୧୦ ନମ୍ବର ରାଜ୍ୟ ରାଜପଥ ପାଲଟିଛି ପାର୍କିଂ ଜୋନ୍; ସାତଗଛିଆରୁ ଠେଲକୋଲୋଇ ଡେଞ୍ଜର ଜୋନ୍
ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ(ବିଜୁ ଏକ୍ସପ୍ରେସ ଓ୍ବେ)ର ଲପଙ୍ଗା ସାତଗଛିଆରୁ ଠେଲକୋଲୋଇ ପର୍ଯ୍ୟନ୍ତ ରାସ୍ତା ଯାତ୍ରୀମାନଙ୍କ ପାଇଁ ଡେଞ୍ଜର ଜୋନ୍ ପାଲଟିଛି। ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ସଡ଼କ କୁହାଯାଉଥିବା ରାସ୍ତାରେ ନିୟମିତ ବ୍ୟବଧାନରେ ଛୋଟବଡ ସଡ଼କ ଦୁର୍ଘଟଣା ଘଟି ଲୋକେ ମୃତାହତ ଏବଂ ଭିନ୍ନକ୍ଷମ ହେଉଥିଲେ ମଧ୍ୟ ପ୍ରଶାସନ କିମ୍ବା ପରିବହନ ବିଭାଗ ଦୁର୍ଘଟଣାର ସ୍ଥାୟୀ ନିରାକରଣ ଦିଗରେ କୌଣସି ଫଳପ୍ରସୂ ପ୍ରତିକାର କରୁନାହାନ୍ତି। ସର୍ବସାଧାରଣ ଗମନାଗମନ ପାଇଁ ଉଦ୍ଦିଷ୍ଟ ଏହି ରାଜ୍ୟ ରାଜପଥର ଉଭୟ ପାର୍ଶ୍ବ ଶିଳ୍ପାନୁଷ୍ଠାନମାନଙ୍କର ପାର୍କିଂ ଜୋନ୍ରେ ପରିଣତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଭାରି ମାଲବାହୀ ଯାନର ଲମ୍ବାଧାଡି ଯାତ୍ରୀମାନଙ୍କ ପାଇଁ କାଳ ସାଜିଛି। ୬/୭ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ବିଷମ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସାତଗଛିଆରୁ ସିଟିଆର ରୋଡ୍ ଠେଲକୋଲୋଇ ପର୍ଯ୍ୟନ୍ତ କୋଇଲା ପରିବହନକାରୀ ଟ୍ରକମାନଙ୍କର ବେଆଇନ ପାର୍କିଂ ଯୋଗୁଁଁ ରାସ୍ତା ସଙ୍କୁଚିତ ହୋଇପଡୁଛି। ଏହାବ୍ୟତୀତ ଏହି ଅଞ୍ଚଳରେ ଥିବା କଳକାରଖାନା ଓ ଖଣି ଖଦାନରୁ ନିର୍ଗତ ଧୂଆଁ, ଧୂଳି, କୋଇଲା ଗୁଣ୍ଡ ଉଡି ଆକାଶରେ ପ୍ରଦୂଷଣର କଳାବାଦଳ ଢାଙ୍କି ରହୁଥିବାରୁ ସକାଳ ଏବଂ ସନ୍ଧ୍ୟାରେ କୃତ୍ରିମ ଘନ ଅନ୍ଧକାର ସୃଷ୍ଟି ହେବା ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଛି। ରାସ୍ତା ପାର୍ଶ୍ବରେ ବେଆଇନ୍ ପାର୍କିଂ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଖିଣ୍ଡା ଅଞ୍ଚଳର ବିଭିନ୍ନ ସଙ୍ଗଠନ ଏବଂ ଜନପ୍ରତିନିଧି ଜିଲାପାଳଙ୍କୁ ବାରମ୍ବାର ଲିଖିତ ଦାବି କରିବା ସହିତ ଏ ସଂକ୍ରାନ୍ତରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।
ଅଞ୍ଚଳର ଜଳ ଜମି ଜଙ୍ଗଳ ହାତେଇ ନେଇ ଅଜସ୍ର ମୁନାଫା କରୁଥିବା କଳ କାରଖାନା, ଖଣି ଖଦାନ କର୍ତ୍ତୃପକ୍ଷ ନିଜସ୍ୱ ପାର୍କିଂ ଜୋନ୍ ନିର୍ମାଣ କରିବାର ନିୟମ ରହିଛି। କିନ୍ତୁ ଏହି ନିୟମକୁ ଆଖିଠାର ମାରି ସଂପୃକ୍ତ ଶିଳ୍ପାନୁଷ୍ଠାନକୁ ଆସୁଥିବା ଭାରି ଯାନଗୁଡିକ ରାଜ୍ୟ ରାଜପଥକୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରୁଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ହେଉଛି। କୋଟି କୋଟି ଟଙ୍କା ମୁନାଫା କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀ ନିଜସ୍ୱ ପାର୍କିଂ ଜୋନ୍ ନିର୍ମାଣ ନକରି ରାଜ୍ୟ ରାଜପଥକୁ ପାର୍କିଂ ଜୋନ୍ ଭଳି ବ୍ୟବହାର କରୁଥିଲେ ମଧ୍ୟ ପ୍ରଶାସନ ଏବଂ ରାଜ୍ୟ ସରକାର ନୀରବଦ୍ରଷ୍ଟା ହୋଇ ରହିବା ଚରମ ବିଡମ୍ବନାର ବିଷୟ। ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପରିବାରକୁ କିଛି ଟଙ୍କା କ୍ଷରିପୂରଣ ଦେଇ କମ୍ପାନୀ ଓ ପ୍ରଶାସନ ତଥା ସରକାର ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ପଛକେ ବେଆଇନ ପାର୍କିଂର ପ୍ରତିକାର ହେଉନାହିଁ। ସଧାରଣ ଲୋକ ଟ୍ରାଫିକ୍ ଆଇନ ଉଲ୍ଲଂଘନ କଲେ କଡା ଜୋରିମାନା ଓ ଦଣ୍ଡ ଦିଆଯାଉଛି। କିନ୍ତୁ କମ୍ପାନୀ ଆଇନ ଉଲ୍ଲଂଘନ କରୁଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା କାହିଁକି ବୋଲି ପ୍ରଶ୍ନ ହେଉଛି। ବେଆଇନ୍ ପାର୍କିଂରୁ ମାସିକିଆ ଅସୁଲି କରାଯାଇ ଭାଗବଣ୍ଟା ହେଉଥିବାରୁ ବେଧଡକ ରାସ୍ତା କଡ଼ରେ ପାର୍କିଂ ହେଉଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ସମ୍ବଲପୁର ଆଞ୍ଚଳିକ ପରିବହନ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କୁ ପଚରାଯିବାରୁ ବେଆଇନ୍ ପାର୍କିଂ କରୁଥିବା ଗାଡ଼ିମାନଙ୍କଠାରୁ ଅଢେଇ ହଜରାରୁ ୩ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି। ପାର୍କିଂ ନ କରିବାକୁ ତାଗିଦ୍ ମଧ୍ୟ କରାଯାଉଛି। ତଥାପି ସେମାନେ ଆଇନ ଉଲ୍ଲଂଘନ କରୁଛନ୍ତି। ଅଧିକାଂଶ କମ୍ପାନୀ ନିଜସ୍ୱ ପାର୍କିଂ ଜୋନ୍ କରିଥିବାବେଳେ ଏନଏଲସି କମ୍ପାନୀ ଏପର୍ଯ୍ୟନ୍ତ ନିଜସ୍ଵ ପାର୍କିଂ ଜୋନ୍ କରି ନ ଥିବାରୁ ସମସ୍ୟା ଦେଖାଦେଉଛି। କମ୍ପାନୀର ଲଜିଷ୍ଟିକ୍ ବିଭାଗ ମୁଖ୍ୟଙ୍କୁ ସଜ୍ଞାନରେ ନିଆଯିବ ଏବଂ ବେଆଇନ୍ ପାର୍କିଂ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା କରାଯିବ ବୋଲି ରାମଚନ୍ଦ୍ର ଟୁଡୁ କହିଛନ୍ତି।
Comments are closed.