ପତନ ଅଭିମୁଖେ ‘ଉତ୍‌ଥାନ’

0

ପ୍ରଫୁଲ୍ଲକୁମାର ଦାଶ

ଜୁନ୍ ୨୯ତାରିଖ ଦିନ କାହ୍ନୁର ଅଭିଯୋଗ ଥିଲା ଜେଜେ, ମୁଁ ଆଉ ଏ ସ୍କୁଲରେ ପଢ଼ିବିନି । ମୋତେ ଭଲ ସ୍କୁଲରେ ପଢ଼ାଅ । ମୁଁ ଏହାର କାରଣ ପଚାରିବାରୁ ସେ କହିଲା- ଆମ ସ୍କୁଲରେ କିଛି ପାଠ ପଢ଼ା ହେଉନି । ତିନିଦିନ ହେଲାଣି ଖାଲି ପରୀକ୍ଷା ଚାଲିଛି । ସବୁ ସାର୍ ପୂରାଦମରେ ଖାତା ଦେଖୁଛନ୍ତି । କ’ଣ ସବୁ ଲେଖାଲେଖି କରୁଛନ୍ତି । ମୁଁ ପଚାରିଲି ଆରେ କି ପରୀକ୍ଷା ? ତମର ପରା ଏଇ କେଇଦିନ ହେଲା ବାର୍ଷିକ ପରୀକ୍ଷା ସରିଲା ! ଏପ୍ରିଲ ମାସରେ ୧୫ ଦିନ ଭିତରେ ଏମିତି କ’ଣ ସବୁ ପଢ଼ା ହେଲା ଯେ ସ୍କୁଲ୍ ଖୋଲୁଖୋଲୁ ପୁଣି ପରୀକ୍ଷା ଚାଲିଲା ? ଏହାର ଉତ୍ତରରେ ସେ କହିଲା କି ପରୀକ୍ଷା କେଜାଣି? ଆମେ ଆସି ଷଷ୍ଠ ଶ୍ରେଣୀରେ ପଢ଼ିଲୁଣି, ଆମକୁ ତୃତୀୟ, ପଞ୍ଚମ ଶ୍ରେଣୀ ପାଠ ପରୀକ୍ଷା କରାଯାଉଛି ।
ଜେଜେ ଜାଣିଛନା ! ଆମ ସାର୍ କହୁଥିଲେ ଦିନେ କି ଦୁଇଦିନ ନୁହେଁ, ଚାଳିଶ ଦିନ ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀର କିଛି ନୂଆ ପାଠ ପଢ଼ା ହେବନି । ତମେ କହିଲ, ଆମେ ଷଷ୍ଠ ଶ୍ରେଣୀର ନୂଆନୂଆ ପାଠ ପଢ଼ିବୁ ନା ସେଇ ପୁରୁଣା ପାଠକୁ ଧରି ବସିଥିବୁ? କାହ୍ନୁ ଜିଦ୍‌ ଧରି ବସିଲା- ମୁଁ ଅନ୍ୟ ସ୍କୁଲରେ ପଢ଼ିବି, ନହେଲେ ଚାଳିଶ୍ ଦିନ ପରେ ସ୍କୁଲକୁ ଯିବି । କାହ୍ନୁର କଥା ଶୁଣି ତାକୁ ବାଧ୍ୟକରି ସାଙ୍ଗରେ ନେଇ ମୁଁ ସେଦିନ ତାଙ୍କ ସ୍କୁଲକୁ ଗଲି। ସେଠାରେ ପ୍ରଧାନ ଶିକ୍ଷକଙ୍କଠାରୁ ଜାଣିବାକୁ ପାଇଲି ବିଦ୍ୟାଳୟରେ ‘ଉତ୍ଥାନ’ କାର୍ଯ୍ୟକ୍ରମ ଚାଲିଛି ।
ପାଠକେ ! ଏ ଖାଲି କାହ୍ନୁର ଅଭିଯୋଗ ନଥିଲା । ଏ ଥିଲା ତା’ ଭଳି ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଶ୍ରେଣୀଭିତ୍ତିକ ଦକ୍ଷତା ହାସଲ କରିଥିବା ଶହଶହ କାହ୍ନୁ ଓ ସେମାନଙ୍କ ଅଭିଭାବକମାନଙ୍କର ଅଭିଯୋଗ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳନା କରାଯାଇଥିବା ଏକ ପ୍ରତିକାରମୂଳକ କାର୍ଯ୍ୟକ୍ରମ ହେଉଛି ‘ଉତ୍ଥାନ’ । ଉଚ୍ଚ ପ୍ରାଥମିକ ସ୍ତରର (ଷଷ୍ଠ, ସପ୍ତମ ଓ ଅଷ୍ଟମ) ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ଭାଷା, ଗଣିତ, ସାଧାରଣ ବିଜ୍ଞାନ ଓ ଇଂରାଜୀରେ ସର୍ବନିମ୍ନ ଶିକ୍ଷଣ ଦକ୍ଷତା ହାସଲ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଏହା ଉଦ୍ଦିଷ୍ଟ । ନିଶ୍ଚିତ ଭାବେ ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ । ମାତ୍ର ବାସ୍ତବତାଠାରୁ ଏହାର ବ୍ୟବଧାନ ବହୁତ ବେଶୀ ଥିଲାପରି ମନେହୁଏ । ଏଥିରେ ପ୍ରଥମେ ସମସ୍ତ ଶିକ୍ଷାର୍ଥୀଙ୍କର ପ୍ରାରମ୍ଭିକ ଆକଳନ କରାଯାଇ ସ୍ତର ନିର୍ଣ୍ଣୟ କରାଯିବ । ବେସ୍ ଲାଇନ୍ ଟେଷ୍ଟ ୧ ଓ ୨ର ପୂର୍ଣ୍ଣ ସଂଖ୍ୟାର ଶତକଡ଼ା ୮୦ କିମ୍ବା ଅଧିକ ନମ୍ବର ରଖିଥିବା ପିଲା ସ୍ତର- ୨ର ଅନ୍ତର୍ଭୁକ୍ତ ଅନ୍ୟ ଶିକ୍ଷାର୍ଥୀମାନେ ସ୍ତର- ୧ ତାଲିକାର ଅନ୍ତର୍ଭୁକ୍ତ । ୧ମ ପର୍ଯ୍ୟାୟରେ ସର୍ବନିମ୍ନ ଶିକ୍ଷଣ ସ୍ତର ହାସଲ ନିମିତ୍ତ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ୪୦ ଦିନର ସମାନ ଅଭ୍ୟାସ କାର୍ଯ୍ୟ ଦିଆଯାଇଛି। ଯଦି ଉଭୟ ସ୍ତରର ପିଲାଙ୍କ ପାଇଁ ସମାନ ଅଭ୍ୟାସ କାର୍ଯ୍ୟ ପୁସ୍ତିକା, ତେବେ ସ୍ତର ଚିହ୍ନଟ ଅନାବଶ୍ୟକ ନୁହେଁ କି ? ଏ କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀ ଓ ସ୍ତର ଅନୁଯାୟୀ ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଦିଆଯାଇଥିଲେ ଭଲ ହୋଇଥାଆନ୍ତା । ଏ ପର୍ଯ୍ୟନ୍ତ ବିଦ୍ୟାଳୟର ପିଲା ସଂଖ୍ୟା ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଶିକ୍ଷାର୍ଥୀ ଅଭ୍ୟାସ କାର୍ଯ୍ୟ ପୁସ୍ତିକା କିମ୍ବା ଇଂରାଜୀର ଶିକ୍ଷକ ମାର୍ଗଦର୍ଶିକା ଯୋଗାଇ ଦିଆଯାଇନାହିଁ । ଫଳରେ ଶିକ୍ଷଣ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି ।
‘ଉତ୍ଥାନ’ ମହତ ଉଦ୍ଦେଶ୍ୟ ଭିତ୍ତିକ ହେଲେ ହେଁ ଏହା ତ୍ରୁଟିପୂର୍ଣ୍ଣ । କାରଣ ୪୦ଦିନର ମୁଖ୍ୟ ଶିକ୍ଷଣ ବ୍ୟବସ୍ଥାରେ ଏହା ପ୍ରତିବନ୍ଧକ ସୃଷ୍ଟିକରୁଛି । ପ୍ରତ୍ୟେକ ବିଷୟର ଶିକ୍ଷଣ ଦକ୍ଷତାକୁ ଦୁଇଭାଗରେ ବିଭକ୍ତ କରାଯାଇଛି ଯଥା ମୌଳିକ ଦକ୍ଷତା ଓ ଶ୍ରେଣୀଭିତ୍ତିକ ଦକ୍ଷତା । ଉଭୟ ଦକ୍ଷତା ବିକାଶ କରିବା ପାଇଁ ପ୍ରତିକାରମୂଳକ ଶିକ୍ଷଣର ପ୍ରୟୋଜନ ଅଛି, କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ ଶ୍ରେଣୀଭିତ୍ତିକ ଶିକ୍ଷଣ ଦକ୍ଷତାର ବିକାଶ କରା ନଯାଇ କେବଳ ସର୍ବନିମ୍ନ ଶିକ୍ଷଣ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱାରୋପ କରିବା କେତେଦୂର ସମୀଚୀନ ତାହା ବିଚାର କରାଯାଉ । ଏହା (ହାଇ ଆଚିଭ୍୍ମେଣ୍ଟ ଲର୍ଣ୍ଣର) ଶ୍ରେଣୀଭିତ୍ତିକ ଦକ୍ଷତା ହାସଲ କରିସାରିଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ କରୁନାହିଁ କି ? ତେଣୁ ପ୍ରତିକାରମୂଳକ ଶିକ୍ଷଣ ପାଇଁ ପ୍ରୟାସ ଜାରି ରହିବା ସଙ୍ଗେସଙ୍ଗେ ମୁଖ୍ୟ ଶିକ୍ଷଣ କାର୍ଯ୍ୟ ମଧ୍ୟ ଚାଲୁ ରହିବା ଉଚିତ୍ ।
ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ‘ଶିକ୍ଷକ ମାର୍ଗଦର୍ଶିକା’ ଓ ‘ଶିକ୍ଷାର୍ଥୀ ଅଭ୍ୟାସପୁସ୍ତିକା’ କରାଯାଇଛି। ଶିକ୍ଷକ ମାର୍ଗଦର୍ଶିକାରେ ଶିକ୍ଷକମାନଙ୍କ ପାଇଁ ଯେଉଁ ମାର୍ଗ ଦର୍ଶାଯାଇଛି ସେଥିମଧ୍ୟରୁ ଅଧିକାଂଶ କ୍ଳିଷ୍ଟ ଓ ତ୍ରୁଟିପୂର୍ଣ୍ଣ । ଗଣିତ ଶିକ୍ଷକ ମାର୍ଗଦର୍ଶିକାର ୧୯ ପୃଷ୍ଠାରେ ସଂଖ୍ୟା ରେଖା ଦ୍ୱାରା ମିଶାଇବା ପ୍ରଣାଳୀ ଉଲ୍ଲେଖ କରାଯାଇଛି । ସଂଖ୍ୟାରେଖାରେ ମୂଳ ବିନ୍ଦୁରୁ ୫୦ର ବ୍ୟବଧାନ ଯେତିକି ୫୦ରୁ ୧୦୦ର ବ୍ୟବଧାନ ସେତିକି ହେବା କଥା, କିନ୍ତୁ ମାର୍ଗଦର୍ଶିକାରେ ୫୬ ଓ ୩୮ର ଯୋଗଫଳ ୯୪କୁ ସଂଖ୍ୟାରେଖାରେ ୧୫୦ ସ୍ଥାନରେ ସୂଚିତ କଲାପରି ମନେ ହେଉଥିଲାବେଳେ ୧୪୮ ଓ ୧୩୬ର ଯୋଗଫଳ ୨୮୪କୁ ୪୨୦ ସ୍ଥାନରେ ଦର୍ଶାଇଲା ଭଳି ମନେହେଉଛି । ସେହିପରି ଇଂରାଜୀ ଅଭ୍ୟାସ କାର୍ଯ୍ୟର ଅଧିକାଂଶ ପ୍ରଶ୍ନରେ ତ୍ରୁଟି ରହିଛି । ତେଣୁ ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକ ମାର୍ଗଦର୍ଶିକା ଯୋଗାଇବା ପୂର୍ବରୁ ଅନ୍ତତଃ ଏଗୁଡ଼ିକୁ ଭଲଭାବରେ ବିଷୟ ବିଶାରଦମାନଙ୍କ ଦ୍ୱାରା ସମୀକ୍ଷା କରାଯିବା ଉଚିତ୍ ।
ଗଣିତ ଓ ଇଂରାଜୀ କାର୍ଯ୍ୟ ପୁସ୍ତିକାରେ ଅନେକ କାର୍ଯ୍ୟ ପ୍ରଦାନ କରାଯାଇଛି, ଯେଉଁଗୁଡ଼ିକ କି ସର୍ବନିମ୍ନ ଶିକ୍ଷଣ ଦକ୍ଷତା ହାସଲ କରି ନଥିବା ପିଲାଙ୍କ ପାଇଁ ଅତ୍ୟନ୍ତ ଜଟିଳ । ଚାରିଅଙ୍କ ବିଶିଷ୍ଟ ସଂଖ୍ୟାକୁ ସଂଖ୍ୟା ସାହାଯ୍ୟରେ ଯୋଗ ଓ ବିୟୋଗ କରିବା, ପୁନଃ ସମୂହକରଣ ଓ ପ୍ରତିପୂରଣ ପଦ୍ଧତିରେ ମିଶାଣ, ଫେଡ଼ାଣ, ପୂର୍ଣ୍ଣ ସଂଖ୍ୟାକୁ ସଂଖ୍ୟାରେଖାରେ ସ୍ଥାପନ କରିବା, ଶତକଡ଼ା, ସରଳ ସୁଧ, ସମୀକରଣ ସମାଧାନ, ବୀଜଗାଣିତିକ ଉକ୍ତି