www.samajalive.in
Sunday, December 14, 2025
23.1 C
Bhubaneswar

ଲୋକପର୍ବ ମକରସଂକ୍ରାନ୍ତି ପାଇଁ ଚଳଚଞ୍ଚଳ କେନ୍ଦୁଝର

କେନ୍ଦୁଝରଗଡ଼ : କୃଷି ଓ ବିଶ୍ରାମର ପର୍ବ ମକରସଂକ୍ରାନ୍ତି ପାଳନ ପାଇଁ ସମଗ୍ର କେନ୍ଦୁଝର ଜିଲା ବେଶ୍‍ ଚଳଚଞ୍ଚଳ ହୋଇପଡିଛି । ସପ୍ତାହେ ବ୍ୟାପୀ ପାଳନ ହେବାକୁଥିବା ଏହି ପର୍ବ ଉପଲକ୍ଷେ ଜିଲା ଓ ରାଜ୍ୟ ବାହାରେ କାର୍ଯ୍ୟରତ ବିଶେଷକରି ଦାଦନଶ୍ରେଣୀର ଲୋକେ ଏବେ ଘର ମୁହାଁ ହେଲେଣି । ୧୦୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏହି ପର୍ବ କେନ୍ଦୁଝର ଜିଲାର ଲୋକପର୍ବ ଭାବେ ବେଶ୍‍ ଜାକଜକମରେ ପାଳିତ ହୋଇଆସୁଛି । ଏହି ପବିତ୍ର ମକରସଂକ୍ରାନ୍ତି ଆଉ ମାତ୍ର ଦୁଇଦିନ ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେଠାରୁ ଘରେ ଘରେ କୁଣିଆଁ ଏହି ମହୋତ୍ସବକୁ ଅଧିକ ମୁଖରିତ କରିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବ ପାଳନ ପାଇଁ ଗାଁ ଠାରୁ ସହର ହୋଇଉଠିଛି ଉତ୍ସବମୁଖର । ମକରସଂକ୍ରାନ୍ତିରେ ନୂତନ ବସ୍ତ୍ର ପରିଧାନ ପ୍ରଥା ଏବେବି ଗାଁ ଗହଳିରେ ଦେଖିବାକୁ ମିଳେ । ଏଥିପାଇଁ ବାହାରେ କାର୍ଯ୍ୟରତ ଶ୍ରମିକ ଘରକୁ ଫେରିବା ବାଟରେ ନୂତନ ପୋଷାକପତ୍ର କିଣିବା ପାଇଁ ଦୋକାନ ମାନଙ୍କରେ ବେଶ୍‍ ଭିଡ ଲମ୍ବିଥିବା ଦେଖିବାକୁ ମିଳିଛି ।

