(ଅ)ଦ୍ବିତୀୟ ଈଶ୍ବର

ସରକାରୀ ଡାକ୍ତରଖାନାରେ ନିଯୁକ୍ତ ଅନେକ ଡାକ୍ତର ଘରୋଇ ଚିକିତ୍ସା କରୁଥିବା କାହାକୁ ଅଜଣା ନୁହେଁ। ସହରାଞ୍ଚଳର ପ୍ରତି ଗଳିକନ୍ଦିରେ ଖୋଲିଥିବା ଅଧିକାଂଶ ଘରୋଇ କ୍ଲିନିକରେ ଏହି ସରକାରୀ ଡାକ୍ତରମାନେ ହିଁ ଚିକିତ୍ସା କରନ୍ତି କିମ୍ବା ନିଜ ଘରେ କ୍ଲିନିକ ଖୋଲିଥାନ୍ତି। ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକରେ ଯେଉଁ ସରକାରୀ ଡାକ୍ତର ଥାଆନ୍ତି, ସେମାନଙ୍କ ମଧ୍ୟରୁ ବହୁଳାଂଶ ନିକଟସ୍ଥ ସହରର ଘରୋଇ କ୍ଲିନିକଗୁଡ଼ିକରେ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏମାନେ ଦିନଦିନ ଧରି ଡାକ୍ତରଖାନାରେ ଅନୁପସ୍ଥିତ ରହିବା ସାଧାରଣ କଥା। କହିବା ନିଷ୍ପ୍ରୟୋଜନ ଯେ ଏହାଦ୍ବାରା ସଂପୃକ୍ତ ସରକାରୀ ଡାକ୍ତରଖାନାଗୁଡ଼ିକ ଉପରେ ନିର୍ଭରଶୀଳ ରୋଗୀମାନେ ଠିକ୍‌ ସମୟରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନେ ବାଧ୍ୟହୋଇ ସରକାରଙ୍କ ମାଗଣା ଚିକିତ୍ସାସେବା ଓ ଔଷଧ ନପାଇ ଘରୋଇ ଡାକ୍ତରଖାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହରକତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଘରୋଇ ଚିକିତ୍ସା (ପ୍ରାଇଭେଟ୍‌ ପ୍ରାକ୍ଟିସ୍) ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯିବା ନେଇ ଦାୟର ଏକ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିବା ସହ ଚାରି ସପ୍ତାହ ଭିତରେ ଜବାବ ରଖିବା ଲାଗି ସରକାରଙ୍କୁ ନିର୍ଦେଶ ଦେବା ବେଶ୍ ପ୍ରଣିଧାନଯୋଗ୍ୟ। ଆବେଦନକାରୀଙ୍କ ଅନୁଯାୟୀ ସରକାରୀ ଡାକ୍ତରଖାନାକୁ ଯାଉଥିବା ଗରିବ ରୋଗୀଙ୍କୁ ଅନେକ ସମୟରେ ପରୋକ୍ଷରେ ଘରୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ କରାଯାଉଛି। ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଘରୋଇ ଚିକିତ୍ସା କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ​‌େହ‌ାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ନିଜ ଦାୟିତ୍ବ ନ ତୁଲାଇ ଅଧିକ ଅର୍ଥ ଲୋଭରେ ଜଣେ ଡାକ୍ତର ଯେତେବେଳେ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ନକରି ଘରୋଇ ଡାକ୍ତରଖାନାରେ ଚିକିତ୍ସା କରନ୍ତି, ସେତେବେଳେ ସେ ଆଉ ସେବା କରନ୍ତି ନାହିଁ, ବ୍ୟବସାୟ ହିଁ କରନ୍ତି। ଏଭଳି ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଅତ୍ୟନ୍ତ ସ୍ବାଭାବିକ। ସେପଟେ ଘରୋଇ କ୍ଲିନିକ ବା ବଡ଼ବଡ଼ ଡାକ୍ତରଖାନା ଖୋଲି ରୋଗୀଙ୍କୁ ସେବା ନାଁରେ ଶୋଷଣ କରୁଥିବା ବ୍ୟବସାୟୀଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଚାଲିଛି।

