ସମୟର ଦୋ’ଛକିରେ ସମ୍ପର୍କ
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି ଏକ ସମୟରେ ହେଉଛି, ଯେତେବେଳେ ବିଶ୍ୱ ରାଜନୀତି ଗୁରୁତର ଅସ୍ଥିରତା ଦେଇ ଗତି କରୁଛି। ୟୁକ୍ରେନ ଉପରେ ରୁଷ୍ର ପୂର୍ଣ୍ଣ ଆକ୍ରମଣ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ, କେବଳ ମସ୍କୋ ନୁହେଁ, ୱାଶିଂଟନ୍ ଓ ବ୍ରସେଲ୍ସ୍ ମଧ୍ୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ଭାରତ ପାଇଁ ଏହି ସମୟର ଆହ୍ବାନ ହେଉଛି କାହାରି ପକ୍ଷ ନ ନେଇ ଏକ ବିଭାଜିତ ବିଶ୍ୱରେ ‘ରଣନୈତିକ ସ୍ୱାଧୀନତା’ର ମୂଲ୍ୟ ବଜାୟ ରଖିବା। ଭାରତ-ରୁଷିଆ ସମ୍ପର୍କର ମୂଳଦୁଆ ସର୍ବଦା ପ୍ରତିରକ୍ଷା କ୍ଷେତ୍ରରେ ରହି ଆସିଛି। ମସ୍କୋଠାରୁ ଏକ ପରମାଣୁ ଶକ୍ତି ଚାଳିତ ବୁଡ଼ାଜାହାଜ ଲିଜ୍ ସୂତ୍ରରେ ମିଳିବାକୁ ଥିବା ଚୁକ୍ତି, ଦୁଇ ଦେଶର ସମ୍ପର୍କର ଗଭୀରତାକୁ ଦର୍ଶାଉଛି। ଭାରତ ମହାସାଗରରେ ନୌସେନାର ଶକ୍ତି ବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଜରୁରୀ। ତେବେ, ଏହା ପୁରୁଣା ’ଶୀତଳ ଯୁଦ୍ଧ’ ସମୟର ନିର୍ଭରଶୀଳତା ନୁହେଁ। ଏହା ଏକ ‘ପ୍ରଶିକ୍ଷଣ ଆଧାରିତ ବ୍ୟବସ୍ଥା’, ଯାହା ଭାରତର ନିଜସ୍ୱ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ କାର୍ଯ୍ୟକ୍ରମକୁ ସାହାଯ୍ୟ କରି ’ଆତ୍ମନିର୍ଭରତା’ ଆଡକୁ ଏକ ସେତୁ ହେବାର ଲକ୍ଷ୍ୟ ରଖିଛି।
ସବୁଠାରୁ ଜଟିଳ ବିଷୟ ହେଉଛି ରୁଷ୍-ୟୁକ୍ରେନ ଯୁଦ୍ଧର ରାଜନୀତି ଏବଂ ଆମେରିକାର ଚାପ। ଭାରତ ଜାତିସଂଘରେ ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିନାହିଁ; କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ‘ଏହା ଯୁଦ୍ଧର ଯୁଗ ନୁହେଁ’ ମନ୍ତବ୍ୟ ଦ୍ୱାରା ଯୁଦ୍ଧ ପ୍ରତି ଭାରତର ବିରୋଧ ମନୋଭାବ ସ୍ପଷ୍ଟ ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ଯୋଗୁଁଁ ଭାରତ ଶସ୍ତା ରୁଷୀୟ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହୋଇଛି; କିନ୍ତୁ ଆମେରିକା ପକ୍ଷରୁ ଏହାକୁ ‘ରୁଷ୍ର ଯୁଦ୍ଧକୁ ଅର୍ଥ ଯୋଗାଇବା’ ଭାବେ ଅଭିଯୋଗ କରାଯାଇ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରାଯାଇଛି। ଭାରତକୁ ଏବେ ଏକ ଅତି ଜଟିଳ ଭାରସାମ୍ୟ ବଜାୟ ରଖିବାକୁ ପଡ଼ିବ। ରୁଷିଆ ସହିତ ସମ୍ପର୍କ ଭାଙ୍ଗିଲେ ଦେଶର ସୁରକ୍ଷା ସ୍ୱାର୍ଥ କ୍ଷତିଗ୍ରସ୍ତ ହେବ ଏବଂ ଚୀନକୁ ସୁଯୋଗ ମିଳିବ। ସେହିପରି, ଆମେରିକା ସହ ସମ୍ପର୍କ ବିଗିଡ଼ିଲେ ପ୍ରଯୁକ୍ତି ଏବଂ ବଜାର ହରାଇବାକୁ ପଡ଼ିବ। ତେଣୁ ରଣନୈତିକ ସ୍ୱାଧୀନତା କେବଳ ଏକ ସ୍ଲୋଗାନ ହେବା ଉଚିତ ନୁହେଁ; ଏହାକୁ ଏକ ଶୃଙ୍ଖଳିତ ଭାରସାମ୍ୟ ଯୁକ୍ତ ନୀତି ଭାବରେ କାର୍ଯ୍ୟକାରୀ କରିବାକୁ ହେବ।
ପୁଟିନଙ୍କ ଗସ୍ତ ଭାରତ ପାଇଁ ଏକ ବଡ଼ ସୁଯୋଗ, ଯେଉଁଥିରେ ପ୍ରତିରକ୍ଷା ପ୍ରଯୁକ୍ତି, ଆଣବିକ ଶକ୍ତି ଓ ଊର୍ଜା ଯୋଗାଣ ଭଳି କ୍ଷେତ୍ରରେ ସହଯୋଗ ସୁନିଶ୍ଚିତ ହେବା ସହିତ ଅତ୍ୟଧିକ ନିର୍ଭରଶୀଳତା କମାଇବା ପାଇଁ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ବିସ୍ତାର କରାଯିବ। ସବୁଠାରୁ ବଡ଼ ପରୀକ୍ଷା ହେଉଛି, ଭାରତର ନିଷ୍ପତ୍ତିଗୁଡ଼ିକ ରାଷ୍ଟ୍ରର ସୁରକ୍ଷା ଓ ଆତ୍ମନିର୍ଭରତା ବଜାୟ ରଖିବା ପାଇଁ ହେଉଛି ବୋଲି ମସ୍କୋ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବୁଝାଇବା। ଏଥିପାଇଁ ନୂଆଦିଲ୍ଲୀ ଉଭୟ ରୁଷିଆ ଏବଂ ଆମେରିକା ଆଗରେ ସତ୍ୟବାଦିତା ଓ ସ୍ପଷ୍ଟତା ପ୍ରଦର୍ଶନ କରିବା ଆବଶ୍ୟକ। ପୁଟିନଙ୍କ ଦୁଇଦିନିଆ ଭାରତଗସ୍ତ ଖବର ବିଶ୍ବରେ ପ୍ରସାରିତ ହେବ ଏବଂ ଏହାର କୂଟନୈତିକ ବିଶ୍ଳେଷଣ ମଧ୍ୟ କରାଯିବ; କିନ୍ତୁ ଭାରତ ପାଇଁ ପ୍ରକୃତ ସଫଳତା ସେତେବେଳେ ମିଳିବ, ଯେତେବେଳେ ଭାରତ ରୁଷ୍ ସହିତ ଏକ ‘ବିଶେଷ ଏବଂ ସ୍ୱତନ୍ତ୍ର’ ଭାଗିଦାରୀକୁ ପୁଣି ଥରେ ସୁନିଶ୍ଚିତ କରିବ।



