କାମରେ ପ୍ରତିଫଳିତ ହେବା ଉଚିତ
ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ୨୦୩୬ ସୁଦ୍ଧା ‘ଗ୍ରୀନ ଏନର୍ଜି ରାଜ୍ୟ’ ବା ସବୁଜ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଭାବେ ପ୍ରତିଷ୍ଠା କରିବାର ମହଦାକାଂକ୍ଷୀ ଲକ୍ଷ୍ୟ ଘୋଷଣା କରିଛନ୍ତି। ୨୦୩୦ ସୁଦ୍ଧା ୧୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ, ୧.୫ ଲକ୍ଷ ଘରେ ସୌର ପ୍ୟାନେଲ ସ୍ଥାପନ ଏବଂ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ କାର୍ବନ’ ଲକ୍ଷ୍ୟ- ଏସବୁ ନିଶ୍ଚିତ ଭାବେ ପ୍ରଶଂସନୀୟ; କିନ୍ତୁ ଏହି ଚମକଦାର ଭବିଷ୍ୟତ ଏବଂ ଆମ ଗ୍ରାମାଞ୍ଚଳର କରୁଣ ବାସ୍ତବତା ମଧ୍ୟରେ ଯେଉଁ ବିରାଟ ବ୍ୟବଧାନ ରହିଛି, ତାକୁ ଉପେକ୍ଷା କରାଯାଇପାରିବ ନାହିଁ। ସରକାର ଓଡ଼ିଶାକୁ ‘ଶକ୍ତି ବଳକା ରାଜ୍ୟ’ ବୋଲି ଗର୍ବର ସହ ଦାବି କରୁଥିବା ବେଳେ, ସାମାନ୍ୟ ଝଡ଼ ବର୍ଷା କିମ୍ବା ପବନରେ ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରାୟ ୮,୦୦୦ ମେଗାୱାଟ୍ ଥିବାବେଳେ ସର୍ବାଧିକ ଚାହିଦା ମାତ୍ର ୫,୫୦୦ ମେଗାୱାଟ୍ ପାଖାପାଖି ରହିଥାଏ। ତେବେ ବିଦ୍ୟୁତ୍ ଉତ୍ପାଦନରେ ଉଦ୍ବୃତ୍ତ ଥାଇ ମଧ୍ୟ ଉପଭୋକ୍ତା କାହିଁକି ଅନ୍ଧାରରେ? ଏହାର ଉତ୍ତର ସ୍ପଷ୍ଟ- ତ୍ରୁଟିପୂର୍ଣ୍ଣ ବିତରଣ ବ୍ୟବସ୍ଥା। ରାଜ୍ୟର ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ କ୍ଷତି ପ୍ରାୟ ୨୩-୨୫ ପ୍ରତିଶତ ରହିଛି; ଅର୍ଥାତ୍ ଉତ୍ପାଦିତ ପ୍ରତି ୪ ୟୁନିଟ୍ ବିଜୁଳିରୁ ୧ ୟୁନିଟ୍ ରାସ୍ତାରେ ହଜିଯାଉଛି। ଗ୍ରାମାଞ୍ଚଳରେ ଏହି କ୍ଷତି ଆହୁରି ଅଧିକ- କେତେକ ଅଞ୍ଚଳରେ ୩୦ ପ୍ରତିଶତରୁ ବି ଊର୍ଦ୍ଧ୍ୱ। ଦଶନ୍ଧି ଦଶନ୍ଧି ଧରି ଲାଗିଥିବା ପୁରୁଣା ତାର, କଳଙ୍କି ଲଗା ଖୁଣ୍ଟ, ଓଭରଲୋଡ୍ ଟ୍ରାନ୍ସଫର୍ମର ଏବଂ ଦୁର୍ବଳ ଇନସୁଲେଟର- ଏସବୁ ଆଧୁନିକ ଯୁଗର ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ସମ୍ଭାଳିବାକୁ ସମ୍ପୂର୍ଣ୍ଣ ଅସମର୍ଥ। ବିତରଣ ବ୍ୟବସ୍ଥାର ଘରୋଇକରଣ ପରେ ସେବାରେ ଆମୂଳଚୂଳ ପରିବର୍ତ୍ତନ ଆସିବାର ଆଶା ଥିଲା; କିନ୍ତୁ ବର୍ଷ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ସ୍ଥିତି ଯଥାପୂର୍ବ ରହିଛି। ବିତରକ କମ୍ପାନୀମାନେ କ୍ଷତି ଦର୍ଶାଇ ଭିତ୍ତିଭୂମିରେ ପୁଞ୍ଜି ନିବେଶ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।
ଏହି ସମସ୍ୟାର ସମାଧାନ ଲାଗି ସୌର ଶକ୍ତି କ୍ଷେତ୍ରରେ ରାଜ୍ୟରେ ପ୍ରଚୁର ସମ୍ଭାବନା ରହିଛି। ଓଡ଼ିଶାରେ ବାର୍ଷିକ ହାରାହାରି ୩୦୦ ଦିନ ସୂର୍ଯ୍ୟାଲୋକ ମିଳିଥାଏ ଏବଂ ସୌର ବିକିରଣର ମାତ୍ରା ବର୍ଗମିଟର ପିଛା ପ୍ରାୟ ୫.୫ କିଲୋୱାଟ୍; କିନ୍ତୁ ଦୁର୍ଭାଗ୍ୟର ବିଷୟ, ବର୍ତ୍ତମାନ ମାତ୍ର ୭୦୦ ମେଗାୱାଟ୍ ସୌର ଶକ୍ତି ସ୍ଥାପିତ ହୋଇପାରିଛି, ଯାହା ଗୁଜରାଟର ୧୮,୦୦୦ ମେଗାୱାଟ୍ ତୁଳନାରେ ନଗଣ୍ୟ। ରୁଫ୍ଟପ୍ ସୋଲାର ସିଷ୍ଟମ ମାତ୍ର ୨୩ ହଜାର ଘରେ ସ୍ଥାପନା ହୋଇଛି, ଯେତେବେଳେ କି ଲକ୍ଷ୍ୟ ରହିଛି ୧.୫ ଲକ୍ଷ।
ପ୍ରତ୍ୟେକ ପଞ୍ଚାୟତରେ ୫୦-୧୦୦ କିଲୋୱାଟ୍ କ୍ଷମତାର ସୋଲାର ମାଇକ୍ରୋଗ୍ରିଡ୍, କୃଷି ପମ୍ପରେ ସୌର ପ୍ୟାନେଲ, ଗ୍ରାମୀଣ ବ୍ୟାଟେରି ଷ୍ଟୋରେଜ୍ ସିଷ୍ଟମ ଏବଂ ସ୍ମାର୍ଟ ଗ୍ରିଡ୍ ଟେକ୍ନୋଲୋଜି- ଏସବୁ ବିନା ‘ଗ୍ରୀନ୍ ଏନର୍ଜି ରାଜ୍ୟ’ର ସ୍ୱପ୍ନ କେବଳ ମରୀଚିକା ହୋଇ ରହିଯିବ। ସରକାର ସମସ୍ତଙ୍କୁ ସୌରଶକ୍ତିର ବ୍ୟବହାର ଲାଗି ପ୍ରୋତ୍ସାହନ ଦେବା ଆବଶ୍ୟକ। ବଡ଼ ବଡ଼ ସୋଲାର ପାର୍କ ଓ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ଯେପର୍ଯ୍ୟନ୍ତ ଗାଁର ଶେଷ ମୁଣ୍ଡରେ ଥିବା ଘରକୁ ସପ୍ତାହର ସାତ ଦିନ ଏବଂ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରାଯାଇନାହିଁ, ସେପର୍ଯ୍ୟନ୍ତ ସବୁଜ ଶକ୍ତି କ୍ଷେତ୍ରରେ ଆମର ସମସ୍ତ ଦାବି ନିରର୍ଥକ ମନେହେବ।



