କାହା ସ୍ବାର୍ଥରେ ‘ପୁସ୍ତକ ଉନ୍ମୋଚନ’?

0

ରାଜେନ୍ଦ୍ର ନାରାୟଣ ଦାସ

ଶିବଠାକୁରଙ୍କ ଲିଙ୍ଗରେ ବେଲପତ୍ର ଲାଗି ପଛେ ଦିନେ ବନ୍ଦ ହୋଇଯାଇପାରେ, ହେଲେ ଆମ ଓଡ଼ିଶାରେ ପୁସ୍ତକ ଉନ୍ମୋଚନ ଦିନେ ବି ବନ୍ଦ ହବନି। ଏମିତି ଦିନଟାଏ ନାହିଁ, ଯେଉଁଦିନ କୋଉଠି ପୁସ୍ତକ ଉନ୍ମୋଚନ ସଭା ହଉନି। ଏହାର ଭିତିରି କାରଣ ହଉଚି, ସଭିଙ୍କୁ ଏବେ ଲେଖକ କି କବି, ମୋଟାମୋଟି ସାହିତ୍ୟିକ ହବାର ନିଶା ଘାରିଚି। ଯିଏ ଜୀବନସାରା ଚାକିରି କି ବେପାର କରି ଖାଲି ପଇସା ପଛରେ ଧାଇଁଥିଲା, ଆଉ କିଛି ହୋଇପାରିନଥିଲା, ସିଏବି ଏବେ ରାତାରାତି ସାହିତ୍ୟିକ ହବାର ସ୍ୱପ୍ନ ଦେଖୁଛି। ଯଦି ପକେଟରେ ପଇସା ଅଛି, ତା’ହେଲେ ଯାହା ଇଚ୍ଛା ତାହା ଲେଖ, ତମ ବହି ଛାପିବାକୁ ପ୍ରକାଶକ ଟାକି ବସିଛନ୍ତି। ପଇସା ଫେଁକୋ, ତମାସା ଦେଖୋ! ତୁରନ୍ତ ତମ ବହି ଛପା ହେଇଯିବ। ତମ ପଇସାକୁ ଚାହିଁ ସାନ, ମଝିିଲି କି ବଡ଼ ହୋଟେଲରେ ଉନ୍ମୋଚନ ସଭା ଆଉ ଚାହା ଜଳଖିଆର ବ୍ୟବସ୍ଥା ବି ହେଇଯିବ। ସକାଳକୁ ସବୁ ଖବରକାଗଜରେ ଫଟୋ ଆଉ ଖବର ଛାଇ ହେଇଯିବ। ବାସ୍, ରାତାରାତି ତମେ ଲେଖକ କି କବି ପାଲଟିଯିବ । ଆମ ସାହିତ୍ୟହାଟରେ ଏବେ ଏଇ ପାଲା ଜାଣ ସବୁଠୁ ବେଶି ଚାଲିଚି। ନିକଟରେ ଗୋଟିଏ ଅଗ୍ରଣୀ ଖବରକାଗଜର ସଂପାଦକୀୟ ପୃଷ୍ଠାରେ ‘ସାହିତ୍ୟହାଟ’ ସ୍ତମ୍ଭରେ ଏଇ କେତୋଟି ଧାଡ଼ି ପଢ଼ିଥିଲି। ଏଇଟା ଆଜିକାଲିର ନିତିଦିନିଆ ଓ ଦେହଘଷିଆ କଥା ହେଲେବି ମୋତେ ଅତ୍ୟନ୍ତ କୌତୂହଳପ୍ରଦ ମନେ ହୋଇଥିଲା।
ମନେ ପଡ଼ିଗଲା ମୋ ପିଲାଦିନର କଥା। ୧୯୬୦ ମସିହାରେ ଓଡ଼ିଶା ଛାଡ଼ି ଜର୍ମାନୀ ଆସିବା ପର୍ଯ୍ୟନ୍ତ ମୁଁ ଓଡ଼ିଶାରେ କେବେହେଲେ ତ ଗୋଟିଏ ଏଭଳି ପୁସ୍ତକ ଉନ୍ମୋଚନ ସଭା ଦେଖିନଥିଲି। ଏପରି ଏକ ପରମ୍ପରାର ସୃଷ୍ଟି ଓଡ଼ିଶାରେ କେବେଠୁ ହେଲା ଏବଂ କିଏ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ? ପ୍ରାୟ ଅଠାବନ ବର୍ଷ ପରେ ଏ ପ୍ରଶ୍ନର ଉତ୍ତର ବା କାହାଠାରୁ ପାଇବି? ଏଥିନିମନ୍ତେ ପ୍ରାୟ ପନ୍ଦରଜଣ ବିଶିଷ୍ଟ ସାହିତ୍ୟିକଙ୍କ ସହିତ ଫୋନ୍ ଓ ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରିଥିଲି। କେହି ମଧ୍ୟ ସଠିକ୍ ଉତ୍ତର ଦେଇପାରିନଥିଲେ। ଅଧିକାଂଶ ନୀରବ ରହିଲେ। କାହିଁକି ବା ଉତ୍ତର ଦେବେ, ଏହାଦ୍ୱାରା ତାଙ୍କର ବିଶେଷ କିଛି ଲାଭ ହବକି? ଜଣେ ସାହିତ୍ୟିକ ବନ୍ଧୁ (ନାମ ପ୍ରକାଶ କରୁନାହିଁ)ଙ୍କ ଠାରୁ ଉତ୍ତର ଯାହା ପାଇଥିଲି ଲେଖୁଛି- “ଭାଇ, ନମସ୍କାର। ମୁଁ ଯାହା ତଥ୍ୟ ପାଇଛି- ୧୯୮୭ ଡିସେମ୍ବର ମାସରେ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଆ ରୂପାନ୍ତର “ଗୀତାଞ୍ଜଳି”ର ଉନ୍ମୋଚନ ଭୁବନେଶ୍ୱରରେ କରିଥିଲେ । ଓଡ଼ିଆ ରୂପାନ୍ତର କରିଥିଲେ ଡକ୍ଟର ଖଗେଶ୍ୱର ମହାପାତ୍ର ଓ କଇଳାଶ ପଟ୍ଟନାୟକ। ଅନୁବାଦ ଏତେ କୃତ୍ରିମ ଓ ଭାଷା ବିକୃତ ହୋଇଥିଲା ଯେ ବହୁ ପ୍ରତିବାଦ ହେଲା। ଏହାର ମୁଖ୍ୟ ଥିଲେ କବି ରବି ସିଂ। ଜାତୀୟସ୍ତରରେ ପତ୍ରପତ୍ରିକାରେ ଦୀର୍ଘଦିନ ଏହାର ଆଲୋଚନା ଚାଲିଥିଲା। ରବିବାବୁ ତାଙ୍କର “ନିଃସଙ୍ଗ ପଦାତିକ” ତୃତୀୟ ଖଣ୍ଡରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି। ସେ ଆଉ ଏକ ସୂଚନା ଦେଇଛନ୍ତି ତାଙ୍କର “ନିଃସଙ୍ଗ ପଦାତିକ” (ଦ୍ୱିତୀୟ ଭାଗ) ପୁସ୍ତକକୁ ୨୧-୬-୧୯୯୯ରେ ସୂଚନାଭବନଠାରେ ସମ୍ମାନନୀୟ ଜାନକୀବାବୁ ଲୋକାର୍ପଣ କରିଥିଲେ। ଏହା ଲିଖିତ ପ୍ରମାଣ। ଏହା ଛଡ଼ା ଆଉ ଯାହା ମିଳୁଛି, ସେସବୁ ଶୁଣାକଥା। ଯେପରି, ମୁରାରୀମୋହନ ଜେନା ରାମଚନ୍ଦ୍ର ଭବନରେ ୧୯୮୭-୮୮ରେ ତାଙ୍କର ବହି ଲୋକାର୍ପଣ କରିଥିଲେ। ବହିର ନାମ ‘କବି କଣ୍ଠେ ଜଗନ୍ନାଥ’। ରବି ମହାପାତ୍ର, ମୁରାରୀମୋହନ ଜେନା ଓ ରବି ସିଂ କଟକରେ ଗତ ଶତାବ୍ଦୀର ଅଷ୍ଟମ, ନବମ ଦଶକର ନାମଡ଼ାକ୍ ଲୋକ ଥିଲେ। ବଡ଼ ହଟଚମଟକାରୀ; ବୋଧହୁଏ ସେମାନଙ୍କ ଭିତରୁ କେହି ଏପରି ସହଜ, ସରଳ ଲୋକପ୍ରିୟ ହେବାର ଫନ୍ଦି ଆବିଷ୍କାର କରିଥାଇପାରନ୍ତି। ଏହା ବ୍ୟତୀତ ଡକ୍ଟର ମାୟାଧର ମାନସିଂହଙ୍କ ଇଂରାଜୀରେ ରଚିତ “ଓଡ଼ିଆ ସାହିତ୍ୟର ଇତିହାସ” (History of Odia Literature)ବହିରେ ଥିବା ତଥ୍ୟକୁ ବିରୋଧ କରିବାକୁ ଯାଇ ରବି ସିଂ “ଓଡ଼ିଆ ସାହିତ୍ୟର ଧର୍ଷଣ”ନାମକ ଏକ ବହି ଲେଖିଥିଲେ। ବହିଟିକୁ ଶ୍ରୀରାମଚନ୍ଦ୍ର ଭବନରେ ଉନ୍ମୋଚନ କରାଯାଇଥିଲା। ବହିଟିକୁ ଉନ୍ମୋଚନ କରିଥିଲେ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ ଓ ମାଟିର କବି ସଚ୍ଚି ରାଉତରାୟ। ଏହା ଓଡ଼ିଶାର ପ୍ରଥମ ଉନ୍ମୋଚନ ଉତ୍ସବ ବୋଲି ରବିବାବୁ ଦାବି କରନ୍ତି। ସେଦିନ କାଳେ ସେ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା ଏବଂ ସେଠାରେ ଛ’ଶହ ପୁସ୍ତକ ବିକ୍ରି ହୋଇଥିଲା! ଗୋଟିଏ ହାଣ୍ଡି ଭିତରେ ପୁସ୍ତକଟିକୁ ରଖାଯାଇ ତାକୁ ଟଙ୍ଗେଇ ଦିଆଯାଇଥିଲା। ହାଣ୍ଡିଟିକୁ ଭାଙ୍ଗି ଦେବାପରେ ସେଥିରୁ ବହିଟି ଖସି ପଡ଼ିଥିଲା।” ଏହିପରି ଥିଲା ସେଦିନର ବହିଟିର ଉନ୍ମୋଚନ ଉତ୍ସବ।
୧୯୮୭ ମସିହାଠାରୁ “ପୁସ୍ତକ ଉନ୍ମୋଚନ” ଓଡ଼ିଶାରେ ଏକ ପରମ୍ପରା ପାଲଟି ଯାଇଛି। ପ୍ରତ୍ୟେକ ଦିନ ପୁସ୍ତକ ଉନ୍ମୋଚନ ପର୍ବ ବା ସଭା। ପ୍ରଶ୍ନ ଉଠେ, ଏହି ପରମ୍ପରା ଏକ ସୁସ୍ଥ ପରମ୍ପରା କି? ବିଶେଷ କରି କାହା ସ୍ୱାର୍ଥରେ ପୁସ୍ତକ ଉନ୍ମୋଚନ ହୁଏ? ଏ ପ୍ରସଙ୍ଗରେ ପ୍ରଥମେ ଦେଖାଯାଉ ଓଡ଼ିଆ ପୁସ୍ତକର ଭାଗ୍ୟ ଓ ଭବିଷ୍ୟତ। ଓଡ଼ିଆ ବହିର ପାଠକ ସଂଖ୍ୟା ସୀମିତ। ପ୍ରଥମ ସଂସ୍କରଣରେ ପ୍ରକାଶକମାନେ ସାଧାରଣତଃ ପାଞ୍ଚଶହ କପି ଛାପିଥାନ୍ତି। ସେଥିରୁ ତିନିଶହ ରାଜା ରାମମୋହନ ରାୟ ପାଠାଗାର ଯୋଜନାରେ ଯଦି ସରକାର କ୍ରୟ କରନ୍ତି, ତେବେ ସେ ପ୍ରକାଶକ ନିହାତି ଭାଗ୍ୟବାନ, କାରଣ ତାଙ୍କର ପ୍ରକାଶନ ଖର୍ଚ୍ଚ ଉଠିଯାଏ। ବାକି ଦୁଇଶହ ବହିରୁ ପ୍ରାୟ ଶହେଖଣ୍ଡ ଲେଖକ ନିଜର ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ କିଛି ଅନିଚ୍ଛୁକ ବା ଅଳ୍ପ ପରିଚିତ ପାଠକମାନଙ୍କୁ ବାଣ୍ଟନ୍ତି। କିଛି ସାଧାରଣ ପାଠକ କାଁ ଭାଁ ବହି କିଣିବାକୁ ମନ ବଳାଇଥାନ୍ତି। ଅତ୍ୟନ୍ତ ନାମକରା ଲେଖକ/ଲେଖିକାଙ୍କ ବହି ଆକସ୍ମିକଭାବେ ଦ୍ୱିତୀୟ ସଂସ୍କରଣକୁ ଯାଏ, ନହେଲେ ପ୍ରଥମ ସଂସ୍କରଣହିଁ ଶେଷ ସଂସ୍କରଣ ଭାବରେ ସାହିତ୍ୟର ଅଳିଆ ଗଦାରେ ନିଜର ଅସ୍ତିତ୍ୱ ହରାଏ। ପ୍ରକୃତରେ ଆଜି ଏହା ହେଉଛି ଓଡ଼ିଆ ବହିମାନଙ୍କର ଭାଗ୍ୟ ଓ ଭବିଷ୍ୟତ। ଏଥିରେ ମୋ ସହିତ ନିହାତି ସମସ୍ତେ ଏକମତ ହେବେ। ପୂର୍ବରୁ କହିଛି ଯେ ଏବେ ଅନେକ ତଥାକଥିତ ସାହିତ୍ୟିକ ନିଜ ଖର୍ଚ୍ଚରେ ନିଜ ବହିର ଉନ୍ମୋଚନ କରାଉଛନ୍ତି। ସେହି ଉତ୍ସବରେ ରାଜନେତା ବା ନାମୀଦାମୀ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକମାନେ ଅତିଥିରୂପେ ନିମନ୍ତ୍ରଣ ପାଇ ମଞ୍ଚମଣ୍ଡନ କରୁଛନ୍ତି। ଲେଖକଙ୍କ ରୁଚି ଅନୁଯାୟୀ ଜଳଯୋଗ/ମଧ୍ୟାହ୍ନଭୋଜନ/ରାତ୍ରିଭୋଜନର ମଧ୍ୟ ବ୍ୟବସ୍ଥା କରାଯାଉଛି। ସେମାନେ ଭଲଭାବେ ଜାଣନ୍ତି ଖାଦ୍ୟପେୟର ବ୍ୟବସ୍ଥା ରଖିଲେ ସେଇ ଆକର୍ଷଣରେ ବେଶ୍ କିଛି ଶ୍ରୋତା ସଂଖ୍ୟାଦୃଷ୍ଟିରୁ ଏକାଠି ହେଇପାରିବେ। ସଭାରେ ବହିଟିର ପ୍ରବଳ ପ୍ରଶଂସା ହୁଏ । କିନ୍ତୁ ପ୍ରାୟତଃ ବହିଟିକୁ ଭଲକରି କେହି ପଢ଼ନ୍ତି ନାହିଁ। ଲେଖକ ନିଜର ସମ୍ବଳ ବା ବାହାଦୁରୀ ଦେଖାଇବା ଲାଗି ବେଶ୍ ଜାକଜମକରେ ଉନ୍ମୋଚନ ପର୍ବଟି କରନ୍ତି। ଖବରକାଗଜବାଲାଙ୍କୁ ଖୋସାମତ କରି ବିଭିନ୍ନ କାଗଜମାନଙ୍କରେ ଅତିଥିମାନଙ୍କ ସହିତ ସୁନ୍ଦର ଫଟୋ ତଥା ଉତ୍ସବର ବିବରଣୀ ପ୍ରକାଶ କରାନ୍ତି, କିନ୍ତୁ ଉତ୍ସବପରେ ସାଧାରଣତଃ ଦେଖାଯାଏ ଯେ ବହିଟିକୁ ଖୁବ୍ କମ୍ ଲୋକ କିଣନ୍ତି। ଏହାର ଅନେକ ଉଦାହରଣ ରହିଛି।
୨୦୧୫ ମସିହାର କଥା। ଜଣେ ପ୍ରବୀଣ ଓଡ଼ିଆ ପ୍ରଫେସରଙ୍କର ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ ଭୁବନେଶ୍ୱରରେ ଗୋଟିଏ ନାମୀ ପ୍ରେକ୍ଷାଳୟରେ ହେଉଥାଏ। ବହିଟିକୁ ଉନ୍ମୋଚନ କରିଥିଲେ ପଦ୍ମଭୂଷଣ ରମାକାନ୍ତ ରଥ ଓ ପ୍ରଫେସର ଶାନ୍ତନୁକୁମାର ଆଚାର୍ଯ୍ୟ ମହୋଦୟ। ଶ୍ରୋତା ଭାବରେ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ସାହିତ୍ୟିକ ଉପସ୍ଥିତ ଥାଆନ୍ତି। ଲେଖକଙ୍କ ତରଫରୁ ଚମତ୍କାର ଆମିଷ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଉନ୍ମୋଚନ ପରେ ବହିଟି ବିକ୍ରି ନିମନ୍ତେ ରଖାଯାଇଥିଲା। ଲେଖକଙ୍କ ସହିତ ମୋର ଘନିଷ୍ଠ ସଂପର୍କ। ତେଣୁ ଦଶଟି ବହି କିଣି ଆଣିବାକୁ ମୋର ଜଣେ ବନ୍ଧୁଙ୍କୁ ଅନୁରୋଧ କରିଥିଲି। ତାଙ୍କୁ କହିଥିଲି ଗୋଟିଏ ବହି ମୋ ଲାଗି ରଖିବେ ଓ ବାକି ନଅଖଣ୍ଡ ବହିକୁ ମୋର କେତେକ ସାହିତ୍ୟିକ ବନ୍ଧୁଙ୍କୁ ଉପହାର ସ୍ୱରୂପ ଦେଇଦେବେ। ସେଦିନ କେତେ ବହି ବିକ୍ରି ହେଲା ଜାଣିବାକୁ ଲେଖକଙ୍କୁ ଦଶଦିନ ପରେ ଫୋନ୍ କରିବାରୁ ଉତ୍ତର ମିଳିଥିଲା- “ଆପଣ ଯେଉଁ ଦଶଟି ବହି କିଣିଥିଲେ ତା’ ବ୍ୟତୀତ ସେଦିନ ଆଉ ଗୋଟିଏ ମାତ୍ର ବି ବହି ବିକ୍ରି ହୋଇନଥିଲା। ଏଇ ଦଶଦିନ ଭିତରେ ବହୁତ ଫୋନ୍ ପାଇଛି: “ସାର୍, ବହି ଖଣ୍ଡିଏ କେମିତି ମିଳିବ?” ଏମିତି ବିନାମୂଲ୍ୟରେ ଉପହାର ସୂତ୍ରରେ ପାଇଥିବା ବହିକୁ ପଢ଼ିବା ତ ଦୂରର କଥା, ତା’ର ସୂଚୀପତ୍ରକୁ ମଧ୍ୟ ପ୍ରାୟ କେହି ଦେଖନ୍ତି ନାହିଁ। ବହିଟି କେବଳ ତାଙ୍କ ଆଲମାରିରେ ସାଇତା ହୋଇ ରହିଥାଏ।
ଏଥିରୁ ବୁଝାପଡ଼େ, ଆମର ପାଠକୀୟ ମାନସିକତା। ଓଡ଼ିଆ ବହି ପ୍ରକୃତରେ ଆଜି ବିତାଡ଼ିତ ଅବସ୍ଥାରେ। ରାଜା ରାମମୋହନ ରାୟ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଲାଇବ୍ରେରୀ ସଂସ୍କରଣ ନାଁରେ ବହିର ଦରବୃଦ୍ଧି ପାଇଛି,ଯେହେତୁ ଏହି ମଉକାରେ ତିନିଶହ ବହି ବିକ୍ରି ହବ, ସେତିକି ବହିରୁ ହିଁ ପ୍ରକାଶକମାନେ ସବୁ ଖର୍ଚ୍ଚ ଉଠାଇବାକୁ ଚାହାନ୍ତି। ସମସ୍ତେ ପ୍ରାୟ ଏହି ଯୋଜନା ମାଧ୍ୟମରେ ବହି ବିକ୍ରି କରିବାକୁ ଲବି କରନ୍ତି। ଅବଶ୍ୟ ଏଥିରେ ଭଲ ବହି କିଣାଯାଏ, କିନ୍ତୁ ସେସବୁକୁ ଯେଉଁସବୁ ପାଠାଗାରକୁ ପଠାଯାଏ, ସେଥିମଧ୍ୟରୁ ଅନେକ ପାଠାଗାର ଅଚଳ ବା କେବଳ କାଗଜ କଲମରେ ତା’ର ସ୍ଥିତି। ପୁଣି ଯେଉଁ ପାଠାଗାର କାର୍ଯ୍ୟରତ, ସେଠାରେ ବହି ରଖିବା ଲାଗି ଅନେକତ୍ର ଆଲମାରି ନାହିଁ। ଯେଉଁଠି ସବୁକିଛି ଅଛି, ସେଠି ପାଠକ ନାହାନ୍ତି। ଏହା ହେଉଛି ସଂକ୍ଷେପରେ ଓଡ଼ିଆ ବହିର ଭାଗ୍ୟ। ସିଧା କଥା- ଓଡ଼ିଆ ପୁସ୍ତକ ଆଜି କେବଳ ଉନ୍ମୋଚନ ପର୍ବ, ଲୋକାର୍ପଣ ଉତ୍ସବ ଆଉ ଖବରକାଗଜର ଦଶଧାଡ଼ିର ସମୀକ୍ଷା ଭିତରେ ସୀମିତ।
ବହିଟିକୁ କାହା ଦ୍ୱାରା ଉନ୍ମୋଚନ କରାଯିବ, ଏ ପ୍ରଶ୍ନର ଉତ୍ତର ଦ୍ରୌପଦୀଙ୍କ ବର ମନୋନୟନ ପରି ବେଶ୍ ଗୁରୁତ୍ୱପୂର୍ଣ୍ଣ ବିଷୟ। ସତେଯେମିତି ନେତୃସ୍ଥାନୀୟ ବ୍ୟକ୍ତିଙ୍କ ହାତରେ ବହିଟିକୁ ଉନ୍ମୋଚନ କରାଇ, ସେ ଫଟୋଟିକୁ ଖବରକାଗଜରେ ବାହାର କରିଦେଲେ ଲେଖକ ଓ ବହିଟିର ସ୍ୱର୍ଗଲାଭ ସୁନିଶ୍ଚିତ। ଏଇ ପ୍ରସଙ୍ଗରେ ଗୋଟିଏ କୌତୂହଳପ୍ରଦ ଘଟଣା ମନେପଡ଼େ। ଏଇ ୨୦୧୮ ଫେବୃୟାରୀ ଏକ ତାରିଖ ଦିନ ଗୋଟିଏ ଓଡ଼ିଆ ଖବରକାଗଜରେ ସମ୍ପାଦକୀୟରେ ସରକାରୀ ଖର୍ଚ୍ଚରେ “ଦି ଟଲମ୍ୟାନ୍” (ବିଜୁବାବୁଙ୍କ ଜୀବନୀ ସମ୍ବଳିତ ଏକ ଚିତ୍ର ସଂକଳନ) ପୁସ୍ତକର ଉନ୍ମୋଚନ କଥା ପଢ଼ିଥିଲି। ଅବିକଳ ଉଦ୍ଧାର କରିବାର ଆବଶ୍ୟକତା ରହିଛି ବୋଲି ମନେକରୁଛି। “ଏ ବହିରେ ଅଛି କ’ଣଯେ ଜଣେ ଓଡ଼ିଆ ତାକୁ ଖଣ୍ଡପିଛା ପାଞ୍ଚହଜାର ଦେଇ କିଣିବ? ହଁ, ଯଦି ଫ୍ରି ବଣ୍ଟାଯାଏ, ଚଳିବ। ଏ ଆତୁର ଆତଙ୍କ କେବଳ ନିର୍ବାଚନ ଋତୁରେ ଗଜୁରେ। ଉଦ୍‌ଘାଟନର ବିଚିତ୍ର ଏ ସମାବେଶ ଦେଖି ରାଜନୀତିରେ ଛଳନାର କ୍ରୂର କୋମଳ ସ୍ପର୍ଶ ଅନୁଭବ କରିହୁଏ। ଏ ପୁସ୍ତକ କାହିଁକି ହଲନ୍ତା-ଘୋଡ଼ାଙ୍କ କରକମଳରେ ଉଦଘାଟିତ ହେଲା? ଏଥିପାଇଁ ଶ୍ରେୟ ବା ନିନ୍ଦା କେବଳ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚାଙ୍ଗୁଡ଼ିରେ। କେହି ଭାବିପାରନ୍ତି ଯେ ତଥାକଥିତ ଆଦର୍ଶର ନୂଆ ପରିଭାଷା ନିର୍ମାଣ କରିବା ଲାଗି ସେ ବିଜୁବାବୁଙ୍କୁ ଭାରତର ରାଜନୀତିକ ରୂଢ଼ତାର ଉପରକୁ ନେଇଗଲେ।
ବହିର ମାହାତ୍ମ୍ୟ କ’ଣ? ଉତ୍ତରରେ ଆମେ କହିପାରିବା କି- ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଭାଜପାର ପିଣ୍ଡାଉଠା ନେତା ଲାଲକୃଷ୍ଣ ଆଡ଼ଭାନୀ, କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରି, ପୂର୍ବ ପ୍ରଧାନମନ୍ତ୍ରୀ ଏଚ ଡ଼ି ଦେବେଗୌଡ଼ା ହେରିକା ଭୁବନେଶ୍ୱର ଆସି ଏକ ମେଗା-ସୋ’ରେ ଯୋଗ ଦେଇଥିବାରୁ ତାହା ରାଜ୍ୟ ପାଇଁ କୌଣସି ଗୌରବ ବାର୍ତ୍ତା ଶୁଣେଇବ?ଏକଥା ଖୋଦ୍ ଆଡ଼ଭାନୀ ନିଜ ବକ୍ତବ୍ୟରେ କହିଛନ୍ତିଯେ ଯେତେଜଣ ହାତଛୁଇଁ ବହିଟିକୁ ଉନ୍ମେଚାନ କଲେ, ସେମାନେ ଓଡ଼ିଆ ବୁଝନ୍ତିନି।’ ସତରେ ଏକ ଚମତ୍କାର ଉପସ୍ଥାପନା, ଯାହା ଅନେକ କଥା। ପୁସ୍ତକ ଉନ୍ମୋଚନ କରୁଥିବା ଲେଖକମାନଙ୍କୁ ଜଣେଇଦିଏ। ଦୃଢ଼ ସ୍ୱରରେ ଏକଥା ମଧ୍ୟ କୁହାଯାଇପାରେ ଯେ ଓଡ଼ିଆ ବହିମାନଙ୍କର ଅନେକ ଉନ୍ମୋଚକ ସ୍ୱୟଂ ସେ ବହିଟିକୁ ପଢ଼ନ୍ତି ନାହିଁ। କେବଳ ସୂଚୀପତ୍ରଟିରେ ଆଖି ବୁଲେଇ ଦେଇ ସଭାରେ ଚାକୁଳେଇ ଚାକୁଳେଇ ଦି’ପଦ କହି ଲେଖକଙ୍କୁ କୃତାର୍ଥ କରିଦିଅନ୍ତି।
ପ୍ରବନ୍ଧର ଶେଷରେ ପୁଣିଥରେ ସେଇ ପ୍ରଶ୍ନ- କାହା ସ୍ୱାର୍ଥରେ ପୁସ୍ତକ ଉନ୍ମୋଚନ? ଉତ୍ତର କେବଳ ଏତିକିଯେ ଏପରି ପୁସ୍ତକ ଉନ୍ମୋଚନ କେବଳ ଲେଖକକୁ ଖବରକାଗଜ ମାଧ୍ୟମରେ ଏକ ସାମୟିକ ପରିଚିତି ଦେଇଥାଏ। ଲେଖକ ମଧ୍ୟ ନିଜ ଖର୍ଚ୍ଚରେ ଏଭଳି ଭବ୍ୟ ଓ ବର୍ଣ୍ଣାଢ଼୍ୟ ବନ୍ଧୁମିଳନର ଆୟୋଜନ କରିଥିବାରୁ ଆତ୍ମସନ୍ତୋଷ ପାଇଥାନ୍ତି। ଅବଶ୍ୟ ଏହା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର। ତଥାପି ଏଥିରେ ଦ୍ୱିମତ ନାହିଁ ଯେ ବହିର ବିକ୍ରି ବା ପ୍ରସାର ଦିଗରେ ଏପରି ବିଳାସପୂର୍ଣ୍ଣ ଉନ୍ମୋଚନ ଉତ୍ସବ କୌଣସି ପ୍ରକାର ସାହାଯ୍ୟ କରିପାରେ ନାହିଁ।
ଦୀର୍ଘ ତିରିଶିବର୍ଷ ଧରି ଚାଲିଥିବା ଏହି “ପୁସ୍ତକ ଉନ୍ମୋଚନ” ପରମ୍ପରା ବଜାୟ ରହୁ। ଏଥିରେ କାହାରି କିଛି ଆପତ୍ତି ବା ଅଭିଯୋଗ ନାହିଁ। କିନ୍ତୁ ଲେଖକମାନଙ୍କୁ ବିନୀତ ଅନୁରୋଧ, ଏସବୁ ଉନ୍ମୋଚନ ଉତ୍ସବକୁ ଏତେ ବେଶି ବ୍ୟୟବହୁଳ ନକରି ବରଂ ବହିର ଗୁଣାତ୍ମକମାନ ବୃଦ୍ଧି ସଂପର୍କରେ ଚିନ୍ତା କରନ୍ତୁ। ବହିଟି କିପରି ସୁଲଭ ଦରରେ ମିଳିପାରିବ ଓ ପାଠକମାନଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ଯତ୍ନଶୀଳ ହୁଅନ୍ତୁ। ତା’ହେଲେ ବୋଧହୁଏ ଓଡ଼ିଆ ବହିର ଭାଗ୍ୟ ଓ ଭବିଷ୍ୟତ ବଦଳିପାରେ!
ଗିଲ୍‌ବାଖ୍‌ ଷ୍ଟ୍ରାସେ ୯୫ଏ,୪୧୪୬୬ ନଏସ୍‌, ଜର୍ମାନୀ
drrajendradas.germany@ gmail.com

Leave A Reply