ଆଦି ଗାଣିତିକ ଧାରଣାଗୁଡ଼ିକ ଷଷ୍ଠ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଟେ । ବିନା ଶିକ୍ଷଣରେ କେଇଟା କାର୍ଯ୍ୟଫର୍ଦ ମାଧ୍ୟମରେ ଏତେ ସ୍ୱଳ୍ପ ସମୟରେ ଉପରୋକ୍ତ ଦକ୍ଷତାଗୁଡ଼ିକୁ କିପରି ବିକାଶ କରାଯାଇ ପାରିବ ସେ ନେଇ ଶିକ୍ଷକ ତଥା ଅବିଭାବକମାନଙ୍କ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ‘ଉତ୍ଥାନ’ କାର୍ଯ୍ୟ ନିର୍ଘଣ୍ଟରେ ୬ଷ୍ଠ ଓ ୭ମ ଶ୍ରେଣୀର ପିଲାମାନଙ୍କ ପାଇଁ ଦୈନିକ ୧ଘଣ୍ଟା ଲେଖାଏଁ ଚିତ୍ରାଙ୍କନ କରିବାର ବ୍ୟବସ୍ଥା ଥିଲାବେଳେ ୮ମ ଶ୍ରେଣୀର ପିଲାଙ୍କ ପାଇଁ ସେହି ସମୟରେ ଖେଳିବାର ସୁଯୋଗ ରହିଛି । ଫଳରେ ଶିକ୍ଷାର୍ଥୀମାନଙ୍କର ସମୟ ଅପଚୟ ହେଉଛି । ଚିତ୍ରାଙ୍କନ ଓ କ୍ରୀଡ଼ା ସହିତ ଅନ୍ୟାନ୍ୟ ବିଷୟଗୁଡ଼ିକୁ ଏହି ସମୟରେ କାର୍ଯ୍ୟ ନିର୍ଘଣ୍ଟରେ ସ୍ଥାନ ଦେଇଥିଲେ ତାହା ଗୁଣାତ୍ମକ ଶିକ୍ଷାରେ ସହାୟକ ହୋଇ ଥାଆନ୍ତା ।
ଦିନକୁ ଦିନ ଅଧିକରୁ ଅଧିକ ନଥିପତ୍ର ପ୍ରସ୍ତୁତ କରିବାର ଚାପ ଯୋଗୁଁ ଶିକ୍ଷକମାନେ ଶିକ୍ଷଣ କାର୍ଯ୍ୟକୁ ଗୌଣ ମନେକରି ନଥିପତ୍ର ପ୍ରସ୍ତୁତକୁ ମୁଖ୍ୟ କାର୍ଯ୍ୟ ବୋଲି ମନେକରୁଛନ୍ତି । ତେଣୁ ଶିକ୍ଷକମାନଙ୍କ ଉପରୁ ଅନ୍ୟାନ୍ୟ କାର୍ଯ୍ୟ ଓ ବିଭିନ୍ନ ପ୍ରକାର ନଥିପତ୍ର ପ୍ରସ୍ତୁତ କରିବାର ଭାର ଅପସାରଣ କରି ସେମାନଙ୍କୁ ଚାପମୁକ୍ତ କରାଯାଉ । ଟ୍ରାକର ସ୍ତର ତାଲିକା, ଦୈନିକ ପାଠଟିକା ଆଦି ବିଭିନ୍ନ ପ୍ରକାର ରେକର୍ଡ଼ର ତଦାରଖ କରାନଯାଇ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ସ୍ତରକୁ ତନଖି କରାଯିବା ଉଚିତ୍ । ସମସ୍ତ କାର୍ଯ୍ୟର ଅବହେଳା ପାଇଁ କେବଳ ଶିକ୍ଷକମାନଙ୍କୁ ଦାୟୀ କରାନଯାଉ । ଶିକ୍ଷାର ମାନ ବୃଦ୍ଧି ପାଇଁ ଉପଯୁକ୍ତ ଶିକ୍ଷା ପଦ୍ଧତି, ଗୁଣାତ୍ମକ ଶିକ୍ଷକ, ଦକ୍ଷପ୍ରଶିକ୍ଷକମାନଙ୍କ ଆବଶ୍ୟକତା ଅଛି । ଶୈକ୍ଷିକ ଯୋଜନାଗୁଡ଼ିକୁ କେବଳ ସହଜ, ଉଜ୍ଜ୍ୱଳ, ଉତ୍ଥାନ, ଉତ୍କର୍ଷ ଆଦି ନାମରେ ନାମିତ କରିଦେଲେ ଯୋଜନା ଫଳବତୀ ହେବ ନାହିଁ । ଏହାର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ଏବଂ ଯୋଜନା ପ୍ରଣୟନକାରୀମାନେ ଯୋଜନାର ପ୍ରୟୋଗାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ୍ ।

Leave A Reply