ଭାରତ ଓ ପଡ଼ୋଶୀଙ୍କ ଅର୍ଥନୀତି
ବଳରାମ ମିଶ୍ର
ମୁଣ୍ଡପିଛା ଆୟକୁ ଆର୍ଥିକ ବିକାଶର ଏକ ମୁଖ୍ୟ ସୂଚକ ଭାବେ ଅର୍ଥଶାସ୍ତ୍ରୀମାନେ ଗ୍ରହଣ କରିଥାଆନ୍ତି। ସାମ୍ୟବାଦୀ ବିକାଶ କୌଶଳ, ବିକାଶ ଯୋଜନା, ନୀତିନିୟମ ଓ କାର୍ଯ୍ୟକ୍ରମ ଉଦାରବାଦୀ ଗଣତନ୍ତ୍ରରେ ଦେଖିବାକୁ ମିଳି ନପାରେ। ଲୋକତାନ୍ତ୍ରିକ ସମାଜବାଦୀ ଅର୍ଥବ୍ୟବସ୍ଥା ବା ଢ଼ାଞ୍ଚା କଥା ଆମ ସମ୍ବିଧାନର ମୁଖବନ୍ଧରୁ ବାରିହୁଏ। ତେଣୁ ଆମ ଲୋକତନ୍ତ୍ର ଏକ ମିଶ୍ରିତ ଅର୍ଥ ବ୍ୟବସ୍ଥା ଭିତରେ କାର୍ଯ୍ୟ ସମ୍ପାଦନ କରେ। ଏଠି ବ୍ୟକ୍ତିଗତ ପୁଞ୍ଜିରେ ଉଦ୍ୟୋଗ ଚାଲିବା ସହିତ ରାଷ୍ଟ୍ରୀୟ ଉଦ୍ୟୋଗ ମଧ୍ୟ ଚାଲେ; କିନ୍ତୁ ଘରୋଇ କ୍ଷେତ୍ର ବା ବ୍ୟକ୍ତିଗତ କ୍ଷେତ୍ର, ବ୍ୟକ୍ତିଗତ ଏକାଧିକାର ଉପଭୋଗ କରିପାରେନା। ଦେଶର ହିତ ପାଇଁ, ଜନକଲ୍ୟାଣ ପାଇଁ ଆର୍ଥିକ ନିୟମରେ ସଂସ୍କାର ଆସେ ପ୍ରକ୍ରିୟା ଚାଲୁରହିଛି ମଧ୍ୟ। ସରକାରୀ କ୍ଷେତ୍ର ଯାହା ସ୍ୱାଧୀନତା ପର ତିନି ଦଶନ୍ଧି ଧରି ଅଗ୍ରଣୀ କ୍ଷେତ୍ର ଥିଲା ତାହା ସମୟାନୁକ୍ରମେ ହ୍ରାସ ପାଉଛି। ଦକ୍ଷିଣ ଏସିଆକୁ ଛାଡ଼ି ଚୀନ ଭଳି ଦେଶରେ ଆର୍ଥିକ ସଂସ୍କାର ଚାଲୁ ରହିଛି। ଅର୍ଥନୀତିରେ ଉଦାରବାଦ, ଘରୋଇକରଣ ଏବଂ ବିଶ୍ୱାୟନ ଏବେ ସାମ୍ୟବାଦୀ ଢାଞ୍ଚା ହେଉ ବା ଗଣତାନ୍ତ୍ରିକ ରାଷ୍ଟ୍ର ହେଉ ସମସ୍ତେ ଆର୍ଥିକ ପରିବର୍ତ୍ତନ ପ୍ରସାର, ବିବିଧକରଣ ଆର୍ଥିକ ଅଭିବୃଦ୍ଧିର ଏକ ସଂଗତ କୌଶଳ ଢାଞ୍ଚାଗତ ପରିବର୍ତ୍ତନ ପାଇଁ ନିର୍ଣ୍ଣାୟକ ହୋଇଛି। ଚୀନ ହେଉ ବା ଭାରତ ଅଥବା ବିଶ୍ୱର ପ୍ରାୟ ଦେଶ ଆର୍ଥନୀତିକ ବିଚାରଧାରା, ଆଚରଣରେ ଉଦାରତା ଅର୍ଥନୈତିକ ଇତିହାସ ସିଦ୍ଧକରେ, ଯଦିବା ରାଜନୈତିକ ଢାଞ୍ଚା ସହ ଏହାର ବିରୋଧାଭାସ ଅନୁମେୟ।
