷୟର ଶିକାର ହେବ। ତେଣୁ ନିଜ ଭାଷାକୁ ଭଲପାଇବା ଏବଂ ଓଡ଼ିଆ ପତ୍ର, ପତ୍ରିକା ପଢ଼ିବା ସହ ପରବର୍ତ୍ତୀ ପିଢ଼ିକୁ ସେ ଦିଗରେ ଉତ୍ସାହିତ କରିବା ପାଇଁ ଆଜି ଦୈନିକ ‘ସମାଜ’ର ସମ୍ବଲପୁର ସଂସ୍କରଣ କାର୍ଯ୍ୟାଳୟରେ ଅନୁଷ୍ଠିତ ଓଡ଼ିଆ ଭାଷା ଓ ସଂସ୍କୃତିର ଉଚ୍ଚାଙ୍ଗ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସଂଖ୍ୟା ଉନ୍ମୋଚନ ଓ ସାରସ୍ବତ ଉତ୍ସବରେ ଆହ୍ବାନ ଦିଆଯାଇଛି।
‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଗଣେଶରାମ ନାହାକ ପତ୍ରିକାର ବାର୍ଷିକ ସଂଖ୍ୟା(ଅପ୍ରିଲ ୨୦୨୪)କୁ ଉନ୍ମୋଚନ କରି କହିଥିଲେ ଓଡ଼ିଆ ସାହିତ୍ୟ ପତ୍ରିକା କିଣି ପଢ଼ୁଥିବା ପାଠକଙ୍କ ସଂଖ୍ୟା କମିକମି ଯାଉଛି। ସାହିତ୍ୟ ନ ବଞ୍ଚିଲେ ଭାଷା କେମିତି ବଞ୍ଚବ ! ସେଥି ପାଇଁ ନିଜ ସହିତ ସନ୍ତାନସନ୍ତତିଙ୍କ ହୃଦୟରେ ଆରମ୍ଭରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ମମତା ଜାଗ୍ରତ କରିବାକୁ ପଡ଼ିବ।
ମୁଖ୍ୟବକ୍ତା ଗଙ୍ଗାଧର ମେେହର ବିଶ୍ବବିଦ୍ୟାଳୟର ଭୀମ ଭୋଇ ଗବେଷଣା କେନ୍ଦ୍ରର ପ୍ରଫେସର ଡ. ପ୍ରଦୀପ କୁମାର ପଣ୍ଡା କହିଥିଲେ ସାଧାରଣତଃ କବି ରାଧାନାଥ ରାୟଙ୍କୁ ଓଡ଼ିଆ ଆଧୁନିକ ସାହିତ୍ୟର ପ୍ରବର୍ତ୍ତକ ଭାବେ ଗ୍ରହଣ କରାଯାଏ। ତେବେ ତାଙ୍କ ସହିତ ଯଦି ପଣ୍ଡିତ ଗୋପବନ୍ଧୁଙ୍କୁ ଯୋଡ଼ା ଯାଏ, ତା’ହେଲେ ଅନ୍ୟାୟ ହେବ ନାହିଁ। ଗୋପବନ୍ଧୁ ନିଜ ଦୃଷ୍ଟିଭଙ୍ଗୀରେ ଆଧୁନିକ ଥିଲେ। ତାଙ୍କର ମାନବବାଦୀ ଚେତନା ହିଁ ତାଙ୍କୁ ଆଧୁନିକ କରିଥିଲା। ସମାଜର ନିମ୍ନ ବର୍ଗର ଲୋକଙ୍କ ସଂଘର୍ଷ, ଜୀବନଯନ୍ତ୍ରଣା ଏବଂ ନିର୍ଯାତନାକୁ ସେ ଯେଉଁପରି ସରଳ ଓ ମାର୍ମିକ ଭାଷାରେ ନିଜ ରଚନାରେ ଚିତ୍ରଣ କରିଛନ୍ତି ତାହା ଅନନ୍ୟ ।
ଡ. ଆଚାର୍ଯ୍ୟ କହିଥିଲେ ‘ସତ୍ୟବାଦୀ’ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରଥମ ମାନସସନ୍ତାନ। ୧୯୧୫ ମସିହାରେ ଏହାର ପ୍ରକାଶନ ଆରମ୍ଭ ହୋଇଥିଲା। ଏହାର ଚାରିବର୍ଷ ପରେ ଆତ୍ମପ୍ରକାଶ କରିଥିଲା ଦୈନିକ ‘ସମାଜ’। ତେବେ ସେ ସମୟରେ ଏକକାଳୀନ ଦୁଇ ଦୁଇଟି ପତ୍ରିକା ପ୍ରକାଶ କରିବା ସହଜ ନ ହେବାରୁ ପାଠକୀୟ ଆଦୃତି ସତ୍ତ୍ବେ ‘ସତ୍ୟବାଦୀ’ ବନ୍ଦ ହୋଇଯାଇଥିଲା। ଦୀର୍ଘ ବର୍ଷ ପରେ ଏହିପରି ଏକ ପତ୍ରିକାର ଆବଶ୍ୟକତା ଉପଲବ୍ଧିକରି ପୁଣିଥରେ ଏହାର ପ୍ରକାଶନ ଚିନ୍ତା କରାଗଲା। ତେବେ ସେଇ ନାମରେ ପତ୍ରିକାର ପଞ୍ଜିକରଣରେ ସମସ୍ୟା ଦେଖା ଦେବାରୁ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ନାମରେ ଏହାର ପ୍ରକାଶନ ଆରମ୍ଭ ହେଲା। ସେ ଆହୁରି କହିଥିଲେ ଗୋଟିଏ ଜାତିର ପରିଚୟ-ଅସ୍ମିତା ପାଇଁ ଭାଷା ସବୁଠାରୁ ବଡ଼ ଆବଶ୍ୟକତା ଓ ଗୁରୁତ୍ବପୂର୍ଣ୍ଣ ବିଭବ। ସାହିତ୍ୟ ନ ଥିଲେ ଭାଷା ବଞ୍ଚିପାରିବ; କିନ୍ତୁ ଭାଷା ନ ଥିଲେ ସାହିତ୍ୟ ସୃଷ୍ଟି ହୋଇପାରିବନି। ବିଶ୍ବରେ ଏମିତି ଅନେକ ଭାଷା ଅଛି, ଯାହାର ସାହିତ୍ୟ ନାହିଁ। କେତେକ ଭାଷା ରହିଛି, ଯାହାର ବିପୁଳ ସମୃଦ୍ଧ ସାହିତ୍ୟ ଥିବା ସତ୍ତ୍ବେ ଆଜି ସାଧାରଣ ଜନଜୀବନରୁ ଦୂରେଇ ଯାଇଛି। ସଂସ୍କୃତ ଏହାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ଏଣୁ ସାହିତ୍ୟ ସମୟ ଅନୁସାରେ ଲୋକାଭିମୁଖୀ ହେବା ନିତାନ୍ତ ଜରୁରୀ।
ବରିଷ୍ଠ ସହସମ୍ପାଦକ ବ୍ରଜମୋହନ ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଡା. ରମାବଲ୍ଲଭ ମିଶ୍ର। ପ୍ରଥମ ଥର ପାଇଁ ସମ୍ବଲପୁରରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଉନ୍ମୋଚନ କାର୍ଯ୍ୟକ୍ରମ ନିଷ୍ପତ୍ତିକୁ ଉପସ୍ଥିତ ସାହିତ୍ୟିକ ଓ ବୁଦ୍ଧିଜୀବୀ ସ୍ବାଗତ କରିଥିଲେ। କବି ସୌଭାଗ୍ୟବନ୍ତ ମହାରଣା, ସାହିତ୍ୟିକ ଡ. ଦ୍ବାରିକା ନାୟକ, ଗବେଷକ ଓ ଶିକ୍ଷାବିତ ଡ. ଶ୍ୟାମସୁନ୍ଦର ଧର, ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିଜୟାନନ୍ଦ ବେହେରା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା େବହେରା ଭାଷା ସାହିତ୍ୟର ପ୍ରଗତି ଉପେର ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ନାହାକ, ମୁଖ୍ୟବକ୍ତା ଡ. ପଣ୍ଡା, ଈଶ୍ବରପ୍ରସାଦ ନନ୍ଦ, ଡ. ଧର, ଡ. ନାୟକ, କବି ଶ୍ରୀ ମହାରଣା, କବି ଦୁର୍ଗାପ୍ରସାଦ ପଣ୍ଡା, ଅଧ୍ୟାପକ ଅଖିଳ ବିଶ୍ବାଳ ଓ ଡ. ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।



