ନିରବତା ବି ଏକ ଭାଷା
ଗୋକୁଳାନନ୍ଦ ନାୟକ
ତୁମପରି ଅବସର ନେଇଥିବା ଲୋକଙ୍କର ଏଇଟା ହିଁ ବଦଭ୍ୟାସ, ସବୁବେଳେ ଅସନ୍ତୋଷ ଓ ଅଭିଯୋଗ- ସହଧର୍ମିଣୀଙ୍କଠାରୁ ବାରମ୍ବାର ଏପରି ଉଲୁଗୁଣା ଶୁଣିଶୁଣି ପୁରୁଷଟି ନିଜକୁ ପ୍ରଶ୍ନ କରେ, ଏପରି ସମାଲୋଚନା କ’ଣ ପାଇଁ? ବୃତ୍ତିଗତ ଜୀବନରୁ ସିନା ଅବସର ନେଲିଣି, ଅଥର୍ବ ହୋଇଗଲିଣି କି? ତାଙ୍କୁ କ’ଣ କୌଣସି ଅଭାବ ଅସୁବିଧାରେ ରଖିଛି କି? ନିଜକୁ ସାନ୍ତ୍ବନା ଦିଏ, ଭାବେ, ଈଶ୍ବରଙ୍କର ସୃଷ୍ଟିରେ ବୈଚିତ୍ର୍ୟ ଏହିପରି। ତାଲାକୁ କ’ଣ ତାଲା ଖୋଲେ? ସବୁବେଳେ ଏପରି ଅଭିେଯାଗ ସହୁଥିବା ପୁରୁଷ କ’ଣ ତା’ର ଏକେଲା ଜୀବନକୁ ଉନ୍ମୁକ୍ତ କରିପାରିବ? ବୟସର ଅପରାହ୍ଣରେ ପହଞ୍ଚିଥିବା ବ୍ୟକ୍ତିଟିର ପ୍ରବୃତ୍ତି ହିଁ ତା’ର ଜୀବନଚର୍ଯ୍ୟା ପାଲଟିଯାଏ। ସେଥିରୁ ମୁକୁଳିବା ତା’ ପାଇଁ କାଠିକର ପାଠ ହୋଇଯାଏ। ଏପରି ପରିସ୍ଥିତିରେ ନିରବତା ହିଁ ପାରିବାରିକ ଜୀବନରେ ଶାନ୍ତିର ମାର୍ଗ ହୋଇଥାଏ। କାରଣ ନିରବତା ବି ଏକ ଭାଷା।
ଆମେ ଜିଉଥିବା ଏହି ଭବଭୂମି ଏକ ସୁରମ୍ୟ ପାନ୍ଥଶାଳା। ଆମେ ସଭିଏଁ ଏଇ ପାନ୍ଥଶାଳାର ଯାତ୍ରୀ। ଆଜି ବଞ୍ଚିଛୁ, କାଲିକି ଥିବା ନ ଥିବା ଆମକୁ ଜଣାନାହିଁ। ଆମ ଘର ଏଇ ପାନ୍ଥଶାଳା। ସେ କାହାକୁ ସବୁଦିନ ପାଇଁ ଆଶ୍ରୟ ଦେବନାହିଁ, ଆମେ କ୍ଷଣିକର ଅତିଥି। ଯାତ୍ରା ସରିଲେ ମେଲଣପଦା ଯେମିତି ଖାଁଖାଁ ଲାଗେ, ଆମ କାମ ସରିଗଲେ ପାନ୍ଥଶାଳା ସେମିତି ଆଉ ଆଶ୍ରୟ ଦେବନାହିଁ। ଅଲୋଡ଼ା ଯାତ୍ରୀଟି ସବୁଦିନ ପାଇଁ ଅଣନଜରରେ ରହିଯାଏ। ତା’କୁ କୁହାଯାଏ ‘ମୃତ୍ୟୁ’। ସତରେ, ଏହାହିଁ ଆମର ସ୍ଥିରୀକୃତ ଭାଗ୍ୟ, ଅବଧାରିତ ଭାଗ୍ୟ। ଉପରୋକ୍ତ କଥାଗୁଡିକ ସାହିତ୍ୟିକ ଓ ପଣ୍ଡିତମାନେ ବାରମ୍ବାର ସଭାସମିତିରେ ଦୋହରାଇ ବାହାବା ନିଅନ୍ତି। ଏଥର କିଛି ଖବରକୁ ଆସିବା।
