ଗଣତାନ୍ତ୍ରିକ ରାଜନୀତିର ରୀତିନୀତି
ଅଧ୍ୟାପକ ବିଶ୍ବରଞ୍ଜନ
ଭାରତରେ ଗଣତାନ୍ତ୍ରିକ ରାଜନୀତି ଆଉ ଗଣତନ୍ତ୍ରର ନୀତି, ଆଦର୍ଶ ଆଧାରିତ ନୁହେଁ। ଗଣତନ୍ତ୍ର ପୂରାପୂରି ଦଳତନ୍ତ୍ର ଏବଂ ଦଳତନ୍ତ୍ରରୁ ଏହା ବ୍ୟକ୍ତିତନ୍ତ୍ର ଆଡ଼କୁ ମୁହାଁଇଛି। ରାଜନୀତି ଆଉ ରାଷ୍ଟ୍ରନୀତି ହୋଇ ରହିନାହିଁ। ମୂଲ୍ୟବୋଧ ନୁହେଁ, ଭୋଟର ମୂଲ୍ୟ ନିର୍ଦ୍ଧାରଣରେ ଆଜିର ରାଜନୀତି ସୀମିତ ଓ ସଙ୍କୁଚିତ। ନିର୍ବାଚନସର୍ବସ୍ୱ ଗଣତନ୍ତ୍ର।
ରାଷ୍ଟ୍ରର ହିତ ସାଧନ ପାଇଁ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ବଦଳରେ ତାତ୍କାଳିକ ଲାଭ, ଅର୍ଥାତ୍ ଭୋଟ ପ୍ରାପ୍ତିର ସରଳ, ସୁବିଧା ପନ୍ଥାକୁ ରାଜନେତାମାନେ ଗ୍ରହଣ କରିନେଉଛନ୍ତି। ଏହା କୌଣସି ଗୋଟିଏ ଦଳର କଥା ନୁହେଁ, ଊଣା ଅଧିକେ ସବୁ ଦଳର କଥା। ନିର୍ବାଚନ ସମୟରେ ଚମତ୍କାର ପ୍ରତିଶ୍ରୁତି। ‘ହାତୀ ନେ, ଘୋଡ଼ା ନେ, ମୋ ପେଁକାଳି ବଜେଇ ଦେ’ର ବିନମ୍ର ମିନତି। ତା’ପରେ ମୁଣ୍ଡ ଉପରକୁ ସୁନା ଛତି ଟେକିଦେଲେ ପ୍ରତିଶ୍ରୁତି ପାଳନରେ ଦୀର୍ଘ ବିରତି ଏବଂ କ୍ଷମତାର ସୁରତି, ସ୍ୱପ୍ନବିହୀନ ସୁସୁପ୍ତି। ରତିକ୍ଳାନ୍ତ ନେତାଙ୍କ ନିଦ ଭାଙ୍ଗେ ଯେତେବେଳେ ପୁନର୍ବାର ନିର୍ବାଚନର କାକଧ୍ୱନି ଶୁଣିବାକୁ ମିଳେ। କ୍ଷମତା ସମ୍ଭୋଗର ମଧୁଚନ୍ଦ୍ରିକା ସରି ଆସୁଥାଏ। ବାସ୍ତବତାକୁ ସାମ୍ନା କରିବା ପାଇଁ ମସ୍ତିଷ୍କ ଚାଳନା କରିବାକୁ ହୁଏ। ଫଳରେ ରାଜନେତାଙ୍କ ଉର୍ବର ମସ୍ତିଷ୍କରୁ ପୁଣି ଗୋଟିକ ପରେ ଗୋଟିଏ ଯୋଜନା ବାହାରିଆସେ, ଯାହା ନିଜ ପାଇଁ ଲାଭପ୍ରଦ ହେବ ଏବଂ ଜନତାଙ୍କ ପାଇଁ ଲୋଭନୀୟ। ରାଜନେତା ଓ ଜନତାଙ୍କ ମଧ୍ୟରେ ‘ମୋତେ ଛୁଁ ମୋତେ ଛୁଁ’ର ଖେଳ ଗଡ଼ିଆସୁଛି ନିର୍ବାଚନସର୍ବସ୍ୱ ଆମର ଗଣତାନ୍ତ୍ରିକ ରାଜନୀତିର ଧାରାରେ।
ରାଷ୍ଟ୍ରକୁ ଗଢ଼ିବା ପାଇଁ ରାଜନୀତି। ରାଷ୍ଟ୍ରର ବିକାଶ ପାଇଁ ରାଜନୀତି। ରାଜନୀତିର କ୍ଷେତ୍ରକୁ ପ୍ରବେଶ କରିବା ପାଇଁ ନିର୍ବାଚନ ଏକ ମାଧ୍ୟମ। ନିର୍ବାଚନରେ କେହି ଜିତିବେ କେହି ହାରିବେ। ମାତ୍ର ଏହି ହାର୍-ଜିତ୍ର ଖେଳ ଶେଷ ହୋଇଗଲା ପରେ ଉଭୟ ବିଜେତା ଓ ପରାଜିତ ଦଳ ଏକାଠି ବସି ରାଷ୍ଟ୍ର ବିକାଶରେ ପରସ୍ପରର ସହଯୋଗୀ ଭାବରେ କାର୍ଯ୍ୟ କରିବେ। ଯେ କୌଣସି ସମସ୍ୟା ସମ୍ପର୍କରେ ପରସ୍ପର ମଧ୍ୟରେ ବିଚାର ବିନିମୟ କରି ସମାଧାନ ସୂତ୍ର ବାହାର କରିବେ, ଜନକଲ୍ୟାଣକାରୀ ସିଦ୍ଧାନ୍ତରେ ପହଞ୍ଚିବେ। ପ୍ରତ୍ୟେକ ଦଳ କ୍ଷମତାର ଅଳିନ୍ଦରେ ଥାଆନ୍ତୁ ବା ବାହାରେ, ଯେତେବେଳେ ଜନସ୍ୱାର୍ଥ କଥା କହୁଛନ୍ତି, ରାଷ୍ଟ୍ରର ହିତ ଚିନ୍ତା କରୁଛନ୍ତି, ସେତେବେଳେ ସକଳ ବିବାଦ, ବିତର୍କ ସତ୍ତ୍ୱେ ବାଟଟିଏ ଅବଶ୍ୟ ବାହାରିବ – ଯେଉଁ ବାଟରେ ସମସ୍ତେ ହାତ ଧରାଧରି ହୋଇ ଏକା ସାଙ୍ଗରେ ଚାଲି ପାରିବେ। ଏହା ହିଁ ହେଉଛି ଗଣତାନ୍ତ୍ରିକ ରାଜନୀତିର ସ୍ୱୀକୃତ ପନ୍ଥା। ମାତ୍ର ଦୁର୍ଭାଗ୍ୟର ବିଷୟ; ଏହାର ବିପରୀତ ହିଁ ବର୍ତ୍ତମାନ ଭାରତୀୟ ରାଜନୀତିରେ ରୀତିରେ ପରିଣତ ହୋଇଛି। ଏଠି ବିରୋଧ ପାଇଁ ବିରୋଧ ଏବଂ ମିଳିତ ସୁସ୍ଥ ବିଚାରର ପଥ ଅବରୁଦ୍ଧ। ନିର୍ବାଚନ ସମୟର ବିରୋଧ ଲାଗି ରହେ ଠିକ୍ ନିର୍ବାଚନ ଶେଷ ମୁହୂର୍ତ୍ତରୁ ପୁଣି ସାନି ନିର୍ବାଚନ ଯାଏଁ। ନିର୍ବାଚିତ ଦଳକୁ ତା’ର କ୍ଷମତା ଗ୍ରହଣ ମୁହୂର୍ତ୍ତରୁ ହିଁ ନାନା ପ୍ରକାର କଳ କୌଶଳ ପ୍ରୟୋଗ କରି କିପରି କ୍ଷମତାଚ୍ୟୁତ କରିହେବ, ଏହାର ଚକ୍ରାନ୍ତ ଆରମ୍ଭ ହୋଇଯାଏ। ରାଜତନ୍ତ୍ରରେ ଗାଦି ହାସଲ ପାଇଁ ପୁଅ ବାପକୁ କିମ୍ବା ଭାଇ ଭାଇକୁ ବନ୍ଦୀ କରିବା, ହତ୍ୟା କରିବା ଏକ ସାଧାରଣ ଘଟଣା ହୋଇପାରେ। ମାତ୍ର ଗଣତନ୍ତ୍ରର ରାଜନୀତିରେ ଏ ପ୍ରକାର ଚକ୍ରାନ୍ତ, ଷଡ଼ଯନ୍ତ୍ରର ସ୍ଥାନ ନଥାଏ। ବୈରତା ନୁହେଁ, ବନ୍ଧୁତା ଏବଂ ବନ୍ଧୁଭାବରେ ପରସ୍ପରକୁ ବିରୋଧ କରି ବ୍ୟବସ୍ଥାକୁ କ୍ରିୟାଶୀଳ କରିବାରେ ହିଁ ପ୍ରତ୍ୟେକ ଦଳର ନେତୃତ୍ୱ ପ୍ରତିଷ୍ଠା ଲାଭ କରେ। ବିଚାରଗତ ବିରୋଧିତା ବ୍ୟବସ୍ଥାକୁ ଅଚଳ କରିଦିଏ ନାହିଁ। ଏଠି କିନ୍ତୁ ବ୍ୟବସ୍ଥାପିକା ସଭାର ଗୋଟିଏ ପୂରା ଅଧିବେଶନ ମଧ୍ୟ ବିନା କାର୍ଯ୍ୟରେ କେବଳ ବିରୋଧ ଭିତରେ ଶେଷ ହୋଇଯାଏ। ଶାସକ ଦଳ ଦୋଷ ଦିଅନ୍ତି ବିରୋଧୀ ଦଳକୁ, ବିରୋଧୀ ଶାସକ ଦଳକୁ। ପାରସ୍ପରିକ ଦୋଷାରୋପ ଭିତରେ ଗଣତନ୍ତ୍ରର ସ୍ୱାଭାବିକ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ। ଅଥଚ ଏଥିପ୍ରତି କାହାର କୌଣସି ଚିନ୍ତା ବା ଉଦ୍ବେଗ ଥିଲା ଭଳି ଜଣା ପଡ଼େ ନାହିଁ।
ଲକ୍ଷ୍ୟ କରିଥିବେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇ ଜଣେ ରାଷ୍ଟ୍ରପତି ଭାବରେ କ୍ଷମତାକୁ ଆସିବା ପରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିବା ଦୁଇ ନେତା କେହି କାହା ବିରୋଧରେ ବୟାନବାଜି କରନ୍ତି ନାହିଁ। ବ୍ୟକ୍ତିଗତ କୁତ୍ସା ରଟନାରେ ମାତନ୍ତି ନାହିଁ। ଇଂଲଣ୍ଡରେ ମଧ୍ୟ ଠିକ୍ ସେହି ଏକା କଥା। ଆମେରିକାରେ ତ ରାଷ୍ଟ୍ରପତିଙ୍କ ସମୟ ସୀମା ନିର୍ଦ୍ଧାରିତ। ଦୁଇ ଥରରୁ ଅଧିକ ଥର ପାଇଁ କେହି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ। ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ନିଜ ବିରୁଦ୍ଧରେ ସାମାନ୍ୟ ଜନଅସନ୍ତୋଷ ବା କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ଉପୁଜିଥିବାର ଲକ୍ଷ୍ୟ କଲେ ସ୍ୱଇଚ୍ଛାରେ ନିଜ ପଦ ତ୍ୟାଗ କରି ଚାଲିଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏପରିକି ତୁରନ୍ତ ସେମାନେ ନିଜର ସରକାରୀ ବାସଭବନ ଛାଡ଼ି ଚାଲି ଯାଆନ୍ତି। ବୃହତ୍ତମ ଗଣତନ୍ତ୍ର କୁହାଯାଉଥିବା ଭାରତରେ ଏଭଳି ଘଟଣା ବିରଳ। କ୍ଷମତାରୁ ଯିବା ପରେ ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼େ। ପୁଣି ଗଲାବେଳେ ସରକାରୀ ଗୃହର ଦାମୀ ଆସବାବପତ୍ର ନିଜ ସାଙ୍ଗରେ ନେଇଯିବାକୁ ନେତାଏ ତିଳେ ମାତ୍ର ଲଜ୍ଜା ବା କୁଣ୍ଠାବୋଧ କରନ୍ତି ନାହିଁ। ନା ଆଚରଣ ନା ଉଚ୍ଚାରଣ; କୌଣସିଥିରେ ଗଣତାନ୍ତ୍ରିକ ଆଦର୍ଶର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳେ ନାହିଁ ନେତୃତ୍ୱ ନେଇଥିବା ଏବଂ ନେବା ପାଇଁ ନିଜକୁ ଯୋଗ୍ୟ ବୋଲି ଡିଣ୍ଡିମ ପିଟୁଥିବା ରାଜନେତାମାନଙ୍କ ମଧ୍ୟରେ।
ଏବେ ନିର୍ବାଚନ ଋତୁର ପବନ ବହିବାକୁ ଆରମ୍ଭ କଲାଣି। ୨୦୧୯ର ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର। ମାତ୍ର ରାଜନୈତିକ ବିଚାରବିମର୍ଶ ପାଇଁ ନିର୍ବାଚନର ପ୍ରସଙ୍ଗ କ’ଣ? ପରସ୍ପର ଦୋଷାରୋପ? ମନଇଚ୍ଛା ମନଲୋଭା ଯୋଜନାର ଘୋଷଣା? ଆମ ଗଣତାନ୍ତ୍ରିକ ରାଜନୀତିରେ ନିର୍ବାଚନ ଏକ ସାମୟିକ ପ୍ରକ୍ରିୟା। କିନ୍ତୁ ଗଣତନ୍ତ୍ର ହେଉଛି ଏକ ନିରବଚ୍ଛିନ୍ନ ଧାରାବାହିକ କ୍ରିୟା। ନିର୍ବାଚନରେ ଜିତିବା, ହାରିବା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଂରକ୍ଷିତ, ସୁରକ୍ଷିତ ରଖିବା। ରାଜନୈତିକ ଦଳର ଅପରିହାର୍ଯ୍ୟତାକୁ ଆଧୁନିକ ଗଣତନ୍ତ୍ର ସ୍ୱୀକାର କରୁଥିଲେ ହେଁ ଏହା ଦଳୀୟ ଶାସନରୁ ଊର୍ଦ୍ଧ୍ବରେ। ଜନସାଧାରଣଙ୍କ ପାଇଁ ଏବଂ ରାଜ୍ୟ ବା ଦେଶ ପାଇଁ ସବୁ ପ୍ରକାର ସମସ୍ୟା ଓ ସଂକଟ ଜନ୍ମ ନିଏ, ଯେତେବେଳେ କ୍ଷମତାସୀନ ଦଳ ଭାବିନିଏ ଯେ, ଦେଶ ଶାସନରେ କେବଳ ସେହି ଦଳର ଇଚ୍ଛା ଓ ଅନିଚ୍ଛା ହିଁ ଶେଷକଥା।
୧୯୯, କଂସାରୀଝର, ୟୁନିଟ୍-୬, ଭୁବନେଶ୍ୱର-୧
prof.biswaranjan@gmail.com