ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ

ଅନ୍ତର୍ଯ୍ୟାମୀ ମିଶ୍ର

ପ୍ରାଚୀନ ଯୁଗରୁ ଓଡ଼ିଶା ଭୂଖଣ୍ଡ ଭାରତର ଷୋଡ଼ଶ ଜନପଦ ଅନ୍ତର୍ଭୁକ୍ତ ନଥାଇ ଏକ ଗୌରବୋଳ ସାମ୍ରାଜ୍ୟ ଭାବରେ ପ୍ରତିଷ୍ଠା ଲାଭ କରିଥିଲା। ପୂର୍ବରେ ମହାତୀର୍ଥ ମହୋଦଧି, ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ପଶ୍ଚିମରେ ଗିରିତୀର୍ଥ ଅମରକଣ୍ଟକ ଓ ଦକ୍ଷିଣରେ ପୁଣ୍ୟ ସଲିଳା ଗୋଦାବରୀ ବିଶାଳ ଓଡ଼ିଶା ସାମ୍ରାଜ୍ୟର ଚତୁଃସୀମା ରୂପେ ପରିଚିହ୍ନିତ ଥିଲା। ଐର, ଚୈତ୍ୟ, ଭଞ୍ଜ, ଭୌମ, ସୋମ, ଗଙ୍ଗ ଓ ସୂର୍ଯ୍ୟବଂଶର ରାଜନ୍ୟବୃନ୍ଦ ଏହି ବିଶାଳ ଭୂଖଣ୍ଡରେ ରାଜତ୍ବ କରି ଅକ୍ଷୟ ଯଶ ରଖିଯାଇଛନ୍ତି। ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଆମାନେ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଦରିଆପାରି ଦେଶରୁ ଅସରନ୍ତି ଧନଦୌଲତ ବୋହିଆଣି ଓଡ଼ିଶାର ଶ୍ରୀବୃଦ୍ଧି କରିଥିଲେ। ଦୁଃଖର ବିଷୟ, ୧୫୬୮ ମସିହାରେ ଗୋହିରାଟିକିରୀ ଯୁଦ୍ଧରେ ଓଡ଼ିଶାର ଗୌରବ ରବି ଅସ୍ତମିତ ହୋଇଗଲେ ଏବଂ ଓଡ଼ିଶା ଆଫଗାନିମାନଙ୍କ ଅଧିକୃତ ହେଲା। ପରେ ପରେ ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାକୁ ଶାସନ କଲେ। ୧୮୦୩ରେ ଓଡ଼ିଶା ଅଧିକାର କଲେ ତଥା ଓଡ଼ିଶାକୁ ବଙ୍ଗଳା, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ପ୍ରଦେଶ ଅଧୀନରେ ରଖି ଶାସନ କଲେ। ଏହାଦ୍ବାରା ଓଡ଼ିଶା ନିଜର ସ୍ବାତନ୍ତ୍ର୍ୟ ହରାଇଲା।

ବିଶାଳ ଓଡ଼ିଶା ଭୂଖଣ୍ଡକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ନଦେଇ ତିନିଗୋଟି ପ୍ରଦେଶ ଅଧୀନରେ ରଖିବାରୁ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଲା। ୧୮୬୬ରେ ଓଡ଼ିଶାରେ ସଂଘଟିତ ନ’ଅଙ୍କ ଦୁର୍ଭିକ୍ଷରେ ଖାଦ୍ୟାଭାବରେ ଦଶଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଲା ଓ କୋଡ଼ିଏ ଲକ୍ଷ ଲୋକ ବେସାହାରା ହୋଇଗଲେ। ନ’ଅଙ୍କ ଦୁର୍ଭିକ୍ଷ ଥିଲା ଇଂରେଜ ଶାସନର ଚରମ ବିଫଳତା। ବିଲାତ ସ୍ଥିତ ଭାରତ ସଚିବ ସାର୍‌ ଷ୍ଟାପୋର୍ଡ ନର୍ଥକୋଟ ତଦନ୍ତକରି ରିପୋର୍ଟ ଦେଲେ ଯେ ବଙ୍ଗ, ବିହାର ଓ ଓଡ଼ିଶାକୁ ଏକ ପ୍ରଦେଶ କରି ରଖାଯାଇଥିବାରୁ ଶାସକବୃନ୍ଦ ଏହି ବିଶାଳ ଭୂଖଣ୍ଡର ଶାସନ ନିୟନ୍ତ୍ରଣ କରିପାରିଲେ ନାହିଁ ଏବଂ ସେଥିନିମିତ୍ତ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷରେ ଅକଥନୀୟ ଦୁର୍ଦଶା ଘଟିଲା। ତଥାପି ଇଂରେଜ ସରକାର ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଦେଲେ ନାହିଁ। ଇଂରେଜମାନେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଚାରକୁ ନନେଇ ଓଡ଼ିଆ ଜାତିର ଦୁର୍ଭାଗ୍ୟର ପଥ ସୁଗମ କରିଦେଲେ। ନ’ଅଙ୍କ ଦୁର୍ଭିକ୍ଷରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଓଡ଼ିଆ ଜାତିର ପରିଚୟ ଅର୍ଥାତ୍‌ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ନୁହେଁ ବୋଲି କିଛି ବଙ୍ଗାଳୀ କୁଚକ୍ରୀ ପ୍ରଚାର କଲେ। ଏହାର ପରିଣତି ସ୍ବରୂପ ଭାଷା ଆନ୍ଦୋଳନ ସୃଷ୍ଟି ହେଲା ତଥା ସମଗ୍ର ଓଡ଼ିଶାରେ ଭାଷା ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା। ଉତ୍କଳ ଦୀପିକା, ପ୍ରଜାବନ୍ଧୁ ଓ ସମ୍ବଲପୁର ହିତୈଷିଣୀ ପ୍ରଭୃତି ସମ୍ବାଦପତ୍ର ତଥା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ଗୌରୀଶଙ୍କର ରାୟ, ଶ୍ୟାମସୁନ୍ଦର ରାୟଗୁରୁ, ବିଚିତ୍ରାନନ୍ଦ ଦାସ, ଶ୍ୟାମନନ୍ଦ ଦେ, ବନମାଳୀ ସିଂହ ପ୍ରମୁଖ ୧୮୭୫ ମସିହାରେ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ ନିମିତ୍ତ ଇଂରେଜ ସରକାରଙ୍କୁ ଗୋଟିଏ ଦାବିପତ୍ର ଦେଲେ। ଉତ୍କଳସଭା ତରଫରୁ ମଧୁସୂଦନ ଦାସ ମଧ୍ୟ ଅନୁରୂପ ଦାବି ଜଣାଇଲେ। ୧୮୮୫ରେ କମିସନର ହେନେରୀ ରିକେଟ୍‌ସ ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରିବାକୁ ପ୍ରସ୍ତାବ ଦେଇଥିଲେ। ପୁନର୍ବାର ୧୮୯୪ରେ କମିସନର ଏଚ.ଜି.କୁକ୍‌ ଓଡ଼ିଶାକୁ ତାଙ୍କ ଅଧୀନରେ ରଖିବାକୁ ସରକାରଙ୍କୁ ପତ୍ର ଲେଖିଲେ। ତଥାପି ସରକାର କିଛି ପଦକ୍ଷେପ ନେଲେ ନାହିଁ। ଇଂରେଜ ସରକାରଙ୍କ ଔପନିବେଶିକ ସାମ୍ରାଜ୍ୟବାଦୀ ମନୋବୃତ୍ତିର ଏହା ଥିଲା ଏକ ନଗ୍ନ ଉଦାହରଣ। ସମ୍ବଲପୁର ଅଞ୍ଚଳରେ ହିନ୍ଦୀ ଭାଷା ଶିକ୍ଷା ବାଧ୍ୟତାମୂଳକ କରାହେବାରୁ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେଲା। ଅଭିଭାବକମାନେ ପିଲାଙ୍କୁ ନଛାଡ଼ିବାରୁ ୮୨ ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଗଲା।

