ଭିନ୍ନମତ ଓ ଗଣତନ୍ତ୍ର

0

ଦୀପକ କୁମାର ମିଶ୍ର

prayash

ଗଣତନ୍ତ୍ର ଲୋକଙ୍କ ଶାସନ, କିନ୍ତୁ ଜନତାର ଦାୟିତ୍ୱ ଓ କର୍ତ୍ତବ୍ୟ କେବଳ ନିର୍ବାଚନରେ ଭାଗ ନେବା ନୁହେଁ। ନିର୍ବାଚନରେ ଜନମତ ସଂଗ୍ରହ ଲୋକତନ୍ତ୍ର ପାଇଁ ଜରୁରୀ, କିନ୍ତୁ ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ସର୍ବଶେଷ ବା ଏକମାତ୍ର ନିୟାମକ ନୁହେଁ । ଥରେ ନିର୍ବାଚନ ଜିତିଯିବା ପରେ ଜନ-ପ୍ରତିନିଧିମାନେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଲୋକଙ୍କ ମତକୁ ବେଖାତିର କରିବାର ଏକ ଅପସଂସ୍କୃତି କ୍ରମଶଃ ଆମ ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଲାଗିଛି। ନିର୍ବାଚନ ଲୋକମତର ପ୍ରତିଫଳନ, କିନ୍ତୁ ଗଣତନ୍ତ୍ରର ସାରମର୍ମ ସେତିକିରେ ସୀମିତ ନୁହେଁ। ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା। ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ ବାଧ୍ୟ ହେବେ ​‌େ​‌ତବେ ତାକୁ ଗଣତନ୍ତ୍ରର ଅପମୃତ୍ୟୁ ବୋଲି କୁହାଯିବ । ସେଇଥିପାଇଁ ଭିନ୍ନମତ ଗଣତନ୍ତ୍ରର ସୁରକ୍ଷା ଲାଗି ଏକାନ୍ତ ଆବଶ୍ୟକ । ଭିନ୍ନମତ ଏକ ରିଆତି ବା ବିଳାସ ନୁହେଁ, ଏକ ଗତିଶୀଳ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏହା ଏକ ସର୍ବନିମ୍ନ ଆବଶ୍ୟକତା ।
ଯେତେବେଳେ ଭିନ୍ନମତକୁ ଶୁଣିବା ପାଇଁ ବା ସ୍ୱୀକାର କରିବାପାଇଁ ଶାସନ ନିଷ୍ଠାପର ହୁଏ ନାହିଁ, ସେତେବେଳେ ଶାସକ ଓ ସାଧାରଣ ଜନତା ଭିତରେ ବାର୍ତ୍ତାଳାପ ପାଇଁ ଆଉ ସୁଯୋଗ ରହେ ନାହିଁ । ଏହାଦ୍ୱାରା କେବଳ ଯେ ଲୋକଙ୍କର କ୍ଷତି ହୁଏ ତାହା ନୁହେଁ, ଇତିହାସ ପୃଷ୍ଠାରେ ଅନେକ ଶକ୍ତିଶାଳୀ ଶାସନତନ୍ତ୍ର ଲୋକମତକୁ ବେଖାତିର କରି, ନିଜ ଦୃଷ୍ଟିକୋଣର କାରାଗାରରେ ବନ୍ଦୀ ହୋଇ ଧୂଳିସାତ ହୋଇଯିବାର ଦୃଷ୍ଟାନ୍ତ ରହିଛି । ଗଣତନ୍ତ୍ରର ଆନୁଷ୍ଠାନିକ ଭିତ୍ତି କେବଳ ଲୋକଙ୍କ ଭାଗୀଦାରିରେ ସୁଦୃଢ଼ ହୁଏ । ଲୋକଙ୍କୁ ବାଦ୍‌ ଦେଇ କୌଣସି ବାହ୍ୟଶକ୍ତି ବା ସାମରିକ ଶକ୍ତି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କରିପାରେ ନାହିଁ ।
ଲୋକମତର ଭିତ୍ତି କ’ଣ ହେବା ଉଚିତ ? ଏକ ମୁକ୍ତଚିନ୍ତାର ବାତାବରଣ, ତଥ୍ୟାଶ୍ରିତ ବିତର୍କର ସମ୍ଭାବନା ଓ ଭିନ୍ନମତକୁ ସମ୍ମାନ ଦେବାର ରାଜନୈତିକ ସଂସ୍କୃତି ଏକ କ୍ରିୟାଶୀଳ ନାଗରିକ ସଂସ୍କୃତି ପାଇଁ ସୁଯୋଗ ତିଆରି କରେ । ସେଇଥିପାଇଁ ପ୍ରଶାସନର କର୍ତ୍ତୃତ୍ୱ ବାହାରେ ବଞ୍ଚିରହିଥିବା ସମ୍ବାଦପତ୍ର, ସ୍ୱାୟତ୍ତ ସଂଚାର-ମାଧ୍ୟମ, ନାଗରିକ ସମାଜ, ​‌େ‌ସ୍ବଚ୍ଛାସେବୀ ଅନୁଷ୍ଠାନ ଓ ବୌଦ୍ଧିକ ସଂସ୍ଥା ଲୋକଙ୍କ ସ୍ୱାଧୀନ ମତ ନିର୍ମାଣ ପାଇଁ ଏକାନ୍ତ ଆବଶ୍ୟକ । ସ୍ଥଳବିଶେଷରେ ଏଭିତରୁ କୌଣସି ଅନୁଷ୍ଠାନ ବା ଗୋଷ୍ଠୀ ହୁଏତ ଗଣତନ୍ତ୍ରରେ ମିଳିଥିବା ସ୍ବାଧୀନତାର ଅପବ୍ୟବହାର କରିପାରନ୍ତି, କିନ୍ତୁ ଏଭଳି ବିଚ୍ୟୁତିକୁ ମାଧ୍ୟମ କରି ଯଦି ଲୋକଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯାଏ, ତେବେ ଲୋକମତ ବଦଳରେ ନିର୍ଦିଷ୍ଟ ଚିନ୍ତାଧାରା ବା ଶାସକ ଗୋଷ୍ଠୀର ପ୍ରଭୁତ୍ୱ ଜାହିର ହେବାର ସମ୍ଭାବନା ବେଶୀ । ଶାସନ ଉପରେ ଲୋକଙ୍କ କର୍ତ୍ତୃତ୍ୱ ଯେତେ ସୁଦୃଢ ଓ ପ୍ରତ୍ୟକ୍ଷ ହେବ, ଗଣତନ୍ତ୍ର ସେତେ ବ୍ୟାପକ ଓ ଗଭୀର ହେବ । ଯେହେତୁ ଲୋକେ ଭିନ୍ନଭିନ୍ନ ମତ ପୋଷଣ କରିବା ନିହାତି ସ୍ୱାଭାବିକ, ତେଣୁ ମତାନୈକ୍ୟ ମଧ୍ୟ ସ୍ୱାଗତଯୋଗ୍ୟ ହେବା ଉଚିତ। ବିତର୍କ, କଥୋପକଥନ, ନିରଙ୍କୁଶ ବାର୍ତ୍ତାଳାପ ଓ ଦ୍ବିଧାହୀନ ସମ୍ବାଦ ବିନା ପ୍ରକୃତ ଜନମତ ସୃଷ୍ଟି ହୁଏ ନାହିଁ ବା ତା’ର ପରିପ୍ରକାଶ ପାଇଁ ସୁଯୋଗ ରହେ ନାହିଁ । ପ୍ରଶ୍ନ ପଚାରିବାର ଅଧିକାର ଏକ ମୌଳିକ ଅଧିକାର, ସେ ଅଧିକାରକୁ ଅସ୍ୱୀକାର କରିବା ଅର୍ଥ ଦେଶ ଓ ସମାଜର ସୁରକ୍ଷା ଉପରେ ଆଘାତ ।
