ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି। ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। ଦକ୍ଷିଣରୁ ଉତ୍ତର ଓଡ଼ିଶା, ପଶ୍ଚିମରୁ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଶୀତ ପଡୁଛି। ବିଶେଷକରି କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ, କେନ୍ଦୁଝର, ସମ୍ବଲପୁର ଏବଂ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅନୁଗୋଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପୁଣି ସପ୍ତାହେ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ୧୦ ସହରରେ ପାରଦ ୧୦ଡିଗ୍ରୀ ତଳେ ଥିବାବେଳେ ୧୫ଡିଗ୍ରୀ ତଳେ ୩୯ଟି ସହର ପାରଦ ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ତଳମୁହଁା ହେବା କାରଣରୁ ଆଜି ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଘୁ.ଉଦୟଗିରି ରାତି ତାପମାତ୍ରା ୪.୪ଡିଗ୍ରୀ ଛୁଇଁଛି। ଏହା ହେଉଛି ଏବର୍ଷର ସବୁଠାରୁ କମ୍ ରାତି ତାପମାତ୍ରା। ଏଠାରେ ଗତ ଶୁକ୍ରବାର ପାରଦ ୧୦.୪ଡିଗ୍ରୀ ଥିବାବେଳେ ଶନିବାର ୫.୬ଡିଗ୍ରୀ ରହିଥିଲା। କୋରାପୁଟ ଜିଲାର ସେମିଳିଗୁଡ଼ାରେ ପାରଦ ୬.୧ଡିଗ୍ରୀ ଛୁଇଁଛି। କୋରାପୁଟ ସହରରେ ପାରଦ ୧୦.୩ଡିଗ୍ରୀ ରହିଛି। ଉକ୍ତ ଜିଲାର ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସୁନ୍ଦରଗଡ଼ ଜିଲାର ରାଉରକେଲାରେ ରାତି ତାପମାତ୍ରା ୭.୨ଡିଗ୍ରୀ ଥିବାବେଳେ ସୁନ୍ଦରଗଡ଼ ସହରରେ ପାରଦ ୧୦ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ରାତି ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜଧାନୀରେ ୧୧.୯ଡିଗ୍ରୀକୁ ଏବଂ କଟକରେ ୧୧.୮ ଡିଗ୍ରୀକୁ ତାପମାତ୍ରା ଖସି ଆସିଛି।
ଗତକାଲି ଅପେକ୍ଷା ଭୁବନେଶ୍ବରରେ ୪ଡିଗ୍ରୀ ଏବଂ କଟକରେ ୨.୮ଡିଗ୍ରୀ ପାରଦ ହ୍ରାସ ପାଇଛି। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ତାପମାତ୍ରା ୭.୫ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୮, ଚିପିଲିମାରେ ୮.୭, କିରେଇରେ ୮.୮, ଅନୁଗୋଳରେ ୯, କେନ୍ଦୁଝରରେ ୯.୬, ନବରଙ୍ଗପୁରରେ ୧୧, ରାୟଗଡ଼ାରେ ୧୩, ଭବାନୀପାଟଣାରେ ୧୦.୫,ବଲାଙ୍ଗିରରେ ୧୧.୫, ସୁବର୍ଣ୍ଣପୁରରେ ୧୧.୮, ବୌଦ୍ଧରେ ୧୧.୫, ସମ୍ବଲପୁରରେ ୧୨, ହୀରାକୁଦରେ ୧୩.୨, ମୟୂରଭଞ୍ଜରେ ୧୧.୫, ଢେଙ୍କାନାଳରେ ୧୧.୪ ଡିଗ୍ରୀ ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରେ ପୁରୀ ଏବଂ ଗୋପାଳପୁରରେ ରାତି ତାପମାତ୍ରା ୧୫ଡିଗ୍ରୀ ଉପରେ ରହିଛି। ପୁରୀରେ ୧୬.୬ଡିଗ୍ରୀ ଥିବାବେଳେ ଗୋପାଳପୁରରେ ୧୫.୪ଡିଗ୍ରୀ ରହିଛି।
ରାଜ୍ୟରେ ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଛି। ଆଗାମୀ ଦିନରେ ସର୍ବନିମ୍ନ ତାପମାତ୍ରା ଆହୁରି ତଳମୁହାଁ ହେବା ସମ୍ଭାବନା ରହିଛି। ରାତି ୨ଟା ପରେ ଶୀତ ପ୍ରକୋପ ତୀବ୍ର ହେଉଛି। ପୁଣି ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଶୀତ ସାଙ୍ଗକୁ ଘନ କୁହୁଡ଼ି ଏବଂ ମଝିରେ ମଝିରେ କୋହଲା ପବନ ଶୀତ ତୀବ୍ରତାକୁ ବଢ଼ାଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି (ସୋମବାର) ସକାଳେ ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି।