୧୯୦୩ରେ କଂଗ୍ରେସ ସ୍ବଦେଶୀ ଆନ୍ଦୋଳନ ଆରମ୍ଭ କରିଥିଲା। ଏହା ପରେ ୧୯୦୫ ବଙ୍ଗ ବିଭାଜନ ହେବାରୁ ବଙ୍ଗାଳୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କଲେ। ପରିସ୍ଥିତି ଗୁରୁତର ଆକାର ଗ୍ରହଣ କରିବାରୁ ସରକାର ବଙ୍ଗ ବିଭାଜନ ନିଷ୍ପତ୍ତି ପରିବର୍ତ୍ତନ କଲେ ତଥା ୧୯୧୨ ଅପ୍ରେଲ ୧ ତାରିଖରୁ ବିହାର ଓ ଓଡ଼ିଶାକୁ ଗୋଟିଏ ପ୍ରଦେଶ କରାଗଲା। ୧୯୦୩ରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା ଭାଷା ସୂତ୍ରରେ ଓଡ଼ିଶା ପ୍ରଦେଶ ଗଠନ ପୂର୍ବକ ଓଡ଼ିଆମାନଙ୍କର ରାଜନୀତିକ ପରିଚୟ ସୃଷ୍ଟି କରିବା। ବିହାର ଓଡ଼ିଶା ବ୍ୟବସ୍ଥାପକ ପରିଷଦରେ ମଧୁସୂଦନ ଦାସ, ରାଜା ବୈକୁଣ୍ଠନାଥ ଦେ, ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ଗୋକୁଳାନନ୍ଦ ଚୌଧୁରୀ, ଡ. ସୁଦାମ ଚରଣ ନାୟକ ପ୍ରମୁଖ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ଦାବି ଜଣାଇଥିଲେ। ୧୯୧୭ରେ ଯେତେବେଳେ ଲର୍ଡ ମଣ୍ଟେଗୁ ଓଡ଼ିଶା ଆଗମନ କଲେ ସେତେବେଳେ ଗୋଟିଏ ଓଡ଼ିଆ ପ୍ରତିନିଧିଦଳ ତାଙ୍କୁ ଭେଟି ଦାବି ଜଣାଇଥିଲେ। ଏହି ପ୍ରତିନିଧିଙ୍କ ମଧ୍ୟରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଶୋଭାଚନ୍ଦ୍ର ସିଂହଦେଓ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ବ୍ରଜସୁନ୍ଦର ଦାସ, ସୁଦାମ ଚରଣ ନାୟକ ଓ ହରିହର ପଣ୍ଡା ପ୍ରମୁଖ ଥିଲେ। ହରିହର ପଣ୍ଡା ଓ ଅନ୍ୟ କେତେଜଣ ନେତା ‘ଦି ଓଡ଼ିଆ ମୁଭମେଣ୍ଟ’ ଶୀର୍ଷକ ଗୋଟିଏ ଦାବି ପୁସ୍ତିକା ମ‌େଣ୍ଟଗ୍ୟୁଙ୍କୁ ପ୍ରଦାନ କରିଥିଲେ। ମ‌େଣ୍ଟଗ୍ୟୁ ଉପଲବ୍ଧି କଲେ ଯେ ବିହାର ଓଡ଼ିଶା ପ୍ରଦେଶ ଗଠନ ଠିକ୍‌ ହୋଇନାହିଁ। ତେଣୁ ଓଡ଼ିଶାକୁ ଗୋଟିଏ ଉପପ୍ରଦେଶର ମାନ୍ୟତା ଦେବାକୁ ସେ ସୁପାରିସ କରିଥିଲେ। ୧୯୨୦ରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ଅଧ୍ୟକ୍ଷ ହେଲେ ଏବଂ ‘ସମାଜ’ରେ ଜାତୀୟଚେତନା ପ୍ରସାର ନିମିତ୍ତ ଅଗ୍ରାଧିକାର ଦେଲେ। ମ‌େଣ୍ଟଗ୍ୟୁ-ଚେମସ୍‌ଫୋର୍ଡ ରିପୋର୍ଟରେ ଉପପ୍ରଦେଶ ଗଠନ ସୁପାରିସ ଥିବାରୁ ପ୍ରସ୍ତାବ ଗ୍ରହଣ କରି ସରକାର ୧୯୨୧ ଜନଗଣନା ଅନୁସାରେ ସଂଖ୍ୟାଧିକ ଓଡ଼ିଆ ଅଞ୍ଚଳ ଚିହ୍ନଟ ନିମିତ୍ତ ପଦକ୍ଷେପ ନେଲେ; କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମ‌େଣ୍ଟଗ୍ୟୁ ଚେମସ୍‌ଫୋର୍ଡ ସଂସ୍କାରନୀତି ତର୍ଜମା କରିବା ନିମିତ୍ତ ଇଂଲଣ୍ଡରୁ ଏକ ଷ୍ଟାଚ୍ୟୁଟାରି କମିସନ ୧୯୨୯ରେ ଭାରତ ଆସିଲେ। ସାତଜଣ ଗୋରାସାହେବ ବିଶିଷ୍ଟ ଏହି କମିସନର ଅଧ୍ୟକ୍ଷ ଥିଲେ ସାର୍‌ ଜନ୍‌ ସାଇମନ୍‌। ଏଥିରେ କୌଣସି ଭାରତୀୟ ସଦସ୍ୟ ନଥିବାରୁ କଂଗ୍ରେସ ତରଫରୁ ସାରା ଭାରତରେ ହରତାଳ ପାଳନ କରାଗଲା। ପ୍ରତ୍ୟେକ ସ୍ଥାନରେ ‘ସାଇମନ୍‌ ଫେରିଯାଅ’ ସ୍ଳୋଗାନ ଦିଆଯାଇ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସର ନିଷ୍ପତ୍ତି ପ୍ରତି କର୍ଣ୍ଣପାତ ନକରି ଉତ୍କଳ ସମ୍ମିଳନୀର ନେତା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ବ୍ରଜସୁନ୍ଦର ଦାସ, ଭିକାରିଚରଣ ପଟ୍ଟନାୟକ ବ୍ରଜାନନ୍ଦ ଦାସ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ବିହାର ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ସଦସ୍ୟମାନେ ମିଳିତହୋଇ ସାଇମନ କମିସନଙ୍କୁ ପାଟନାଠାରେ ସାକ୍ଷାତ୍‌ ଓ ସ୍ବାଗତ କରିଥିଲେ। ସେମାନଙ୍କ ଦାବିପ୍ରତି ସହାନୁଭୂତି ଜଣାଇ ସାଇମନ କମିସନ ଓଡ଼ିଆଙ୍କ ସମସ୍ୟା ବିଚାର କରିବାକୁ ଅଟ୍‌ଲୀ ସବ୍‌କମିଟି ଗଠନ କଲେ। ଓଡ଼ିଆ ନେତା ବ୍ରଜସୁନ୍ଦର ଦାସ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଯଥାଯଥ ଯୁକ୍ତି ଉପସ୍ଥାପନ କରିଥିଲେ। ୧୯୩୦ ଜୁନ୍‌ ୭ ତାରିଖରେ ସାଇମନ୍‌ କମିସନଙ୍କ ରିପୋର୍ଟ ପ୍ରକାଶ ପାଇଲା। ଓଡ଼ିଆ ଭାଷୀମାନଙ୍କୁ ଏକ ଶାସନାଧୀନ କରିବା ସମ୍ପର୍କରେ କମିସନ ମତ ପ୍ରଦାନ କରିଥିଲେ। ଏପରିକି ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବା ନିମିତ୍ତ ସୀମା କମିସନ ଗଠନ କରିବାକୁ କମିସନ ଭାରତ ସରକାରଙ୍କୁ ସୁପାରିସ କରିଥିଲେ। ଇତ୍ୟବସରରେ ଭାରତର ସାମ୍ବିଧାନିକ ସଂସ୍କାର ନିମିତ୍ତ ଲଣ୍ଡନଠାରେ ଗୋଲଟେବୁଲ୍‌ ବୈଠକ ବସିଲା। ଏହି ବୈଠକରେ ପାରଳାଖେମୁଣ୍ଡି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ। ସେ ବୈଠକରେ ସାରଗର୍ଭକ ବକ୍ତବ୍ୟ ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହା ପରେ ସୀମା କମିସନ ନିଯୁକ୍ତ ହେଲେ। ସୀମା କମିସନ ବହୁ ଓଡ଼ିଆ ଭାଷୀ ଅଞ୍ଚଳକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ବାଦ ଦେଇଥିବାରୁ ଓଡ଼ିଆମାନେ ସନ୍ତୁଷ୍ଟ ନଥିଲେ।

ପରିଶେଷରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ମଞ୍ଜୁଷା, ଟିକାଲି, ଜଳନ୍ତର, ତରଳା, ପାରଳାର ବହୁ ଅଞ୍ଚଳ, ମେଦିନୀପୁର, ସିଂହଭୂମ, ବସ୍ତର ପ୍ରଭୃତି ଓଡ଼ିଆ ଅଞ୍ଚଳ ମିଶିପାରିଲା ନାହିଁ। ଶେଷରେ ୧୯୩୬ ଏପ୍ରିଲ ୧ ତାରିଖରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା। ଏହି ଖଣ୍ଡିତ ଓଡ଼ିଶା ପ୍ରଦେଶ ଦେଖିବାକୁ ଦୀର୍ଘକାଳଧରି ସଂଗ୍ରାମ କରିଥିବା ଓ ସ୍ବପ୍ନ ଦେଖିଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ତଥା ଅନେକ ଉତ୍କଳ ପ୍ରାଣ ନେତା ଜୀବିତ ନଥିଲେ। ସାର୍‌ ଜନ ଅଷ୍ଟିକ ହବାକ୍‌ ନୂତନ ଭାବରେ ଗଠିତ ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ଭାବରେ ଶପଥ ଗ୍ରହଣ କଲେ। ଏହି ଶପଥଗ୍ରହଣ ଉତ୍ସବରେ ସେ ଇଂଲଣ୍ଡର ସମ୍ରାଟ ଓ ଭାଇସରାୟଙ୍କ ନିକଟରୁ ଆସିଥିବା ସମ୍ବର୍ଦ୍ଧନା ପତ୍ର ପାଠ ପୂର୍ବକ ଓଡ଼ିଶାବାସୀଙ୍କ ଉଳ ଭବିଷ୍ୟତର ଶୁଭକାମନା କରିଥିଲେ।

ଏହି ଦିବସଟି ଓଡ଼ିଶାର ଏକ ସ୍ମରଣୀୟ ଦିବସର ମର୍ଯ୍ୟାଦା ଲାଭ କଲା। ଓଡ଼ିଶାର ବହୁ ସ୍ଥାନରେ ଏହି ଦିନ ଉତ୍ସବ ପାଳନ କରାଗଲା। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନରେ ଓଡ଼ିଶାର ପୁରପଲ୍ଲୀ ନଗର ପ୍ରକମ୍ପିତ ହେଲା। ଦୁଃଖର ବିଷୟ ସ୍ବାଧୀନତା ପରେ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲା। ସ୍ବତନ୍ତ୍ର ଭାଷା-ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ସତାଅଶୀ ବର୍ଷ ପରେ ମଧ୍ୟ ଓଡ଼ିଶା ଏକ ଅନଗ୍ରସର ରାଜ୍ୟ। ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆଙ୍କ ଦୁରବସ୍ଥା ଅକଥନୀୟ। ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ହୋଇଥିଲେ ହେଁ ବର୍ତ୍ତମାନ ଏହି ଭୂଖଣ୍ଡରେ ଓଡ଼ିଆ ଭାଷାର ସ୍ଥିତି ବିପନ୍ନ। ଏହି ଦୃଷ୍ଟିକୋଣରୁ ଆଜିର ଦିବସ ଓଡ଼ିଶାବାସୀଙ୍କର ଭାଷା ସ୍ବାଭିମାନର ଦିବସ ଭାବରେ ପାଳିତ ହେଲେ ତାହା ହିଁ ହେବ ଏହି ଦିବସର ଅନୁଚିନ୍ତା।

Comments are closed.