ଅର୍ଥନୈତିକ ଦର୍ଶନ ସହ ରାଜନୀତିକ ଦର୍ଶନର ତାଳମେଳ ଦେଖିବାକୁ ମିଳେନା। ସଂସ୍କାର ଯୁଗରେ ପୁଞ୍ଜି ଦେଶଦେଶ ଭିତରେ ଯାତାୟାତ କରେ; ଏହା ସ୍ୱାଭାବିକ କିନ୍ତୁ କମ୍ୟୁନିଷ୍ଟ ଢାଞ୍ଚାର ବ୍ୟବସ୍ଥାରେ ଉଦାରୀକରଣ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍କାର ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାର ଗୁରୁତ୍ୱ ଦର୍ଶାଏ। ରାଜନୈତିକ ଢାଞ୍ଚାଗତ ପରିବର୍ତ୍ତନ ସତ୍ତ୍ବେ, ଅର୍ଥନୈତିକ ସମେଳ, ସାମଞ୍ଜସ୍ୟ ସାରା ବିଶ୍ୱ ପାଇଁ ମଙ୍ଗଳ ଦାୟକ। ୧୯୬୦ ମସିହା ପରଠାରୁ ଭାରତର ଦର୍ଶନ ସାମ୍ୟବାଦୀ ଚେତନା ଦ୍ୱାରା ପ୍ରଭାବିତ ଏବଂ ସାମାଜିକ ପରିବର୍ତ୍ତନର ମୂଳାଧାର ଥିଲା। ୧୯୬୯ ମସିହାରେ ବ୍ୟାଙ୍କ ଜାତୀୟକରଣ ଏବଂ ୧୯୭୧ ମସିହାରେ ରାଜକୀୟ ପରିବାରକୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର ବା ଖାସ୍ ତହବିଲର ବିଶେଷ ସୁବିଧା, ସହାୟକ ଅନୁଦାନ ମଞ୍ଜୁର ଉଚ୍ଛେଦ ସାମ୍ୟବାଦର ମଧ୍ୟାହ୍ନ କୁହାଯାଇପାରେ। ଆୟ ଉପରେ ଟିକସର ହାର ସର୍ବାଧିକ ପାଖାପାଖି ୯୯ ପ୍ରତିଶତ ଛୁଇଁଥିଲା। ସେତେବେଳେ ଭାରତରେ ଏପରି ଏକ ରାଜନୈତିକ ବ୍ୟବସ୍ଥା ଥିଲା ଯେଉଁଥିରେ ସାମାଜିକ ଓ ଅର୍ଥନୈତିକ ବ୍ୟାପାରରେ ରାଷ୍ଟ୍ରର ନିୟନ୍ତ୍ରଣ ଅତିରିକ୍ତ ଥିଲା। ଏହି ସ୍ଥିତି ୧୯୮୦ ମସିହା ପର୍ଯ୍ୟନ୍ତ ଭାରତରେ ଚାଲିଥିଲା ଏବଂ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ଥିଲା।
ଅପରପକ୍ଷରେ ଏହି ସମୟ ମଧ୍ୟରେ ପୂର୍ବ-ଏସୀୟ ଦେଶ ସିଙ୍ଗାପୁର, ତାଇୱାନ, ଦକ୍ଷିଣ କୋରିଆ ଆଦି ଦେଶରେ ଆଶ୍ଚର୍ଯ୍ୟଜନକ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ କରାଯାଏ। ଚୀନ୍ର ମଧ୍ୟ ତଦନୁରୂପ ଅବସ୍ଥା। ୧୯୭୮ ମସିହାରୁ ସଂସ୍କାରକ ଡ଼େଙ୍ଗ୍ ସିଆଓପିଙ୍ଗ ଅର୍ଥ ବ୍ୟବସ୍ଥାରେ ବଜାର ଭିତ୍ତିକ ପୁଞ୍ଜିବାଦ ଓ ଅନ୍ୟାନ୍ୟ ଉଦାରବାଦୀ ସଂସ୍କାର ଆଣିବା ଫଳରେ ଚୀନ୍ ସମୟାନୁକ୍ରମେ ସୁଫଳ ପାଇପାରିଥିଲା। ପାକିସ୍ତାନରେ ମୂଳରୁ ଅସ୍ଥିରତା। କେତେବେଳେ ସାମରିକ ଶାସନ ତ କେତେବେଳେ ବହୁଦଳୀୟ ଗଣତନ୍ତ୍ର। ନେତୃତ୍ୱର ଅଦକ୍ଷତା ଅର୍ଥବ୍ୟବସ୍ଥାରୁ ବାରି ହୋଇଯାଏ। ଯାହା ଦେଖାଯାଏ ଯେ ୧୯୫୦ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଚୀନ, ପାକିସ୍ତାନ, ଶ୍ରୀଲଙ୍କା , ଭାରତ ଏବଂ ୧୯୭୧ ମସିହାରୁ ବାଂଲାଦେଶ ଦରିଦ୍ର ଥିଲେ। ୧୯୮୦ ମସିହାରେ ପାକିସ୍ତାନ, ଶ୍ରୀଲଙ୍କା, ଭାରତ, ବାଂଲାଦେଶ ଓ ଚୀନ୍ର ମୁଣ୍ଡପିଛା ଆୟ ଯଥାକ୍ରମେ ୨୯୪, ୨୬୯, ୨୬୭, ୨୧୬ ଓ ୧୯୫ ଡଲାର୍ରେ ପହଞ୍ଚିଥିଲା।
୧୯୯୧ ମସିହାରେ ସୋଭିଏତ୍ ସଂଘ ଭଳି ଏକ ବିଶାଳ ଦେଶ ଭାଙ୍ଗିଯିବା ଫଳରେ ବିଶ୍ୱର ଏକ ବିଶାଳ ଭୂଖଣ୍ଡ ଉପରୁ କମ୍ୟୁନିଷ୍ଟ ଶାସନର ବିଲୟ ଘଟିଲା। ଭାରତ ଭଳି ଅନେକ ଦେଶ ଆର୍ଥିକ ଉଦାରତା ଘରୋଇକରଣ ଆଦି ଅନେକ କ୍ଷେତ୍ରରେ ସଂସ୍କାର ଆଣିଲେ। ବଜାରଭିତ୍ତିକ ଅର୍ଥ ବ୍ୟବସ୍ଥା ଭଲ ଭାବରେ ମୁଣ୍ଡ ଟେକିବାକୁ ଆରମ୍ଭ କଲା। ଗୋଟିଏ ପ୍ରଚଳିତ ବ୍ୟବସ୍ଥାରୁ ଆର୍ଥିକ ଉଦାରତା, ଘରୋଇକରଣ ବିଶ୍ୱାୟନକୁ ମୁହିଁଲାବେଳେ ପ୍ରକ୍ରିୟାରେ ସମୟ ଲାଗେ, ରୂପାନ୍ତରଣ ଦୃଢ଼ ନେତୃତ୍ୱ ଉପରେ ନିର୍ଭର କରେ। ଆମ ଦେଶରେ ଆର୍ଥିକ ଗତିଶୀଳତା, ପ୍ରସାର, ବିବିଧକରଣ ତଥା ଆର୍ଥିକ ଦକ୍ଷତା ଯେତେବେଳେ ପ୍ରେରଣାଦାୟକ ହେଲା ସେତେବେଳେ ଅର୍ଥାତ୍ ୧୯୯୭ରୁ ୧୯୯୯ ଭିତରେ ଏସିଆରେ ଆର୍ଥିକ ସଂକଟ ଉପୁଜିଲା ଓ ୨୦୦୦ ମସିହାରେ ଭୟଙ୍କର ମରୁଡ଼ି ପଡ଼ିଲା। ଅଧିକ ମାଡ଼ ଭାରତ ଉପରେ ପଡ଼ିଲା। ୨୦୦୦ ମସିହାରେ ଶ୍ରୀଲଙ୍କା, ପାକିସ୍ତାନ, ଭାରତ, ବଙ୍ଗଳାଦେଶ ଓ ଚୀନ୍ର ମୁଣ୍ଡପିଛା ଆୟ ଯଥାକ୍ରମେ ୮୭୦ ଡଲାର, ୫୩୮ ଡଲାର, ୪୪୨ ଡଲାର, ୪୧୩ ଡଲାର ଓ ୯୫୯ ଡଲାରରେ ପହଞ୍ଚିଲା। ୧୯୯୦ ରୁ ୨୦୦୦ ମସିହା ମଧ୍ୟରେ ଶ୍ରୀଲଙ୍କାର ମୁଣ୍ଡପିଛା ଆୟ ପ୍ରାୟ ଦୁଇ ଗୁଣ ଓ ଚୀନର ମୁଣ୍ଡପିଛା ଆୟ ତିନିଗୁଣରୁ ଅଧିକ ବଢ଼଼ି ଚୀନ ବିଶ୍ୱରେ ବିସ୍ମୟ ପର୍ବ ଆରମ୍ଭ କଲା। କାଁ ଭାଁ ବର୍ଷେ ଅଧେ ଛାଡ଼ି ୨୦୦୦ ରୁ ୨୦୧୦ ମସିହା ବିଶ୍ୱ ପାଇଁ ଭଲ ଥିଲା ଓ ଚୀନ୍ ପାଇଁ ଅତି ଭଲ ଥିଲା। ୨୦୦୮ରେ ମାନ୍ଦାବସ୍ଥା ଆସିଲା ଯାହାର କମ୍ପନ ପଶ୍ଚିମ ଦେଶ ତୁଳନାରେ ଭାରତରେ କମ୍ ପ୍ରଭାବ ପଡ଼ିଲା। ଭାରତର ଅର୍ଥ ବ୍ୟବସ୍ଥା ଏହାକୁ ପ୍ରତିରୋଧ କରିବାରେ ସକ୍ଷମ ହେଲା।
୨୦୨୦ ମସିହା ବିଶ୍ୱରେ କରୋନା କାଳ। ବିଶ୍ୱର ଆର୍ଥିକ ସ୍ଥିତି ବିଗିଡ଼ିଗଲା। ଏପରି କି ୨୦୧୭ ମସିହାରେ ଶ୍ରୀଲଙ୍କାର ୪୩୮୮ ଡଲାର୍ ଛୁଇଁଥିଲା। ଆଭ୍ୟନ୍ତରୀଣ ବିଶୃଙ୍ଖଳା ପାଇଁ ୨୦୨୨ ମସିହାରେ ଏହା ହ୍ରାସ ପାଇ ୩୩୫୪ ଡଲାର୍ ହେଲା। କରୋନା କାଳରେ ପର୍ଯ୍ୟଟନ ଶିଳ୍ପ ଆୟର ହ୍ରାସ ଏହାର ପ୍ରଧାନ କାରଣ ଯାହା ବୈଦେଶିକ ଋଣ ବଢ଼଼ାଇବା ସଙ୍ଗେ ସଙ୍ଗେ ବିତ୍ତୀୟ ବିଶୃଙ୍ଖଳା, ନିଅଣ୍ଟ ସୃଷ୍ଟି କଲା। ବାଂଲାଦେଶର ଅଦ୍ଭୁତ ସଫଳତା (ବିସ୍ମୟ କୁହାଯାଇପାରେ) ୨୦୧୦ରୁ ୨୦୨୨ ମସିହା ଦର୍ଶାଏ କାରଣ ଉକ୍ତ ସମୟରେ ମୁଣ୍ଡପିଛା ଆୟ ୭୭୭ ଡଲାରରୁ ୨୬୮୮ ଡଲାର ଅର୍ଥାତ୍ ତିନି ଗୁଣରୁ ଅଧିକ ବୃଦ୍ଧି ଲକ୍ଷ୍ୟ କରାଯାଏ। ଏହି ସମୟ ମଧ୍ୟରେ ଭାରତର ଦୁଇ ଗୁଣ ମଧ୍ୟ ବଢ଼଼ିପାରି ନଥିଲା। ୧୯୮୦ ମସିହାରେ ଯେଉଁ ପାକିସ୍ତାନ ଅଗ୍ରଣୀ ଥିଲା ଏବେ ମୁଣ୍ଡ ପିଛା ଆୟକୁ ନେଇ ଶେଷ ସ୍ଥାନରେ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ୨୦୨୩ ମସିହା ପାଇଁ ପୂର୍ବାନୁମାନ କରି କହନ୍ତି ଯେ ବାଂଲାଦେଶର ମୁଣ୍ଡପିଛା ଆୟ ୨୬୨୦ ଡଲାର, ଭାରତର ୨୬୧୦ ଡଲାର, ପାକିସ୍ତାନର ୧୪୭୦ ଡଲାର୍। ଚୀନର ଆର୍ଥିକ ଅଭିବୃଦ୍ଧି ହାର ୨୦୨୩ ମସିହା ପାଇଁ ୫.୪ ପ୍ରତିଶତ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛନ୍ତି। ତେଣୁ ଏହାର ମୁଣ୍ଡପିଛା ଆୟ ୧୨,୫୪୦ ଡଲାରରୁ ଅଧିକ ହେବ। ୧୯୦୦ ମସିହାରୁ ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଓ ୧୯୭୮ ମସିହାରୁ ଆର୍ଥିକ ସଂସ୍କାର ଫଳରେ ଶ୍ରୀଲଙ୍କାର ମୁଣ୍ଡପିଛା ଆୟ ଭାରତ, ପାକିସ୍ତାନ ଓ ବାଂଲାଦେଶ ତୁଳନାରେ ବେଶ୍ ଅଧିକ। ଶ୍ରୀଲଙ୍କାରେ ଆଭ୍ୟନ୍ତରୀଣ ସଂକଟ ଉପୁଜିଛି ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପାଖରେ ଶ୍ରୀଲଙ୍କା ୧୭ ଥର ହାତପାତିଛି। ରାଜନୈତିକ ଅସ୍ଥିରତା, ଋଣବୋଝ ଶ୍ରୀଲଙ୍କାକୁ ଘାରିଛି। ପୋଷାକ, ଲୁଗାପଟା ଶିଳ୍ପର ଉନ୍ନତି ପ୍ରଦର୍ଶନ ବଙ୍ଗଳା ଦେଶର ମୁଣ୍ଡପିଛା ଆୟ ୨୦୧୦ ରୁ ୨୦୨୨ ମଧ୍ୟରେ ଖୁବ୍ ଭଲ କିନ୍ତୁ ଏହା ଧାରଣୀୟ ହେବା ସହଜ ନୁହେଁ କାରଣ ଅନ୍ୟାନ୍ୟ ଶିଳ୍ପର ବିବିଧୀକରଣ, ପ୍ରସାର, ବିକେନ୍ଦ୍ରୀକରଣ, ବିକାଶ ଓ ଶିଳ୍ପକରଣ ଦେଖାଯାଏ ନାହିଁ। ପୋଷାକ, ଲୁଗାପଟା ଶିଳ୍ପ ଉପରେ ଅତ୍ୟଧିକ ଚାପ ଅର୍ଥ ବ୍ୟବସ୍ଥାକୁ ପରିପୁଷ୍ଟ କରିପାରିବନାହିଁ। ବିକଳ୍ପର ବ୍ୟବସ୍ଥା ବିବେକୀ ନହେଲେ ମୁଦ୍ରାର ମୂଲ୍ୟ ବର୍ଦ୍ଧନ, ବୈଦେଶିକ ବ୍ୟାପାରରେ ନିଅଣ୍ଟିଆ ସ୍ଥିତି କେତେ କାଳ ଆୟ ବଢ଼଼ାଇବ ? ୨୦୦୦ ମସିହା ପରଠାରୁ ପାକିସ୍ତାନର ଉଭୟ ରାଜନୈତିକ ଓ ଆର୍ଥନୀତିକ ଅସ୍ଥିରତା, ଅସୁରକ୍ଷା ବଢ଼଼ି ବଢ଼଼ି ଚାଲିଛି। ଶିଳ୍ପ କ୍ଷେତ୍ରରେ ଅସମର୍ଥ ହେବା ଫଳରେ ଟିକସ ଆଦାୟର ଦ୍ରୁତ ହ୍ରାସ, ଚୀନ୍ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇ ବିଗତ ୭୫ ବର୍ଷରେ ଆର୍ଥିକ ଉଦ୍ଧାର ପାଇଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପାଖରେ ୨୩ ଥର ହାତପାତିଛି (ସ୍ୱାମୀନାଥନ୍ ଏସ୍ ଅକଂଳେସାରିଆ ଆୟରପାଙ୍କ ଉକ୍ତି)। ଏବେ ତାଙ୍କର ସଜାଡ଼ିବାର ବେଳ। ଭାରତ ଏକ ବୃହତ୍ ଅର୍ଥ ବ୍ୟବସ୍ଥା। ଶିଳ୍ପର ବିବିଧକରଣ, ନବକ୍ରିୟା, ଆର୍ଥିକ ସଂସ୍କାର, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ଆର୍ଥିକ ସୁଗମତା, ଅର୍ଥନୈତିକ କାର୍ଯ୍ୟକଳାପ, ଆଚରଣ, ଅର୍ଥନୈତିକ ସୁରକ୍ଷା, ଆର୍ଥିକ ପରିଚାଳନା, ୧୮ ପ୍ରତିଶତ ଟିକସ୍ – ମୋଟ ଘରୋଇ ଉତ୍ପାଦ ଅନୁପାତ ଇତ୍ୟାଦି ଭାରତର ଉଳ ଭବିଷ୍ୟତ ସୂଚାଏ। ୧୯୯୨ ଠାରୁ ୨୦୧୦ ସୁଦ୍ଧା ଚୀନ୍ ବିଶ୍ୱର ଏକମାତ୍ର ଦେଶ ଯାହାର ଆର୍ଥିକ ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଊର୍ଦ୍ଧ୍ବ। ହେଲେ ଚୀନର ସି ଜିନପିଙ୍ଗ୍ଙ୍କ କାର୍ଯ୍ୟକାଳରେ ଆର୍ଥିକ ନୀତି ପିଛିଲା ପଚାଶ ବର୍ଷ ତଳକୁ ଚାଲିଯାଇଛି। ବିଦେଶୀ କମ୍ପାନୀ ମାନେ ଚୀନ୍ ଛାଡୁଛନ୍ତି। ପିଛିଲା ଛଅଟି ତ୍ରୈମାସିକରେ ବିଦେଶୀ କମ୍ପାନୀମାନେ ଲାଭକୁ ପୁନଃ ନିବେଶ ନକରି ନିଜ ନିଜ ଦେଶକୁ ପଠାଇ ଦେଉଛନ୍ତି। ବିଦେଶୀ ନିବେଶ ଅନ୍ତର୍ଗମନ କମିକମି ଆସୁଛି। ଘରୋଇ କ୍ଷେତ୍ର ସଙ୍କୁଚିତ ହେଉଛି। ଗତ୍ୟାତ୍ମକ ଘରୋଇ କ୍ଷେତ୍ର ଭୁଶୁଡ଼ି ପଡୁଛି। ଭାରତ ଏହି ସ୍ଥିତିର ମଧ୍ୟ ସୁଫଳ ପାଇବ।
Comments are closed.