ଧବଳେଶ୍ୱର କଂକ୍ରିଟ ସେତୁରେ ଆଲୋକିକରଣ ବ୍ୟବସ୍ଥା ପାଇଁ ଦାବି

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଯିବା ପାଇଁ ନିର୍ମିତ ହୋଇଥିବା କଂକ୍ରିଟ ସେତୁ ସଞ୍ଜ ହେଲେ ଅନ୍ଧାର ହୋଇପଡୁଛି । ଯାହା ଫଳରେ କି ଶ୍ରଦ୍ଧାଳୁମାନେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବୁଲାଗାଈଗୋରୁ ଓ ଷଣ୍ଢର ଗୋବର ସାଙ୍ଗକୁ ଅନେକ ସମୟରେ ସରୀସୃପ ମଧ୍ୟ ସେତୁ ଉପରକୁ ପଳାଇଆସୁଛନ୍ତି। ଯାହାଦ୍ୱାରା କି ଶ୍ରଦ୍ଧାଳୁମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷତଃ ବରିଷ୍ଠ ନାଗରିକମାନେ ପ୍ରଭୁଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରି ଫେରିବା ସମୟରେ ସେତୁରେ ଆଲୋକ ବ୍ୟବସ୍ଥା ନଥିବାରୁ ଝୁଣ୍ଟି ଆହତ ହେଉଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି କଂକ୍ରିଟ ସେତୁ ଉପରେ ସ୍ଥାୟୀ ଆଲୋକିକରଣ ବ୍ୟବସ୍ଥା କରିବା ପାଇଁ ଧବଳେଶ୍ୱର ସେବା ସଂସ୍ଥାର ସଭାପତି କିରଣ ବିହାରୀ ଖଟୁଆ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ କଂକ୍ରିଟ ସେତୁ ହେବା ଫଳରେ ଦୈନିକ ଶହଶହ ଶ୍ରଦ୍ଧାଳୁ ପୀଠକୁ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଆସୁଛନ୍ତି । ପୂଜାର୍ଚ୍ଚନା ପାଇଁ ଛୋଟପିଲା ଓ ବରିଷ୍ଠ ନାଗରିକମାନେ ମଧ୍ୟ ପୀଠକୁ ଆସିଥାନ୍ତି। ରାଜ୍ୟର ଏକ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ହୋଇଥିଲେ ମଧ୍ୟ ମହାନଦୀରେ ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁ ଉପରେ ନୀତିଦିନିଆ ଆଲୋକ ବ୍ୟବସ୍ଥା ନକରିବା ପ୍ରଶାସନର ଅଦୂରଦର୍ଶିତା ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଶ୍ରୀ ଖଟୁଆ ଦୃଷ୍ଟି ଆକର୍ଷଣ କରିଛନ୍ତି।

Comments are closed.