ଉପକୂଳ ଜିଲାର ରଜ ଓ ପଶ୍ଚିମ ଓଡ଼ିଶାର ନୂଆଖାଇ ପରି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଓ ମୟୁରଭଞ୍ଜ ଜିଲାରେ ମକରସଂକ୍ରାନ୍ତି ଲୋକପର୍ବ ଭାବେ ବେଶ୍‍ ଧୂମ୍‍ଧାମରେ ପାଳିତ ହୋଇଆସୁଛି । ଏହି ଅବସରରେ କୁଡ଼ୁମି ସମ୍ପ୍ରଦାୟ ବା ମହାନ୍ତ ଜାତିର କୁମାରୀ ଓ ସଧବା ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ‘ଟୁସୁ ପର୍ବ’ ରାଜାରାଜୁଡା ଅମଳରୁ ପାଳିତ ହୋଇଆସୁଛି । ଏହି ପର୍ବ ମାଘ ମାସର ପ୍ରଥମ ଦିବସରୁ ମକର ସଂକ୍ରାନ୍ତି ଭାବେ ପାଳିତ ହେବା ଓ  ‘ମକର ଚାଉଳ’ ପୂଜା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ଏକ ନିଆରା ପରମ୍ପରା । ଜିଲାର ପ୍ରମୁଖ କୃଷି କାର୍ଯ୍ୟ ଖରିଫ୍‍ ଚାଷ ଅମଳ ପରେ ଏହି ପର୍ବ ପାଳିତ ହେଉଥିବାରୁ ଜିଲାବାସୀ ଅତିକମ୍‍ରେ ୭ଦିନ ପର୍ଯ୍ୟନ୍ତ ଏହି ପର୍ବକୁ ଆନନ୍ଦଉଲ୍ଲାସର ସହ ପାଳନ କରିଥାନ୍ତି । ମକରସଂକ୍ରାନ୍ତି ଠାରୁ ଚାଷକାର୍ଯ୍ୟ ସହ ସମ୍ପର୍କିତ ବାରମାସୀ ମୂଲିଆ ଓ ଗୋଠି କାର୍ଯ୍ୟର ଶେଷ ଦିବସ ଥିବାରୁ ସେମାନେ ଏହି ଦିନଠାରୁ ନିଜକୁ ସାହୁକାରଙ୍କ ଠାରୁ ମୁକ୍ତ ହୋଇ ସପ୍ତାହେବ୍ୟାପୀ ଖୁସି ମନାଇଥାନ୍ତି । ସଂକ୍ରାନ୍ତି ସତ୍ତେ୍ୱ ଏହି ଦିନ ପ୍ରାୟ ସମସ୍ତଙ୍କ ଘରେ ଆମିଷଭୋଜନ ସାଙ୍ଗକୁ ନୂତନବସ୍ତ୍ର ପରିଧାନ ପରମ୍ପରା ଭାବେ ଏବେବି ରହିଆସିଛି । ଏମିତିକି ଏହି ପର୍ବ ଅବସରରେ ବନ୍ଧୁତ୍ୱ ସୁଦୃଢ଼ ପାଇଁ ସହି, ସଙ୍ଗାତ, ମକର, ବଉଳ ଆଦି ନୂଆ ସମ୍ପର୍କ ମଧ୍ୟ ଯୋଡ଼ିଥାନ୍ତି  । ମକରସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ପରିବାରର ସମସ୍ତ ସଦସ୍ୟ ନିକଟସ୍ଥ ନଦୀ ଓ ପୋଖରୀରେ ‘ମକର ବୁଡ’ ଦେଲେ ପୁଣ୍ୟ ଅର୍ଜନ ମିଳିବା ପ୍ରଥା ଏବେବି ଗାଁଗହଳିରେ ପାଳିତ ହୋଇଆସୁଥିବା ଦେଖିବାକୁ ମିଳିଥାଏ । ଏହି ପର୍ବ ଜିଲାର ବାରାହାଟିପୁରାରେ ସର୍ବାଧିକ ୧୫ଦିନ ଧରି ପାଳନ ହେଉଥିବା ବେଳେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲା ସୀମାବର୍ତ୍ତୀ କେଶରୀକୁଣ୍ଡ ଠାରେ ମକରସଂକ୍ରାନ୍ତି ଦିନ ଅନୁଷ୍ଠିତ ଦିନିକିଆ ମକରମେଳାରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ବୁଡ ଉଭୟ ଜିଲାବାସୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ କରିଥାଏ । ସେହିପରି ଜିଲାର ଧାନବେଣୀ, ଭୀମକୁଣ୍ଡ, ଖଳିକୁଣ୍ଡ, ଦେବକୁଣ୍ଡ, ରାମତୀର୍ଥର୍, ଚକ୍ରତୀର୍ଥ, ରସବନ୍ତଳା, ଅସୁରଖାଲ ଆଦି ପ୍ରସିଦ୍ଧ ସ୍ଥାନ ମାନଙ୍କରେ ୩ ରୁ ୭ଦିନବ୍ୟାପୀ ମକରମେଳାକୁ ଜିଲାବାସୀ ବେଶ୍‍ ମନଭରି ଉପଭୋଗ କରିଥାନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories