ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ ହେଲେ ମଧ୍ୟ ଶକ୍ତିର ପରିଚୟ ଦେଇ ନପାରିଲେ, ସର୍ବଦା ନିଜକୁ ଦୁର୍ବଳ ବୋଲି ଭାବିଲେ ବିଭିନ୍ନ କ୍ଷେତ୍ରରେ ଜଟିଳ ସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥାଏ। ତେେବ ଶାରୀରିକ ଦୁର୍ବଳତାଠାରୁ ମାନସିକ ଦୁର୍ବଳତା ଅଧିକ ବିପଜ୍ଜନକ। କୁରୁକ୍ଷେତ୍ରରେ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ଚିତ୍ତର ଦୁର୍ବଳତା ତାଙ୍କୁ ଅବସନ୍ନ କରିଦେଇଥିଲା। ଏହାକୁ ଦୂର କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ଶୁଣାଇଥିଲେ ଭଗବଦ୍ ଗୀତାର ଅମୂଲ୍ୟ ବାଣୀ। ମାନସିକ ସ୍ତରରେ ଦୁର୍ବଳ ବ୍ୟକ୍ତି, ଶାରୀରିକ ଦୃଷ୍ଟିକୋଣରୁ ସବଳ ହେଲେ ମଧ୍ୟ ପରିସ୍ଥିତିର ସାମ୍ନା କରି ନପାରି ପରାଜୟ ସ୍ବୀକାର କରି ନେଇଥାଏ ଆରମ୍ଭରୁ। କର୍ମ ହିଁ ଜୀବନକୁ ସାକାର ରୂପ ଦେଇଥାଏ। ତେବେ କର୍ମଭୀରୁ ଅପେକ୍ଷାକୃତ ସହଜିଆ ମାର୍ଗକୁ ଜୀବନ ଧାରଣର ମାନ ଭାବରେ ଗ୍ରହଣ କରିନେଇଥାନ୍ତି, ଯାହା ସେମାନଙ୍କ ପାଇଁ ଦୁଃଖର କାରଣ ହୋଇଥାଏ।
ଏକଦା ପାର୍ବତୀ ଆକାଶମାର୍ଗରୁ ଦେଖିଲେ ଅତିଶୟ ବୃଦ୍ଧ ଦମ୍ପତି ପୁଅ ସହିତ ଭିକ୍ଷା ମାଗୁଛନ୍ତି। ତାଙ୍କର ମାତୃ ହୃଦୟ କରୁଣାରେ ବିଗଳିତ ହୋଇଗଲା। କୈଳାସପତିଙ୍କୁ ନିବେଦନ କରି କହିଥିଲେ- ପ୍ରଭୁ! ଆପଣଙ୍କ ସଂସାରରେ କେତେକେତେ ଦୁଃଖୀ, ଗରିବ ଘୋର ଦୁଃଖରେ ଦିନ କାଟୁଛନ୍ତି। ଭିକ୍ଷୁ ଦମ୍ପତିଙ୍କୁ ଇଙ୍ଗିତ କରି କହିଥିଲେ ସେମାନଙ୍କୁ ସହାୟତା କରୁନାହାନ୍ତି କାହିଁକି? ଶିବଙ୍କ ଉତ୍ତର ଥିଲା- ଦେବି! ମୁଁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବିନି ଚାହିଁଲେ ମଧ୍ୟ। କାରଣ ମାନସିକ ଦୁର୍ବଳତା କାରଣରୁ ସେମାନଙ୍କର ଏ ଦୁର୍ଦଶା। ଭିକ୍ଷାବୃତ୍ତି ଭଳି ସହଜମାର୍ଗ ଆପଣେଇ ନେଇଛନ୍ତି ନିଜ ସୁବିଧା ଦୃଷ୍ଟିରୁ।
ଦେବୀ କିନ୍ତୁ ଏହାକୁ ହାଲକା ଭାବରେ ଗ୍ରହଣ କରିଥିଲେ। ଦେବୀଙ୍କ ଏକାନ୍ତ ଅନୁରୋଧରେ ଭଗବାନ ଶିବ ମତ ପରିବର୍ତ୍ତନ କରିଥିଲେ। ବୃଦ୍ଧ ଦମ୍ପତି ଗ୍ରାମ ଉପକଣ୍ଠ ଦେଇ ଯାଉଥିଲାବେଳେ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ପ୍ରଥମେ ବୃଦ୍ଧାଙ୍କୁ ବର ଯାଚଜ୍ଞା କରିଥିଲେ। ବୃଦ୍ଧା ଅତି ବିହ୍ବଳିତ ହୋଇ ଅଦ୍ଭୁତ ବର ମାଗିଥିଲେ- ନିଜକୁ ବିଂଶବର୍ଷୀୟ ଯୁବତୀ କରିଦେବା ନିମନ୍ତେ। ବିଷୟବାସନା, ଭୋଗ ପ୍ରତି ଦୁର୍ବାର ଲାଳସା ତାଙ୍କୁ ଏଭଳି ବର ମାଗିବାକୁ ବାଧ୍ୟ କରିଥିଲା। ‘ତଥାସ୍ତୁ’ କହିବା ମାତ୍ରେ ସୁନ୍ଦରୀ ଯୁବତୀ ହୋଇଯାଇଥିଲେ ବୃଦ୍ଧା। ଏହା ଦେଖି ବୃଦ୍ଧ କ୍ଷୁବ୍ଧ ହୋଇ କହିଥିଲେ ଦୁଷ୍ଟା ନାରୀ। ମୋତେ ଭଲ ଭାବରେ ଜଣାଅଛି ପରପୁରୁଷ ସହ ସଉକରେ ଜୀବନ କଟାଇବାକୁ ତୁ ଏଭଳି ବର ମାଗିଛୁ। ମୋତେ ଛାଡ଼ି ଚାଲିଯିବା ତୋର ଅସଲ ଉଦ୍ଦେଶ୍ୟ। ଶିବ ଏହା ଶୁଣି କହିଥିଲେ- ଏପରି କ୍ରୋଧିତ ହୁଅ ନାହିଁ। ତୁମେ ମଧ୍ୟ ବର ମାଗିପାର।
ଭୟଙ୍କର ବିଦ୍ବେଷ କାରଣରୁ ବୃଦ୍ଧ ହିତାହିତ ଜ୍ଞାନଶୂନ୍ୟ ହୋଇ କହିଥିଲେ- ‘ଭଗବାନ ଏହାକୁ ଘୁଷୁରିଟାଏ କରିଦିଅନ୍ତୁ।’ ‘ତଥାସ୍ତୁ’ କହିଥିଲେ ମହାଦେବ। ମା’ର ଏଭଳି ଦୁରବସ୍ଥା ଦେଖି ମ୍ରିୟମାଣ ହୋଇ କାନ୍ଦିଥିଲା ପୁଅ। ଭଗବାନ ଆଶ୍ବାସନା ଦେଇ କହିଥିଲେ- ତୁମେ ମଧ୍ୟ ବର ମାଗିପାର। ‘ଭଗବାନ! ମୋର ମା’ର ପୂର୍ବ ଅବସ୍ଥା ଫେରାଇ ଦିଅନ୍ତୁ।’ ତଥାସ୍ତୁ କହିଥିଲେ ଶିବ। ମା’ ପୂର୍ବାବସ୍ଥା ପ୍ରାପ୍ତି ହୋଇଥିଲେ। ସମୁଦାୟ ଘଟଣା ଲକ୍ଷ୍ୟ କରିଥିବା ପାର୍ବତୀ ଶିବଙ୍କୁ କହିଥିଲେ- ପ୍ରଭୁ! ଆପଣ ସତ୍ୟ କହିଥିଲେ। ଏମାନେ ଉତ୍ତମ ବର ପ୍ରାର୍ଥନା କରିବେ କିପରି ? ମନର ଦୁର୍ବଳତା ତ ସେମାନଙ୍କୁ ନ୍ୟୂନ କରି ଦେଇଛି।



