ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ ୧୨ ତାରିଖରେ ଦୁଇଟି ଗାଈଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ରବିବାର ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡାର ବିଜୟ ବୀର(୩୨), ପୁରୁଣାପାଟଣା ଗ୍ରାମର ଧୋବା ନାଇକ(୬୦) ଓ ଉଆଳି ନାଇକ(୬୦) ବୋଲି ଡିଏସପି ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଏହି ଥାନା ଅଧୀନ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ ୧୨ ତାରିଖ ଭୋର ସମୟରେ ୪/୫ ଜଣ ବ୍ୟକ୍ତି ଦୁଇଟି ଗାଈକୁ ମାରି ସେମାନଙ୍କ ମାଂସ କାଟୁଥିଲେ। ଖବର ପାଇ ବିଜେପି ଯୁବନେତା ତଥା ସମାଜସେବୀ ବିକ୍ରମ ଦାସ ଓ ଆଖ ପାଖ ଅଞ୍ଚଳର କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଯୁବକମାନଙ୍କୁ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ଜଣାପଡ଼ିବା ପରେ ଆରଏସଏସ, ବଜରଙ୍ଗଦଳ ଓ ଗୋରକ୍ଷକମାନେ ସେଠାରେ ପହଞ୍ଚି ଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଜୟ, ଉଆଳି ଓ ଧୋବାକୁ ପୁଲିସ କାବୁ କରି ପଚାର ଉଚରା କରିବା ପରେ ଆଜି ସନ୍ଧ୍ୟାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି। ଜବତ ମାଂସକୁ ଜଙ୍ଗଏରେ ପୋତି ଦିଆଯାଇଛି। ଅଭିଯୁକ୍ତମାନେ ଅନେକ ସମୟରେ ଜଙ୍ଗଲରେ ଗୋହତ୍ୟା କରି ମାଂସ ନିଜେ ଖାଇବା ସହ ଆଖପାଖ ଅଞ୍ଚଳରେ ବିକ୍ରୟ କରୁଥିବା ତଦନ୍ତରୁ ଜଣାପଡ଼ିଛି।



