ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର
କଲକାତା : ନିର୍ବାଚନ କମିସନ (ଇସି)ଙ୍କ ନିର୍ଦେଶ ମୁତାବକ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ଅଭିଯାନ ଜାରି ରହିଛି। ଶୁକ୍ରବାର ଭୋଟରଙ୍କ ନିକଟରୁ ଏନୁମେରେସନ ଫର୍ମ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଇସିଙ୍କ ପକ୍ଷରୁ ଚିଠା ତାଲିକା ପ୍ରକାଶ କରାଯାଇଛି। ତଦନୁଯାୟୀ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁରରେ ୪୪,୪୭୭ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଥିବା ଜଣାପଡିଛି। ୨୦୨୫ ଜାନୁଆରୀରେ ଏହି ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା ୨,୦୬,୨୯୫ ରହିଥିଲା। ଅପରପକ୍ଷରେ ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ୧୦,୫୯୯ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି। ଶୁଭେନ୍ଦୁଙ୍କ ତୁଳନାରେ ମମତାଙ୍କ ନିର୍ବାଚନମଣ୍ଡଳୀରେ ଚାରିଗୁଣ ଅଧିକ ଭୋଟର ତାଲିକାରୁ ବାଦ ପଡିଥିବା ଜଣାପଡିଛି। ଏହି ପ୍ରସଙ୍ଗରେ ଇସିଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟରଙ୍କ ମୃତ୍ୟୁ, ଅନ୍ୟତ୍ର ସ୍ଥାନାନ୍ତର, ଉପଯୁକ୍ତ ଠିକଣା ଅଭାବ ଏବଂ ଦ୍ବୈତ ଏଣ୍ଟ୍ରି ଯୋଗୁଁ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ କଲକାତାର ଚୌରଙ୍ଗୀ ଆସନରେ ସର୍ବାଧିକ ୭୪,୫୫୩ ଭୋଟରଙ୍କ ନାମ ବାଦ ପଡିଥିବା ପ୍ରକାଶ। ଗତ ନିର୍ବାଚନରେ ଚୌରଙ୍ଗୀ ଆସନରୁ ଟିଏମସି ପ୍ରାର୍ଥୀ ନୟନା ବନ୍ଦୋପାଧ୍ୟାୟ ବିଜୟୀ ହୋଇଥିଲେ। ଏହାପଛକୁ କଲକାତା ପୋର୍ଟ ଆସନରେ ୬୩,୭୩୦ ଜଣ ଭୋଟର ତାଲିକାରୁ ବାଦ ପଡିଛନ୍ତି। ମମତାଙ୍କ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଫିରହାଦ ହକିମ ଏହି ଆସନକୁ ପ୍ରତିନିଧିତ୍ବ କରୁଛନ୍ତି। ସୂଚନାଯୋଗ୍ୟ ଏସଆଇଆରକୁ ପ୍ରବଳ ବିରୋଧ କରୁଥିବା ମମତା କିଛି ଦିନ ପୂର୍ବେ ଧମକ ଦେଇଥିଲେ ଯେ ଯଦି କୌଣସି ଜଣେ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବ, ତେବେ ରାଜ୍ୟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶିତ ହେବ। ବର୍ତ୍ତମାନ ତାଙ୍କ ନିର୍ବାଚନମଣ୍ଡଳୀରୁ ୪୪ ହଜାର ଭୋଟରଙ୍କ ନାମ ବାଦପଡିଥିବାବେଳେ ମମତାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ।



