ଫୁଟବଲ୍ର କୁହୁକ ଓ ରୋମାଞ୍ଚ
ଅରବିନ୍ଦ ବେହେରା
ଏବେ ଚାଲିଛି ଫିଫା ବିଶ୍ୱକପ୍ ଫୁଟବଲର ଋତୁ। ଜୁନ୍ ୧୪ରୁ ଅାରମ୍ଭ ହୋଇଥିବା ଏହି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଜୁଲାଇ ୧୫ରେ ଶେଷ ହେବ। ରୁଷିଆର ଏଗାରଟି ସହରର ବାରଟି ଷ୍ଟାଡିୟମରେ ଏହି ଖେଳ ଚାଲିଛି ଯାହାକୁ ଉପଭୋଗ କରୁଛନ୍ତି କେବଳ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ନୁହେଁ, ସମଗ୍ର ପୃଥିବୀର ଜନସାଧାରଣ, ଟେଲିଭିଜନ ମାଧ୍ୟମରେ। ଲୋକପ୍ରିୟତା ଏବଂ ଦର୍ଶକମାନଙ୍କର ଆଗ୍ରହ ଦୃଷ୍ଟିକୋଣରୁ ବିଶ୍ୱକପ୍ ଫୁଟବଲ୍ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ବିଶ୍ୱକପ୍ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ୧୯୩୦ ମସିହାରେ। ଚଳିତବର୍ଷ ୩୨ଟି ଦଳ ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶେଷ ପର୍ଯ୍ୟାୟରେ ସାମିଲ ହେବା ପାଇଁ ଦୁଇବର୍ଷ କାଳ ଯୋଗ୍ୟତା ହାସଲ କରିବାର ପ୍ରକ୍ରିୟା ଚାଲୁ ରହିଥାଏ। ମାତ୍ର ତିନି ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଦେଶ ଆଇସଲାଣ୍ଡ ଓ ଅପେକ୍ଷାକୃତ ଅନଗ୍ରସର ଆଫ୍ରିକୀୟ ଦେଶଗୁଡିକ ବିଶ୍ୱକପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିବା ପ୍ରମାଣ କରୁଛି ଯେ ଜନସଂଖ୍ୟା ଓ ଅର୍ଥନୈତିକ ଶକ୍ତି ଫୁଟବଲରେ ସଫଳତା ପାଇଁ ଯଥେଷ୍ଟ ନୁହେଁ। ଯେଉଁ କ୍ରୀଡାରେ ମୁଖ୍ୟତଃ ଇଉରୋପୀୟ ଦେଶମାନେ ସଫଳତା ହାସଲ କରୁଥିଲେ, ଏହା ମଧ୍ୟରେ ପ୍ରଥମେ ଦକ୍ଷିଣ ଆମେରିକା ଓ ପରେ ଆଫ୍ରିକା ଓ ଏସିଆ ପରି ମହାଦେଶ ମଧ୍ୟ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି।
