ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ରେ ନିକଟରେ ମୁକେଶ ଚନ୍ଦ୍ରାକର ନାମକ ସାମ୍ବାଦିକଙ୍କୁ ହତ୍ୟା ଘଟଣା ମନରୁ ଲିଭି ନ ଥିବାବେଳେ ଆଉ ଜଣେ ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା କରାଯାଇଛି। ସୁରଜପୁର ଜିଲାରେ ଏହି ଘଟଣା ଘଟିଛି। ଜାତୀୟ ହିନ୍ଦୀ ଚ୍ୟାନେଲ ଆଜତକ୍ର ସାମ୍ବାଦିକ ସନ୍ତୋଷ କୁମାର ଟୋପୋଙ୍କ ପରିବାରକୁ ହତ୍ୟା କରାଯାଇଛି। ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ସନ୍ତୋଷଙ୍କ ମା’-ବାପା ଏବଂ ଭାଇ ରହିଛନ୍ତି।
ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ସନ୍ତୋଷଙ୍କ ମା’-ବାପା ଓ ଭାଇ କ୍ଷେତରେ କାମ କରୁଥିବାବେଳେ ତାଙ୍କ ଦାଦା ଅନ୍ୟ କିଛି ସମ୍ପର୍କୀୟଙ୍କ ସହିତ ମିଶି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।



