କଟକ: ବାରବାଟୀ ଷ୍ଟାଡିୟମ୍ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫-ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ସୋମବାର ଦୁଇ ଦଳ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ .ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଅପରାହ୍ଣ ୧.୩୦ରୁ ୪.୩୦ ପର୍ଯ୍ୟନ୍ତ ଓ ଐଡେନ ମାର୍କରାମଙ୍କ ନେତୃତ୍ବାଧିନ ଦକ୍ଷିଣ ଆଫ୍ରିକା ଦଳ ଅପରାହ୍ଣ ୫.୩୦ରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ଅଭ୍ୟାସ ଲାଗି ବାରବାଟୀ ଷ୍ଟାଡିୟମ୍ରେ ମୋଟ୍ ୪ଟି ପିଚ୍ ପ୍ରସ୍ତୁତ କରାଯାଇଛି।
ପୁରୁଣା ପାଭିଲିୟନ୍ ସମ୍ମୁଖରେ ଦୁଇଟି ପିଚ୍ ପ୍ରସ୍ତୁତ କରା ଯାଇଥିବା ବେଳେ ଗ୍ୟାଲେରୀ ନଂ୩ ସମ୍ମୁଖରେ ଦୁଇଟି ପିଚ୍ ରହିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ହାଇସ୍କୋରିଂ ଓ ସଂଘର୍ଷପୂର୍ଣ୍ଣ ହେବାରୁ ଟ୍ବେଣ୍ଟି୨୦ ଶୃଙ୍ଖଳାର ଗୁରୁତ୍ବ ବଢ଼ିଯାଇଛି। କ୍ରିକେଟ୍ପ୍ରେମୀ ଉଭୟ ଦଳର ଅଭ୍ୟାସ ମଧ୍ୟ ଦେଖିପାରିବେ। ଦର୍ଶକଙ୍କୁ ଗ୍ୟାଲେରୀ ନଂ ୫ ଓ ୬ରେ ବସି ଦର୍ଶକଙ୍କୁ ଅଭ୍ୟାସ ଦେଖିବାର ସୁଯୋଗ ମିଳିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବାରବାଟୀରେ ଚତୁର୍ଥ ଅର୍ନ୍ତଜାତୀୟ ଟି୨୦ ମ୍ୟାଚ୍ ଖେଳାଯିବ। ସୋମବାର ଅଭ୍ୟାସ ଲାଗି ଉଭୟ ଦଳର ଯାତାୟତ ନିମନ୍ତେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ରୁଟମ୍ୟାପ୍ ପ୍ରସ୍ତୁତ ହୋଇଛି।



