ବିଲୁଆ ବିଚାର

ଅବନୀ ଚନ୍ଦ୍ର ଦାସ

ଆମ ସମାଜରେ ନିତିପ୍ରତି ଘଟୁଥିବା ବିଭିନ୍ନ ଘଟଣାର ପ୍ରାସଙ୍ଗିକତା ଦେଖି ଲୋକମାନେ ବହୁ ଭାବେ ଚର୍ଚ୍ଚା ବା ଆଲୋଚନା କରିଥାନ୍ତି; କିନ୍ତୁ ସବୁ ବିଷୟ ସମୀକ୍ଷା କଲାବେଳେ ଚର୍ଚ୍ଚିତ ପ୍ରସଙ୍ଗଟି ବେଳେ ବେଳେ ବିଚାର ବିମର୍ଶର ବହିର୍ଭୂତ ପରିସରକୁ ଚାଲିଯାଇ ସ୍ବକୀୟ ପ୍ରାସଙ୍ଗିକତା ହରାଇବସେ। ଯାହାକୁ ସାଧାରଣତଃ ଆମେ ‘ବିଲୁଆ ବିଚାର’ ବୋଲି କହିଥାଉ। ବିଲୁଆ ବିଚାର ସମ୍ପର୍କରେ ନାନା ପ୍ରକାର ରୋଚକ କିମ୍ବଦନ୍ତୀ କାହାଣୀ ଆକାରରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ ପିଲାଦିନେ ଶୁଣିଥିବା ଗୋଟିଏ ଲୋକକଥା ଏଠାରେ ସ୍ମରଣ ଯୋଗ୍ୟ। କାହାଣୀଟି ଏହିପରି –

ଏକଦା ଗୋଟିଏ ଜଙ୍ଗଲରେ ବାସ କରୁଥିବା ସର୍ଦାର ବିଲୁଆ ତାର ସାଥୀ ସହଚରମାନଙ୍କୁ ଡାକି ଏକ ମେଳିରେ ନିଜର ସାମର୍ଥ୍ୟ ଦେଖାଇବାକୁ ଯାଇ କହିଲା – ଏହି ଯେଉଁ ବିସ୍ତୀର୍ଣ୍ଣ ବନଭୂମି ଅଞ୍ଚଳଟି ଦେଖୁଛ, ତାହା ମୋର ଇଲାକା। କାରଣ, ମୋର ବିଚକ୍ଷଣ ବୁଦ୍ଧି ଏବଂ ନିରଳସ ବିଶ୍ବସ୍ତ ଆନୁଗତ୍ୟରେ ମୁଗ୍ଧ ହୋଇ ଏଇ ରାଜ୍ୟର ରାଜା ମୋତେ ଏହି ଭୂଖଣ୍ଡର ଆଧିପତ୍ୟ ପ୍ରଦାନ କରିଛନ୍ତି। ଏଣୁ, ଏହି ପରିସରରେ ଥିବା ସର୍ବସ୍ବତ୍ବ ମୋ ଅଧୀନରେ ସଂରକ୍ଷିତ ରହିଛି। ଏଠାରେ ଯେତେ ସବୁ ପ୍ରାଣୀଙ୍କ ମଡ଼ା (ଶବ) ପଡିବ, ସେ ସବୁକୁ ମୋ ଅଧୀନସ୍ଥ ପ୍ରଜା ଭାବେ ତୁମେମାନେ ନିର୍ଦ୍ବନ୍ଦ୍ବରେ ଭକ୍ଷଣ କରି ପାରିବ। ଏହା ଶୁଣି ମେଳିରେ ଉପସ୍ଥିତ ସମସ୍ତ ବିଲୁଆ ଖୁସିରେ ଆତ୍ମହରା ହୋଇ ପଡ଼ିଲେ ଏବଂ ବିଚାର କଲେ, କେମିତି ଉପାୟରେ ସେମାନେ ନିଜ ପାଇଁ ଓ ନିଜ ପରିବାର ସଦସ୍ୟଙ୍କ ପାଇଁ ଏହି ବିସ୍ତୀର୍ଣ୍ଣ ବନଭୂମିରେ ମଡା (ଶବ) ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ସଂରକ୍ଷିତ କରି ନିଜ ଅକ୍ତିଆରରେ ରଖି ପାରିବେ।

ବିଚାର ବିମର୍ଶ ଚାଲିଲା। ଅନେକ ନିଜ ନିଜ ସାମର୍ଥ୍ୟ ଦେଖାଇବାକୁ ବାହୁସ୍ଫୋଟ ମାରି ବଖାଣି ବସିଲେ। କିଏ କେତେ ଶିକାର କରିଛି, କିଏ ଅପର ଶିକାରକୁ ଅପହରଣ କରି ଆଣିଛି ଅବା ଅପେକ୍ଷାକୃତ ଦୁର୍ବଳ ପ୍ରାଣୀ ଠାରୁ ଲୁଣ୍ଠନ କରି ଉଦର ପୋଷଣ କରିଛି। ପୁଣି, କିଏ କଳେ ବଳେ କୌଶଳେ କିଛି ଶିକାର କବଳିତ କରି ନିଜ ପିଲା, ପରିବାର ଓ ଚେଲା ଅନୁଗତମାନଙ୍କୁ ପୋଷଣ ଦେଇ ପାରିଛି, ଇତ୍ୟାଦି, ଇତ୍ୟାଦି। ଯଦିଓ ସେଇ ଇଲାକାରେ ଅନ୍ୟ ପ୍ରଜାତିର ବିଲୁଆମାନେ ବି ବାସ କରୁଥିଲେ, ସେମାନଙ୍କ ମେଳିରେ ଟାଣୁଆ ସର୍ଦାର ନଥିବାରୁ ଏମିତିକା ବିଚାର କରିବା ସମ୍ଭବ ହେଉ ନଥିଲା। ଅନ୍ୟ ପ୍ରଜାତିର ବିଲୁଆ ବା ଶିଆଳ ବୋଇଲେ କୋକି ଶିଆଳ, ରାମ ଶିଆଳମାନଙ୍କ ହୁକେ ହୋ ରଡ଼ି ଶୁଣାଗଲେ ସଂଖ୍ୟା ଗରିଷ୍ଠ ଶିଆଳ (ବିଲୁଆ) ଗୋଷ୍ଠୀ ନିରବି ଯାଉଥିଲେ। କାରଣ ଆଶଙ୍କା ଥିଲା, ଅନ୍ୟ ଶିଆଳ ଗୋଷ୍ଠୀ କାଳେ ସେମାନଙ୍କ ଇଲାକାକୁ ଦଖଲ କରିନେବେ।

ତେବେ ସମଗ୍ର ଜଙ୍ଗଲର ରାଜା ସିଂହ ଯେତେବେଳେ ଜାଣିବାକୁ ପାଇଲା କି,ଏମିତି କୁଚକ୍ରାନ୍ତ କରି ଗୋଟିଏ ଗୋଷ୍ଠୀ ନିଜ ପାଇଁ ଫାଇଦା ଉଠାଇବାରେ ଲାଗିଛି, ସେ ଅନ୍ୟ ବଳ ଗୋଷ୍ଠୀଙ୍କୁ ଲଗାଇ ଆକ୍ରମଣ କରିବାକୁ ଲାଗିଲା। ଏହା ଦେଖି ସେଇ ଇଲାକାର ଦଖଲରେ ଥିବା ଗୋଷ୍ଠୀଙ୍କ ମଧ୍ୟରେ ଭାଳେଣି ପଡିଗଲା। ସେମାନେ ସର୍ଦାର ଉପରେ ଭରସା ରଖିବାକୁ କୁଣ୍ଠାବୋଧ କଲେ ବି, ଏ କଥା ପ୍ରକାଶ୍ୟରେ ବ୍ୟକ୍ତ କରି ପାରିଲେ ନାହିଁ। ସେମାନଙ୍କ ମନୋଭାବ ଜାଣି

ମୁଖିଆ ବା ସର୍ଦାର ସନ୍ଧି ପ୍ରସ୍ତାବ ଦେଇ ଅଲଗା ଶିଆଳ ଗୋଷ୍ଠୀଙ୍କ ସହିତ ମେଣ୍ଟ କରିବାକୁ ଆଗଭର ହେବାର ଦେଖାଗଲା। ଏଥିନେଇ ଅନେକ ବିଚାର ବିମର୍ଶ ହେବା ଜରୁରୀ ମଣି ବୈଠକ ଡକାଗଲା। ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ଦେଖାଉଥିବା ଶିଆଳମାନେ ମଧ୍ୟ ପରସ୍ପର ମଧ୍ୟରେ ମତ ବିନିମୟ କରିବାକୁ ଲାଗିଲେ ସତ; କିନ୍ତୁ ସ୍ଥାନ ନିରୂପଣ କରିବା ସମ୍ଭବ ହେଲାନାହିଁ। ଅର୍ଥାତ୍ କେଉଁ ଗୋଷ୍ଠୀ କେତେ ପରିମିତ ଇଲାକାର ଦଖଲ ଅକ୍ତିଆର କରିନେବ କିମ୍ବା କେଉଁ ଅଞ୍ଚଳର ମଡ଼ା (ଶବ) ଉପରେ ଅଧିକାର ଜାହିର କରିବ, ତାହା ଅମୀମାଂସିତ ହୋଇଗଲା। ସଂପୃକ୍ତ ଗୋଷ୍ଠୀର ନିଜ ନିଜ ଭିତରେ ବି, ମତ ପାର୍ଥକ୍ୟ ସୃଷ୍ଟି ହୋଇ ଗୋଷ୍ଠୀ କନ୍ଦଳର ରୂପ ନେଲା।

ଏସବୁ ଦେଖି, ସେଠାର ଅଧିବାସୀ ଅନ୍ୟସବୁ ବନ୍ୟ – ପ୍ରାଣୀମାନେ ପ୍ରସଙ୍ଗଟିକୁ ଗୁରୁତ୍ବ ସହକାରେ ବିଚାର କରିବାକୁ ଲାଗିଲେ। କିଏ କହିଲା – ଶାଗୁଣାମାନେ ନଥିବାରୁ ଏମିତି ପରିସ୍ଥିତି ଉପୁଜିଛି। କିଏ କହିଲା : ଚତୁର ବିଲୁଆ ଗୋଷ୍ଠୀ ଜିତାପଟ ନେଇଯିବ। ଆଉ କିଏ କହିଲା : ଜଙ୍ଗଲ ରାଜା ସିଂହକୁ ମନେଇ ଅପର ଗୋଷ୍ଠୀ ବି ଅଧିକ ଇଲାକା ହାତେଇ ପାରେ। ପୁଣି, ଇଲାକା ଦଖଲ ପାଇଁ ଆଶାୟୀ ମାନଙ୍କୁ ସମାନ ଭାବେ ଆସ୍ଥାନ ଦେବା ଉଚିତ୍ ବୋଲି କେହି ମନ୍ତବ୍ୟ ଦେବାକୁ ଲାଗିଲେ।

ଆପଣା ସ୍ବାର୍ଥ ପାଇଁ ହେଉ କି, ଆମୋଦ ଆଳସ୍ୟ ପରାୟଣତା ପାଇଁ ହେଉ ଅନ୍ୟଥା ପ୍ରସଙ୍ଗ ବିହୀନ ଅବାନ୍ତର ଯୁକ୍ତି ଉପସ୍ଥାପନ କରି ମଜା ନେଉଥିବା ବିଲୁଆମାନଙ୍କ ବିଚାରଧାରା କଦାଚିତ୍ ଗ୍ରହଣୀୟ ନୁହେଁ। ଏ କଥା ଜାଣି ବି ଜଙ୍ଗଲର ଜନ୍ତୁ ଖାଲି ନୁହନ୍ତି, ସାଂପ୍ରତିକ ମଣିଷ ସମାଜରେ ମଧ୍ୟ ଏଭଳି ଅଯୌକ୍ତିକ, ଅବାଞ୍ଛିତ ବିଷୟ ଆଲୋଚନା ବା ଚର୍ଚ୍ଚା ହୁଏ, ଯାହାର କୌଣସି ପ୍ରାସଙ୍ଗିକ ଭିତ୍ତି ନଥାଏ। ଏପରି କି ସାଧାରଣ ଲୋକେ ମଧ୍ୟ ଅନେକ ସମୟରେ ଗୁଲି ଖଟି ଆଳରେ ଅଯଥା ଦଖଲ ଦେଇ ଚର୍ଚ୍ଚା ପରିସରକୁ ଆସି ଯାଆନ୍ତି ଏବଂ ଅନଭିଜ୍ଞତା ଦୃଷ୍ଟିରୁ ବିତଣ୍ଡା ଯୁକ୍ତି ଉପସ୍ଥାପନ କରିଥାନ୍ତି। କୌଣସି ନିଷ୍କର୍ଷ ଅବା ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ତାହା ଅଚିରେ ଫସର ଫାଟିଯାଏ ଏବଂ ସେହି ପ୍ରସଙ୍ଗ : ବିଲୁଆ ବିଚାର ବୋଲି ଆଖ୍ୟାୟିତ ହୁଏ।

Comments are closed.