ନେଡ଼ିଗୁଡ଼ କହୁଣିକି…
ଯେତେବେଳେ ଯେଉଁ କାମ ଲୋଡ଼ା, ତା’ ନ କଲେ, ସେ କାମ ଆଉ ହେବା କାଠିକର ପାଠ। ସମସ୍ତଙ୍କୁ ଏ କଥା ବି ଜଣା। ମାତ୍ର କରନ୍ତିନି କିଆଁ? ତୁରନ୍ତ କାର୍ଯ୍ୟ ସାଧନରେ ବିମୁଖତା ବା ଉଦାସୀନତା ଦୁଇଟି କାରଣରୁ ହୋଇଥାଏ। ଗୁଡ଼େ ଜାଣିଶୁଣି ଉଦ୍ଦେଶ୍ୟପ୍ରଣୋଦିତ ଭାବେ ଏ କାମ, କରାଇ ନ ଦେବା ପାଇଁ କରନ୍ତିନି। ବଦମାସିଆ, ଅସାଧୁ ସେମାନେ। ଆଉ ଗୁଡ଼େ ଦୀର୍ଘସୂତ୍ରୀ। ଏମାନଙ୍କ ପାଇଁ ସବୁ କାମ ‘କାଲିକି’, ରହେ। ମାତ୍ର ‘କାଲି’ କୋଉ ଆସେ? ଗୀତାରେ ଏ ଦୀର୍ଘସୂତ୍ରୀଙ୍କୁ ‘ତାମସିକ’ ଗୋଷ୍ଠୀର କୁହାଯାଇଛି। ଠେକୁଆ, କଇଁଛ ଦଉଡ଼ ପ୍ରତିଯୋଗିତାରେ ଠେକୁଆ ହାରିଯିବା କଥାରୁ ହେଜାଯାଉ ଏ ଦୀର୍ଘସୂତ୍ରିଆଙ୍କ ମେଜାଜ, ଭେଜା ଆଦି। ପିଲାବେଳେ ଇଂରାଜୀରେ ବି ପଢ଼ାଯାଉଥିଲା “Do not put up till tomorrow, what you can do today.” ସେମିତି ବି କୁହାଯାଇଛି, “When you have work to do boys do it with a will, they do who reach the top boys, first must climb the hill.”। ସବୁ କହିଲେ, ଘୋଷିଲେ ବି କ’ଣ ହେବ? “ମତେ ତୁ ଯେତିକି ମାଠିବୁ ମାଠ୍, ମୁଁ ସେଇ ଦରପୋଡ଼ା କାଠ”। ପ୍ରାରବ୍ଧ ଓ ସଂସ୍କାର ବୋଲି ଏକ ଅବସ୍ଥା ଓ ବ୍ୟବସ୍ଥା ବିଷୟକୁ ଏଭଳି ପରିସ୍ଥିତିରେ ବିଶ୍ୱାସ କରିବାକୁ ବାଧ୍ୟ ହେବାକୁ ହୁଏ। ଯେଉଁ କାମ ନଖରେ ଛିଣ୍ଡିବ ତା’ ପାଇଁ ହତିଆର ଲୋଡ଼ା ଏମିତି ସବୁ ଅବସ୍ଥାରେ ହୁଏ। ନେଡ଼ିରେ ଥିବା ବେଳେ ନ ଚାଟିଲେ ସେ ଗୁଡ଼ କହୁଣିକୁ ବୋହିଗଲେ, ତାକୁ କୋଉ ଚାଟିହେବ? ଅନ୍ୟକୁ ଚଟାଅ, ନ ହେଲେ ତା’ ତଳେ ପଡ଼ୁ, ପଡ଼େ ବି। ଛୋଟଛୋଟ ସମସ୍ୟା ଉଗ୍ରରୂପ ଧରେ। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ତ ଏ ଦେଶବାସୀଙ୍କ ପାଇଁ ଏକ ସର୍ବକାଳୀନ ଚେତାବନୀ। ରାକ୍ଷସଗୁଡ଼ା ବରପାଇ ସୃଷ୍ଟିକୁ ହୀନସ୍ତା କରିବାର ଢେର ଉଦାହରଣ ଅଛି। ଏଠି ବି ଦାୟିତ୍ୱବୋଧର ଖାମଖିଆଲ ପ୍ରୟୋଗର ବିଷମ ପରିଣତି ହୋଇଥାଏ। ଚଣ୍ଡୀପୁରାଣରେ ମା’ ଚଣ୍ଡୀଙ୍କ ରକ୍ତପିଆ ରୂପ, ବେକରେ ରକ୍ତ ସଲବଲ ମୁଣ୍ଡମାଳ ଧାରଣ ମୂର୍ତ୍ତି ଦିହ ଶୀତେଇ ଦିଏ। ରକ୍ତଗୁଡ଼ା କ’ଣ ଲସି କି ଥଣ୍ଡାପାନୀୟ ଭାବି ସେ ପିଉଥିଲେ? ନା, ବିଦେଶୀ ମାଲ ଭାବିଲେ? ମହାଦେବ, ବାସୁକିର ହଳାହଳ ବିଷ ପିଇ ଚିରକାଳ ନୀଳକଣ୍ଠିଆ ସିନା ବନିଗଲେ, ମାତ୍ର ଦେବତାମାନଙ୍କୁ ତ ରାକ୍ଷସମାନଙ୍କ କବଳରୁ ରକ୍ଷା କରିଦେଲେ। ସେମିତି ‘ରକ୍ତବୀର୍ଯ୍ୟ’କୁ ହତ୍ୟା କରିବା ସମ୍ଭବ ହେଲାନି। ତା’ ଦିହରୁ ଟୋପେ ରକ୍ତ ଭୂଇଁରେ ପଡ଼ିଲେ ଆଉ ଗଣ୍ଡାଏ ରକ୍ତବୀର୍ଯ୍ୟ ସୃଷ୍ଟି ହୋଇଯାଉଥିଲେ। ମା’ ଚଣ୍ଡିକା ଓ ଚାମୁଣ୍ଡାମାନେ ତା’ ରକ୍ତ ଆଉ ତଳେ ପଡ଼ିବାକୁ ଦେଲେନି, ଶୋଷି ପିଇଗଲେ। ବେଟା ସେଇଠି ଖତମ। ‘ଚଣ୍ଡୀସ୍ତୋତ୍ରାର୍ଥ ଦୀପ’ରେ ବିଷ୍ଣୁ ରଥ ଲେଖିଲେ, “ଅଷ୍ଟମେ ଯତ୍ତନୋର୍ଜାତା ମାତରଃ ଶିବ ଦୂତିକା, ଚାମୁଣ୍ଡା ତୁଣ୍ଡତଶ୍ଚଣ୍ଡୀ ରକ୍ତବୀଜମଖଣ୍ଡୟତ୍”- ଅନୁବାଦରେ ଲେଖାଗଲା, “ମାତୃଗଣ ଯାହାଙ୍କ ଦେହୁ ବାହାରି, ଯୁଝିଲେ ରକ୍ତବୀଜେ ମାରି ନ ପାରି, ସେ ଶିବ ଦୂତୀ ଚଣ୍ଡିଚାମୁଣ୍ଡାନନେ ଖଣ୍ଡିଲେ ‘ରକ୍ତବୀଜ’ ଅଷ୍ଟମାଖ୍ୟାନେ”। ଜୀବ ତ ଜନ୍ମ ହେଲେ ମରିବ, ସେ ଚାହୁଁ ବା ନ ଚାହୁଁ। ମାତ୍ର ତାକୁ ମାରିବାକୁ ପଡ଼ିବା ବଡ଼ ଜଘନ୍ୟ ଅବସ୍ଥା, ପରିଣତି। ଚରମ ଦୁର୍ଭାଗ୍ୟର କଥା ବି। ମାତ୍ର କାଳେକାଳେ ୟେ ଘଟିଥାଏ, “ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ”। ସାଧାରଣ ନୀତିନିୟମ, ଦୈନନ୍ଦିନ ଚଳଣି ଏମିତି ଅବସ୍ଥାରେ ଭୁଶୁଡ଼ି ପଡ଼େ। ଲହୁଣି ଚୋରି ଖେଳ, ବିଚାରୀ ସରଳା ଗୋପୀଗୁଡ଼ାଙ୍କ ସହ ରାସ ଉଲ୍ଲାସ ରଚୁଥିବା, ଗାଈମାନଙ୍କ ବେକରେ ନିଜ ମୁହଁ ମୁଣ୍ଡ ଘଷି ଉଭୟ ସଲସଲ କୁତୁକୁତୁ ହେଉଥିବାର ପ୍ରେମମୟ କୃଷ୍ଣ, ଢାବାରେ କୁକୁଡ଼ା ମୋଡ଼ା ହେବାପରି ମହାଭାରତ ଯୁଦ୍ଧରେ ନରସଂହାରରେ ମଜ୍ଜିବାକୁ ପ୍ରାଣପ୍ରିୟ ବଇଁଶୀକୁ ଫିଙ୍ଗିଦେଇ, ସୁଦର୍ଶନ ଚକ୍ର ଧରିବା ଅବସ୍ଥା ସୃଷ୍ଟିହୁଏ। ବଡ଼ ଭୟାନକ କଥା ଓ ଅବସ୍ଥା ଇୟେ।
ଏଗୁଡ଼ା ସବୁ ପୁରାଣ କଥା ଭାବେ ପ୍ରତ୍ୟାଖ୍ୟାତ। ମାତ୍ର ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏ ଜ୍ଞାନୀ ମଣିଷଗୁଡ଼ା ନିଜକୁ ନିଜେ ମହାଭାରତ ପରି ମାରିବେ ଏକଥା ହେଜି ହୋଇଛି। ଆଇନ ଫାଇନ ସବୁ ଚୁଲିକି ଯାଏ ଏମିତି ଅବସ୍ଥାରେ। ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ଏ କଥା ଘଟୁଛି। ଆମ ଦେଶ ଭାରତରେ ବି ଘଟଣା କ୍ରମେ ବଢ଼ିବଢ଼ି ଚାଲୁଛି। ଅପରାଧୀ ଅପରାଧ କଲେ ତାକୁ ଦଣ୍ଡ ଦେବା ପୂର୍ବରୁ ତା’ର ବିଚାର ହୁଏ। ତାକୁ କହିବାର ସୁଯୋଗ ଦିଆଯାଏ। ତା’ପରେ ଜିଅଲ କି ଫାଶୀ। ମାତ୍ର ଜଣକୁ ବିନା ବିଚାରରେ ଗୁଳି କରି ମାରିବା କି କଥା, କି ନ୍ୟାୟ! ଏବେ ଗୋଟାଏ ଶବ୍ଦ ବାରମ୍ବାର ଶୁଣାଯାଉଛି, ‘ଏନ୍କାଉଣ୍ଟର ମୃତ୍ୟୁ’। ଯେ ମଲା ସେ ଦୁର୍ଦ୍ଧର୍ଷ ଅପରାଧୀ ଥିଲା, ପୁଲିସ ହାତରେ ଧରାପଡ଼ୁ ନଥିଲା। ହଠାତ୍ ପୁଲିସ ତାକୁ ଧରିବାକୁ ଗଲାବେଳେ ସେ ପୁଲିସକୁ ଆକ୍ରମଣ କରିବାରୁ ପୁଲିସ ନିଜକୁ ରକ୍ଷା କରିବାକୁ ପାଲଟା ଗୁଳି ଚଳାଇବାରୁ ତା’ର ମୃତ୍ୟୁ ହେଲା, ହେଇଥିବ। ମାତ୍ର ଏମିତି ଘଟଣା ଘନଘନ କେମିତି ହେବ? କାଶ୍ମୀରରେ ଏବେ ‘ଏନ୍କାଉଣ୍ଟର’ରେ ପୁଞ୍ଜାପୁଞ୍ଜା ଅପରାଧୀ ମରୁଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ଏବେ ଜଣେ ଦୁର୍ଦ୍ଧର୍ଷ ଅପରାଧୀ ‘ଟିଟୋ’ ସେକ୍ ଉସ୍ମାନ୍ ଅଲି ଅଲିଆସର ପୁଲିସ ସହ ଏନ୍କାଉଣ୍ଟରରେ ଖଣ୍ଡିଆଦଣ୍ଡିଆ ସିନା ହେଲା, ମୃତ୍ୟୁରୁ ବଞ୍ଚିଗଲା। ତା’ ନାଁରେ ଗଣ୍ଡାଗଣ୍ଡା ଗୁରୁତର ଓ ଜଘନ୍ୟ ଅପରାଧ ଅଭିଯୋଗ ପୁଲିସ ଓ ଅଦାଲତରେ ପଡ଼ିରହିଚି। ୧୯୮୯ ମସିହାରୁ ତା’ର ଏ ଅପରାଧୀ କାର୍ଯ୍ୟ ଆରମ୍ଭ ହୋଇଛି। ସେ କେବଳ ଜଣେ ଧନଲୋଭୀ ଆତଙ୍କବାଦୀ ନଥିଲା। ଆତଙ୍କବାଦୀଙ୍କ ସହିତ ତା’ର ସମ୍ପର୍କ ମଧ୍ୟ ନିବିଡ଼ ଥିଲା, ଯାହାର ପ୍ରମାଣ ଦିଏ ‘ଜାମ୍ମୁ-କାଶ୍ମୀର’ ପୁସ୍ତକ ଜବତ୍। ଢୋଲ ଭିତରେ ମୂଷାଭଳି ସିଏ ତା’ର ଗୁପ୍ତ କାର୍ଯ୍ୟକ୍ରମ ଆଜିଯାଏ ଚଳାଇ ଆସୁଥିଲା। ତା’ କ’ଣ ପୁଲିସ ଶାସନ ଜାଣତରେ ନା ଅଜାଣତରେ? ଧରନ୍ତୁ ୩୦ ବର୍ଷ ହୋଇଯିବ। ପୁଲିସର ଲମ୍ବ ଦଉଡ଼ିରେ ସେ ଖେଳୁଥିଲା ଓ ପୁଲିସବାଲା ବି ଢେର ମଜ୍ଜିଥିଲେ ଏଥିରେ। ଏବେ ନିଆଳିର ବଳରାମ ଓରଫ ଚଗଲା ନୟାଗଡ଼ରେ ପୁଲିସ ଏନ୍କାଉଣ୍ଟରରେ ମୃତ୍ୟୁ ଲଭିଲା। ୟେ ଦୁର୍ଦ୍ଧର୍ଷ ପୁରୁଣା ଅପରାଧୀ। ଏଙ୍କ ଅପରାଧ ପାଇଁ ଦଣ୍ଡ ଏଙ୍କୁ ଦିଆଯାଇ ପାରୁନଥିଲା। ଅନେକ ସମୟରେ ପୁଲିସ ଗିରଫ କରି ଅଦାଲତକୁ ପଠେଇଲେ ବି ସେ ଜାମିନ ପାଇ ଖସୁଥିଲା। ପୁଲିସକୁ ଖତେଇ ହେଉଥିଲା ଏଇସବୁ ଗହନ ବ୍ୟାପାର। “କିଏ ବା ଅଛି କେଉଁ ମତେ ତାହା ମୁଁ ଜାଣିବି କେମନ୍ତେ?”
ଏମିତି ଗୁଳିଗୁଳାରେ ଯେଉଁଠି ଶାସନ ଚାଲେ ତା’ ଆଦିମ ବା ଅସଭ୍ୟତାର ସୂଚକ ହୁଏ। ଏମିତି ଘଟଣା ଯେତେ ବଢ଼ିବ ଦେଶରେ ଆଇନ, ଶାସନ ଓ ନୈତିକତା କ୍ଷୀଣ ହୋଇ ଯାଉଥିବାର ସୂଚନା ସେତେ ମିଳୁଥିବ। ଅପରାଧ ଆରମ୍ଭ ମାତ୍ରେ ତା’ର ଦମନ ହେଲେ ତା’ ଏତେ ବାଟ ଯାଆନ୍ତାନି। ଜବରଦଖଲ ଏକ ଅପରାଧ। କେହି ନାଗରିକ ଯଦି ଲୋଭାତୁର ହୋଇ ଏମିତି କାର୍ଯ୍ୟ କରେ, ସରକାରୀ ଜମି ଦଖଲ କରେ, ସମ୍ପୃକ୍ତ ଅଞ୍ଚଳ ତହସିଲଦାର ଓ ଆର୍ଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକ ଆଇନଗତ ବ୍ୟବସ୍ଥା। ମାତ୍ର ଏମାନେ ତା’ ଆଦୌ କରନ୍ତିନି। କାହିଁକିର ଉତ୍ତର ସଭିଙ୍କୁ ଜଣା। ମାତ୍ର ତିନିମହଲା କୋଠା ହେବା ପରେ, ଏକୁ ବୁଲଡୋଜର ଲଗାଯାଇ ଭଙ୍ଗାଯାଏ। ଏ ଜବରଦଖଲ ଏତେ ବାଟ ବଢ଼ିଲାଯାଏ ଏମାନେ କୁ- ନିଦରେ ଶୋଇଥିଲେ। ସେମିତି ଏନ୍କାଉଣ୍ଟର କଥା। ସର୍କସ ଦଳରେ ରିଙ୍ଗ ମାଷ୍ଟର ଗଣ୍ଡାଗଣ୍ଡା ବାଘ ଭାଲୁଙ୍କୁ ଗାଈ ଛେଳି ଭଳି ନଚଉଥିବା ଦୃଶ୍ୟ ପରି ଲୋମହର୍ଷଣକାରୀ ଡକାୟତମାନେ ପୁଲିସ ଅଙ୍କଲଙ୍କୁ ସଲାମ କରିଯିବା ଘଟଣାର କୁତୁକୁତୁ ଢେର ଅଧିକ। ରାଜନୀତି ପାଇଁ ଏମାନେ ଢେର ସହାୟକ ବି। ଆଉ ପୁଲିସ ସମର୍ଥନ ନ ମିଳିଲେ ଏଙ୍କୁ ଯୋଚି କୋଉ କାମ କରିହେବ? ଆଜିର ଏନକାଉଣ୍ଟର ସେମିତି ଏକ ନେଡ଼ିଗୁଡ଼ କହୁଣିକି ବୋହିଯିବା ଅବସ୍ଥା।