ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନସେବକ, ପ୍ରବୀଣ ସାମ୍ବାଦିକ ଓ ପୂର୍ବତନ ମନ୍ତ୍ରୀ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲ ପରିସରରେ ପ୍ରତିଷ୍ଠିତ ଡ.ରଥଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନଶିକ୍ଷୟତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ କୁସୁମାଞ୍ଜଳି ଜେନା, ବରିଷ୍ଠ ଶିକ୍ଷକ ରମେଶ କୁମାର ସ୍ୱାଇଁ, କାଶୀନାଥ ସାହୁ, ମାଧବ ଚନ୍ଦ୍ର ନାୟକ ପ୍ରମୁଖ ଡ.ରଥଙ୍କ ତ୍ଯାଗପୁତ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ ।

ସେହିପରି ଗୋପବନ୍ଧୁ ବିଜ୍ଞାନ କଲେଜରେ ମଧ୍ୟ ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଏଥିରେ ଯୋଗଦେଇ ଡ.ରଥଙ୍କ ଭଳି ନିସ୍ୱାର୍ଥପର ଦେଶସେବକ ଆଜି ଦିନରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ଆଠଗଡ ଅଞ୍ଚଳର ପିଲାମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବା ପାଇଁ ରାଧାନାଥ ରଥ ଏହି କଲେଜ ସହିତ ଅନ୍ଯ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଅନ୍ଯ ଅଧ୍ୟାପକମାନେ ତାଙ୍କ ଅକ୍ଷୟ କିର୍ତ୍ତୀ ତାଙ୍କୁ ଚିର ଅମର କରି ରଖିବ ବୋଲି କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।



