ଗଣତନ୍ତ୍ରର ଗରିମା

ଆନନ୍ଦ ଉଲ୍ଲାସର ସାଧାରଣତନ୍ତ୍ର ଦିବସ ଆତ୍ମସମୀକ୍ଷାର ଦିନ ହେଉ

ସାଧାରଣତନ୍ତ୍ର ଦିବସ ପାଳନର ମହକରେ ଆଜି ଦେଶର ପୁରପଲ୍ଲୀଠାରୁ ଆରମ୍ଭ କରି ସହରବଜାର, ରାଜଧାନୀ ସବୁଆଡ଼ ଉଲ୍ଲସିତ। ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆମେ କଷ୍ଟଅର୍ଜିତ ସ୍ବାଧୀନତା ହାସଲ କରିବା ପରେ ଇଂରେଜମାନଙ୍କ ଦ୍ବାରା ଦେଶ ଶାସନ ବ୍ୟବସ୍ଥାକୁ ଗ୍ରହଣ କରି ନେଇଥିଲୁ। ତେବେ ସ୍ବାଧୀନ ଭାରତର ନିଜସ୍ବ ଶାସନ ବ୍ୟବସ୍ଥା ଧାରା ବା ଲୋକଙ୍କ ହାତରେ ଶାସନର ଡୋରି ଧରାଇବା ପ୍ରଥାର ଶୁଭଦିନ ଥିଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ, ଯେଉଁଦିନଠାରୁ ଆମେ ଭାରତର ସ୍ବତନ୍ତ୍ର ଆଇନ ସହ ଦେଶର ସମ୍ବିଧାନ ବ୍ୟବସ୍ଥାର ନୂତନ ଖସଡ଼ା ପ୍ରଚଳନର ଶୁଭାରମ୍ଭ କରିଥିଲୁ। ଏହି ବ୍ୟବସ୍ଥା ଗଠନର ମୁଖ୍ୟ ଥିଲେ ଦେଶର ଅନ୍ୟତମ କୃତବିଦ୍ୟ ସନ୍ତାନ ଡକ୍ଟର ଭୀମରାଓ ଆମ୍ବେଦକର। ତାଙ୍କୁ ସେଇଥିପାଇଁ କୁହାଯାଏ ଭାରତୀୟ ସମ୍ବିଧାନର ଜନକ। ଆମ ଦେଶ ଭଳି ଏକ ପରମ୍ପରା, ସଂସ୍କୃତି, ବିଭିନ୍ନ ଭାଷା, ବହୁବିଧ ଜାତି ସର୍ବୋପରି ଏକ ପ୍ରାଚୀନ ସଭ୍ୟତା, ଅତୀତ ସ୍ମୃତିରେ ସମୃଦ୍ଧ ଦେଶ ପାଇଁ ଏକ ଆଇନ ଅନୁମୋଦିତ, ଜନସଂଚାଳିତ ଶାସନ ବିଧି ବ୍ୟବସ୍ଥାର ଆବଶ୍ୟକତା ଏଇଥିପାଇଁ ଅତ୍ୟାବଶ୍ୟକ ଥିଲା ଓ ଏହାର ପ୍ରଚଳନ ପରେ ସବୁ ଭାରତୀୟମାନେ ନିଜ ଦେଶରେ, ନିଜଦ୍ବାରା ପ୍ରସ୍ତୁତ, ସମସ୍ତଙ୍କୁ ଆନନ୍ଦ ଦେଇପାରୁଥିବା ଏକ ବ୍ୟବସ୍ଥା ମାଧ୍ୟମରେ ସଂଚାଳିତ ହୋଇ ପ୍ରକୃତ ସ୍ବାଧୀନତାର ଉଦ୍ଦେଶ୍ୟକୁ ଅନୁଭବ କରିଥିଲେ।

