ଶାସନରେ ଜନସହଭାଗିତା
ଅକ୍ଷୟ ଦ୍ବିବେଦୀ
ଭାରତ ଶାସନ କଳରେ ପ୍ରତ୍ୟକ୍ଷ ଭାବେ ଜନସାଧାରଣଙ୍କର ପ୍ରବେଶ ନାହିଁ। ପରୋକ୍ଷରେ ଆମେ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ଶାସିତ ହେଉ; କିନ୍ତୁ ଶାସନ ପରିଚାଳନାରେ ଜନ ସହଭାଗିତା ନିହାତି ଆବଶ୍ୟକ। ଆମ ଶାସନ ବ୍ୟବସ୍ଥାରେ ଜନ ସହଭାଗିତାର ପ୍ରଥମ ପାହାଚ ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା। ଏହି ପ୍ରକ୍ରିୟା ସହ ମତଦାତାମାନଙ୍କୁ ନିର୍ବାଚନ ଓ ଭୋଟର ଗୁରୁତ୍ୱ ବିଷୟରେ ସଚେତନ କରାଇବା ମଧ୍ୟ ଜଡିତ, ଯାହାଦ୍ୱାରା ସେମାନେ ନିରପେକ୍ଷ ଓ ଚାପମୁକ୍ତ ଭାବେ ଭୋଟଦେବେ। ତା’ପରେ ସରକାରୀ ଶାସନ ପଦ୍ଧତିରେ ଗଠନ ମୂଳକ ପଦକ୍ଷେପ ନେବା ଓ ଭଲ କାମ ପାଇଁ ପ୍ରଶଂସା କରିବା ସହ ଖରାପ କାମ ପାଇଁ ଚେତାଇ ଦେବା ଦରକାର । ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା, ଯାହାଦ୍ୱାରା ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରହିବ। ଆଇନକାନୁନ, ଶାନ୍ତି ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ସରକାରଙ୍କୁ ସାହାଯ୍ୟ କରିବା ସହ ଉନ୍ନତିମୂଳକ ଓ ଜନହିତକର କାମରେ ସକ୍ରିୟ ସହଯୋଗ କରିବା। ଏହିସବୁ କାର୍ଯ୍ୟ ପାଇଁ ସଚେତନ ନାଗରିକମାନଙ୍କର ଶାସନ ପ୍ରକ୍ରିୟାରେ ସକ୍ରିୟ ସହଭାଗିତାର ଆବଶ୍ୟକତା ରହିଛି। ତେବେ ଏଥିପାଇଁ ସରକାର ଆନ୍ତରିକତାର ସହ ଜନସାଧାରଣ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସାହାଯ୍ୟ ଲୋଡ଼ିବା ଦରକାର । ସମ୍ବିଧାନର ୭୩ ତମ ଓ ୭୪ ତମ ସଂଶୋଧନରେ ଗ୍ରାମୀଣ ଓ ସହରୀ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନ ସହଭାଗିତାକୁ ପ୍ରାଧାନ୍ୟ ଦିଆଯାଇଛି। ଏହାଦ୍ୱାରା ଶାସନ ପରିଚାଳନାରେ ସ୍ୱଚ୍ଛତା ଆସିବା ସହ ଲୋକାଦୃତ ହୋଇପାରିବ। ଜନ ସହଭାଗିତା ଦ୍ୱାରା ଜନସଚେତନତା ସୃଷ୍ଟି ହେବ ଓ ଉନ୍ନତି ମୂଳକ କାର୍ଯ୍ୟରେ ନିରପେକ୍ଷତା ଆସିପାରିବ।
ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ରାଷ୍ଟ୍ର ଶକ୍ତିର ଉତ୍ସ। ସେମାନେ ଏକକ ବା ସମଷ୍ଟିଗତ ଭାବେ ଜାଗ୍ରତ ପ୍ରହାରୀ ଭାବରେ ଲୋକ ଓ ଦେଶର ସେବା କରିପାରିବେ। ସରକାରଙ୍କ ଦାୟିତ୍ୱ କିପରି ଏହି ଶକ୍ତିକୁ ରାଷ୍ଟ୍ର ଗଠନରେ ଠିକ ମାର୍ଗରେ ବିନିଯୋଗ କରାଯିବ। ଜନସାଧାରଣଙ୍କ ଶାସନ ପ୍ରଣାଳୀରେ ସକ୍ରିୟ ଅଂଶଗ୍ରହଣ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର। ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ପରିଚାଳନା ଓ ମୁଲ୍ୟାୟନରେ ଜନତା ସହଭାଗୀ ହେଲେ ବାଟମାରଣା କମିଯିବା ସହ ତାହାର ଉେଦ୍ଦଶ୍ୟ ସଫଳ ହୋଇପାରିବ। ଏହାଛଡା ସରକାର ବା କର୍ତ୍ତୃପକ୍ଷ ବିଭିନ୍ନ ତଦନ୍ତ ଓ ଯୋଜନାର ସଫଳ ରୂପାୟନ ପାଇଁ ଉପଭୋକ୍ତା ଓ ଜନସାଧାରଣଙ୍କ ସକ୍ରିୟ ସାହାଯ୍ୟ ନେଇପାରିବେ। ଅନେକ କ୍ଷେତ୍ରରେ ସକ୍ରିୟ ଜନ ସହଭାଗିତାକୁ କିଛି ସ୍ୱାର୍ଥାନ୍ୱେଷୀ ଲୋକ ବା କର୍ତ୍ତୃପକ୍ଷ ବିରୋଧ କରିପାରନ୍ତି। ତେଣୁ ସରକାରଙ୍କୁ ସେଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ହେବ। ଆବଶ୍ୟକ ତଥ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ସାର୍ବଜନୀନ କରିବା, ଲୋକମତକୁ ସମ୍ମାନ ଦେଇ ସହମତି ଭିତ୍ତିକ ନିଷ୍ପତ୍ତି ନେବା ସହ ପ୍ରକଳ୍ପ ପରିଚାଳନାରେ ଲୋକଙ୍କ ଅଂଶ ଗ୍ରହଣ ହେଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇ ପାରିବ।
ରାଜତନ୍ତ୍ରରେ ଜଣେ ଶାସକ ନିଜ ଇଚ୍ଛାରେ ମନମୁଖି ଶାସନ କରୁଥିଲେ। ପ୍ରଜାଙ୍କର ରାଜ୍ୟ ଶାସନରେ କୌଣସି ଭୂମିକା ନଥିଲା; କିନ୍ତୁ ଗଣତନ୍ତ୍ରରେ ଜନତା ପ୍ରକୃତ ଶାସନ ଓ କ୍ଷମତାର କେନ୍ଦ୍ରବିନ୍ଦୁ। ତେବେ ସେଥିପାଇଁ ଲୋକମାନଙ୍କୁ ସେମାନଙ୍କର ଦାୟିତ୍ୱ ଓ ହକକୁ ଜାହିର କରିବାକୁ ପଡିବ। ପ୍ରଚଳିତ ଶାସନ ବ୍ୟବସ୍ଥାରେ ଲୋକମାନେ ପୂର୍ଣ୍ଣତଃ ସଚେତନ ହୋଇନଥାନ୍ତି। ତେଣୁ ଶାସନ ପଦ୍ଧତିରେ ସେମାନଙ୍କର ସକ୍ରିୟ ଅଂଶ ଗ୍ରହଣ ଦେଖାଯାଏ ନାହିଁ। ପ୍ରଚଳିତ ଗଣତନ୍ତ୍ରରେ ବେଳେବେଳେ ରାଜତନ୍ତ୍ରର ଝଲକ ଦେଖିବାକୁ ମିଳେ ଓ ଜନସଚେତନତା ଅଭାବର ସୁଯୋଗ ନେଇ ଅନେକ ରାଜନୈତିକ ଲୋକ ଗଣତନ୍ତ୍ରକୁ ରାଜତନ୍ତ୍ରରେ ପରିଣତ କରିଦିଅନ୍ତି। ଏହା ବିଡମ୍ବନା ଯେ ଆମେ ନିଜ ପାଇଁ ଯେତେ ଯତ୍ନବାନ, ତାର କାଣିଚାଏ ମଧ୍ୟ ଶାସନ ବ୍ୟବସ୍ଥା ଓ ଦେଶ ପାଇଁ ସଚେତନ ନୋହୁ। ଲୋକଙ୍କର ଭୋଟ ଦ୍ୱାରା ଲୋକପ୍ରତିନିଧି ବାଛିବାର ଅଧିକାର ଅଛି; କିନ୍ତୁ ଅନୀତି ବା ବେଆଇନ କାମକଲେ ସେମାନଙ୍କୁ ବହିଷ୍କାର କରିବା ଅଧିକାର ବାସ୍ତବରେ ନାହିଁ। ଅନେକ ଲୋକପ୍ରତିନିଧି କଳେ ବଳେ ନିର୍ବାଚିତ ହେବାପରେ ଅନ୍ତତଃ ପାଞ୍ଚ ବର୍ଷ ପାଇଁ ରାଜତନ୍ତ୍ରର ଶାସକ ଭଳି ବ୍ୟବହାର କରନ୍ତି। କ୍ରମବର୍ଦ୍ଧିଷ୍ଣୁ କ୍ଷମତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇ ସେମାନେ ବାସ୍ତବିକତା ଭୁଲିଯିବାର ଦେଖାଯାଏ। କ୍ୱଚିତ୍ ଲୋକପ୍ରତିନିଧି ସାଧାରଣ ନାଗରିକ ଭଳି ବ୍ୟବହାର କରିବାର ଦେଖାଯାଏ ଓ ସାଧାରଣ ଜନତା ଜନପ୍ରତିନିଧିଙ୍କର ଏହି ପ୍ରକାର ଆଚାର ବ୍ୟବହାର ସହ ଅଭ୍ୟସ୍ତ। ସେମାନଙ୍କର ପ୍ରତିେରାଧ କରିବାର ବ୍ୟବସ୍ଥା ବା ବିକଳ୍ପ ନାହିଁ। ଦୋଷକଲେ ମଧ୍ୟ ଆଇନ କାନୁନର ଗଳାବାଟ ଦେଇ ରାଜନେତାମାନେ ଖସିଯିବାକୁ ସକ୍ଷମ।
ପ୍ରାଶାସନିକ କାର୍ଯ୍ୟରେ ଜନସାଧାରଣ ସକ୍ରିୟ ଅଂଶ ଗ୍ରହଣ କଲେ ପ୍ରଶାସନ ଓ ରାଜନେତାମାନେ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ହୋଇପାରିବେ। ସେଥିପାଇଁ ପଂଚାୟତ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଜ୍ଞ ଓ ଆଗ୍ରହୀ ଜନସାଧାରଣ ଆଗକୁ ଆସି ନୀତିନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ଭାଗ ନେବାକୁ ପଡିବ। ସେମାନେ ନିଃସ୍ବାର୍ଥ ଓ ସମର୍ପଣ ଭାବନେଇ କାମକଲେ ପ୍ରଶାସନ ଦୁର୍ନୀତିମୁକ୍ତ ହେବାସହ ଦେଶର ଉନ୍ନତି ହେବ। ସରକାର ତଳଠାରୁ ଉପର ପର୍ଯ୍ୟନ୍ତ ସ୍ଥାନୀୟ ଲୋକ ଓ ଉପଭୋକ୍ତାଙ୍କର ସମର୍ଥନ ଓ ସାହାଯ୍ୟ ଲୋଡ଼ିବା ଦରକାର। ଏଥିସହିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କର ମାନସିକତାରେ ପରିବର୍ତ୍ତନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଯୋଜନା, କାର୍ଯ୍ୟକାରିତା, ଅର୍ଥ ବିନିମୟ ଓ ମୂଲ୍ୟାୟନ କ୍ଷେତ୍ରରେ ଜନସହଯୋଗ ପାଇବାକୁ ହେଲେ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ଅବଲମ୍ବନ କରିବାକୁ ହେବ। ସରକାରଙ୍କୁ ସେଥିପାଇଁ ସ୍ୱଚ୍ଛ ନୀତି ଓ ନିୟମାବଳୀ ପ୍ରସ୍ତୁତ କରିବାକୁ ପଡିବ।
ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଧାରଣ ଜନତାଙ୍କ ମୌଳିକ ଆବଶ୍ୟକତାକୁ ଲକ୍ଷ୍ୟକରି ହେଉଥିବା କାର୍ଯ୍ୟକ୍ରମରେ ଜନତା ଭାଗୀଦାର ହେବା ନିହାତି ଆବଶ୍ୟକ। ଏହାଦ୍ୱାରା ସରକାରଙ୍କ ଉଦ୍ଦେଶ୍ୟ ଓ ମନୋଭାବ ବୁଝିହେବ। ଏହା ସୁସ୍ଥ ଓ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ। ସରକାର ଲୋକଙ୍କର ଉଦ୍ବେଗ ଓ ବାସ୍ତବ ସମସ୍ୟା ବୁଝିବାକୁ ହେଲେ ଉପଭୋକ୍ତା ଓ ସଚେତନ ନାଗରିକଙ୍କଠାରୁ ସମସ୍ତ ଠିକ ତଥ୍ୟ ପାଇପାରିବେ । ସରକାର ଲୋକଙ୍କ ସକ୍ରିୟ ଅଂଶ ଗ୍ରହଣକୁ ନିଶ୍ଚିତକରି ଏବଂ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗକରି କାମକଲେ ଲୋକେ ଉପକୃତ ହେବାସହ ଦେଶର ସାମଗ୍ରିକ ଉନ୍ନତି ହୋଇପାରିବ। ଏଥି ସହିତ ଲୋକେ ପ୍ରକୃତ ଗଣତନ୍ତ୍ରର ସ୍ୱାଦ ଉପଭୋଗ କରିପାରିବେ। ରାଜନୀତିରେ ପ୍ରତ୍ୟକ୍ଷ ଭାବେ ନହେଲେ ମଧ୍ୟ ପରୋକ୍ଷଭାବେ ନାଗରିକମାନେ ଜଡିତ ହେବା ଦରକାର, ଯାହାକି ସୁସ୍ଥ ଗଣତନ୍ତ୍ରର ମୂଳମନ୍ତ୍ର। ଆମ ସମ୍ବଳର ଉପଯୁକ୍ତ ବିନିଯୋଗ ହେଲେ ତାର ଲାଭ ସମସ୍ତେ ପାଇପାରିବେ ଓ ଲୋକଙ୍କର ଜୀବନ ଏବଂ ଜୀବିକାରେ ଉନ୍ନତି ଆସିବ। ସେଥିପ୍ରତି ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀ ଦୃଷ୍ଟି ଦେବା ଆବଶ୍ୟକ।
ଲୋକପ୍ରତିନିଧିମାନଙ୍କୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ହେଲେ ପଞ୍ଚାୟତ, ବ୍ଲକ, ଜିଲା, ରାଜ୍ୟ ଓ ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିମାନଙ୍କୁ ଜନତା ଦରବାରକୁ ସମ୍ମୁଖୀନ ହେବା ଦରକାର। ବର୍ଷକୁ ଅନ୍ତତଃ ତିନ ବା ଚାରି ଥର ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କ ପାଖରେ ନିଜର ଦକ୍ଷତା, ସ୍ୱଚ୍ଛତା ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେବା ସହ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ଏବଂ ନିଜର ପକ୍ଷ ରଖିବେ। ସେ ସବୁକୁ ସମସ୍ତଙ୍କ ଜାଣିବା ପାଇଁ ମଧ୍ୟ ବ୍ୟବସ୍ଥା ରହିବା ଦରକାର। ସରକାର ନୂତନ ଯୋଜନା, ଖର୍ଚ୍ଚ ଅଟକଳ, କାର୍ଯ୍ୟପ୍ରଣାଳୀ ଓ ଗଠନ ମୂଳକ ପଦକ୍ଷେପ ପାଇଁ ସମାଜର ବିଭିନ୍ନ ଗୋଷ୍ଠୀ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ଅନଲାଇନ ମାଧ୍ୟମରେ ତଥ୍ୟ ଓ ପରାମର୍ଶ ସଂଗ୍ରହ କରି ପାରିବେ। ଏହାକୁ ଏକତ୍ର ଏବଂ ତର୍ଜମା କରି ସରକାର କାର୍ଯ୍ୟ କଲେ ଓ ଜନସାଧାରଣଙ୍କୁ ଅବଗତ କରାଇଲେ ତାହା ବାସ୍ତବବାଦୀ ହେବାସହ କାହାର ସନ୍ଦେହ ରହିବ ନାହିଁ। ସରକାରରେ ଥିବା ମନ୍ତ୍ରୀମାନେ ନିଜ ବିଭାଗକୁ ଅଧିକ କାର୍ଯ୍ୟକ୍ଷମ ଓ ଗତିଶୀଳ କରିବାକୁ ହେଲେ ଲୋକଙ୍କଠାରୁ ପ୍ରସ୍ତାବ, ମତ ଓ ଉପଦେଶ ଲୋଡ଼ିବା ସହ ସଂଖ୍ୟାଗରିଷ୍ଠ ମତକୁ ସାର୍ବଜନୀନ କରି କାର୍ଯ୍ୟକଲେ ସୁଫଳ ମିଳିବା ନିଶ୍ଚିତ। ମୋଟ ଉପରେ ସରକାରୀ କାର୍ଯ୍ୟରେ ଜନତାଙ୍କର ସକ୍ରିୟ ଅଂଶଗ୍ରହଣ ଦେଶପାଇଁ ଅପରିହାର୍ଯ୍ୟ।
Comments are closed.