ସମାଜ: ନିର୍ବାଚନ ତାରିଖ ଘୋଷଣାକୁ ୧୫ଦିନ ବିତିଲାଣି; ହେଲେ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନାହିଁ। ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଧାନସଭାରେ ଖାତା ଖୋଲିନି। ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନରେ ପ୍ରାର୍ଥୀ ଦେଇସାରିଛି। ବାକି ଆସନଗୁଡ଼ିକ ଲାଗି ଏବେବି କସରତ ଜାରି ରହିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ବହୁ ପଛରେ ପଡ଼ିଯାଇଛି। ଲୋକସଭା କିମ୍ବା ବିଧାନସଭା ପାଇଁ ଜଣେ ହେଲେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନି କଂଗ୍ରେସ। ପ୍ରାର୍ଥୀ ଘୋଷଣା ଯେତେ ବିଳମ୍ବ ହେଉଛି ଦଳଡିଆଁ ସେତେ ବଢ଼ୁଛି। ବିଜେଡି-ବିଜେପି ମଧ୍ୟରେ ପ୍ରାର୍ଥୀ ଘୋଷଣାକୁ ନେଇ ଏକପ୍ରକାର ଛକାପଞ୍ଝା ପରିସ୍ଥିତି ଉପୁଜିଛି। ପରସ୍ପରର ପ୍ରାର୍ଥୀ ଓ ଅସନ୍ତୁଷ୍ଟଙ୍କ ଉପରେ ଦୁଇଦଳ ନଜର ରଖିଛନ୍ତି।
ବିଜେଡି ଆଉ ୬ଟି ଲୋକସଭା ଏବଂ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ଦଳରେ ଏବେବି ଟିକଟ କସରତ ଜାରି ରହିଛି। ଆଶାୟୀ ଏପର୍ଯ୍ୟନ୍ତ ଟିକଟ ଆଶା ଛାଡ଼ିନାହାନ୍ତି। ପ୍ରାର୍ଥୀ ଘୋଷଣା ହୋଇନଥିବା ଆସନରୁ ଆଶାୟୀମାନେ ସମର୍ଥକଙ୍କ ସହ ଆସି ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଦଳରେ ବହୁ ଆଶାୟୀ ଥିବାରୁ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯିବ; ତାହା ଚୂଡ଼ାନ୍ତ ହେବାକୁ ବିଳମ୍ବ ହେଉଛି। କେତେକ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଚିନ୍ତା କରୁଥିବାବେଳେ ଟିକଟ ନମିଳିବା ସଙ୍କେତ ପାଇ ନେତା ଦଳ ଛାଡ଼ୁଛନ୍ତି। ପ୍ରଥମ ଦଳ ଭାବେ ବିଜେଡି ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ଏବେ ବିଜେପିର ବିଧାନସଭା ପ୍ରାର୍ଥୀଙ୍କ ଉପରେ ନଜର ରଖାଯାଇଛି। ବିଜେପିର ପ୍ରାର୍ଥୀ ତାଲିକା ଦେଖି ଆବଶ୍ୟକସ୍ଥଳେ ଦଳ ରଣନୀତିରେ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ
ନିର୍ବାଚନ ହେଉଥିବା ୨୮ ବିଧାନସଭା ଆସନ ମଧ୍ୟରୁ ୯ଟି ଆସନ ପାଇଁ ଅଙ୍କକଷା ଶେଷ ହୋଇଛି; ହେଲେ ତାଲିକା ପ୍ରକାଶ କରାଯାଉନି। ବହୁ ଆଶାୟୀ ଥିବା ନିର୍ବାଚନମଣ୍ଡଳୀର ନେତାଙ୍କୁ ଡାକି ନବୀନ ନିବାସରେ ଘନଘନ ବୁଝାସୁଝା ଚାଲିଛି। ଗୋଟିଏପଟେ ଟିକଟ ପାଇଥିବା ନେତା ନିର୍ବାଚନମଣ୍ଡଳୀରେ ବୁଲିବା ଆରମ୍ଭ କରିସାରିଥିବାବେଳେ ବାକି ଆସନଗୁଡ଼ିକରେ ଆଶାୟୀ ଅପେକ୍ଷାରେ ରହିଛନ୍ତି। ସାଂସଦ ପ୍ରାର୍ଥୀ ମଧ୍ୟ ବିଧାନସଭା ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛନ୍ତି।
ଅନ୍ୟପକ୍ଷରେ ଦୁଇଟି ଦଫାରେ ବିଜେପି ସମସ୍ତ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇସାରିଛି। ବିଧାନସଭା ପ୍ରାର୍ଥୀ ତାଲିକା ଏବେବି ଝୁଲି ରହିଛି। ବିଜେଡିରୁ ଇତିମଧ୍ୟରେ କିଛି ନେତା ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେତେକ ନେତାଙ୍କୁ ଦଳ ପ୍ରାର୍ଥୀ କରିପାରେ। ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ଉପରେ ବିଜେପିର ନଜର ରହିଛି। ବିଜେଡି ଟିକଟରୁ ବଞ୍ଚିତ ନେତା ବିଜେପିକୁ ମୁହଁାଉଛନ୍ତି। ଏଭଳି ସ୍ଥିତିରେ ଦଳର ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଛି। ୧୦୦ଟି ଆସନ ପାଇଁ ନାଁ ଚୂଡ଼ାନ୍ତ ହୋଇଥିବାବେଳେ ବାକି ଆସନ ପାଇଁ ଅଙ୍କକଷା ଜାରି ରହିଥିବା କୁହାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା- କଂଗ୍ରେସ ଏପର୍ଯ୍ୟନ୍ତ ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନି। ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ପୂର୍ବରୁ ଦଳ ଦମ୍ଭ ଦେଖାଉଥିବାବେଳେ ଏବେ ପଛରେ ପଡ଼ିଛି। ଜଣେ ପରେ ଜଣେ କଂଗ୍ରେସର ଟାଣୁଆ ନେତା ଦଳ ଛାଡ଼ୁଛନ୍ତି। କଂଗ୍ରେସ ଛାଡ଼ୁଥିବା ନେତା ବିଜେଡିମୁହଁା ହେଉଛନ୍ତି। ପ୍ରାର୍ଥୀ ଘୋଷଣା ନେଇ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି।
ଏସବୁ ଭିତରେ ଟିକଟ ଘୋଷଣା ବିଳମ୍ବକୁ ନେଇ ରାଜନୈତିକ ବୟାନବାଜି ତେଜିଛି। ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ, ୧୪୭ ବିଧାନସଭା ଆସନରେ ଲଢ଼ିବାକୁ ବିଜେପି ପ୍ରାର୍ଥୀ ପାଉନି। ସେଥିପାଇଁ ଏଯାଏଁ ଜଣେ ପ୍ରାର୍ଥୀଙ୍କ ନାଁ ବି ବିଜେପି ଘୋଷଣା କରିପାରିନି। ଓଡ଼ିଶା ବିଜେପି କହୁଛି ୧୪୭ ନିର୍ବାଚନମଣ୍ଡଳୀରେ ଲଢ଼ିବ, ହେଲେ ଏଥିପାଇଁ ପ୍ରାର୍ଥୀ ପାଇ ପାରୁନାହାନ୍ତି। ଏହା ହେଉଛି ବାସ୍ତବ ସତ୍ୟ। ପ୍ରାର୍ଥୀ ପାଉନଥିବାରୁ ବିଜେପି ଜନବିରୋଧୀ ଓ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ ନିଜ ଦଳକୁ ନେଇଛି। ବିଜେଡିର ଏହି ଆକ୍ଷେପ ଉପରେ ଜବାବ ରଖି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ବିଜେପିର ପ୍ରାର୍ଥୀ ଘୋଷଣା କେଉଁ ସମୟରେ ହେବ; ତାହା ଆମ ନିଜସ୍ବ ବ୍ୟାପାର। ଆମେ କାହାର ପ୍ରମାଣପତ୍ର ଆଶା କରୁନୁ। ବଛାବଛା ପ୍ରାର୍ଥୀଙ୍କୁ ବିଜେପି ଏଥର ମୈଦାନକୁ ଛାଡ଼ୁଛି। ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମରେ କହିଛନ୍ତି ଯେ, ସବୁ ପ୍ରକ୍ରିୟା ଜାରି ରହିଛି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାର୍ଥୀ ତାଲିକା ଆସିଯିବ ବୋଲି ମୋର ବିଶ୍ବାସ।



