ଡେସ୍କ: ରାଜ୍ୟର ପ୍ରଥମ ନ୍ୟାୟିକ ଅଭିଲେଖାଗାରକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ନିର୍ମିତ ହୋଇଥିବା ଏହି ଅଭିଲେଖାଗାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଛନ୍ତି। ଏହି ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ତଥ୍ୟ ଉପଲବ୍ଧ ହୋଇଛି। ଏହି ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟରେ ଦେଖି ହେବ, ବୁଝିହେବ ଏବଂ ଶୁଣି ହେବ। ଅଭିଲେଖାଗାରରେ ୧୮୦୪ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଦସ୍ତାବିଜ ଆଦି ସଂରକ୍ଷିତ କରି ରଖାଯାଇଛି। ଉଦଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହା ଅଭିଲେଖଗାରରେ ସଂରକ୍ଷିତ ହୋଇ ଥିବା ଦସ୍ତାବିଜ ଗୁଡିକ ଗବେଷକ, ଐତିହାସିକ ଏବଂ ଇତିହାସ ପ୍ରେମୀଙ୍କ ଏହା ବେଶ ଉପାଦେୟ ବୋଲି କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କେନ୍ଦ୍ର କେବଳ ଆମ ନ୍ୟାୟ ପାଳିକାର ସମୃଦ୍ଧ ପରମ୍ପରାକୁ ପାଳନ କରୁନାହିଁ ବରଂ ଆଗାମୀ ପିଢି ପାଇଁ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ଆମ ସାମୁହିକ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ବରେ ଅନନ୍ୟ, ଭାରତର ଗଣତନ୍ତ୍ର ଏବଂ ନିରପେକ୍ଷ ନ୍ୟାୟ ପାଳିକା ପାଇଁ ଦେଶ ଆଜି ସମଗ୍ର ବିଶ୍ଵରେ ସମ୍ମାନର ଅଧିକାରୀ ହୋଇପାରିଛି। ଆମର ନ୍ୟାୟପାଳିକା ବ୍ୟବସ୍ଥାକୁ ନେଇ ଆମେ ସମସ୍ତେ ଗର୍ବିତ। ନ୍ୟାୟ ବ୍ୟବସ୍ଥାକୁ ଆହୁରି ତ୍ଵରିତ କରିବା ପାଇଁ ୧୫୦ ବର୍ଷର ବ୍ରିଟିଶ ଆଇନକୁ ବିଦାୟ ଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଅଧିନିୟମର ପ୍ରଣୟନ କରାଯାଇଛି। ଏହାଦ୍ବାରା ଲୋକଙ୍କୁ ଉଚିତ ଏବଂ ତ୍ଵରିତ ନ୍ୟାୟ ପ୍ରଦାନ କରାଯାଉଛି। ରାଜ୍ଯରେ ନ୍ୟାୟ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି।
ସେ କହିଥିଲେ ଯେ ଭୁବନେଶ୍ବର ଠାରେ ରାଷ୍ଟ୍ରପତିଙ୍କ ଦ୍ଵାରା ଅତ୍ୟାଧୁନିକ ଜିଲ୍ଲା ନ୍ୟାୟ ପରିସରର ଶୁଭ ଉଦ୍ଘାଟନ କରାଯାଇଛି। ମହିଳା ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ୪ଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ନ୍ୟାୟ ପାଳିକାରେ ସଂସ୍କାର ଏବଂ ଉନ୍ନତି ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା, ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ ପ୍ରଦାନ କରାଯାଇଛି। ଏହି କେନ୍ଦ୍ର ଏହାର ଏକ ପ୍ରମୁଖ ଅଂଶ ବିଶେଷ। ମୋଟ ୩୯କୋଟି ବ୍ୟୟରେ ନିର୍ମିତ ହୋଇଥିବା ଏହି କେନ୍ଦ୍ର ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବେ କାର୍ଯ୍ୟ କରିବ। ଗଣତନ୍ତ୍ର, ସମାନତା ଏବଂ ନିରପେକ୍ଷତାର ମୂଲ୍ୟବୋଧକୁ ବଜାୟ ରଖି ଦେଇଥିବା ଐତିହାସିକ ରାୟ ଏବଂ ମାମଲାର ଭଣ୍ଡାର ହେବ। ଯାହାକି ଓଡ଼ିଶା ସମେତ ଭାରତବର୍ଷର ଆଇନଗତ ଦୃଶ୍ୟପଟକୁ ଚିରସ୍ଥାୟୀ କରିବ ଏବଂ ଅତୀତ ଓ ଭବିଷ୍ୟତ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବ। ଏହି କେନ୍ଦ୍ର ସମଗ୍ର ଦେଶରେ ଜ୍ଞାନର ଆଲୋକ ଏବଂ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ ବୋଲି ସେ କହିଥିଲେ।
ରାଜ୍ୟର ପ୍ରଥମ ନ୍ୟାୟିକ ଅଭିଲେଖାଗାର ଉଦଘାଟିତ pic.twitter.com/c9CXE83H1r
— Samaja Live (@samajalive) January 11, 2025