ଏଭଳି ସୂଚନା, ମତାମତ ବା ବିଚାରର ଆଦାନପ୍ରଦାନ କିନ୍ତୁ ସମସ୍ତଙ୍କୁ ସୁହାଏ ନାହିଁ । ଏକ ସକ୍ରିୟ ନାଗରିକ ଶ୍ରେଣୀ ଶାସକବର୍ଗଙ୍କ କ୍ଷମତା ଉପରେ ଏକ ଅଙ୍କୁଶ ଲଗାଏ । ସେମାନଙ୍କୁ ପ୍ରଶ୍ନ ପଚାରେ, ଜନତା ପ୍ରତି ଉତ୍ତରଦାୟୀ କରେ । ଅନ୍ୟ ଅର୍ଥରେ ଗଣତନ୍ତ୍ରକୁ ସୁଦୃଢ଼ କରେ । ସେଇଥିପାଇଁ ଯେତେବେଳେ ଶାସକ ଗୋଷ୍ଠୀ ସ୍ୱେଚ୍ଛାଚାରୀ ହୁଏ, ଭିନ୍ନମତ ଓ ଭିନ୍ନମତରେ ସହାୟକ ହେଉଥିବା ଅନୁଷ୍ଠାନ ଉପରେ ଆକ୍ରମଣ ତୀବ୍ରତର ହୁଏ । ଅତୀତରେ ଅନେକ ବାଗରେ ଏଭଳି ଆକ୍ରମଣ ହୋଇଛି – କେଉଁଠି ପ୍ରତ୍ୟକ୍ଷ ଭାବରେ ନାଗରିକର ଗଣତାନ୍ତ୍ରିକ ଅଧିକାରକୁ ଅସ୍ୱୀକାର କରାଯାଇଛି ତ କେଉଁଠି ପରୋକ୍ଷ ଭାବରେ ଭିନ୍ନମତକୁ ଦେଶ ବା ଲୋକଙ୍କ ସ୍ୱାର୍ଥର ବିରୋଧୀ ଭାବରେ ଚିତ୍ରିତ କରାଯାଇଛି । ଆଜି କିନ୍ତୁ ପୃଥିବୀର ବିଭିନ୍ନ ଦେଶରେ ଏ ପ୍ରକ୍ରିୟାର ଏକ ଜଟିଳ ଓ ପରିଷ୍କୃତ ରୂପ ଦେଖିବାକୁ ମିଳୁଛି । ଗଣତନ୍ତ୍ରର ବାହ୍ୟରୂପକୁ ସ୍ୱୀକାର କରିବା ଭିତରେ ତା’ର ମାର୍ମିକ ରୂପ, ତା’ର ଅନ୍ତର୍ନିହିତ ଅର୍ଥକୁ ଗୌଣ କରିବାର ଏକ ପ୍ରୟାସ ଜାରି ରହିଛି । ତେଣୁ ସାର୍ବଜନୀନ ନିର୍ବାଚନ ବା ଅନ୍ୟାନ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନ ପୂର୍ବପରି ରହିଛି, କିନ୍ତୁ ଲୋକଙ୍କ ସ୍ୱାର୍ଥ, ତାଙ୍କର ଅଧିକାର ଓ ସ୍ୱାଧୀନତା ଉପରେ ଆକ୍ରମଣ ତୀବ୍ର ହେଉଛି ।
ବଜାର ଅର୍ଥନୀତିରେ ସୂଚନା ବା ବିଚାରର ମଧ୍ୟ ଏକ କିଣାବିକା ଚାଲିଛି । ଯେଉଁଠି ତଥ୍ୟ, ମତ ଓ ମତପ୍ରକାଶର ମାଧ୍ୟମ ହିଁ ପଣ୍ୟ ଭାବରେ ପ୍ରସ୍ତୁତ କରାଯାଉଛି, ସେଠି ନାଗରିକର ସ୍ୱାଧୀନ ମତ ପାଇଁ ସୁଯୋଗ କାହିଁ ? ଖବରକାଗଜ, ଟେଲିଭିଜନ, ଡିଜିଟାଲ ମାଧ୍ୟମ ଓ ସାମାଜିକ ମାଧ୍ୟମ କର୍ପୋରେଟ ସ୍ୱାର୍ଥ ଦ୍ୱାରା ଏତେଦୂର କବଳିତ ଯେ ସତ୍ୟ ଓ ମିଥ୍ୟା ଭିତରେ ପାର୍ଥକ୍ୟ ବିବେଚନା କରିବା ସାଧାରଣ ପାଠକଙ୍କ ପାଇଁ କଷ୍ଟକର ହୋଇ ପଡୁଛି । ଏକଦା କ୍ଷମତାଶୀଳଙ୍କୁ ନିର୍ଭୀକ ଭାବରେ ପ୍ରଶ୍ନ ପଚାରିବା ଥିଲା ଗଣମାଧ୍ୟମ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏବେ ଶାସକଗୋଷ୍ଠୀର ସମର୍ଥନ କରିବାରେ ଗଣମାଧ୍ୟମର ଏକ ବୃହତ ଅଂଶ ଏତେ ବ୍ୟସ୍ତ ଯେ ସାଧାରଣ ଲୋକଙ୍କ ସମସ୍ୟା ଓ ତା’ର ସମାଧାନ ପାଇଁ ସେମାନଙ୍କର ଆଉ ଆଗ୍ରହ ନଥିବା ଭଳି ଜଣାପଡୁଛି । ଶାସକ ଗୋଷ୍ଠୀ ଓ ସାଧାରଣ ଜନତା ଭିତରେ ଲୋକାଭିମୁଖୀ କଥୋପକଥନର ସୁଯୋଗ କମିବା ଗଣତନ୍ତ୍ରକୁ କ୍ରମଶଃ ଦୁର୍ବଳ କରିବାରେ ଲାଗିଛି। ସୋସାଲ ମିଡ଼ିଆ ସରକାରୀ ନିୟନ୍ତ୍ରଣ ବାହାରେ ଥିବାରୁ, ଏକ ବିକଳ୍ପ, ସ୍ୱାଧୀନ, ବିକେନ୍ଦ୍ରିତ ଓ ନିରଙ୍କୁଶ ମାଧ୍ୟମର କ୍ଷେତ୍ର ପ୍ରସ୍ତୁତ କରିବାର ଯେଉଁ ସମ୍ଭାବନା ଥିଲା, ତାହା କ୍ରମଶଃ କ୍ଷୀଣ ହେବାରେ ଲାଗିଛି ।
ଏଭଳି ଏକ ପରିବେଶରେ ସ୍ୱାଧୀନ ମତ ପରିପୁଷ୍ଟ ହୁଏ ନାହିଁ । କ୍ରମଶଃ ନାଗରିକ ଉପରେ ସରକାରଙ୍କ ନଜରଦାରୀ ବଢ଼ିବାରେ ଲାଗିଛି । ସରକାର, ଶାସକଦଳ ବା ଶାସକଙ୍କ ସମାଲୋଚନା କରିବା ଏକ ଦେଶବିରୋଧୀ କାର୍ଯ୍ୟ ବୋଲି ଖୋଲାଖୋଲି ଭାବରେ ପ୍ରଚାର କରାଯାଉଛି । ଯେ କେହି ସମାଲୋଚନା କରୁଛି, ତାକୁ ଦେଶଦ୍ରୋହୀ କହିବା ବା ତା’ର ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଇବାର ଅର୍ଥ ଭିନ୍ନମତ ଉପରେ ଏକ ସିଧାସଳଖ ଆକ୍ରମଣ । ଯିଏ ଦେଶକୁ ଭଲ ପାଇବ, ସିଏ ସାଧାରଣ ଲୋକଙ୍କ, ସମାଜର ବଞ୍ଚିତ, ଅପେକ୍ଷିତ, ସୀମାନ୍ତରିତ ଲୋକଙ୍କ କଥା କହିବ; ସେମାନଙ୍କ ଜୀବନ ଓ ଜୀବିକା ଉପରେ ହେଉଥିବା ଆକ୍ରମଣର ବିରୋଧ କରିବ । ଏଭଳି କର୍ମୀ ବା ସଂଗଠନ ସବୁ କ୍ଷମତାସୀନ ନେତା, ଶାସକଦଳ ଓ ସରକାରୀକଳକୁ ଗଣତନ୍ତ୍ରର ଆନୁଷ୍ଠାନିକ ସୀମାରେଖା