ଜୁନ୍ ୨୮ ତାରିଖରେ ଗ୍ରୁପ୍ ପର୍ଯ୍ୟାୟ ଖେଳ ଶେଷ ହୋଇଛି ଏବଂ ତା’ପରେ ଆରମ୍ଭ ହୋଇଛି ନକ୍ ଆଉଟ ପର୍ଯ୍ୟାୟ। ଗ୍ରୁପ୍ ପର୍ଯ୍ୟାୟରେ ୧୫ ଦିନ ମଧ୍ୟରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ତା’ ପରେ ୧୬ଟି ଜାତୀୟ ଦଳ ରହିଛନ୍ତି ଯେଉଁମାନଙ୍କର ଭାଗ୍ୟ ପରୀକ୍ଷା ଚାଲିଛି ନକ୍ ଆଉଟ ପର୍ଯ୍ୟାୟରେ। ଚଳିତ ବିଶ୍ୱକପ୍ ପ୍ରତିଯୋଗିତାର ଏପର୍ଯ୍ୟନ୍ତ ଘଟିଥିବା ମୁଖ୍ୟ ଘଟଣା ମଧ୍ୟରେ ରହିଛି ଗତ ବିଶ୍ୱକପ୍ ଚମ୍ପିୟାନ ଜର୍ମାନୀର ପରାଜୟ। ରୋନାଲ୍ଡୋ ଓ ମେସିଙ୍କ ଦଳ ଯେପରି ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା ତାହା ହୋଇନାହିଁ। ଯେ କୌଣସି କ୍ରୀଡା, ବିଶେଷକରି ଦଳୀୟ କ୍ରୀଡାରେ ବ୍ୟକ୍ତିଗତ ଉତ୍କର୍ଷର ପ୍ରଦର୍ଶନ ସବୁବେଳେ ସମ୍ଭବ ହୋଇନଥାଏ। ସେହିପରି ତାରକା ଖେଳାଳି ଥିଲେ ଯେ ଦଳ ନିଶ୍ଚୟ ଜିତିବ, ଏଥିରେ ମଧ୍ୟ କୌଣସି ନିଶ୍ଚିତତା ନଥାଏ। ଯେଉଁ ଦଳଟି ନିଶ୍ଚିତ ଜିତିବ ବୋଲି ପୂର୍ବାନୁମାନ ଥାଏ ସେହି ଦଳ ହିଁ ପରାଜିତ ହୋଇପାରେ ଏବଂ ଅପେକ୍ଷାକୃତ ଅଳ୍ପ ଖ୍ୟାତିର ଦଳ ବିଜୟ ଲାଭ କରିପାରେ। ଏହି ଅନିଶ୍ଚିତତା ହିଁ ଫୁଟବଲକୁ ଅଧିକ ରୋମାଞ୍ଚକର କରିଥାଏ।
ବିବିଧ କ୍ରୀଡା ମଧ୍ୟରେ ଫୁଟବଲର ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି। କେତେକଙ୍କ ମତରେ ବିଶ୍ୱକପ୍ କୂଟନୀତିର ଏକ ଭିନ୍ନ ରୂପ। ଆନ୍ତର୍ଜାତିକ ସ୍ତରରେ କ୍ରୀଡାକୁ ଛଳ-ଯୁଦ୍ଧ କୁହାଯାଇଥାଏ। ଏହି କାରଣରୁ ବିଶ୍ୱକପ୍ ପରି ତୀବ୍ର ପ୍ରତିଯୋଗିତାମୂଳକ ଖେଳରେ ବେଳେବେଳେ ଘୃଣା, ଈର୍ଷା, ଅହଂକାର ଓ ହିଂସା ଦେଖାଯାଇଥାଏ। ଏହା ଖେଳ ପଡିଆରେ ହୋଇପାରେ ଓ ପଡିଆ ବାହାରେ ମଧ୍ୟ ହୋଇପାରେ। ଅନ୍ୟପକ୍ଷରେ ବିଶ୍ୱକପ୍ ଫୁଟବଲ୍ ଦେଶଦେଶ ମଧ୍ୟରେ ସୋହାର୍ଦ୍ଦ୍ୟ ଓ ବନ୍ଧୁତା ବଢାଇବାରେ ସାହାଯ୍ୟ କରିଥାଏ।
ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ ପ୍ରଥମ ଦିନର ଖେଳରେ ସାଉଦି ଆରବ ଓ ରୁଷିଆ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟମାନେ ଉପସ୍ଥିତ ଥିଲେ। ରୁଷିଆ ସାଉଦି ଆରବ ବିପକ୍ଷରେ ଗୋଟିକ ପରେ ଗୋଟିଏ ଗୋଲ୍ ଦେଉଥିବା ବେଳେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ନୀରବ ଭାବ ବିନିମୟ ଯେଉଁମାନେ ଲକ୍ଷ୍ୟ କରିଥିବେ ସେମାନେ ନିଶ୍ଚୟ ଉପଲବ୍ଧି କରିଥିବେ ଉପରୋକ୍ତ ଉକ୍ତିର ସତ୍ୟତା। ଫକ୍ଲାଣ୍ଡ ଯୁଦ୍ଧରେ ଆର୍ଜେଣ୍ଟିନା ଇଂଲଣ୍ଡଠାରୁ ପରାଜିତ ହେବାର ଚାରି ବର୍ଷ ପରେ ମେକ୍ସିକୋରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ପ୍ରତିଯୋଗିତାରେ ଆର୍ଜେଣ୍ଟିନା ଦଳର ଅଧିନାୟକତ୍ୱ କରିଥିଲେ ଡିଏଗୋ ମାରାଡୋନା। ଏହି ପ୍ରତିଯୋଗିତାରେ ଆର୍ଜେଣ୍ଟିନା କେବଳ ଇଂଲଣ୍ଡକୁ ପରାସ୍ତ କରିନଥିଲା, ଏହି ଦେଶ ବିଶ୍ୱକପ୍ ମଧ୍ୟ ଜିତିଥିଲା। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହି ବିଜୟ ଆର୍ଜେଣ୍ଟିନା ପାଇଁ ଥିଲା ଫକ୍ଲାଣ୍ଡ ଯୁଦ୍ଧରେ ପରାସ୍ତ ହେବାର ପ୍ରତିଶୋଧ।
କେତେକଙ୍କ ମତରେ ଫୁଟବଲ୍ ଏକ ଧର୍ମନିରପେକ୍ଷ ଧର୍ମ। ଜାତି, ଧର୍ମ ଓ ଶ୍ରେଣୀ ନିର୍ବିଶେଷରେ ଫୁଟବଲ୍ ଏକ ଲୋକପ୍ରିୟ କ୍ରୀଡା। ଯଦିଓ ବିଶ୍ୱକପ୍ ବିଭିନ୍ନ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ଏକ ଉଦ୍ଦାମ ଜାତୀୟତାଭାବ ସୃଷ୍ଟି କରେ, ଅନେକ ଦେଶର ଦଳରେ ଦେଖାଯାଆନ୍ତି ବିଭିନ୍ନ ବର୍ଣ୍ଣର ମନୁଷ୍ୟ ଗୋଷ୍ଠୀମାନଙ୍କର ପ୍ରତିନିଧି, ଯେଉଁମାନେ ଅନ୍ୟସ୍ଥାନରୁ ଆସି ମଧ୍ୟ ଆଉ ଏକ ଦେଶକୁ ସଂପୂର୍ଣ୍ଣ ନିଜର କରି ନେଇଥାନ୍ତି । ଯେପରି ଏଥରର ବିଶ୍ୱକପ୍ ପ୍ରତିଯୋଗିତାରେ ଫ୍ରାନ୍ସ ଦଳରେ ବହୁସଂଖ୍ୟାର ଖେଳାଳି ଅଛନ୍ତି, ଯେଉଁମାନେ ଆଫ୍ରିକା ମହାଦେଶର ମୂଳ ଅଧିବାସୀ।
