ଶିଶୁ ଅଧିକାରର ଉପହାସ
ରାଜୀବ କର୍ମୀ
୧୯୮୯ ମସିହାରେ ବିଶ୍ୱର ତୁଙ୍ଗ ନେତୃବୃନ୍ଦ ଶିଶୁ ଅଧିକାରର ସୁରକ୍ଷା ପାଇଁ ନିଆଯାଇଥିବା ସଂକଳ୍ପ ୩୫ ବର୍ଷ ପରେ ମଧ୍ୟ ପୂରଣ ହୋଇନାହିଁ। ସେ ଦିନ ବିଶ୍ୱର ରାଷ୍ଟ୍ର ମୁଖ୍ୟମାନେ ପ୍ରତିଜ୍ଞା କରିଥିଲେ, ନିଜ ଦେଶରେ ଥିବା ପୁରୁଣା ଆଇନରେ ପରିବର୍ତ୍ତନ ଆଣିବେ ଯା’ଦ୍ୱାରା ୧୮ ବର୍ଷରୁ କମ୍ ପ୍ରତ୍ୟେକ ଶିଶୁ ତାଙ୍କର ଅଧିକାର ଏବଂ ସମ୍ମାନକୁ ଉପଭୋଗ କରିବେ। ଆମ ଦେଶରେ ମଧ୍ୟ ଅତୀତରେ ଅନେକ ଶିଶୁଅନୁକୂଳ ଆଇନ ପ୍ରଣୟନ ହୋଇଛି; କିନ୍ତୁ ଜାତିସଙ୍ଘର ଶିଶୁ ଅଧିକାର ସମ୍ପର୍କିତ ଘୋଷଣାନାମାରେ ଚୁକ୍ତି କରିଥିବା ହେତୁ ଦାୟିତ୍ୱ ନିର୍ବାହ ନିମିତ୍ତ ଅନେକ ଆଇନ ପ୍ରଣୟନ କରିଥିଲେ ସୁଦ୍ଧା, ପଛକୁ ଫେରି ଚାହିଁ ଦେଖିନାହାନ୍ତି ପ୍ରଣୀତ ଆଇନଗୁଡ଼ିକର ବ୍ୟାବହାରିକତା କେତେ?
ଉପରୋକ୍ତ ଚୁକ୍ତିର ସିଦ୍ଧାନ୍ତ ହେଉଛି ଯେ ପିଲାମାନେ ବସ୍ତୁ ନୁହନ୍ତି ବରଂ ସେମାନେ ଜଣେ ଜଣେ ମାନବ ଏବଂ ତାଙ୍କର ବୟସ୍କମାନଙ୍କଠୁ ଭିନ୍ନ ଏବଂ ନିଜସ୍ୱ ଅଧିକାର ରହିଛି। ଶିଶୁମାନଙ୍କୁ ସମ୍ମାନର ସହିତ ବଞ୍ଚିବା, ଖେଳିବା, ଶିଖିବା, ମନୋରଞ୍ଜନ କରିବା, ବିକାଶ ଏବଂ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ। ଏ ଚୁକ୍ତି ଶିଶୁଟିଏ ପଢ଼଼ିବା, ବଢ଼଼ିବା, ସୁରକ୍ଷିତ ରହିବା ଏବଂ ଭାଗନେବା ଅଧିକାରକୁ ସୁରକ୍ଷିତ କରିବା ପାଇଁ ରାଷ୍ଟ୍ର ବିଶେଷଙ୍କୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବାଧ୍ୟ କରାଇଛି।
ପଇଁତିରିଶ ବର୍ଷର ଇତିହାସକୁ ଯଦି ଦେଖିବା, ଏ କ୍ଷେତ୍ରରେ ସ୍ଥଳବିଶେଷରେ ଅନେକ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ତାହା ଆଶାନୁରୂପ ନୁହେଁ। ସାଧାରଣ ଲୋକଙ୍କ ବ୍ୟତୀତ ଶିଶୁମାନଙ୍କ ପାଇଁ କାମକରୁଥିବା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ବି ଶିଶୁମାନଙ୍କର ଅଧିକାରକୁ ନେଇ ମୌଳିକ ସଚେତନତା ନାହିଁ। କାଁଭାଁ କେତୋଟି ଉଦାହରଣ ବ୍ୟତିରେକ ଆମ ପ୍ରୟାସ କେବଳ ସଭା, ସମିତି, କମିଟି, ପରିଷଦ, ତାଲିମ, ଅଭିଯାନ ଏବଂ ପ୍ରକଳ୍ପ ଭିତରେ ହିଁ ସୀମିତ। ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାଂଶ କମିଟି ସଦସ୍ୟ ଶିଶୁ ଅଧିକାରର ସିଦ୍ଧାନ୍ତ ବିଷୟରେ ଅଜ୍ଞ। ଶିଶୁମାନଙ୍କ ପାଇଁ କିଛି କରିବା ପାଇଁ ହେଲେ ସେବା ମନୋବୃତ୍ତି ସହିତ ଅଧିକାରକୁ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ଶିଶୁମାନଙ୍କ ପାଇଁ ଥିବା ସମିତି ଗଠନ ବେଳେ ଏ ସବୁକୁ ଅଗ୍ରାଧିକାର ଦେବା ଜରୁୁରୀ।
ଅନେକ ଶିକ୍ଷାନୁଷ୍ଠାନର ଅଧିକାଂଶ କର୍ମଚାରୀଙ୍କ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ଧାରଣା ନିରୁତ୍ସାହଜନକ। ଶାରୀରିକ ଦଣ୍ଡ ବିଷୟରେ ଅନେକ ଲୋକଙ୍କ ଧାରଣା ଆଜି ବି ବଦଳି ନାହିଁ। ଅନେକ ଅନୁଷ୍ଠାନରେ ଶିଶୁମାନଙ୍କ ଅଂଶଗ୍ରହଣ ନାଁରେ ପିଲାମାନଙ୍କୁ ବ୍ୟବହାର କରାଯାଉଛି। ପିଲାଙ୍କ ଦ୍ୱାରା ଅତିଥିମାନଙ୍କୁ ଫୁଲତୋଡ଼ା ଦେବା, ପ୍ରାରମ୍ଭିକ ସଙ୍ଗୀତ ବୋଲାଇବା, ରାସ୍ତାରେ ପ୍ଲା-କାର୍ଡ଼, ବ୍ୟାନର ଧରି ପଦଯାତ୍ରା କରାଇବା ଇତ୍ୟାଦି ବହୁଳ ମାତ୍ରାରେ ଦେଖା ଯାଉଛି। ପିଲାଙ୍କ ପ୍ରତି ମନୋବୃତ୍ତିର ପରିବର୍ତ୍ତନ ନ ହେଲେ ଶିଶୁ ଅଧିକାରର ସୁରକ୍ଷା କେମିତି ଆଶା କରିବା।
ସଭାସମିତି ସହିତ ଯାହା ବି କାର୍ଯ୍ୟକ୍ରମ ହେଲେ ପିଲାଙ୍କୁ ଡକାଯାଏ। ପିଲାମାନେ ବୁଝନ୍ତୁ ନ ବୁଝନ୍ତୁ ସଂଖ୍ୟା ବଢ଼଼ିଲେ ହେଲା। ଆଉ ସେଥିରେ ବି ଆମ ବିଦ୍ୟାଳୟମାନେ ଖୁସି। ତାଙ୍କର ଅନ୍ୟ ଚାରା ବି ନାହିଁ। ସଭାସମିତିରେ ପିଲାଙ୍କୁ ଘଣ୍ଟାଘଣ୍ଟା ଧରି ଛିଡ଼ାକରାଇବା, ପିଲାମାନଙ୍କୁ ପାଠ ପଢ଼଼ାରୁ ବଞ୍ଚିତ କରିବା, ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ନ ଦେବା, ପିଲାଙ୍କ ଦ୍ୱାରା ଅତିଥିମାନଙ୍କୁ ଖାଦ୍ୟ ପରଷିବା ଏବଂ ଆମର ସ୍ୱାର୍ଥ ହାସଲ ପାଇଁ ପିଲାଙ୍କୁ ବ୍ୟବହାର କରି ଆମେ କ’ଣ ସୂଚନା ଦେବାକୁ ଚାହୁଁଛେ? ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସେମାନଙ୍କ ମତାମତ ନେବା, ସେଥିରେ ତାଙ୍କର ସକ୍ରିୟ ଏବଂ ପ୍ରକୃତ ଅଂଶ ଗ୍ରହଣକୁ ଆମେ ଅଣଦେଖା କରିଥାଉ। ଶିଶୁ ସହଭାଗିତା ନାଁରେ ବୟସ୍କମାନେ ନିଜର ଉଦ୍ଦେଶ୍ୟ ହାସଲ ପାଇଁ ପିଲାଙ୍କୁ ବ୍ୟବହାର କରି ଶିଶୁ ଅଧିକାରର ଉପହାସ କରୁ ନାହାନ୍ତି ତ?
