www.samajalive.in
Sunday, December 14, 2025
26.1 C
Bhubaneswar

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ

  • ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ପ୍ରସନ୍ନ
  • ବିଜେଡି ଉପଦେଶ ଦେବାକୁ କିଏ: ଜୟନାରାୟଣ

ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆସନ୍ତା ୨୨ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମହାନଦୀ ପ୍ରସଙ୍ଗରେ ରାଜନୀତି ତେଜିଛି। ବିଜେଡି-ବିଜେପି ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ମହାନଦୀ ସଙ୍କଟର ସମାଧାନ କେବେ ହେବ ସେନେଇ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଥିବାବେଳେ ଏହାର ଜବାବରେ ବିଜେଡିକୁ ପାଲଟା ନିଶାଣ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।
ଗଣମାଧ୍ୟମରେ ଶ୍ରୀ ଆଚାର୍ଯ୍ୟ କହିଥିଲେ, ମହାନଦୀ ହେଉଛି ଓଡ଼ିଶାର ଜୀବନ ସ୍ରୋତ। ଗତ କିଛି ଦଶନ୍ଧି ହେଲା ମହାନଦୀର ଜୀବନ ସ୍ରୋତକୁ ସଙ୍କୁଚିତ କରିବା ପାଇଁ ଚାଲିଥିବା ଚକ୍ରାନ୍ତ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ବେଦନାଦାୟକ ହୋଇଛି।

- Advertisement -

ଓଡ଼ିଶାର ବିନା ସହମତିରେ ଆନ୍ତଃରାଜ୍ୟ ନଦୀ ଜଳ ସମ୍ପର୍କିତ ସମସ୍ତ ବିଧିବିଧାନକୁ ବେଖାତିର କରି ଛତିଶଗଡ଼ ରାଜ୍ୟ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି ଏବଂ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଥିଲେ, କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖିଥିଲେ, କିନ୍ତୁ ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ। ମହାନଦୀ ଜଳ ବିବାଦ ମାମଲା ଟ୍ରାଇବୁନାଲରେ ୭ ବର୍ଷରୁ ଅଧିକ ସମୟ ହେଲା ପଡ଼ି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡ଼ୁଛି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବର୍ତ୍ତମାନ ରାଜ୍ୟ ସରକାର ଆପୋସ ସମାଧାନର ପ୍ରସ୍ତାବନା କରିଛନ୍ତି। ତେବେ ଆପୋସ ସମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କ’ଣ ରହିବ? ସରକାର ଟ୍ରାଇବୁନାଲରୁ ଓହରିଯିବେ କି? ଆପୋସ ସମାଧାନକୁ ଯିବା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ ଭଳି ସଙ୍ଗଠନ ସହ ଆଲୋଚନା କରିବେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ପ୍ରସନ୍ନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜୟନାରାୟଣ କହିଛନ୍ତି, ୨୪ ବର୍ଷର ସରକାରରେ ସେମାନେ ୩-୪ଟି କମିଟି ଗଠନ କରିଥିଲେ। ଉକ୍ତ କମିଟିଗୁଡ଼ିକର ରିପୋର୍ଟ ସେମାନେ ସାର୍ବଜନୀନ କରିଛନ୍ତି କି, ତାହା ମୂଳ ପ୍ରଶ୍ନ। ୨୨ରେ ହେବାକୁ ଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ବିଜେଡି ସରକାରରେ ଥିବାବେଳେ ମହାନଦୀରେ ଛତିଶଗଡ଼ ବ୍ୟାରେଜ୍ ତିଆରି କଲା, ହେଲେ ସେମାନେ ୨୦ ବର୍ଷ ଧରି ତାହା ଜାଣି ପାରିଲେନି। ସେମାନଙ୍କ କଥାର ଗୁରୁତ୍ବ କ’ଣ ଅଛି। ସେମାନେ ଉପଦେଶ ଦେବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା‌ ବେଳେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିଙ୍କୁ ସ୍ଥାନ ମିଳିଛି। ଏହି ୮ଜଣିଆ କମିଟିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ସଦସ୍ୟ ଅଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories