www.samajalive.in
Sunday, December 7, 2025
14.1 C
Bhubaneswar

ପାକ୍‌ ନିର୍ବାଚନ ଭାରତ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ

କିଛି ବର୍ଷ ହେଲା ପାକିସ୍ତାନ ଅର୍ଥନୀତି ରସାତଳଗାମୀ ହୋଇଥିବାବେଳେ ସେହି ଦେଶର ସାଧାରଣ ଜନତା ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ସମର୍ଥ ହୋଇପାରୁନାହାନ୍ତି

ଗୁରୁବାର ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। ଏହା ସେ ଦେଶର ଦ୍ୱାଦଶ ସାଧାରଣ ନିର୍ବାଚନ ହୋଇଥିବାବେଳେ ପାକିସ୍ତାନର ବିଭିନ୍ନ ଭାଗରେ ବ୍ୟାପକ ହିଂସା ଏବଂ ତାଲିବାନ ଆତଙ୍କୀଙ୍କ ଦ୍ୱାରା ବୁଥ୍‌‌ ଦଖଲ ଭଳି ଘଟଣା ଘଟିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତୋଷଖାନା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପିଏମଏଲ୍‌‌-ଏନ୍‌‌ ଏହି ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭାହେବ ବୋଲି ରାଜନୀତି ବିଶ୍ଳେଷକମାନେ ମତ ଦେଉଛନ୍ତି। ସୂଚନାଯୋଗ୍ୟ ଯେ ପାକିସ୍ତାନ ତାହାର ସୃଷ୍ଟି ଦିନଠାରୁ ନାନା ଗୁରୁତର ସମସ୍ୟା ଦେଇ ଗତିକରୁଛି। ସେଠାରେ ଗଣତନ୍ତ୍ର ବୋଲି କିଛି ନାହିଁ। ନିର୍ବାଚିତ ସରକାର ଗଠନ ହେଉଥିଲେ ମଧ୍ୟ ଦେଶର ସୈନ୍ୟବାହିନୀ ସର୍ବଶକ୍ତିମାନ୍‌‌। ସେନା ନିର୍ଦେଶରେ ସେଠାରେ ସବୁକିଛି ପରିଚାଳିତ ହେଉଛି। ଏପରି କି ପାକିସ୍ତାନ ସେନାବାହିନୀ ବ୍ୟାବସାୟିକ କ୍ଷେତ୍ରରେ ମଧ୍ୟ ତାହାର ଆଧିପତ୍ୟ ଜାହିର କରୁଛି। କିଛି ବର୍ଷ ହେଲା ପାକିସ୍ତାନ ଅର୍ଥନୀତି ରସାତଳଗାମୀ ହୋଇଥିବାବେଳେ ସେହି ଦେଶର ସାଧାରଣ ଜନତା ଦୁଇମୁଠା ଖାଇବା ଯୋଗାଡ କରିବାକୁ ସମର୍ଥ ହୋଇପାରୁନାହାନ୍ତି। ଅନ୍ୟ ପକ୍ଷରେ ଦେଶର ରାଜନୈତିକ ନେତୃବୃନ୍ଦ, ସେନାଧିକାରୀ ଏବଂ ଅନ୍ୟମାନେ ବିଦେଶୀ ରାଷ୍ଟ୍ରରେ ବହୁ କୋଟି ଟଙ୍କା ଜମା ରଖିବା ସହିତ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି। ଏହାକୁ ନେଇ ଦେଶରେ ଅନେକ ସମୟରେ ବିରୋଧାଭାସ ଦେଖିବାକୁ ମିଳୁଛି।