ଶିକ୍ଷାନୁଷ୍ଠାନରେ ନିଶାଦ୍ରବ୍ୟ ସେବନ, ଶିକ୍ଷକଙ୍କ ଦ୍ୱାରା ପିଲାମାନଙ୍କୁ ମରଣାନ୍ତକ ଆକ୍ରମଣ, ମଧ୍ୟାହ୍ନ ଭୋଜନରେ ଡାଲିର ଗୁଣବତ୍ତା ବଜାୟ ନ ରଖିବା, ଶିକ୍ଷା ବ୍ୟତିରେକ ପିଲାଙ୍କୁ ଅନ୍ୟ କାମରେ ନିୟୋଜନ ଇତ୍ୟାଦି ଭିଡିଓ ଗଣମାଧ୍ୟମରେ ଘୂରିବୁଲୁଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ନାଁରେ ଆମେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କଲେ ଅଥଚ ମଧ୍ୟାହ୍ନ ଭୋଜନ ଖାଇଲାବେଳେ ପିଲାମାନେ ରାସ୍ତାରେ ଏବଂ ତଳେ ବସି ଖାଇବା, ପିଲାମାନଙ୍କୁ ରୋଷେଇ କାମରେ ନିୟୋଜନ, ବାସନ ସଫାକରିବା, ଖାଇବାବେଳେ ଛୁଅାଁ ଅଛୁଆଁ ଭେଦଭାବ କରିବା ଇତ୍ୟାଦି ଦ୍ୱାରା କାର୍ଯ୍ୟକ୍ରମ ଗରିମା ହରାଇଲା। ଆଉ ମଧ୍ୟ ଦୈନିକ ଆଠ ଟଙ୍କାର ମଧ୍ୟାହ୍ନ ଭୋଜନର ଗୁଣବତ୍ତା ରହିବ କେମିତି? ଏତଦ୍ ଭିନ୍ନ ଅନେକ ବିଦ୍ୟାଳୟରେ ବ୍ୟବହାରଯୋଗ୍ୟ ପାଇଖାନା ନଥିବାରୁ ଝିଅ ପିଲାମାନେ ଅସୁବିଧାର ସମ୍ମୁଖୀନ ହେବା ଦ୍ୱାରା ଶିଶୁ ଅଧିକାର କ୍ଷୁଣ୍ଣ ହେଉନାହିଁ କି?
ଉପରୋକ୍ତ ଚୁକ୍ତିର ୩୫ ବର୍ଷ ପରେ ମଧ୍ୟ ଆମେ ବୟସ୍କମାନେ ପିଲାଙ୍କ ମତାମତ ଶୁଣିବା ପାଇଁ ଉପଯୁକ୍ତ ବାତାବରଣଟିଏ ସୃଷ୍ଟିକରି ପାରିଲେ ନାହିଁ। ଗ୍ରାମ୍ୟ ଶିଶୁସୁରକ୍ଷା କମିଟି ଏବଂ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେଲା; କିନ୍ତୁ ସେଠାରେ ନିୟମିତ ବୈଠକ ହେଉନାହିଁ। ଶିଶୁମଙ୍ଗଳ ସମିତି ଏବଂ ଜିଲା ଶିଶୁ ସୁରକ୍ଷା ବିଭାଗ ଆଦି ବ୍ୟବସ୍ଥା କଲେ; ହେଲେ ତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ସେମାନେ କେବଳ ଶିଶୁ ପ୍ରତିପୋଷଣ ଅର୍ଥ ଯୋଗାଇବା ବ୍ୟତୀତ ଶିଶୁମାନଙ୍କର ଅନ୍ୟ ସମସ୍ୟା ପ୍ରତି ସମୟ ଦେଇପାରୁ ନାହାନ୍ତି। ଅନେକ କମିଟିର ସଦସ୍ୟମାନେ ଶିଶୁର ଉନ୍ନତି ବଦଳରେ ନିଜର ପଦର ସ୍ଥାୟିତ୍ୱକୁ ବେଶି ଗୁରୁତ୍ୱ ଦେଉଛନ୍ତି। ନିଜ ନିଜ ଭିତରେ ବୁଝାମଣା ନାହିଁ। ଅଧିକାଂଶ ଶିଶୁ ମଙ୍ଗଳ ସମିତି ଏବଂ କିଶୋର ନ୍ୟାୟ ପରିଷଦର ସଦସ୍ୟ ମାନେ ନିଜର ବୈଠକ କୋଟା ପୂରଣ କରିବାରେ ବ୍ୟସ୍ତ। ଶିଶୁମାନଙ୍କ ବିଷୟରେ ଆଲୋଚନା କରିବା ପାଇଁ କାହାରି ସମୟ ନାହିଁ। ଶିଶୁ ଅଧିକାର ସୁରକ୍ଷିତ ହେବ କେମିତି?
Comments are closed.