ଲୋକଙ୍କ ଡିଜିଟାଲ ଅଧିକାର ଅକ୍ଷୁଣ୍ଣ ରହୁ
ସାରା ବିଶ୍ୱ ଯେତେବେଳେ ଡିଜିଟାଲ୍ ଗଣତନ୍ତ୍ର ବିଷୟରେ ଚିନ୍ତା କରୁଛି, ସେତିକିବେଳେ ଭାରତରେ ‘ସଞ୍ଚାର ସାଥୀ’ ଆପ୍କୁ ନେଇ ଆସିଥିବା ଗୁପ୍ତ ନିେର୍ଦଶ ଏବଂ ତାହାର ପ୍ରତ୍ୟାହାର ଘଟଣା ନାଗରିକଙ୍କ ଡିଜିଟାଲ୍ ଅଧିକାରକୁ ନେଇ ଚିନ୍ତା ବଢ଼ାଇଛି। ଏହା ପ୍ରମାଣ କଲା ଯେ ‘ସାଇବର ସୁରକ୍ଷା’ର ଯୁକ୍ତି ଦେଇ ସରକାରୀ କ୍ଷମତା କେତେ ଶୀଘ୍ର ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରିପାରେ। କୌଣସି ସର୍ବସାଧାରଣ ଆଲୋଚନା, ସଂସଦୀୟ ତଦାରଖ କିମ୍ବା ଶ୍ୱେତପତ୍ର ବିନା କେବଳ ଦୂରସଞ୍ଚାର ସାଇବର ସୁରକ୍ଷା ନିୟମ ଆଧାରରେ ପ୍ରମୁଖ ଫୋନ୍ ଉତ୍ପାଦକ କମ୍ପାନୀମାନଙ୍କୁ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ କରିବା ଲାଗି ଗୁପ୍ତରେ ନିେର୍ଦଶ ଜାରି କରାଯାଇଥିଲା। ଏହି ଆଦେଶରେ କୁହାଯାଇଥିଲା ଯେ ‘ସଞ୍ଚାର ସାଥୀ’କୁ ସବୁ ନୂଆ ଡିଭାଇସ୍ରେ ପୂର୍ବରୁ ସ୍ଥାନିତ କରାଯାଉ ଏବଂ ପୁରୁଣା ଫୋନ୍ରେ ମଧ୍ୟ ସଫ୍ଟୱେୟାର୍ ଅପଡେଟ୍ ଜରିଆରେ ଅବସ୍ଥାପିତ କରାଯାଉ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହାକୁ ଅପସାରଣ କରିବା ବା ଅକ୍ଷମ କରିବାର ଅଧିକାର ଉପଭୋକ୍ତାମାନଙ୍କୁ ଦିଆଯାଇନଥିଲା। ଏହି ପଦକ୍ଷେପ ମାଧ୍ୟମରେ ସରକାର ନାଗରିକଙ୍କ ବ୍ୟକ୍ତିଗତ ଉପକରଣକୁ ନିଜ ପ୍ରବର୍ତ୍ତନକାରୀ ବ୍ୟବସ୍ଥାର ଏକ ଅଂଶ ଭାବରେ ବିଚାର କରିବାର ଚେଷ୍ଟା କରୁଥିଲେ। ଗୋପନୀୟତା ରକ୍ଷା କରିବା ଆମର ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ, ଏକ ଗୁପ୍ତ ଓ ଜବରଦସ୍ତ ଲାଗୁ କରାଯାଇଥିବା ଆଦେଶ ଆମ ସମ୍ବିଧାନର ନୀତି ବିରୁଦ୍ଧରେ ଯାଉଥିଲା।
ସଞ୍ଚାର ସାଥୀ ଆପ୍ରେ ହଜିଯାଇଥିବା ମୋବାଇଲ ଫୋନ୍କୁ ଠାବ କରିବା, ଅଚଳ କରିବା କିମ୍ବା ଠକେଇର ସୂଚନା ଦେବା ଭଳି କେତେକ ଉପଯୋଗୀ ବୈଶିଷ୍ଟ୍ୟ ରହିଛି; ମାତ୍ର, ଏଗୁଡ଼ିକ ଯେ ସଂପୂର୍ଣ୍ଣ ଭାବେ ସାଇବର ଅପରାଧ ରୋକିବ କିମ୍ବା ଦୃଢ଼ ତଥ୍ୟ ସୁରକ୍ଷା ବ୍ୟବସ୍ଥାର ବିକଳ୍ପ ହୋଇପାରିବ, ତାହାର କୌଣସି ବୈଷୟିକ ପ୍ରମାଣ ବା ତଥ୍ୟ ସାଧାରଣ ଲୋକଙ୍କ ନିକଟରେ ଉପଲବ୍ଧ ନାହିଁ। ତେଣୁ କୌଣସି ସ୍ପଷ୍ଟ ଆଇନଗତ ଆଧାର ନଥାଇ, ଏକ ଜଟିଳ ଆପ୍କୁ ଉପଭୋକ୍ତାମାନଙ୍କ ବ୍ୟକ୍ତିଗତ ଫୋନ୍ ଅପରେଟିଂ ସିଷ୍ଟମରେ ବାଧ୍ୟତାମୂଳକ ଭାବରେ ସ୍ଥାନ ଦେବା ନାଗରିକଙ୍କ ଅଧିକାରକୁ ଅଣଦେଖା କରିବା ସହ ସମାନ। ତେବେ ଏହି ନିଷ୍ପତ୍ତିର ତୁରନ୍ତ ପ୍ରତ୍ୟାହାରରୁ କିଛି କଥା ସାମ୍ନାକୁ ଆସୁଛି। ପ୍ରଥମତଃ, ଗଣମାଧ୍ୟମରେ ପ୍ରକାଶ ପରେ ବିରୋଧୀ ଦଳ ଏବଂ ନାଗରିକ ସମାଜର ଗୋଷ୍ଠୀଗୁଡ଼ିକର ସମବେତ ସ୍ୱର ଫଳରେ ସରକାର ପଛକୁ ହଟିବାକୁ ବାଧ୍ୟ ହେଲେ, ଯାହା ଦର୍ଶାଉଛି ଯେ ସଙ୍ଗଠିତ ଜନମତ ଏବେ ବି ନୀତି ନିର୍ଦ୍ଧାରଣ ଉପରେ ପ୍ରଭାବ ପକାଇପାରେ। ଦ୍ୱିତୀୟତଃ, ଆପଲ୍ ସମେତ ଅନ୍ୟ ପ୍ରଯୁକ୍ତି କମ୍ପାନୀ ଏହି ଆଦେଶକୁ କାର୍ଯ୍ୟକାରୀ କରିବାରେ ଅନିଚ୍ଛା ପ୍ରକାଶ କରିଥିଲେ। ଏହା ସୂଚିତ କରୁଛି ଯେ ଭାରତ ଯଦି ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ହେବାକୁ ଚାହେଁ, ତେବେ ତାକୁ ସ୍ପଷ୍ଟ ଏବଂ ଅଧିକାର-ସମ୍ବେଦନଶୀଳ ନିୟମ ପ୍ରଣୟନ କରିବାକୁ ପଡ଼ିବ।
ଏହି ଆଦେଶ ଫେରାଇ ନେବା କେବଳ ଏକ ଛୋଟ ଭୁଲ୍ ସୁଧାରିବା ନୁହେଁ। ଏହା ପ୍ରମାଣ କଲା ଯେ ସରକାର ଚାହିଁଲେ ଗୁପ୍ତରେ ନିେର୍ଦଶ ଦେଇ ଲୋକଙ୍କ ଉପରେ ନଜର ରଖିବାର ବ୍ୟବସ୍ଥାକୁ ସ୍ୱାଭାବିକ କରିପାରିବେ, ଯାହା ବିରୋଧରେ ସମସ୍ତେ ସତର୍କ ରହିବା ଉଚିତ। ଭାରତର ଡିଜିଟାଲ୍ ଭବିଷ୍ୟତକୁ ସୁରକ୍ଷିତ ତଥା ମୁକ୍ତ ରଖିବା ପାଇଁ ଏକ ଶକ୍ତିଶାଳୀ ତଥ୍ୟ ସୁରକ୍ଷା ଆଇନ, ସରକାରୀ ଆପ୍ଗୁଡ଼ିକର ସ୍ୱଚ୍ଛ ଅଡିଟ୍ ଏବଂ ନାଗରିକଙ୍କ ସମ୍ମତିକୁ ସର୍ବୋଚ୍ଚ ସ୍ଥାନ ଦେବା ଜରୁରୀ।