କେତେକ କହନ୍ତି ଫୁଟବଲ୍ ଏକ କଳା। ଯେଉଁମାନେ ବିଶ୍ୱକପ୍ ବିଭିନ୍ନ ମ୍ୟାଚରେ ହୋଇଥିବା ଗୋଲଗୁଡିକୁ ଏକାଗ୍ରତା ସହିତ ଲକ୍ଷ୍ୟ କରିଥିବେ ସେମାନେ ଅନୁଭବ କରିଥିବେ ଏହି ଗୋଲଗୁଡିକ ମଧ୍ୟରୁ ବେଶ୍ କେତୋଟି ସାଧାରଣ ଦର୍ଶକମାନଙ୍କ ପାଇଁ ଥିଲା ସଂପୂର୍ଣ୍ଣ ଅସମ୍ଭବ, କୁହୁକ ପରି। ଏହି ଗୋଲଗୁଡିକ ସମ୍ଭବ ହୋଇପାରେ କେବଳ ସୃଜନଶୀଳତାର ଶୀର୍ଷରେ, କଳାତ୍ମକତାର ଚରମ ପ୍ରଦର୍ଶନରେ। ବ୍ରାଜିଲର ଖେଳାଳି ପେଲେ, ଆର୍ଜେଣ୍ଟିନାର ମାରାଡୋନା, ଫ୍ରାନସର ଜିନେଡାଇନ୍ ଜିଡାନ୍, ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ, ନାଇଜେରିଆର ମୂଷା, ଫ୍ରାନସର ଏମ୍ବାପେ, ଆର୍ଜେଣ୍ଟିନାର ମେସି ପ୍ରମୁଖ ଯେପରି ପ୍ରତିନିଧିତ୍ୱ କରନ୍ତି ଫୁଟବଲର ଏହି ରୂପକୁ, ଯାହା କଳା ବ୍ୟତୀତ ଆଉ କିଛି ନୁହେଁ। ୧୯୭୪ ବିଶ୍ୱକପ୍ ପ୍ରତିଯୋଗିତାରେ ଜର୍ମାନୀର ଜୋହାନ୍ କ୍ରୁଇଫ୍ ସ୍ୱିଡେନ ବିପକ୍ଷରେ ଯେଉଁ ଗୋଲ୍ଟିଏ ଦେଇଥିଲେ ତାହା ସବୁଦିନ ପାଇଁ ତାଙ୍କୁ ଅମର କରି ଦେଇଥିଲା। ସେ ଗୋଟିଏ କୋଣରୁ ସ୍ୱିଡେନର ଗୋଲପୋଷ୍ଟରୁ ଦୂରକୁ ଯାଉଥିବା ପରି ଯେତେବେଳେ ମନେ ହେଉଥିଲା, ହଠାତ୍ ବଲଟିକୁ ପଛକୁ ପଠାଇ, ନିଜେ ସଂପୂର୍ଣ୍ଣ ବୁଲିଯାଇ ଗୋଲ୍ ନିକଟରେ ପହଞ୍ଚି ଯାଇଥିଲେ ଓ ଗୋଲ୍ କରିବାରେ ସମର୍ଥ ହୋଇଥିଲେ। ଗୋଟିଏ ମୂହୁର୍ତ୍ତରେ ମନେ ହେଲା ଯେପରି ସେ ଏକା ସମୟରେ ଦୁଇଟି ଦିଗରେ ବଲକୁ ନେଇ ଆଗେଇ ଯାଉଛନ୍ତି। କ୍ରୁଇଫ୍ଙ୍କର ନିଜ ମତରେ ଏପରି ଏକ ସମ୍ଭାବନା ସେ ପୂର୍ବରୁ କଳ୍ପନା କରିନଥିଲେ ବା ସେଥିପାଇଁ ଅଭ୍ୟାସ ମଧ୍ୟ କରିନଥିଲେ। ଫୁଟବଲ୍ କେତେ କଳାତ୍ମକ ହୋଇପାରେ କ୍ରୁଇଫ୍ଙ୍କର ଗୋଲ୍ ଥିଲା ତାହାର ଏକ ଅନନ୍ୟ ଉଦାହରଣ। ଖେଳ ଚାଲିଥିବା ସମୟରେ ହଠାତ୍ ଦିଗ ପରିବର୍ତ୍ତନ କରିବା ‘କ୍ରୁଇଫ୍ ଟର୍ଣ୍ଣ’ ଭାବରେ ପରିଚିତ ହେଲା ଏବଂ ଏହାକୁ ପରବର୍ତ୍ତୀ ସମୟରେ ଅନେକ ଖେଳାଳି ଅନୁକରଣ କରିବାକୁ ଚେଷ୍ଟା କଲେ।