ଆଜି ଆମେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ସେ ଦିନ ଓ ଆଜିର ବେଳ ମଧ୍ୟରେ ଆକାଶ ପାତାଳ ପରିବର୍ତ୍ତନ ଲକ୍ଷ୍ୟ କରିପାରୁଛୁ। ଦୀର୍ଘଦିନ ଧରି ଇଂରେଜ ଶାସନାଧୀନ ରହି ନିଷ୍ପେଷିତ, ପରାଧୀନତାର ଶୃଙ୍ଖଳ ଭିତରେ ବାନ୍ଧି ହୋଇପଡ଼ିଥିବା ଭାରତବାସୀ ଏବେ ବହୁବିଧ କ୍ଷେତ୍ରରେ ବିକାଶର ଚରମ ପର୍ଯ୍ୟାୟକୁ ଛୁଇଁବା ପାଇଁ ଅଗ୍ରସର। ପ୍ରଶସ୍ତ ରାସ୍ତାଘାଟ ସହ ସବୁଆଡ଼େ ଏବେ ବିଶାଳକାୟ ସୌଧରାଜିରେ ଝଲସୁଥିବା ସହର ବଜାରଠାରୁ ଗ୍ରାମାଞ୍ଚଳର ବିକାଶ ଏବେ ଆମକୁ ଗୌରବାନ୍ବିତ କରିଛି। ଶିକ୍ଷାର ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, କୃଷି ଉତ୍ପାଦନ ବୃଦ୍ଧିଠାରୁ ଆରମ୍ଭ କରି ଆମେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଥିବା ସତ୍ତ୍ବେ ଏବେ ମଧ୍ୟ ପୃଥିବୀର ଆମ ଦେଶ ଭଳି ସବୁଠାରୁ ଜନବହୁଳ ରାଷ୍ଟ୍ରରେ ଗରିବଙ୍କ ସଂଖ୍ୟା ଆଶାନୁରୂପ କମିନାହିଁ। ଆଜି ଦେଶବାସୀ ତ୍ରିରଙ୍ଗା ଝଣ୍ଡା ଗର୍ବର ସହିତ ଉଡ଼ାଇ ଓ ଦେଶବନ୍ଦନା ଗାନ କରି ଏହି ପବିତ୍ର ଦିବସକୁ ଚାରିଆଡ଼େ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଥିବାବେଳେ ଦେଶର ଜନତା ଜନାର୍ଦ୍ଦନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମହାନ ଦିବସରେ ସେହି ନିରାଶ୍ରୟ ଦୁଃଖୀ ଜନତାଙ୍କ କଥା ଥରେ ମନେପକାଇବା। କାରଣ ଗଣ ବା ଜନତାଙ୍କ ବିକାଶ ହିଁ ଗଣତନ୍ତ୍ରର ପ୍ରମୁଖ ପରିଚୟ।

ଗଣତନ୍ତ୍ର ଦିବସ ହୁଏତ ସବୁ ଦେଶବାସୀଙ୍କ ପାଇଁ ଆନନ୍ଦ ଉଲ୍ଲାସ, ଗର୍ବ ଗୌରବର ଦିବସ ହୋଇପାରେ; ତେବେ ଏହା ମଧ୍ୟ ଆମ ପାଇଁ ଏକ ଆତ୍ମସମୀକ୍ଷାର ଦିବସ ବୋଲି କୁହାଯାଇପାରିବ। ଆମ ଦେଶକୁ ସମ୍ମାନ ଦେବା ଆମ ସମସ୍ତଙ୍କର ଯେପରି ଏକ ପବିତ୍ର କର୍ତ୍ତବ୍ୟ, ଆମ ଭାଷାକୁ, ଆମ ମାଟିକୁ, ଆମ ନଦନଦୀକୁ, ଆମ ସାଗରକୁ, ଆମ ସଂସ୍କୃତିକୁ, ଆମ ପରମ୍ପରାକୁ, ଆମ ଦେବଦେବୀଙ୍କୁ ସର୍ବୋପରି ଆମ ଦେଶର ବରିଷ୍ଠଙ୍କୁ ସମ୍ମାନ ଦେବା, ସହାୟତା, ସହଯୋଗ ପ୍ରଦାନ କରିବା ସହ ଗରିବଙ୍କ ଆଡ଼େ ଦୃଷ୍ଟି ଦେବା ଓ ଭାରତ ଭଳି ଏକ ଭୂଖଣ୍ଡକୁ ବିଶ୍ବରେ ନିଜର କୃତି, କୀର୍ତ୍ତି, କାର୍ଯ୍ୟଧାରା ଓ ଅନନ୍ୟ ପରମ୍ପରା ମାଧ୍ୟମରେ ଏକ ଶ୍ରେଷ୍ଠ ରାଷ୍ଟ୍ରର ସମ୍ମାନରେ ମଣ୍ଡିତ କରିବା ସହ ଦେଶର ମାନବସମ୍ବଳର ବିକାଶ ହିଁ ଆଜିର ସମସ୍ତ ଦେଶବାସୀଙ୍କ ପାଇଁ ଏକ ଆହ୍ବାନ। ଯେଉଁଦିନ ପ୍ରତ୍ୟେକ ଭାରତୀୟ ଏକ ମନ, ଏକ ପ୍ରାଣ, ଏକ ଚିନ୍ତାଧାରା ସହିତ ନିଷ୍ଠାପର ଭାବରେ କାର୍ଯ୍ୟ କରିବେ ଓ ସମସ୍ତେ ଗୋଟିଏ ଦେଶର ସନ୍ତାନ ବୋଲି ଗର୍ବରେ ଉଲ୍ଲସିତ ହୋଇ, ଦେଶସେବାରେ, ରାଷ୍ଟ୍ରର ବିକାଶରେ ତଲ୍ଲୀନ ହୋଇ ଆଗେଇବେ ସେଦିନ ହିଁ ଆମେ ଏହି ମହାନ ପରମ୍ପରା ସମୃଦ୍ଧ ଦେଶରେ ପ୍ରକୃତ ସାଧାରଣତନ୍ତ୍ର ଦିବସର ମହକ ବାରିପାରିବା। ଚାଲନ୍ତୁ ଯିଏ ଯେଉଁ ସ୍ତରରେ ଥାଆନ୍ତୁ ପଛେ ଦୁର୍ଗତଙ୍କ ସେବା, ସମାଜ ସେବାରେ କିଛି କର୍ମ କରି ପୁଣ୍ୟ ଅର୍ଜିବା ଓ ଦେଶକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେଇ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା, ବିକଶିତ, ଗରିବଶୂନ୍ୟ, ନିଶା ଓ ହିଂସାମୁକ୍ତ ବିଭ୍ରାଟ ନଥିବା ଭାରତବର୍ଷ ଗଢ଼ିବା। ସ୍ବାଧୀନତାର ଉତ୍କର୍ଷକୁ ଅନୁଭବ କରି, ସାଧାରଣତନ୍ତ୍ରର ଗୁରୁତ୍ବକୁ ଆବାହନ କରି ସମକଣ୍ଠରେ ତ୍ରିରଙ୍ଗା ଉଡ଼ାଇ ଦେଶ ବନ୍ଦନା ଗାଇଉଠି ସଗର୍ବେ କହିବା ‘ବନ୍ଦେ ମାତରମ୍‌’। ଆଜିର ପବିତ୍ର ସାଧାରଣତନ୍ତ୍ର ଦିବସ ସମସ୍ତ ଦେଶବାସୀଙ୍କ ପାଇଁ ସୁଖସମୃଦ୍ଧି ଆଣୁ। ଚାଲନ୍ତୁ ଏଥିପାଇଁ ଈଶ୍ବରଙ୍କ ଠାରେ ପ୍ରାର୍ଥନା କରିବା ସହ ନିଜକୁ ମାର୍ଜିତ କରିବା। ଭାରତ ମାତାର ଜୟଗାନ କରି ଦେଶଭକ୍ତିର ମହିମା ସବୁଆଡ଼େ ପ୍ରଚାର କରିବା।

Comments are closed.