ଛିଣ୍ଡୁନି ବିଧାନସଭା ଅଙ୍କ

ନୂଆଦିଲ୍ଲୀ: ବିଜେପି-ବିଜେଡ଼ି ମଧ୍ୟରେ ରାଜନୈତିକ ମେଣ୍ଟ ଲାଗି ଦିଲ୍ଳୀରେ ଶୀର୍ଷସ୍ତରରେ ଅନୁଷ୍ଠିତ ବୈଠକରେ ଲୋକସଭା ଓ ବିଧାନସଭା ଆସନ ଭାଗବଣ୍ଟା ଅଙ୍କ ଛିଣ୍ଡୁ ନାହିଁ। ଯଦିଓ ଲୋକସଭା ଆସନ ଭାଗବଣ୍ଟା ଲାଗି ବିଶେଷ ବିବାଦ ନାହିଁ ତଥାପି ବିଧାନସଭା ପାଇଁ ବିଜେପି ଅତିକମ୍‌‌ରେ ୫୦ଟି ଆସନରେ ଲଢ଼ିବାକୁ ଚାହଁୁଛି। ତେବେ ୪୫ଟିରୁ ଅଧିକ ବିଧାନସଭା ଆସନ ବିଜେପିକୁ ଦେବାକୁ ଚାହୁଁନାହିଁ ବିଜେଡି। କ୍ରମାଗତ ଭାବେ ତୃତୀୟ ଦିନ ଦିଲ୍ଳୀରେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳର ତୁଙ୍ଗ ନେତା ବାରମ୍ବାର ଆଲୋଚନା ପରେ ମଧ୍ୟ ଚୁପ ରହିଛନ୍ତି। ଗୁରୁବାର ସଂଧ୍ୟା ଠାରୁ ଶୁକ୍ରବାର ପ୍ରାତଃ ୪ଟା ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଳୀରେ ଓଡ଼ିଶା ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ମେଣ୍ଟ ପ୍ରସଙ୍ଗରେ ଘନଘନ ଆଲୋଚନା ହୋଇଥିଲା। ରାତି ପ୍ରାୟ ୧୦ଟାରେ ରାଜ୍ୟ ବିଜେପି ନେତାଗଣ ପ୍ରଥମେ ସାଉଥ୍‌ ଏଭିନ୍ୟୁଠାରେ ଏକାଠି ହୋଇ ରାଜ୍ୟର ରାଜନୈତିକ ପରିସ୍ଥିତି ବିଷୟରେ ଚର୍ଚ୍ଚା କରିଥିଲେ।

ପରେ ରାଜ୍ୟ ବିଜେପି ନେତାଗଣ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କ ୬-ଏ କୃଷ୍ଣମେନନ ମାର୍ଗସ୍ଥିତ ସରକାରୀ ବାସଭବନରେ ମେଣ୍ଟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକରେ ବିଜେପି ସଭାପତି ଜେ ପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଆଲୋଚନା ବେଳେ ସମସ୍ତ ନେତା ରାଜ୍ୟରେ ବିଜେପି କର୍ମୀ ମହଲରେ ମେଣ୍ଟ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ, ଆଶଙ୍କା ଏବଂ ଅସନ୍ତୋଷ ବିଷୟରେ ରାଷ୍ଟ୍ରୀୟ ନେତାଙ୍କୁ ଅବଗତ କରାଇଥିଲେ। ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇଥିବାରୁ ଉଭୟ ଲୋକସଭା ଓ ବିଧାନସଭାର ସିଂହଭାଗ ଆସନ ଦଳ ନେବାକୁ କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ସେହିପରି ବିଳମ୍ବିତ ରାତ୍ରିରେ ଓଡ଼ିଶାରୁ ଦିଲ୍ଲୀ ଆସିଥିବା ବିଜେଡିର ଦୁଇ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ମଧ୍ୟ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କ ସହ ପୃଥକ ଆଲୋଚନା କରି ଭୁବନେଶ୍ୱର ଫେରିଯାଇଛନ୍ତି।

prayash

ବିଶ୍ୱସ୍ତସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ରାଜ୍ୟ ରାଜନୀତି ଏବଂ କର୍ମୀଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବ ବିଷୟରେ ପାର୍ଟି ତରଫରୁ ଏକ ସର୍ଭେ କରାଯାଇଥିଲା। ଶ୍ରୀ ଶାହଙ୍କ ସହ ରାଜ୍ୟ ବିଜେପି ନେତାଗଣଙ୍କ ବୈଠକରେ ସର୍ଭେ ରିପୋର୍ଟ ଉପରେ ବିଶଦ ଆଲୋଚନା ହୋଇଥିଲା। ସେହିପରି ବିଧାନସଭା ଆସନ ପ୍ରସଙ୍ଗରେ ଦୁଇଟି ଦଳ ଭିନ୍ନଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବିଜେପି ଅତିକମ୍‌‌ରେ ୫୦ଟି ବିଧାନସଭା ଆସନ ଦାବି କରୁଥିବା ବେଳେ ୧ଶହରୁ କମ୍‌‌ ବିଧାନସଭା ଆସନରେ ଲଢ଼ିବାକୁ ଚାହୁଁନାହିଁ ବିଜେଡି। ବିଧାନସଭା ପାଇଁ ବିଜେପିକୁ ୪୫ଟି ବିଧାନସଭା ଆସନ ଦେବାକୁ ବିଜେଡି ପ୍ରସ୍ତାବ ରଖିଛି। ଲୋକସଭାରେ ବିଜେପି ୧୪ଟି ଏବଂ ବିଜେଡି ୭ଟି ଆସନରେ ଲଢ଼ିବାକୁ ଆପାତତଃ ସ୍ଥିର ହୋଇଛି। ବିଜେଡି ଲୋକସଭାରେ ଭୁବନେଶ୍ୱର ସମେତ ୮ଟି ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତାବ ଦେଇଥିଲା।

ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କ ବୁଲିଲେ ପ୍ରଧାନମନ୍ତ୍ରୀ

Comments are closed.