କିଏ ବିଶ୍ୱାସ କରିବ?
ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନୀ ବଣ୍ଡ୍(ଇଲେକ୍ଟୋରାଲ୍ ବଣ୍ଡ୍) ଯୋଜନାର ସମସ୍ତ ସୂଚନା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)କୁ ନିର୍ଦେଶ ଦେଇଥିବାବେଳେ ଏସ୍ବିଆଇ ଏଥିପାଇଁ ଅସମର୍ଥତା ପ୍ରକାଶ କରିବା ସହ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିବା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ପାଞ୍ଚଜଣିଆ ସମ୍ବିଧାନ ପୀଠ ଏ ସମ୍ପର୍କିତ ଏସ୍ବିଆଇର ଆବେଦନକୁ ଆସନ୍ତା ସୋମବାର ଶୁଣାଣି କରିବେ। ଅପରପକ୍ଷେ ଅଦାଲତ ଦ୍ବାରା ନିର୍ଦ୍ଧାରିତ ତାରିଖ ସୁଦ୍ଧା ଏସ୍ବିଆଇ ସୂଚନା ପ୍ରଦାନ କରିନଥିବାରୁ ଏହି ସଂସ୍ଥା ବିରୋଧରେ ଅଦାଲତ ଅବମାନନା ମୋକଦ୍ଦମା ଚଳାଇବାକୁ ଦୁଇଟି ବେସରକାରୀ ସଂସ୍ଥା ଏଡିଆର୍ ଓ କମନ୍ କଜ୍ ପକ୍ଷରୁ ଆବେଦନ କରାଯାଇଛି। ନ୍ୟାୟାଳୟର ଉପରୋକ୍ତ ପୀଠ ଏହି ମାମଲାର ମଧ୍ୟ ଶୁଣାଣି କରିବେ। ଆଗକୁ ନିର୍ବାଚନ ଥିବାରୁ ଏସ୍ବିଆଇ ‘ଜାଣିଶୁଣି ଓ ଅଭିସନ୍ଧି ରଖି’ ଏପରି କରୁଥିବା ଅଭିଯୋଗରେ ଦର୍ଶାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୫ରେ ସର୍ବୋଚ୍ଚ ନ୍ୟାୟାଳୟର ଏକ ପାଞ୍ଚଜଣିଆ ସମ୍ବିଧାନ ପୀଠ କେନ୍ଦ୍ର ସରକାରଙ୍କ ପ୍ରଣୀତ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ‘ଅସାମ୍ବିଧାନିକ’ ଆଖ୍ୟା ଦେଇ ଏହାକୁ ରଦ୍ଦ କରିବା ସହ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଏହାର ସମସ୍ତ ତଥ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିବାକୁ ଏସ୍ବିଆଇକୁ ନିର୍ଦେଶ ଦେଇଥିଲେ, ଯେପରିକି ଆୟୋଗ ଉକ୍ତ ସୂଚନାକୁ ମାର୍ଚ୍ଚ ୧୩ ସୁଦ୍ଧା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତାଙ୍କ ୱେବ୍ସାଇଟ୍ରେ ପ୍ରଦର୍ଶିତ କରିପାରିବେ। ତେବେ ମାର୍ଚ୍ଚ ୪ରେ ଏସ୍ବିଆଇ ଯେଉଁ କାରଣମାନ ଦର୍ଶାଇ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ତିନି ସପ୍ତାହ ମଧ୍ୟରେ ଏହା ସମ୍ଭବ ହେବନାହିଁ ବୋଲି ଯୁକ୍ତି ବାଢ଼ିଛି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ନିର୍ବାଚନୀ ବଣ୍ଡ୍ର ସମସ୍ତ ତଥ୍ୟ ଏକତ୍ର କରିବା ଏକ ସମୟସାପେକ୍ଷ କାର୍ଯ୍ୟ ବୋଲି ଏସ୍ବିଆଇ କହିଥିବା ବେଳେ ଏ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞଗଣ ଏହା ଅତି ବେଶିରେ ୨୪ ଘଣ୍ଟାର କାମ ବୋଲି କହୁଛନ୍ତି। ନିର୍ବାଚନୀ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବା ସମୟରେ ଭାରତ ସରକାରଙ୍କ ଅର୍ଥ ଓ ଆର୍ଥନୀତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଥିବା ସୁଭାଷ ଚନ୍ଦ୍ର ଗର୍ଗଙ୍କ ମତରେ ପ୍ରତ୍ୟେକ ବଣ୍ଡ୍ରେ ଏକ ନିର୍ଦିଷ୍ଟ ନମ୍ବର ରହିଥାଏ ଏବଂ ସେହି ବଣ୍ଡ୍ ସମ୍ପର୍କିତ ସମସ୍ତ ସୂଚନା (ଦାତା, ଗ୍ରହୀତା, ତାରିଖ ଇତ୍ୟାଦି) ଉକ୍ତ ନମ୍ବର ସହିତ ସମ୍ପୃକ୍ତ ତଥ୍ୟ ବିବରଣୀରୁ ତ୍ବରିତ୍ ମିଳିଯାଇପାରିବ। ଆଧୁନିକ ପ୍ରଯୁକ୍ତି ବଳରେ ଏସ୍ବିଆଇ ପ୍ରତ୍ୟହ ଲକ୍ଷଲକ୍ଷ ବ୍ୟାଙ୍କ୍ ଖାତା ଓ ଏଟିଏମ୍ର ତଥ୍ୟ ମୁହୂର୍ତ୍ତକ ମଧ୍ୟରେ ପାଇପାରୁଥିବାବେଳେ ୨୨,୨୧୭ଟି ବଣ୍ଡ୍ର ହିସାବକିତାବ ବାହାର କରିବା ପାଇଁ ମାସମାସ ସମୟ ଲାଗିବ ବୋଲି କହିଲେ ବିଶ୍ବାସଯୋଗ୍ୟ ମନେ ନହେବା ସ୍ବାଭାବିକ। ସାଧାରଣତଃ ସନ୍ଧାନୀ ରିପୋର୍ଟ ପ୍ରକାଶ କରୁଥିବା ‘ଦି ରିପୋର୍ଟର୍ସ କଲେକ୍ଟିଭ୍’ ନାମକ ୱେବ୍ସାଇଟ ଏସ୍ବିଆଇ ଦସ୍ତାବିଜ୍ର ପ୍ରମାଣ ଉପସ୍ଥାପନ କରି ଦର୍ଶାଇଛି ଯେ ଅତୀତରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ନିର୍ଦେଶରେ କିଭଳି ଏସ୍ବିଆଇ ମାତ୍ର ୪୮ ଘଣ୍ଟା ମଧ୍ୟରେ ୨୦୧୯ ଓ ୨୦୨୦ର ନିର୍ବାଚନୀ ବଣ୍ଡ୍ ବିଷୟକ ସୂଚନା ପ୍ରଦାନ କରିଥିଲା। ଏହା ଯଦି ସତ୍ୟ ହୋଇଥାଏ, ତେବେ ନିଶ୍ଚିତ ସାଙ୍ଘାତିକ।
ଅପରପକ୍ଷେ, ଏସ୍ବିଆଇ ତଥ୍ୟ ପ୍ରଦାନ ପାଇଁ ଯେଉଁ ସମୟସୀମା ମାଗିଛି, ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଜୁନ ଶେଷ ବେଳକୁ ଦେଶରେ ସାଧାରଣ ନିର୍ବାଚନ ଶେଷ ହୋଇସାରିଥିବ। ଯଦି ନିର୍ବାଚନୀ ଚାନ୍ଦା ସମ୍ପର୍କରେ ଏବେ ସର୍ବସାଧାରଣରେ ପ୍ରକାଶ କରିଦିଆଯାଏ, ତେବେ କେଉଁ ଦଳ କାହାଠାରୁ, ବିଶେଷତଃ କେଉଁ ପୁଞ୍ଜିପତିଠାରୁ କେତେ ଚାନ୍ଦା ପାଇଛି, ସେ ସମ୍ପର୍କରେ ଜଣାପଡ଼ିଯିବ। ଏହାଦ୍ବାରା ସର୍ବାଧିକ ଚାନ୍ଦା ପାଇଥିବା ରାଜନୈତିକ ଦଳର ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିପାରେ। ଅପରପକ୍ଷେ, ବଣ୍ଡ୍ ସମ୍ପର୍କିତ ସୂଚନା ଜନସାଧାରଣ ଅର୍ଥାତ୍ ମତଦାତା ଜାଣିବା ଅପରିହାର୍ଯ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଏଇଥିପାଇଁ ମନେକରିଥିଲେ ଯେ ଚାନ୍ଦା ବଦଳରେ ଚାନ୍ଦାଦାତାଙ୍କୁ କିଛି ଅନୈତିକ ଭାବେ ଅନୁଗୃହୀତ କରାଯାଇ ଥାଇପାରେ, ଯାହାକୁ ଲାଟିନରେ କୁହାଯାଏ ‘କ୍ବିଡ଼ ପ୍ରୋ େକ୍ବା’। ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ଯେ ନପଡ଼ିବ, ସେକଥା କହିହେବ ନାହିଁ। ଅତଏବ ଏ ପ୍ରସଙ୍ଗ ଯେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ, ତାହା କହିବା ନିଷ୍ପ୍ରୟୋଜନ। ଆସନ୍ତା ସୋମବାର ଏସ୍ବିଆଇ ଓ ପ୍ରତିପକ୍ଷଙ୍କ ଆବେଦନର ବିଚାର ପରେ ନ୍ୟାୟାଳୟ କି ନିଷ୍ପତ୍ତି ନେଉଛନ୍ତି, ତାହା ବେଶ୍ ଗୁରୁତ୍ବ ରଖୁଛି। ତେବେ ‘ଡିଜିଟାଲ୍ ଇଣ୍ଡିଆ’ର ସମ୍ପୂର୍ଣ୍ଣ ପ୍ରଯୁକ୍ତି-ପରିଚାଳିତ ଏକ ବୃହତ୍ ବ୍ୟାଙ୍କ ଯଦି କହିବ କିଛି ହଜାର ଦେଣନେଣର ସୂଚନା ପ୍ରଦାନ ପାଇଁ ପ୍ରାୟ ଚାରିମାସ ସମୟ ଲାଗିବ, ତାକୁ କିଏ ବିଶ୍ବାସ କରିବ?
Comments are closed.