ନିକଟରେ ପ୍ରକାଶିତ ଗୋଟିଏ ରିପୋର୍ଟ ଅନୁଯାୟୀ, ଆମ ଦେଶରେ ଜୀବନର ଅପରାହ୍ଣ ଆଦୌ ପ୍ରୀତିପଦ ନୁହେଁ। ଶ୍ରମଜୀବୀଙ୍କ କଥା ଆଲୋଚନା କରିବା ନାହିଁ। ଯେଉଁ ଧୋବଧାଉଳିଆମାନେ ବଡ଼ବଡ଼ ପଦରେ ଥିଲେ, ଅବସର ପରେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ସ୍ଥିତି ଆଦୌ ଭଲ ନୁହେଁ। ଏମାନଙ୍କ ଭିତରୁ ୨୦%ଙ୍କର ସାମାଜିକ ଜୀବନ ଖୁବ୍ ସଂକୁଚିତ। ୩୭% ଅଭଦ୍ର ବ୍ୟବହାର ଓ ୧୩% ମାନସିକ ନିର୍ଯାତନାର ଶିକାର ହୁଅନ୍ତି। ୯ ପ୍ରତିଶତଙ୍କୁ ଶାରୀରିକ ଯାତନା ଦିଆଯାଏ ଏବଂ ୧୩ ପ୍ରତିଶତଙ୍କର ସାଧାରଣ ଓ ମାମୁଲି ଆବଶ୍ୟକତା ମଧ୍ୟ ପୂରଣ କରାଯାଏ ନାହିଁ। ଭାରତରେ ୬୫% ବୟସ୍କଙ୍କ ନିଜର ରୋଜଗାର ନାହିଁ। ଯେେହତୁ ଆଗକୁ ବୟସ୍କଙ୍କର ସଂଖ୍ୟା ଯଥେଷ୍ଟ ବଢ଼ିବ ସେମାନଙ୍କର ସ୍ମୃତିର ସ୍ପର୍ଶକାତର ହେବାର ସମସ୍ତ ସମ୍ଭାବନା ରହିଛି। ଅନୁମାନ କରାଯାଏ ଯେ ୨୦୫୦ ସୁଦ୍ଧା ବୟସ୍କଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବ, ୩୨୫ ନିୟୁତ ଛୁଇଁପାରେ। ଏପରି ସ୍ଥିତିରେ ମହିଳାଙ୍କ ସମସ୍ୟା ଆହୁରି ଉଦ୍ବେଗଜନକ; କାରଣ ସେମାନଙ୍କର ଉପରେ ଅତିରିକ୍ତ ସାମାଜିକ ବୋଝ ରହିଛି। ଭାରତୀୟ ସ୍ଥିତିରେ ବୟସକୁ ତେଣୁ ନିରୋଳା ‘ସଂଖ୍ୟା’ କରିବା ଏତେ ସହଜ ନୁହେଁ।
ଜୀବନଟାଏ କିନ୍ତୁ ବଞ୍ଚିବାକୁ ହୁଏ, କାରଣ ଜନ୍ମ-ମୃତ୍ୟୁର ନିଶ୍ଚିତ ପରିଧି ମଧ୍ୟରେ ମଣିଷଟି କିପରି ବଞ୍ଚିବ; ତା’ ପାଇଁ ସେ ନିଜେହିଁ ଦାୟୀ। ତା’ ଭିତରେ ଥିବା ସେହି ଅଦୃଶ୍ୟ ‘ମୁଁ ଟି ହିଁ ଦାୟୀ।
ୱାଲଡୋ ଇମରସନ୍ଙ୍କ ଉକ୍ତି- ‘ଡୁ ନଟ୍ ଫଲୋ ହୋୟାର ଦି ପାଥ ମେଁ ଲିଡ ଇନଷ୍ଟିଡ ଦେୟାର ଇଜ୍ ନୋ ପାଥ୍ ଆଣ୍ଡ୍ ଲିଭ୍ ଏ ଟ୍ରାଏଲ୍’, କିନ୍ତୁ ସମ୍ପୂର୍ଣ୍ଣ ନୂତନ ବା ଅଜଣା ପଥକୁ ଆବିଷ୍କାର କରି ନିଜର ପାଦଚିହ୍ନ ଆଙ୍କିବାର ଦାମ୍ଭିକତା ବା ମାନସିକତା ଖୁବ୍ କମ୍ ବ୍ୟକ୍ତିଙ୍କ ନିକଟରେ ଥାଏ। ବିଶେଷ କରି ଆମଭଳି ସାଧାରଣ ଗୃହୀମାନଙ୍କ ପାଖରେ ଏହା ପ୍ରାୟତଃ ଦେଖାଯାଏ ନାହିଁ। ତେଣୁ ସେମାନେ ପରିଣତ ବୟସରେ ବିଶେଷ ଅସନ୍ତୋଷରେ ଜୀବନ କାଟନ୍ତି ଓ ଅଭିଯୋଗ କରିବାରେ ତତ୍ପର ହୁଅନ୍ତି। ଜୀବନ ଓ ଜୀବନ ବା ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସେମାନଙ୍କ ପାଖରେ ସହଜ ହୁଏନାହିଁ। ସେମାନେ ପରିଣତ ବୟସରେ ଏକପ୍ରକାର ଏକୁଟିଆ ଜୀବନଯାପନ କରିଥାନ୍ତି। ଯେପରି ଜଣେ ଏକାକୀ ସେନା ନିଜ ବନ୍ଧୁକର ଶେଷ ଗୁଳିଟିକୁ ଆଶା କରି ନିରବୀ ଯାଇଥିବା ଶତ୍ରୁ ଛାଉଣି ଦିଗରେ ଆଗେଇଯିବାର ଦୁଃସାହସ ନ କରେ, ସେମାନଙ୍କର ସ୍ଥିତି ସେହିପରି। କାରଣ ଏପରି ଜୀବନ ଯୁଦ୍ଧରେ ଜିତିଯାଇ ପଦକ ପାଇବାର ସମ୍ଭାବନାଠାରୁ ଅତର୍କିତ ମୃତ୍ୟୁର ସମ୍ଭାବନା ଅଧିକ। ହଠାତ୍ ମନେପଡ଼ିଯାଏ କବିଙ୍କର କେତୋଟି ଧାଡ଼ି- ‘ଆଜି ନିରବତା ଭଲ ଲାଗେ ବେଶୀ/ ଏବେ ଆଉ ପାରୁନାହିଁ ନିଜ ଘରେ ହସି,………, ଆଜିକାଲି କହୁଛି ଯେ ବସି/ ସତେ କେତେ ନିରବତା ଭଲ ଲାଗେ ବେଶୀ।’
ଏହି ଆପ୍ତବାକ୍ୟ କହେ- ‘ସବୁ କିଛି ସହିଯିବା ଭଲ, ସବୁ ପରିସ୍ଥିତିରେ ନିରବ ରହିବା ଭଲ, କାରଣ ନିରବତା ବି ଏକ ଭାଷା’। ସମୟ ସହିତ ତାଳ ଦେଇ ନିରବ ରହିବା ଆମର ପରିଣତ ଜୀବନର ଆଦର୍ଶ ହେଉ।
ପୁରୁଣା ଜଗନ୍ନାଥ ରୋଡ଼
ଖପୁରିଆ ଶିଳ୍ପାଞ୍ଚଳ, କଟକ