ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା ହୋଇଛି। ପ୍ରଣବଙ୍କ ଧର୍ମଶାଳାସ୍ଥିତ ଘରେ କର୍ମୀ ସମ୍ମିଳନୀ ଚାଲିଥିବା ସମୟରେ ସେଠାରେ ଆକ୍ରମଣ କରାଯାଇଛି। ଧର୍ମଶାଳାର ବର୍ତ୍ତମାନର ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ କରାଯାଇଛି। ଏହି ଆକ୍ରମଣରେ ୧୯ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ୧୫ ଜଣ ଆହତ ଧର୍ମଶାଳାରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ୧୫ରୁ ଅଧିକ ଗାଡ଼ି ଭାଙ୍ଗି ଦେଇଛନ୍ତି ବୋଲି ପ୍ରଣବ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଯାଜପୁର ପୁଲିସ ଉପରେ ତାଙ୍କର ଭରସା ନାହିଁ। ତେଣୁ ସେ ପୁଲିସ ମହାନିର୍ଦେଶକଙ୍କୁ ଘଟଣା ବିଷୟରେ ଅବଗତ କରାଇବେ।
ଅନ୍ୟପଟେ ପ୍ରଣବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ହିମାଂଶୁ ସାହୁ। ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ହିମାଂଶୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ତେବେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ପକ୍ଷରୁ ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ କରାଯାଇଥିବା ସୂଚନା ମିଳିଛି।