- Advertisement -

ଏହି ନିର୍ବାଚନରେ ଇମ୍ରାନ ଖାଁଙ୍କ ଅନୁପସ୍ଥିତିରେ ତେହରିକ୍‌‌-ଇ-ଇନ୍‌‌ସାଫ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳକୁ ବିଶେଷ ସଫଳତା ମିଳିନପାରେ। କାରଣ ଦେଶର ନିର୍ବାଚନ ଆୟୋଗ ଉକ୍ତ ଦଳର ନିର୍ବାଚନୀ ସଙ୍କେତ ବ୍ୟବହାର ନକରିବାକୁ ଦେଇଥିବା ରାୟକୁ ପାକିସ୍ତାନ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଫଳରେ ତେହରିକ୍‌‌-ଇ-ଇନସାଫ ପ୍ରାର୍ଥୀମାନେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍‌‌ ଲିଗ୍‌‌ ଏକକ ସଂଖ୍ୟାଗରିଷ୍ଠ ଏବଂ ବିଲାୱାଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଦ୍ୱିତୀୟ ସ୍ଥାନରେ ରହିବା ଅନୁମାନ କରାଯାଉଛି। ନୱାଜଙ୍କ ଦଳ ବିଜୟୀ ହେବା ସହ ସେ ଚତୁର୍ଥ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ଆଶା ରଖିଛନ୍ତି। ଅନୁରୂପ ଭାବରେ ବିଲାୱାଲ ମଧ୍ୟ ତାଙ୍କ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ହେବ ଏବଂ ସେ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଦେଖୁଛନ୍ତି; କିନ୍ତୁ ନିର୍ବାଚନ ପରେ କ୍ଷମତାକୁ ଯେଉଁ ଦଳ ଆସୁନା କାହିଁକି, ଦେଶ ଚଳାଇବା ତାଙ୍କ ପକ୍ଷେ କାଠିକର ପାଠ ହୋଇପଡ଼ିବ। କାରଣ ଦେଶର ଅର୍ଥନୈତିକ ଓ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାଜନକ ସ୍ଥିତିରେ ରହିଛି। ଗତବର୍ଷ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଋଣ ସହାୟତା ବଳରେ ଋଣ ଖିଲାପୀ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଆଇଏମ୍‌‌ଏଫ ପାକିସ୍ତାନକୁ ୩ ବିଲିଅନ ଡଲାର ସ୍ୱଳ୍ପମିଆଦୀ ଋଣ ଯୋଗାଇ ଦେଇଥିଲା।

ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ ପାକିସ୍ତାନରେ କ୍ଷମତାସୀନ ହେବାକୁ ଯାଉଥିବା ନୂଆ ସରକାର ଦେଶର ଆର୍ଥିକ ଦୁରବସ୍ଥା ସୁଧାରିବାକୁ କଠୋର ସର୍ତ୍ତରେ ମଧ୍ୟ ଆଇଏମ୍‌‌ଏଫ ନିକଟରୁ ଋଣ ଆଣିବାକୁ ବାଧ୍ୟ ହେବ। ସେହି ଋଣ ବାବଦ ସୁଧ ପୈଠ ନିମନ୍ତେ ସରକାରଙ୍କୁ ଟିକସ ହାର ବଢ଼ାଇବାକୁ ପଡ଼ିବ, ଯାହା ପୁନଃ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେବ। ଏଭଳି ଏକ ସ୍ଥିତିରେ ପାକିସ୍ତାନ ଭିତରେ ଘଟୁଥିବା ଆତଙ୍କୀ ଆକ୍ରମଣ ଓ ରକ୍ତପାତକୁ ନେଇ ସେ ଦେଶର ସରକାର ଭାରତ ବିରୋଧରେ ଅଭିଯୋଗ କରୁଛନ୍ତି। ଏହାକୁ ଅବଶ୍ୟ ଭାରତ ଦୃଢ ଭାବରେ ଖଣ୍ଡନ କରିଆସୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତରେ ମଧ୍ୟ ଆଉ ପ୍ରାୟ ଦୁଇ ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆମ ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପୁନଃ କ୍ଷମତାସୀନ ହେବା ନେଇ ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ଏହା ହେଲେ ତାହା ପାକିସ୍ତାନ ସରକାରଙ୍କ ପାଇଁ ତାଙ୍କ ନିଜ ଦେଶରେ ଜଟିଳ ପରିସ୍ଥିତି ସୃଷ୍ଟି କରିବ। ଗତ କିଛିବର୍ଷ ମଧ୍ୟରେ ପାକିସ୍ତାନ ତାହାର ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଯେଉଁଭଳି ଭାବରେ କଡା ଜବାବ ପାଇଆସିଛି, ତାହା ଉକ୍ତ ଦେଶର ରାଜନୈତିକ ନେତୃବୃନ୍ଦଙ୍କ ଠାରୁ ନେଇ ସେ ଦେଶର ସେନା ମନରେ ଭୟ ସଞ୍ଚାର କରିଛି। ଏହି ଦୃଷ୍ଟିରୁ ପାକିସ୍ତାନରେ ଯେଉଁ ଦଳ ଏବଂ ଯେଉଁ ନେତା କ୍ଷମତାକୁ ଆସନ୍ତୁ ନା କାହିଁକି, ସେମାନେ ନିଜର ଭାରତ ବିରୋଧୀ ଏବଂ ଆତଙ୍କୀ ସମର୍ଥନ ଜାରି ରଖିବା ସହିତ ସେନା ନିୟନ୍ତ୍ରଣରେ କାର୍ଯ୍ୟକରିବାକୁ ବାଧ୍ୟ ହେବେ। ଅନ୍ୟପକ୍ଷରେ ଭାରତ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବାକୁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଦୃଢ ପରିକର ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories