ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ କଟାକ୍ଷ କଲେ କେଭି , ଜୟନାରାୟଣ । ରାଜନୀତି ଓ ଡ୍ରାମା କରୁଥିବା କହି କଟାକ୍ଷ କଲେ ଉଭୟ ନେତା ।
ରାଜ୍ୟରେ ବିଧାୟକ ମାନଙ୍କ ଦରମା ବଢିବ ପରେ ଏହାକୁ ଗ୍ରହଣ କରି ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଜଣାଇଥିଲେ । ଆଜି ପ୍ରସଙ୍ଗକୁ ନେଇ ନବୀନଙ୍କୁ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ନବୀନ ରାଜନୀତି କରୁଥିବା କହି କଟାକ୍ଷ କରିଛନ୍ତି କେଭି । ସେ କହିଛନ୍ତି ଯେ, ନବୀନ ବାବୁ ବିଲ୍ ସମ୍ପର୍କରେ କହିବାକୁ ବିଧାନସଭାରେ ସୁଯୋଗ ଥିଲା । କିନ୍ତୁ ସେ ଆସିଲେ ନାହିଁ ଏବଂ ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ କେବଳ ରାଜନୀତି ବୋଲି କହି କେଭି କଟାକ୍ଷ କରିଛନ୍ତି । ସେହିପରି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କଟାକ୍ଷ କହିଛନ୍ତି ଯେ ,ନବୀନ ବାବୁ ବହୁତ ଧନୀ । ଏହା କେବଳ ଡ୍ରାମା । ତାଙ୍କ ଡ୍ରାମାକୁ ଲୋକେ ଗ୍ରହଣ କରୁ ନାହାନ୍ତି । ପ୍ରମିଳା ମଲ୍ଲିକ ବାରମ୍ବାର ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି । ସେତେବେଳେ ପ୍ରମିଳାଙ୍କ ଦାବୀକୁ ସମର୍ଥନ ଜଣାଇଥିଲେ । ତାଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଏହା ନିଜ ପାଇଁ ଲାଗୁ ନକରି ଦଳ ପାଇଁ ଲାଗୁ କରିଥିଲେ ଭଲ ହୋଇଥାନ୍ତା ବୋଲି ଜୟ କହିଛନ୍ତି । ଏହା ସହ ବିଧାନସଭାରେ ଏ ସଂକ୍ରାନ୍ତରେ ଆଲୋଚନାରେ କାହିଁକି ରହିଲେ ନହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଜୟ । ବିଧାନସଭା ଆଲୋଚନାରେ ଭାଗ ନେଇ ବିରୋଧ କରିଥିଲେ ବିଲ ପ୍ରତ୍ୟାହୃତ ହୋଇଥାନ୍ତା ବୋଲି କହିଛନ୍ତି ଜୟ ।



