www.samajalive.in
Friday, December 5, 2025
17.1 C
Bhubaneswar

ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ମୋଦୀଙ୍କ ଆଲିଙ୍ଗନ

ନୂଆଦିଲ୍ଲୀ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରୋଟୋକଲ ଅନୁଯାୟୀ କୌଣସି ମନ୍ତ୍ରୀ,ରାଷ୍ଟ୍ରମନ୍ତ୍ରୀ କିମ୍ବା ବିଦେଶ ମନ୍ତ୍ରଣାଳୟର କ୍ଷମତାପ୍ରାପ୍ତ ଅଧିକାରୀ ହିଁ ବିଦେଶାଗତ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥାନ୍ତି। ତେବେ ପୁଟିନଙ୍କ କ୍ଷେତ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭଙ୍ଗ କରିଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ପୁଟିନଙ୍କ ବିମାନ ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ଏରିଆରେ ଅବତରଣ କରିଥିଲା। ମୋଦୀ ବ୍ୟକ୍ତିଗତ ଭାବେ ସେଠାରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ ଜଣାଇଥିଲେ। ମୋଦୀଙ୍କ ଏତାଦୃଶ ଆଚରଣକୁ କ୍ରେମଲିନ (ରୁଷ୍‌ ରାଷ୍ଟ୍ରପତିଙ୍କ ନିବାସ ଓ କାର୍ଯ୍ୟାଳୟ) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ଭାରତୀୟ ପ୍ରଧାନମନ୍ତ୍ରୀ ପୁଟିନଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବେ ବୋଲି ପୂର୍ବରୁ କ୍ରେମଲିନକୁ କୌଣସି ସୂଚନା ମିଳିନଥିଲା। ତେଣୁ ମୋଦୀଙ୍କ ଏଭଳି ଅପ୍ରତ୍ୟାଶିତ ଆଚରଣ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି। ପୁଟିନ ୨୦୨୧ରେ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ। ଚାରିବର୍ଷ ପରେ ପୁଟିନଙ୍କ ଏହି ଗସ୍ତକୁ ଅଧିକ ସ୍ମରଣୀୟ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ପ୍ରକାଶ।
ସୂଚନାଯୋଗ୍ୟ ମୋଦୀ ପ୍ରୋଟୋକଲ ଭାଙ୍ଗି ଏକାଧିକ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିବାର ଦୃଷ୍ଟାନ୍ତ ରହିଛି। ୨୦୧୬ରେ ଆବୁ ଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କଠାରୁ ଆରମ୍ଭ କରି ୨୦୧୭ ଏପ୍ରିଲରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା, ୨୦୧୭ ସେପ୍ଟେମ୍ବରରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଞ୍ଜୋ ଆବେ, ୨୦୧୮ ଜାନୁଆରୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ୨୦୧୮ ଫେବୃଆରୀରେ ଜୋର୍ଡାନ ରାଜା ଅବଦୁଲ୍ଲା, ୨୦୧୮ ମାର୍ଚ୍ଚରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ୨୦୧୯ ଫେବୃଆରୀରେ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍‌ ସଲମାନ, ୨୦୨୪ ଜାନୁଆରୀରେ ସଂଯୁକ୍ତ ଆରବ ଏମିରେଟ୍‌ସ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦଅଲ୍‌ ନାହ୍ୟାନ, ୨୦୨୫ ଫେବୃଆରୀରେ କାତାର ଶାସକ ଶେଖ ତମିମ ବିନ ହମାଦ ଅଲ୍‌ ଥାନିଙ୍କୁ ମୋଦୀ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରରେ ସ୍ବାଗତ କରିସାରିଛନ୍ତି।

Hot this week

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

ସମ୍ପାଦକୀୟ : ସଞ୍ଚାର ସାଥୀ ଆପ୍‌

ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର...

ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୁକ୍ରବାର ଯୁଗ୍ମ କମିଟି...

ସମ୍ପାଦକୀୟ : ଭାରତରେ ପୁଟିନ୍‌

ସମୟର ଦୋ’ଛକିରେ ସମ୍ପର୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏପରି...

Related Articles

Popular Categories