ପାସ୍ ଦେବାରେ ଅବିକଳତା, ବଲ୍ ଉପରେ ନିୟନ୍ତ୍ରଣ, ଫ୍ରି କିକ୍ ଓ ସର୍ବୋପରି ଖେଳର ଉତ୍ତେଜକ ବେଗ ଫୁଟବଲକୁ ଏକ ଭିନ୍ନ ସ୍ତରକୁ ନେଇଯାଏ – କେତେବେଳେ ସିମ୍ଫୋନୀ ଅର୍କେଷ୍ଟ୍ରା ପରି, ପୁଣି କେତେବେଳେ ପପ୍ ଗାୟକ ମାଇକେଲ୍ ଜ୍ୟାକସନଙ୍କର ମଞ୍ଚ ଉପରେ ମୁନ୍ ୱାକ୍ ପରି। ଖେଳ ଚାଲିଥିବାବେଳେ ମନେ ହୁଏ ଯେପରି ଏହା ହେଉଛି ଏକ ଚଳମାନ କବିତା, ଉଚ୍ଚତମ ମାନବିକ ସମ୍ଭାବନାର ବାସ୍ତବ ଉପଲବ୍ଧି।
ଆଉ କେତେକ କହନ୍ତି ଫୁଟବଲ୍ ଏକ ଦର୍ଶନ। ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ଓ ଦାର୍ଶନିକ ଆଲବେୟାର କାମ୍ୟୁ ଯିଏ ନିଜେ ଆଲଜେରିଆ ଦଳର ଗୋଲକିପର ଥିଲେ, ଫୁଟବଲର ପ୍ରଗାଢ ଗଭୀରତାକୁ ମଧ୍ୟ ସେ ଉପଲବ୍ଧି କରିଥିଲେ। ବ୍ୟକ୍ତିର ବିବେକ ଓ ମଣିଷର ଉଦ୍ଭଟ ସ୍ଥିତି ଯାହାଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା, ସେ ଗୋଲରକ୍ଷକ ଭାବରେ ଗୋଲ୍ ପୋଷ୍ଟ ସାମ୍ନାରେ ଛିଡା ହୋଇ ନିଜ ସ୍ଥିତିର ଉଦ୍ଭଟତା ସଂପର୍କରେ ଚିନ୍ତା କରୁଥିଲେ। କାମ୍ୟୁ କହିଥିଲେ ‘ମୁଁ ଦୃଢ ଭାବରେ କହିପାରେ, ନୈତିକତା ଓ ଦାୟିତ୍ୱବୋଧ ସଂପର୍କରେ ମୁଁ ଯାହା ଜାଣିଛି ତାହା କେବଳ ଫୁଟବଲ୍ ଯୋଗୁଁ ହିଁ ସମ୍ଭବ ହୋଇଛି।’ ବିଖ୍ୟାତ ରୁଷୀୟ ଲେଖକ ନବୋକୋଭ ଗୋଲକିପରକୁ ନେଇ ତାଙ୍କର ଭାବନା ପ୍ରକାଶ କରିଛନ୍ତି। ତାଙ୍କ ପାଇଁ ଗୋଲକିପର ହେଉଛି ଜଣେ ‘ଏକାକୀ ଇଗଲ୍, ରହସ୍ୟର ମଣିଷ, ଶେଷ ରକ୍ଷାକର୍ତ୍ତା।’ ସ୍ପାନିଶ୍ ଉପନ୍ୟାସକାର ଜାଭିୟର ମାରିଆ କହନ୍ତି ଗୋଲଗୁଡିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ମହାନ୍ ଗୋଲ୍, ବିସ୍ମୟଜନକ ଗୋଲ୍ ଏବଂ ଅଲୌକିକ ଗୋଲ୍। ଅଲୌକିକ ଗୋଲଗୁଡିକ ପ୍ରକୃତରେ ଅକଳ୍ପନୀୟ, ଆକାଶରୁ ଖସିପଡିଥିବା ଉପହାର ପରି। ଡୁବୟେସ କହନ୍ତି ଫୁଟବଲ୍ ହିଁ ଏହିପରି ଏକ ଉପହାର। ଯେହେତୁ ଏହା ହେଉଛି ସୌନ୍ଦର୍ଯ୍ୟର ସନ୍ଧାନ ପାଇଁ, ଉତ୍ତରଣ ପାଇଁ, ଉଲ୍ଲାସର ମୁହୂର୍ତ୍ତରେ ଅନ୍ୟମାନଙ୍କ ସହ ଆଧ୍ୟାତ୍ମିକ ଘନିଷ୍ଠତା ପ୍ରକାଶ ପାଇଁ – ଏଗୁଡିକ ହିଁ ଆମକୁ ବାରମ୍ବାର ଫୁଟବଲ୍ ଆଡକୁ ଆକର୍ଷିତ କରନ୍ତି। ଫୁଟବଲ୍ ଓ ରାଜନୀତିର ଅଧ୍ୟାପକ ଡୁବୟେସଙ୍କ ମତରେ ଫୁଟବଲ୍ ହେଉଛି ଏକ ‘ଆଇଡିଆ’। ସାହିତ୍ୟ ତତ୍ତ୍ୱବିତ୍ ହାନ୍ସ୍ ଗମ୍ବ୍ରେକ୍ଟ କହନ୍ତି : ‘ମନୋରମ ଖେଳରେ ଏକ ସମୟ ଓ ସ୍ଥାନରେ ଏକାଧିକ ଖେଳାଳି ହଠାତ୍ ଓ ବିସ୍ମୟଜନକ ଭାବେ ଏକାଠି ହୋଇଯାଆନ୍ତି, ବିଜ୍ଞବ୍ୟକ୍ତିମାନଙ୍କ ସମ୍ମୁଖରେ ଶିଶୁ ଯୀଶୁଖ୍ରୀଷ୍ଟଙ୍କର ଆବିର୍ଭାବ ପରି।’
ବ୍ରାଜିଲର ବିଶିଷ୍ଟ ଫୁଟବଲ ଖେଳାଳି ଓ ୧୯୮୨ ବିଶ୍ୱକପ୍ ପ୍ରତିଯୋଗିତାରେ ନିଜ ଦଳର ନେତୃତ୍ୱ ନେଇଥିବା ସକ୍ରେଟିସ୍ (ଗ୍ରୀକ୍ ଦାର୍ଶନିକ ନୁହେଁ) ଥିଲେ ଜଣେ ଦାର୍ଶନିକ ମନୋଭାବର ବ୍ୟକ୍ତି, ଯେ ନିୟମିତ ଭାବରେ ଗତ ଶତାବ୍ଦୀର ସତୁରି ଓ ଅଶୀ ଦଶକରେ ବ୍ରାଜିଲ୍ ଦେଶର ସାମରିକ ଶାସକଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁଥିଲେ। ଚେ ଗୁଏଭେରା, ଫିଡେଲ୍ କାଷ୍ଟ୍ରୋ ଓ ବିଟଲସ ଗାୟକ ଜନ୍ ଲେନନ୍ ଥିଲେ ତାଙ୍କର ଆଦର୍ଶ। ସେ ଚିତ୍ତାକର୍ଷକ ଫୁଟବଲ୍ କ୍ରୀଡାର ରୋମାଣ୍ଟିକ ଦିଗଟିର ପ୍ରତିନିଧିତ୍ୱ କରୁଥିଲେ। ତାଙ୍କଠାରେ ଦେଖାଯାଉଥିଲା ବୁଦ୍ଧି ଓ ବୈଷୟିକ ଉଜ୍ବଳତାର ଅସାଧାରଣ ସମନ୍ୱୟ। ଜିନେଡାଇନ୍ ଜିଡାନ୍ କେବଳ ଫ୍ରାନସର ସବୁଠାରୁ ଉଚ୍ଚକୋଟୀର ଖେଳାଳି ନଥିଲେ, ସେ ଥିଲେ ଜଣେ ପ୍ରଚୁର ପ୍ରତିଭାଧାରୀ ଦୁର୍ବୋଧ୍ୟ ବ୍ୟକ୍ତିତ୍ୱ।
