ଅତୁଟ ଓଡ଼ିଶା

ସାର୍ବଭୌମତ୍ବ ଉପଭୋଗ କରିବାପାଇଁ ସୀମା ନିର୍ଦ୍ଧାରଣ ଅପରିହାର୍ଯ୍ୟ; ମାତ୍ର ସୀମା ଥିଲେ ବିବାଦ ରହିବା ସତେ ଯେପରି ଅବଧାରିତ। ଆମ ଉତ୍କଳ ବା ଓଡ଼ିଶା କ୍ଷେତ୍ରରେ ମଧ୍ୟ ତାହା ହୋଇଛି। ଓଡ଼ିଶାର ବରପୁତ୍ର ଓ ଜନସାଧାରଣଙ୍କ ତ୍ୟାଗ, ତିତିକ୍ଷା, ସଂଘର୍ଷ ଓ ଆନ୍ଦୋଳନ ଫଳରେ ୧୯୩୬ ମସିହା ଆଜିର ଦିନରେ ଓଡ଼ିଆ ଜାତି ହାସଲ କରିଥିଲା ସ୍ବତନ୍ତ୍ର ଉତ୍କଳ ବା ଓଡ଼ିଶା ପ୍ରଦେଶ; କିନ୍ତୁ ତାହା ଆଗଙ୍ଗା ଗୋଦାବରୀ ବିସ୍ତୃତ ଉତ୍କଳ ନଥିଲା। ଏ ପରିପ୍ରେକ୍ଷୀରେ ଉତ୍କଳର ବାସ୍ତବ ଅବସ୍ଥିତି ଦର୍ଶାଉଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ଅଭିଭାଷଣର କିୟଦଂଶ ଉଲ୍ଲେଖଯୋଗ୍ୟ। ୧୯.୪.୧୯୧୯ରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନରେ ସଭାପତିତ୍ବ କରି ସେ କହିଥିଲେ, ‘‘ପ୍ରାକୃତିକ ଅବସ୍ଥାନଦ୍ବାରା ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ। ଆଜିକାଲିର ରାଜନୈତିକ ଓଡ଼ିଶା ନୁହେଁ, ସ୍ବାଧୀନ ଓଡ଼ିଶା ଯେଉଁ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଗଙ୍ଗାନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ, ମହୋଦଧିଠାରୁ ମଧ୍ୟପ୍ରଦେଶର ପର୍ବତଶ୍ରେଣୀ ପର୍ଯ୍ୟନ୍ତ ସେହି ବିଶାଳ ରାଜ୍ୟ ଯେ ଏକ ସ୍ବତନ୍ତ୍ର ପ୍ରାକୃତିକ ଭୂଖଣ୍ଡ ଏହା ଦେଖିବା ମାତ୍ରେ ଯେ କେହି ସ୍ବୀକାର କରିବାକୁ କୁଣ୍ଠିତ ହେବେ ନାହିଁ।’’ ଉତ୍କଳ ପ୍ରଦେଶକୁ ସ୍ବୀକୃତି ମିଳିବା ସତ୍ତ୍ବେ ଦୁର୍ଭାଗ୍ୟବଶତଃ ଦୁଇ ତୃତୀୟାଂଶ ଓଡ଼ିଆ ଭାଷୀ ଅଞ୍ଚଳ ହିଁ ନୂତନ ପ୍ରଦେଶରେ ଅନ୍ତର୍ଭୁକ୍ତ ହୋଇପାରିଲା ଏବଂ ଏକ ତୃତୀୟାଂଶ ଓଡ଼ିଆ ଭାଷୀ ଅଞ୍ଚଳ ସବୁଦିନ ପାଇଁ ବାହାରେ ରହିଗଲା। ଉତ୍ତରରେ ଥିବା ମେଦିନୀପୁର, ସିଂହଭୂମି, ଚାଇଁବସା, ଛୋଟନାଗପୁର, ଚକ୍ରଧରପୁର; ପଶ୍ଚିମରେ ବସ୍ତର, ରାୟପୁର ପ୍ରଭୃତି ଓ ଦକ୍ଷିଣର ମଞ୍ଜୁଷା, ଟିକାଲି, ଜଳନ୍ତର ପ୍ରଭୃତି ଓଡ଼ିଶାରେ ମିଶିପାରିନଥିଲା। ଏପରିକି ସ୍ବାଧୀନତା ପରେ ୨୬ଟି ଓଡ଼ିଆ ଭାଷୀ ଗଡ଼ଜାତ ଓଡ଼ିଶା ସହିତ ମିଶିଥିଲେ ହେଁ ସେଥିରୁ ଷଢ଼େଇକଳା ଓ ଖରସୁଆଁ ତତ୍କାଳୀନ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ) ରାଜ୍ୟକୁ ଚାଲିଗଲା। ସେଠାକାର ଲୋକ ଓଡ଼ିଶାରେ ମିଶିବାକୁ ଚାହିଁଲେ ମଧ୍ୟ ତାହା ସମ୍ଭବ ହେଉନାହିଁ।

