ସିଡନୀ: ସିଡନୀର ବଣ୍ଡି ବିଚ୍ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୪ ଜଣ ଆହତ ଏବେ ବି ଚିକିତ୍ସାଧୀନ ରହିଛନ୍ତି। ଏହି ଗୁଳିକାଣ୍ଡକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି ନ୍ୟୁ ସାଉଥୱେଲ୍ସ ପୁଲିସ।
ସିଡନୀର ଏକ ଲୋକପ୍ରିୟ ବେଳାଭୂମି ହେଉଛି ବଣ୍ଡି। ଏଠାରେ ଇହୁଦୀମାନଙ୍କର ହନୁକା ପର୍ବ ଚାଲିଥିଲା। ଏହି ସମୟରେ ଆତଙ୍କୀମାନେ ପହଞ୍ଚି ଗୁଳିମାଡ଼ କରିଥିଲେ। ମୃତକଙ୍କ ମଧ୍ୟରେ ଜଣେ ଆତଙ୍କୀ ମଧ୍ୟ ରହିଛନ୍ତି। ଅନ୍ୟ ଆତଙ୍କବାଦୀମାନଙ୍କୁ ପୁଲିସ ଗିରଫ କରିଛି।
ଘଟଣା ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସେହିଠାରେ ହିଁ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲା। ଏହା ପରେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘଟଣା ଘଟିଥିବା ଅଞ୍ଚଳକୁ ନ ଯିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।