ଏହି ଦୃଷ୍ଟିରୁ ସରକାରୀ ଡାକ୍ତରମାନଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା ପାଇଁ ଅନୁମତି ନଦେବା ସହ ଏଥିପାଇଁ ସ୍ବତନ୍ତ୍ର ଆଇନ ବା ମାର୍ଗଦର୍ଶିକା ଜାରି କରିବାକୁ ଆବେଦନକର୍ତ୍ତାଙ୍କ ଦାବି ଯଥାର୍ଥ। ସରକାର ଏ ପ୍ରସଙ୍ଗକୁ ଗୁରୁତ୍ବ ଦେବା ଆବଶ୍ୟକ। ଏହା ସତ୍ୟ ଯେ ଓଡ଼ିଶାରେ ଡାକ୍ତରଙ୍କ ଅଭାବ ଲାଗି ରହିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୧୦,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦ ରହିଥିବାବେଳେ ସେଥିରୁ ୧,୪୫୪ ପଦ ଖାଲି ପଡ଼ିଛି। ସରକାର ନିକଟ ଅତୀତରେ ଅଧିକ ୫,୦୦୦ ନୂଆ କନିଷ୍ଠ ଡାକ୍ତର ପଦ ପ୍ରଥମ ଶ୍ରେଣୀ ପାହ୍ୟାରେ ସୃଷ୍ଟି କରିଛନ୍ତି। ଏଥିରେ ନୂତନ ନିଯୁକ୍ତି ମଧ୍ୟ ଦିଆଗଲାଣି। ତେବେ ଯେତେ ଡାକ୍ତର ନିଯୁକ୍ତ କଲେ ମଧ୍ୟ ସେମାନେ ଯଦି ଡାକ୍ତରଖାନାରେ ନ ରହି ଘରୋଇ କ୍ଲିନିକମୁହଁା ହେବେ, ତେବେ ସ୍ବାସ୍ଥ୍ୟସେବାର ଚିତ୍ର ବଦଳିବ ନାହିଁ। ଗତ କିଛିବର୍ଷ ମଧ୍ୟରେ ସରକାର ଡାକ୍ତରଙ୍କ ପାଇଁ ସୁବିଧାସୁଯୋଗ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି କରିଛନ୍ତି; ଏହାସତ୍ତ୍ବେ କେତେକ ଡାକ୍ତର ସ୍ବେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିବା ବା ନିଜ କର୍ମସ୍ଥଳୀରେ ଯୋଗ ନଦେବା ଭଳି ଘଟଣା ଦେଖିବାକୁ ମିଳୁଛି। ଘରୋଇ ଡାକ୍ତରଖାନା ଭଳି ସୁବିଧାସୁଯୋଗ ବା ଅଧିକ ଦରମା ହୁଏତ ସରକାରୀ ଡାକ୍ତରଖାନାରେ ମିଳୁନାହିଁ; କିନ୍ତୁ ଚିକିତ୍ସା କେବଳ ଏକ ବୃତ୍ତି ନୁହେଁ, ବରଂ ସେବା, ତାହା ସେମାନେ ଭୁଲିଯିବା ଅନୁଚିତ। ଡାକ୍ତରମାନେ ଯେତେବେଳେ ଅର୍ଥ ମୋହଗ୍ରସ୍ତ ହୋଇପଡ଼ନ୍ତି, ସେମାନେ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି; ଅର୍ଥାତ ସେମାନେ ମଧ୍ୟ ସେହି ଶୋଷଣରେ ଭାଗୀଦାର ହୋଇପଡ଼ନ୍ତି। ଏହା ବାସ୍ତବିକ ଏକ ଦୁର୍ଭାଗ୍ୟଜନକ ସ୍ଥିତି। ଆହୁରି ଚିନ୍ତାର ବିଷୟ ଯେ ସରକାରୀ ମେଡିକାଲ୍‌ କଲେଜରେ ପାଠପଢ଼ି, ତାଲିମ ନେଇ ଅଧିକ ଅର୍ଥ ଉପାର୍ଜନ ଆଶାରେ ଯୁବ ଡାକ୍ତରମାନେ ସରକାରୀ ଡାକ୍ତରଖାନାକୁ ମୁହଁ ମୋଡ଼ୁଛନ୍ତି। ପୂର୍ବରୁ ଆମ ସମାଜରେ ଶିକ୍ଷକ ଓ ଚିକିତ୍ସକ ଯେଉଁ ସମ୍ମାନର ଅଧିକାରୀ ଥିଲେ, ବର୍ତ୍ତମାନ ସେମାନେ ତାହା ହରାଇବା ମୂଳରେ ଏହି ଅର୍ଥଲାଳସା ଅଧିକ ଦାୟୀ। ଏଥିରେ ସନ୍ଦେହ ନାହିଁ ଯେ ଅଳ୍ପ ହେଲେ ମଧ୍ୟ ଏବେ ବି ମଧ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ କେତେକ ଡାକ୍ତର ଅଛନ୍ତି, ଯାହାଙ୍କ ପାଇଁ ଅର୍ଥୋପାର୍ଜନ ଅପେକ୍ଷା ରୋଗୀସେବା ବଡ଼ ହୋଇଛି। ଏମାନେ ଯଥାର୍ଥରେ ‘ଦ୍ବିତୀୟ ଈଶ୍ବର’ ପଦବାଚ୍ୟ।

Comments are closed.