ଏ ପରିପ୍ରେକ୍ଷୀରେ ଆଜି କୋଟିଆ କଥା ସ୍ମରଣଯୋଗ୍ୟ; କାରଣ ସ୍ବାଧୀନତା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳକୁ ନେଇ ସୂତ୍ରପାତ ସୀମା ବିବାଦ ଏ ପର୍ଯ୍ୟନ୍ତ ପ୍ରଶମିତ ହୋଇନାହିଁ; ବରଂ ଏହା ତୀବ୍ର ହେବାରେ ଲାଗିଛି। ଦୁର୍ଭାଗ୍ୟର କଥା ଯେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଉକ୍ତ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ବିଭିନ୍ନ ଉପାୟରେ କବ୍‌ଜା କରିବାକୁ ଉଦ୍ୟମ କରିଆସୁଛି। ଏବେ ସେଠାରେ ନିର୍ବାଚନ ପାଇଁ ସୀମାନ୍ତବର୍ତ୍ତୀ ପାର୍ବତୀପୁରମ୍‌ ମାନ୍ୟମ ଜିଲା ପ୍ରଶାସନ ପୂର୍ବ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି। ଦୁଇବର୍ଷ ତ‌େ​‌ଳ ପଞ୍ଚାୟତ ନିର୍ବାଚନ କରିବାର ଅପଚେଷ୍ଟା ହୋଇଥିଲା। ଲୋକଙ୍କୁ ଆନ୍ଧ୍ରପ୍ରଦେଶ ସରକାର ସ୍ବାସ୍ଥ୍ୟବୀମା କାର୍ଡ, ରେସନ କାର୍ଡ, ଏପରିକି ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ଯୋଗାଇ ଦେଇଥିବା ଜଣାଯାଏ। ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଓଡ଼ିଶା ସରକାର ବହୁ ବର୍ଷ ପୂର୍ବରୁ ଆନ୍ଧ୍ରର ଅନୁପ୍ରବେଶ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି; କିନ୍ତୁ ସେହି ରାଜ୍ୟର ସରକାର ତାକୁ ଉପେକ୍ଷା କରି ଅନଧିକାର ହସ୍ତକ୍ଷେପ କରିଆସୁଛନ୍ତି। ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ପୂର୍ବରୁ କୋଟିଆ ପଞ୍ଚାୟତ ଜୟପୁର ରାଜାଙ୍କ ଶାସନାଧୀନ ଥିଲା। ୧୯୩୬ରେ ତତ୍କାଳୀନ ଭାରତ ସରକାର ଏକ ଅଧ୍ୟାଦେଶ ଜାରିକରି କୋଟିଆ ପଞ୍ଚାୟତ ସମେତ ପଟ୍ଟାଙ୍ଗି ବ୍ଲକକୁ ଓଡ଼ିଶାରେ ସାମିଲ କରିଥିଲେ। ତଦନୁଯାୟୀ ୧୯୪୨ରେ କୋଟିଆର ୨୮ଟି ରାଜସ୍ବ ଗ୍ରାମ ମଧ୍ୟରୁ ୭ଟିକୁ ରାଜସ୍ବ ଗ୍ରାମ ଭାବେ ରେକର୍ଡ କରାଗଲା; କିନ୍ତୁ ମିଳିତ ସର୍ବେକ୍ଷଣ ସମୟରେ ତ୍ରୁଟିବଶତଃ କୋଟିଆର ୨୧ଟି ଗ୍ରାମକୁ ଛାଡ଼ି ଦିଆଯାଇଥିଲା। ୧୯୫୫ରେ ଆନ୍ଧ୍ରପ୍ରଦେଶ ଗଠନ ପରେ ମଧ୍ୟ ଉକ୍ତ ୨୧ଟି ଗ୍ରାମରେ ସର୍ବେକ୍ଷଣ ହୋଇନଥିଲା; ଅର୍ଥାତ ସେତେବେଳେ ଉଭୟ ରାଜ୍ୟ ଉକ୍ତ ଅଞ୍ଚଳ ପ୍ରତି ଦୃଷ୍ଟି ଦେଇନଥିଲେ। ତେବେ ଭାରତ ସରକାରଙ୍କ ନୋଟିଫିକେସନ ଅନୁଯାୟୀ ଉକ୍ତ ୨୧ଟି ଗ୍ରାମ ଓଡ଼ିଶାରେ ହିଁ ଅନ୍ତର୍ଭୁକ୍ତ। ୧୯୬୨ରେ ଆନ୍ଧ୍ରପ୍ରଦେଶ ଏହା ଉପରେ ଦୃଷ୍ଟି ପକାଇବା ପରେ ୧୯୬୮ରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ସେହିଦିନଠାରୁ ଏହି ବିବାଦ ଆଇନର କାଠଗଡ଼ାରୁ ମୁକୁଳି ପାରୁନାହିଁ। ଯଦି ଅଦାଲତରେ ସମ୍ଭବ ହେଉନାହିଁ, ତେବେ ସଂସଦ ଅବିଳମ୍ବେ ଏ ବିବାଦର ସମାଧାନ ପନ୍ଥା ବାହାର କରିବା ସର୍ବାଦୌ ବାଞ୍ଛନୀୟ। ଅବିଚ୍ଛିନ୍ନ ଓଡ଼ିଶା ଆମର ଧ୍ୟେୟ ହେଉ।

Comments are closed.