ଏବେ ଆମେ ଦୃଷ୍ଟିପାତ କରିବା ଆମ ନିଜ ଦେଶର ଫୁଟବଲର ସ୍ଥିତି ସଂପର୍କରେ। ପୃଥିବୀର ୨୧୦ଟି ଦେଶ ଫୁଟବଲ୍ ଖେଳନ୍ତି ଏବଂ ତନ୍ମଧ୍ୟରୁ ୧୯୦ଟି ଦେଶ ଏହାକୁ ଜାତୀୟ କ୍ରୀଡା ଭାବରେ ବିବେଚନା କରନ୍ତି। ବିଭିନ୍ନ କାରଣରୁ ଭାରତ ଫୁଟବଲରେ ଏକ ବିଶ୍ୱସ୍ତରୀୟ ଦଳ ସୃଷ୍ଟି କରିପାରି ନାହିଁ। ସର୍ବଭାରତୀୟ ଫୁଟବଲ୍ ଆସୋସିଏସନର ଜଣେ କର୍ମକର୍ତ୍ତାଙ୍କ ମତରେ ୨୦୨୬ ବେଳକୁ ହୁଏତ ଆମ ଦେଶ ବିଶ୍ୱକପରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିପାରେ। ଅବଶ୍ୟ ଏଥିପାଇଁ ଭାରତକୁ ଆହୁରି ଅନେକ ଦେଶ ସହିତ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡିବ। ଏବର୍ଷର ବିଶ୍ୱକପ୍ ସ୍ୱଚକ୍ଷୁରେ ଦେଖିବା ପାଇଁ ପ୍ରାୟ ଚଉଦ ହଜାର ପ୍ରଶଂସକ ରୁଷିଆ ଯାଇଥିବାର ତଥ୍ୟ ମିଳିଛି; କିନ୍ତୁ ପୂର୍ବେ ଫୁଟବଲ୍ ଖେଳରେ ଛାତ୍ର ଓ ଯୁବକମାନଙ୍କର ଯେତିକି ଆଗ୍ରହ ଓ ଉତ୍ସାହ ଥିଲା ତାହା ଏବେ ଦେଖିବାକୁ ମିଳୁନାହିଁ। ଏହି କାରଣରୁ କେତେକ ପରାମର୍ଶ ଦିଅନ୍ତି ଯେ ଭାରତ ବିଶ୍ୱକପର ସ୍ୱପ୍ନ ନଦେଖି ବରଂ ଫୁଟବଲକୁ ବ୍ୟାପକ ଭାବରେ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ଏବଂ ସେଥିପାଇଁ ଭିତ୍ତିଭୂମି ଓ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ। ଭାରତୀୟ ଦର୍ଶନର ମହାନ୍ ପ୍ରବକ୍ତା ସ୍ୱାମୀ ବିବେକାନନ୍ଦ ଆତ୍ମ ବିଶ୍ୱାସ ଓ ଶାରୀରିକ ଶକ୍ତି ପାଇଁ ଅଧ୍ୟାତ୍ମମନସ୍କ ନ ହୋଇ ଫୁଟବଲମନସ୍କ ହେବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଇଥିଲେ। ଉଗ୍ର ଜାତୀୟତାବାଦର ବହ୍ନିକୁ ଅଧିକ ତେଜୀୟାନ କରିବା ପାଇଁ ନୁହେଁ, ବରଂ କ୍ରୀଡାର ସମୁଚିତ ମୂଲ୍ୟକୁ ଆବିଷ୍କାର କରିବା ପାଇଁ ଆମକୁ ଫୁଟବଲମନସ୍କ ହେବାକୁ ପଡିବ।