ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ ଧୂଳି ଚଟାଇ ଦେଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଦକ୍ଷିଣଆଫ୍ରିକା ବ୍ୟାଟ୍ସମ୍ୟାନ। ଯାହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଛି। ଭାରତକୁ ଏହି ମ୍ୟାଚ ଜିତିବା ଲାଗି ୧୧୮ ରନ କରିବାକୁ ପଡ଼ିବ।
ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ପୂର୍ବ ମ୍ୟାଚରେ ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡି’କକ ଏବଂ ରିଜା ହେଣ୍ଡ୍ରିକ୍ସ ଦୃଢ଼ ଆତ୍ମବିଶ୍ଵାସର ସହିତ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ପ୍ରଥମ ଓଭରରେ ଅର୍ଶଦୀପ ସିଂହ ରିଜାଙ୍କୁ ଆଉଟ କରିଥିବାବେଳେ ୨ୟ ଓଭରରେ ହର୍ଷିତ ରାଣା ଡି’କକଙ୍କୁ ଆଉଟ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଦଳ ଗୋଟିଏ ରନରେ ୨ଟି ଉଇକେଟ ହରାଇ ଅଡୁଆରେ ପଡ଼ିଥିଲା। ଏହା ପରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ହେବାରୁ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ତେବେ ୮ମ ଉଇକେଟରେ ଅଧିନାୟକ ଏଡେନ ମର୍କରମ ସାଥୀ ଖେଳାଳି ଏନରିଚ ନର୍ଟିଏଙ୍କ ସହ ମିଶି ୩୬ ରନର ଭାଗିଦାରି କରିଫଳରେ ଦଳର ସ୍କୋର ୧୦୦ ଟପିଥିଲା। ମର୍କରମ ସର୍ବାଧିକ ୬୧ ରନ କରିଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା, କୁଳଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।



