କାମବାଲୀ ଓ କାମବାଲାଙ୍କ ସାମାଜିକ ସୁରକ୍ଷା

0

ପ୍ରଭାସ ଆଚାର୍ଯ୍ୟ

prayash

ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଆଦି ସହରରେ ରହୁଥିବା ବହୁ ଓଡିଆ ଯୁବକ ଯୁବତୀ ବିବାହ ପରେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଯେତେବେଳେ ନୂଆନୂଆ ଚାକିରିରେ ପ୍ରବେଶ କରନ୍ତି ସେତେବେଳେ ସପ୍ତାହାନ୍ତ ସମୟ କାଟିବା ପାଇଁ ବ୍ୟାକୁଳ ପ୍ରତୀକ୍ଷା ଥାଏ। ସାମାଜିକ ଗଣମାଧ୍ୟମ ସହ ସଂପୃକ୍ତି, ସିନେମା, ପପ୍‌ ଓ ନୃତ୍ୟଶାଳାରେ ଅଧିକାଂଶଙ୍କର ସମୟ ବିତିଯାଏ। ବେସରକାରୀ ଅନୁଷ୍ଠାନ ଓ ପ୍ରତିଷ୍ଠାନମାନଙ୍କରେ ସରକାରୀ ଚାକିରି ଭଳି ଯଥେଷ୍ଟ ଛୁଟି ନଥିବାରୁ କାର୍ଯ୍ୟରତ ପ୍ରଯୁକ୍ତିବିତ୍‌ମାନେ ଘରକୁ ଖୁବ୍‌ କମ୍‌ ଆସିଥାଆନ୍ତି। ବହୁ କ୍ଷେତ୍ରରେ ସେହି ସମାନ ପେସାରେ ଥିବା ଯୁବକଯୁବତୀମାନେ ପରସ୍ପରକୁ ବିବାହ କରୁଥିବା ଦେଖାଦେଇଥାଏ। ତେବେ ବିବାହପରେ ଚାକିରି ସହିତ ନୂତନ ସଂସାରଟିଏ ଗଢିବା ବେଳକୁ ଆରମ୍ଭହୁଏ ମତାନ୍ତର ଓ ମନାନ୍ତର। ସେତେବେଳେ ଲୋଡାପଡନ୍ତି ବୟସ୍କ ମା’ବାପା ଓ ଶାଶୂ ଶ୍ୱଶୁରମାନେ । ସେହି ମୁକ୍ତ ବାପା ମାଆ କିଛିମାତ୍ରାରେ ସାହାଯ୍ୟ କରିପାରନ୍ତି ସିନା, କିନ୍ତୁ ଯେଉଁମାନେ ଅନ୍ୟାନ୍ୟ ଜଂଜାଳରେ ବୁଡି ରହିଥାନ୍ତି ସେମାନେ ସାହାଯ୍ୟ ନ କରିପାରିବାରୁ ପିଲାମାନେ ଏ ଦିଗରେ ସାହାଯ୍ୟ ଖୋଜିଥାଆନ୍ତି ଜଣେ ଘରୋଇ ସହାୟକ। ଆମ ରାଜ୍ୟରେ ମଧ୍ୟ ପତିପତ୍ନୀ ଉଭୟ ଚାକିରି କରୁଥିବା କ୍ଷେତ୍ରରେ ଘରୋଇ ସହାୟକ ଉପରେ ନିର୍ଭରଶୀଳତା ବଢିଥାଏ।
ଯୌଥ ପରିବାରର ଧାରା କେବେଦିନେ ଭାରତୀୟ ସଂସ୍କୃତିର ମେରୁଦଣ୍ଡ ଥିଲା, କିନ୍ତୁ ସାଂପ୍ରତିକ ସମୟରେ ବିଭନ୍ନ କାରଣରୁ ତାହା ଭାଙ୍ଗିଯାଇ ଏବେ ନିଉକ୍ଲିଅସ୍‌ (ନାଭିକୀୟ) ପରିବାର ଆମର ଆଦର୍ଶ ହୋଇଛି। ଏହାଦ୍ୱାରା ପରିବାରର ନିର୍ଭରଶୀଳତା ବୃଦ୍ଧିପାଇଛି। ଯୌଥପରିବାର ଘରେ ବୟସ୍କମାନେ ଅନେକ ଦାୟିତ୍ୱ ମୁଣ୍ଡାଇବା ସହିତ ଛୋଟବଡ ବହୁ କର୍ତ୍ତବ୍ୟ ସେମାନେ ସଂପାଦନ କରୁଥିଲେ। ଯେକୌଣସି ଝଡଝଞ୍ଜା ଆସିଲେ ତା’କୁ ସମ୍ମୁଖୀନ ହେବାପାଇଁ ଅନେକ ଲୋକ ରହୁଥିଲେ, କିନ୍ତୁ ନିୟୁକ୍ଲିୟସ ପରିବାର ଯେଉଁଥିରେ କେବଳ ସ୍ୱାମୀ,ସ୍ତ୍ରୀ ଓ ତାଙ୍କର ଜନ୍ମିତ ସନ୍ତାନସନ୍ତତି ଥାଆନ୍ତି ସେଠାରେ ବାହ୍ୟ ସମସ୍ୟା ତ ଦୂରର କଥା, ଘରଭିତରର ଦୈନନ୍ଦିନ ଆବଶ୍ୟକତା ପରିପୂରଣ କରିବା କଷ୍ଟକର ହୋଇଥାଏ। ଏପରି ପରିବାରରେ ପିଲାମାନେ ସ୍ୱାର୍ଥପର ହେବା ସହିତ ଅଧିକ ନିର୍ଭରଶୀଳ ହୁଅନ୍ତି, ଅନ୍ୟଠାରୁ ଧ୍ୟାନ ଆକର୍ଷଣ କରିଥାଆନ୍ତି। ସେମାନଙ୍କ ପାଇଁ ଶୈଶବ ସମୟରେ ଯତ୍ନର ଅଧିକ ଆବଶ୍ୟକତା ଥାଏ। ଏବେ ନିୟୁକ୍ଲିୟସ ପରିବାର ସଂଖ୍ୟା ବୃଦ୍ଧି ସହିତ ଭାରତରେ ଘରୋଇ ସହାୟକଙ୍କ ସଂଖ୍ୟା ବହୁଗୁଣିତ ହୋଇଛି। ଏହି ମହିଳାମାନେ ରୋଷେଇ,ଲୁଗାଧୁଆ, ଘରସଫା, ବଗିଚାକାମ ଓ ବଜାରରୁ ଜିନିଷପତ୍ର କିଣାକିଣି କରିବା ସହିତ ଅନ୍ୟାନ୍ୟ ଘରୋଇ କାର୍ଯ୍ୟରେ ସହାୟତା କରିଥାଆନ୍ତି। ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ ନେବା ମଧ୍ୟ ସେମାନଙ୍କ ହାତରେ ସମର୍ପିତ। ଏପରି ସହାୟକମାନେ ଦୈନନ୍ଦିନ ଭିତ୍ତିରେ ଘରକୁ ଯିବା ଆସିବାକରି ତାଙ୍କ କାର୍ଯ୍ୟ ସଂପାଦନ କରୁଥିବାବେଳେ ଅନ୍ୟ କେତେକ କାମକରୁଥିବା ମାଲିକଙ୍କ ଘରେ ରହିଥାଆନ୍ତି।
୧୮୨୩ ମସିହାରେ ଯୁକ୍ତରାଜ୍ୟର ମାଷ୍ଟର ଆଣ୍ଡ ସରଭ୍ୟାଣ୍ଟ ଆକ୍ଟ ହେଉଛି ବିଶ୍ୱର ପ୍ରଥମ ଆଇନ ଯାହା ନିଯୁକ୍ତିଦାତା ଓ ଚାକରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଆଇନ ଅବଶ୍ୟ ମାଲିକମାନଙ୍କୁ ସୁହାଇଲାଭଳି ତିଆରି ହୋଇଥିଲା। ତେବେ ୨୦୧୧ ମସିହା ଜୁଲାଇ ମାସରେ ଜେନିଭାସ୍ଥିତ ଅନ୍ତର୍ଜାତୀୟ ଶ୍ରମିକ ସମ୍ମିଳନୀରେ ଏକ ସିଦ୍ଧାନ୍ତ ନିଆଯାଇ ଘରୋଇ କାର୍ଯ୍ୟରେ ନିଯୁକ୍ତ ଶ୍ରମିକମାନେ ସାଧାରଣ ଶ୍ରମିକମାନଙ୍କ ଭଳି ଅଧିକାର ପାଇବେ ବୋଲି ସ୍ଥିର ହୋଇଛି। ଏହି ଶ୍ରମିକମାନେ ସପ୍ତାହକୁ ୨୪ ଘଣ୍ଟାର ଛୁଟି ପାଇବେ। ସେମାନେ ସର୍ବନିମ୍ନ ମଜୁରି ପାଇବାକୁ ହକ୍‌ଦାର। ଛୁଟିବେଳେ କେଉଁଠି ରହିବେ ତାହା ତାଙ୍କର ଇଚ୍ଛାଧୀନ ଓ କାମପରେ ମାଲିକଙ୍କ ଘରେ ରହିବାକୁ ସେମାନେ ବାଧ୍ୟ ନୁହନ୍ତି। ବିଶ୍ୱରେ ଥିବା ପାଖାପାଖି ୮୦ନିୟୁତ ଘରୋଇ ସହାୟକଙ୍କ ସ୍ୱାର୍ଥପାଇଁ ଏହା ଉଦ୍ଦିଷ୍ଟ ଥିଲା ଅନ୍ତର୍ଜାତୀୟ ଶ୍ରମିକ ସଂଗଠନର ସର୍ବେକ୍ଷଣ ଅନୁଯାୟୀ ଘରୋଇ ସହାୟକଙ୍କ ଭିତରୁ ଅଧିକାଂଶ (୮୩%)ହେଉଛନ୍ତି ମହିଳା। ସେମାନଙ୍କ ଭିତରୁ ଅଧିକାଂଶଙ୍କୁ ପ୍ରସବକାଳୀନ ଛୁଟି ମଧ୍ୟ ମିଳି ନଥାଏ।
ଏହା ଏକ ଅସଂଗଠିତ କ୍ଷେତ୍ର ହୋଇଥିବାରୁ ତଥା କର୍ମ ପରିସର ସ୍ପର୍ଶକାତର ହୋଇଥିବାରୁ ଏହି ଶ୍ରମିକମାନେ ପ୍ରାୟତଃ ସାପ୍ତାହିକ ଛୁଟି,ସଂଗଠନ କରିବାରେ ସ୍ୱାଧୀନତା ତଥା ମିଳିତଭାବେ ମୂଲଚାଲ କରିବାର ଅଧିକାର ମଧ୍ୟ ପାଇନଥାନ୍ତି। ଘରୋଇ ସହାୟକମାନଙ୍କର ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ ମଧ୍ୟ ପ୍ରାୟତଃ ସେମାନେ ହିଁ ବହନ କରିଥାଆନ୍ତି। ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ନଥିବାରୁ ସେମାନେ ଚାକିରି ହରାଇଲେ ସବୁକିଛି ଶେଷ ହୋଇ ଯାଇଥାଏ। ଅତ୍ୟଧିକ ସ୍ୱାସ୍ଥ୍ୟହାନି ହେଲେ ମାଲିକମାନେ ଚାକିରିରୁ ବହିଷ୍କାର କରିଥାଆନ୍ତି। ଭବିଷ୍ୟନିଧି ପାଣ୍ଠି ସହିତ ସେମାନଙ୍କୁ ଯୋଡାଯାଉ ନଥିବାରୁ ସାରାଜୀବନ ସେମାନେ ଆର୍ଥିକ ଦୃଷ୍ଟିରୁ ଅନିଶ୍ଚତତା ଭିତରେ ଜିଇ ଥାଆନ୍ତି।
ଭାରତରେ ପାଖାପାଖି ୪ ନିୟୁତ ଘରୋଇ ସହାୟକ ଥିବାର ସୂଚନା ଦିଏ ୨୦୧୧ର ଏନ୍‌.ଏସ୍‌.ଏସ୍‌.ଓ ସର୍ବେକ୍ଷଣ। ତେବେ ଶ୍ରମିକ ସଂଗଠନମାନଙ୍କ କହିବା ଅନୁସାରେ ଏହି ସଂଖ୍ୟା ୧୦ନିୟୁତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଛୁଆବର୍ଗର ଭୂମିହୀନ, ଦଳିତ ବା ଆଦିବାସୀ। ପ୍ରାୟତଃ ସେମାନେ ପ୍ରବାସୀ। ଅଧିକାଂଶ ମହିଳା। ଏହି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷଲକ୍ଷ ଲୋକଙ୍କ ପାଇଁ ନିର୍ଦିଷ୍ଟ ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ସେମାନେ ବିଭିନ୍ନ ଭାବରେ ନିର୍ଯାତିତ ହେଉଛନ୍ତି। ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ଏ କ୍ଷେତ୍ରରେ ସର୍ବାଧିକ। ଆମ୍ଭେମାନେ ଘରୋଇ ସହାୟକଙ୍କୁ ମାଡ, ଚେଙ୍ଖ, ଗାଳିଫଜିତ୍‌ ଆଦି ବିଭିନ୍ନ ନିର୍ଯାତନା ସଂପର୍କରେ ଗଣମାଧ୍ୟମରେ ସମ୍ବାଦ ପାଉ। ତେବେ ଯେତିକି ସଂଖ୍ୟକ ନିର୍ଯାତନାର କଥା ପଦାକୁ ଆସେ ତା’ଠାରୁ ବାସ୍ତବ ନିର୍ଯାତନାର ମାତ୍ରା ବହୁ ଅଧିକ। ଏହାର କାରଣ ହେଉଛି ସହାୟକ ବା ସହାୟିକାମାନେ ପ୍ରଥମତଃ ପ୍ରବାସୀ। ଦ୍ୱିତୀୟତଃ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ। ତୃତୀୟରେ ରୋଜଗାର ହରାଇବାର ଭୟ। ଅସଂଗଠିତ ଶ୍ର୍ରମିକ ସାମାଜିକ ନିରାପତ୍ତା ଆଇନ ୨୦୦୮ ଓ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ ୨୦୧୩ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ଦେଇପାରେ ସତ, କିନ୍ତୁ ଘରୋଇ ସହାୟକଙ୍କର ପଞ୍ଜୀକରଣ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ସାକ୍ଷୀ ପ୍ରମାଣ ଯୋଗାଡକରି କୌଣସି ନିଯୁକ୍ତି ଦାତାଙ୍କ ବିରୋଧରେ ନିର୍ଯାତନା ବିରୁଦ୍ଧରେ ନାଲିସ୍‌ କରି ବିଜୟ ହାସଲ କରିବା କ୍ଷୀଣ। ପରବର୍ତ୍ତୀ ସମୟରେ କେନ୍ଦ୍ରସରକାର ଘରୋଇ ସହାୟକଙ୍କ ପାଇଁ ମଧ୍ୟ ୨୦୧୦ରେ ଆଉ ଏକ ଅଧିନିୟମ ପ୍ର୍ରଣୀତ କଲେ। ତେବେ ରାଜ୍ୟ ସରକାର କେନ୍ଦ୍ରର ଏହାପାଇଁ ଆର୍ଥିକ ସହାୟତା ନଥିବାରୁ ସେହି ଅଧିନିୟମ ଓଡିଶାରେ କାର୍ଯ୍ୟକାରୀ କରିପାରିନାହାନ୍ତି। ଅସଂଗଠିତ ଶ୍ରମିକଙ୍କ ପାଇଁ ଥିବା ବୋର୍ଡର ପରିଧି ଭିତରେ ଏମାନେ ଆସୁଥିଲେ ମଧ୍ୟ ସ୍ଥିତିଗତ ସମସ୍ୟା ଦୃଷ୍ଟିରୁ ସେମାନେ ସୁବିଧାତକ ନେଇପାରୁନାହାନ୍ତି। ସହାୟକଙ୍କୁ ପଞ୍ଜୀକରଣ କରାଇବା କାର୍ଯ୍ୟ ନିଯୁକ୍ତିଦାତାଙ୍କ ଉପରେ ରହିବା ଉଚିତ୍‌। ତେଣୁ ନିମ୍ନ ଲିଖିତ ସର୍ବନିମ୍ନ ବ୍ୟବସ୍ଥା କଲେ ଘରୋଇ ସହାୟକଙ୍କୁ ସହାୟକ ହୋଇପାରିବ।
୧- ପ୍ରତ୍ୟେକ ଘରୋଇ ସହାୟକ ସହାୟିକାଙ୍କୁ ନିଯୁକ୍ତି ଦେଲାବେଳେ ସ୍ଥାନୀୟ ପୁଲିସ୍‌ ପାଖରେ ଫଟୋ ସହିତ ସହାୟକଙ୍କ ସଂପର୍କରେ ସୂଚନା ଦିଆଯିବା ଦରକାର। ଏହାର ସରଳୀକରଣ ପାଇଁ ଏକ ୱେବସାଇଟ୍‌ ଖୋଲାଯିବା ଆବଶ୍ୟକ। ୱେବର ତଥ୍ୟ ପୁଲିସ୍‌ ପାଖକୁ ଯିବା ସହିତ ଜିଲ୍ଲା କୋଟ ଓ ରାଜ୍ୟସ୍ତରୀୟ ପଞ୍ଜୀକରଣ ବ୍ୟବସ୍ଥା ସହିତ ମଧ୍ୟ ଯୋଡି ହୋଇଯାଉଥିବା ଦରକାର।
୨- ଘରୋଇ ସହାୟକଙ୍କ ପାଇଁ ଜୀବନବୀମା ତଥା ଭବିଷ୍ୟନିଧି ବାଧ୍ୟତାମୂଳକ ହେବା ଉଚିତ୍‌।
୩- ନିଯୁକ୍ତିଦାତାଙ୍କଠାରୁ ୱେବ ମାଧ୍ୟମରେ ବା ସିଧାସଳଖ ନିଯୁକ୍ତି ସୂଚନା ପାଇଲାପରେ ସତ୍ୟାସତ୍ୟ ପରୀକ୍ଷା କରିବା ପୁଲିସ୍‌ର ଦାୟିତ୍ୱ ଏବଂ ସେହି ତଥ୍ୟରୁ ସୂଚନା ନେଇ ଜିଲା ବୋର୍ଡ ନିଯୁକ୍ତି ଦାତାଙ୍କ ଘରେ ଯାଇ ସହାୟକ ଓ ନିଯୁକ୍ତିଦାତାଙ୍କୁ ପରିଚୟପତ୍ର ଦେବାସହ ନିୟମକାନୁନ ସଂପର୍କରେ ଉଭୟଙ୍କୁ ସୂଚିତ କରାଇ ଆସିବେ।
ଘରୋଇ ସହାୟକଙ୍କର ରାଷ୍ଟ୍ରୀୟ ସଂଗଠନ ୨୦୧୬ ମସିହାରେ ସାମାଜିକ ନିରାପତ୍ତା ବିଲ୍‌ର ଏକ ଖସଡା କେନ୍ଦ୍ରସରକାରଙ୍କୁ ପ୍ରଦାନ କରିଛନ୍ତି। ଓଡିଶା ସରକାର ଓଡିଶା ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କଲାଭଳି ଘରୋଇ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନକରି ସେମାନଙ୍କର ଭବିଷ୍ୟନିଧି, କାର୍ଯ୍ୟରତ ସମୟରେ ଆହତଜନିତ ସୁବିଧା ,ଗୃହ ପିଲାଙ୍କ ଶିକ୍ଷା ସହାୟତା କୌଶଳବିକାଶ, ଜରାନିବାସର ସୁବିଧା ତଥା ମୃତକଙ୍କ ଦାହ-ସଂସ୍କାର ଆଦି ସୁବିଧା କରିବା ପାଇଁ ଯୋଜନା କରିବା ଉଚିତ୍‌।
ସ୍ୱାମୀ-ସ୍ତ୍ରୀଙ୍କ ଭିତରୁ ଜଣେ ନ ରହିଲେ ଘର ଚଳି ଯାଇପାରେ, କିନ୍ତୁ ଆଜିର ସମାଜରେ କାମବାଲୀ ଓ କାମବାଲା ନଥିଲେ ଘର ଅଚଳ। ଘରହିଁ ସବୁ ସଂସ୍ଥାର ଆରମ୍ଭ ହେବା କଥା । ତେଣୁ ଯେଉଁମାନଙ୍କୁ ନେଇ ଆମମାନଙ୍କ ଘର ସଂସାର ଚାଲିଛି, ସେମାନଙ୍କ ପାଇଁ ସାମାଜିକ ନିରାପତ୍ତା ପ୍ରତି ପ୍ରାଥମିକତା ଦେବା ଆମର ପରମ କର୍ତ୍ତବ୍ୟ ।
ସଭାପତି,ଶରୀର ଓ ଅଙ୍ଗଦାନ ଅଭିଯାନ, ଗୋପବନ୍ଧୁ ଭବନ,କଟକ-୧

kalyan agarbati
Leave A Reply