ଭିତରେ ରହିବାକୁ ଚାପ ପକାନ୍ତି, ଏକ ରକମ ବାଧ୍ୟ କରନ୍ତି । ସେଇ ବିଶେଷ ଅର୍ଥରେ ଦଳିତ, ଆଦିବାସୀ, ଶ୍ରମିକ, ନାରୀ, ସଂଖ୍ୟାଲଘୁ ସଂପ୍ରଦାୟ ଓ ଅନ୍ୟାନ୍ୟ ନିଷ୍ପେଷିତ ବର୍ଗର ସ୍ୱାର୍ଥରକ୍ଷା ପାଇଁ କାମକରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ଗଣତନ୍ତ୍ରକୁ ମଜବୁତ କରନ୍ତି । ସବୁବେଳେ ସେମାନେ ଯାହା କହନ୍ତି ସେଥିରେ ଏକମତ ହେବା ଜରୁରୀ ନୁହେଁ, କିନ୍ତୁ ସେମାନଙ୍କ ମତବ୍ୟକ୍ତ କରିବାର ସ୍ୱାଧୀନତାକୁ ସଙ୍କୁଚିତ କରିବା ଅର୍ଥ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷୁଣ୍ଣ କରିବା ।
ଯେଉଁମାନେ ସମାଜର ବୈଷମ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ବିସ୍ଥାପିତ ହେଉଥିବା ଆଦିବାସୀ, ପକ୍ଷପାତର ଶିକାର ହେଉଥିବା ଦଳିତ, ଉତ୍ପୀଡ଼ିତା ନାରୀ ବା ଉପେକ୍ଷିତ ସଂପ୍ରଦାୟର ସ୍ୱାର୍ଥରକ୍ଷା ପାଇଁ କାମ କରୁଛନ୍ତି, ସେମାନେ ଏକ ଶୋଷଣମୁକ୍ତ ଓ ସମତାମୂଳକ ସମାଜ ଗଠନର ସାମ୍ବିଧାନିକ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ନାଗରିକ ଅଧିକାରର ପ୍ରଶ୍ନ ଉଠାଇ ସେମାନେ ସରକାର ଓ ସରକାରୀ ସଂସ୍ଥା ସବୁକୁ ଆଇନସମ୍ମତ ଉପାୟରେ କାମ କରିବାକୁ ବାଧ୍ୟ କରୁଛନ୍ତି । ସୂଚନାର ଅଧିକାର, ଖାଦ୍ୟ, ଶିକ୍ଷା ଓ ଜଙ୍ଗଲ ଉପରେ ଅଧିକାର ଆଦିକୁ ନେଇ ଆଇନ ପ୍ରଣୟନ କରିବା ନେଇ ଏଭଳି ସଂସ୍ଥା ସବୁ ଆନ୍ଦୋଳନ କରିଛନ୍ତି, ସରକାର ଓ ରାଜନୈତିକ ଦଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ମାନବଅଧିକାରର ପ୍ରଶ୍ନ ଉଠାଇ ପ୍ରଶାସନକୁ ମାନବୀୟ କରିବାରେ ସାହାଯ୍ୟ କରିଛନ୍ତି । ସେମାନଙ୍କ କିଛି କାର୍ଯ୍ୟକଳାପ ବା ମତାମତ ଦେଶର କ୍ଷମତାଶାଳୀ ବର୍ଗ, ଖାସ୍‌କରି ତୁଙ୍ଗ ନେତା, ଅମଲାତନ୍ତ୍ର ବା ବୃହତ ପୁଞ୍ଜିପତି ଗୋଷ୍ଠୀଙ୍କ ସ୍ୱାର୍ଥର ବିରୋଧ କରୁଥାଇ ପାରେ, କିନ୍ତୁ ଶେଷ କଥାରେ ଗଣତାଂତ୍ରିକ ବ୍ୟବସ୍ଥା ଯେତେ ଉତ୍ତରଦାୟୀ, ନିରପେକ୍ଷ ଓ ସ୍ବଚ୍ଛ ହେବ, ଦେଶର ସାଧାରଣ ନାଗରିକର ସ୍ୱାର୍ଥ ସେତେ ସୁରକ୍ଷିତ ହେବ। ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟର ପରିସୀମା ଭିତରେ, ଆଇନ-ସମ୍ମତ ଉପାୟରେ ହିଁ ଗଣତାନ୍ତ୍ରିକ ଦେଶର ସମସ୍ତ ଅଙ୍ଗ କାମ କରିବା ଦରକାର । ଅଗଣତାନ୍ତ୍ରିକ ଉପାୟରେ କୌଣସି ଗଣତନ୍ତ୍ର ସୁରକ୍ଷିତ ହୁଏ ନାହିଁ । ଏକ ଗଣତାନ୍ତ୍ରିକ ଦେଶର ପୁଲିସ ଓ ସାମରିକ ବଳ ସମ୍ବିଧାନ ଓ ଆଇନର ପରିଧି ବାହାରେ କାମ କରିବାରେ ଥରେ ଅଭ୍ୟସ୍ତ ହୋଇଗଲେ ଦେଶର ସାଧାରଣ ଲୋକର ସ୍ୱାର୍ଥ ସୁରକ୍ଷିତ ରହେ ନାହିଁ, ଶାସନ ବ୍ୟବସ୍ଥା ଦୁର୍ବଳ ହୁଏ । ଶାସକଦଳ ବା ସରକାର ଜନତାର ପ୍ରତିନିଧି କେବଳ, ଜନସ୍ବାର୍ଥକୁ ବାଦ ଦେଲେ, ସେମାନଙ୍କର ନିରଙ୍କୁଶ କ୍ଷମତାର ଅର୍ଥ କେବଳ ସ୍ୱେଚ୍ଛାଚାରିତା ବ୍ୟତୀତ ଆଉ କିଛି ନୁହେଁ । ଶାସନର ବିଭିନ୍ନ ଅଙ୍ଗ – ବିଧି-ତନ୍ତ୍ର, କାର୍ଯ୍ୟନିର୍ବାହୀ ଓ ନ୍ୟାୟ ପାଳିକା- ଭିତରେ ପାରସ୍ପରିକ ଭାରସାମ୍ୟ ଯେମିତି ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା, ସେମିତି ସରକାରୀ କ୍ଷମତା ଉପରେ କ୍ରିୟାଶୀଳ ନାଗରିକଙ୍କ ସମାଲୋଚନା ଓ ଆବଶ୍ୟକ ହେଲେ ପ୍ରତିବାଦ ମଧ୍ୟ ଗଣତନ୍ତ୍ରର ସାରମର୍ମକୁ ସୁରକ୍ଷିତ ରଖିବା ପାଇଁ ଏକ ଅତ୍ୟାବଶ୍ୟକ ବ୍ୟବସ୍ଥା । ଲୋକେ ଯେଉଁଠି ନିଜ ସ୍ୱାଧୀନ ମତ ରଖିବାର ଅଧିକାର ହରାଇ ବସନ୍ତି, ବା ମତବ୍ୟକ୍ତ କରିବା ପୂର୍ବରୁ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ହୁଅନ୍ତି; ନିର୍ବାଚନ ହେଉ ବା ନ ହେଉ ସେଠି ଗଣତନ୍ତ୍ରର ଭିତ୍ତି ଦୁର୍ବଳ।
ଦେଶର ସୁପରିଚିତ ସାମାଜିକ କର୍ମୀ, ଓକିଲ, ମାନବାଧିକାର କର୍ମୀ ଓ ବୁଦ୍ଧିଜୀବୀଙ୍କୁ ସନ୍ଦିଗ୍ଧ ପ୍ରମାଣ ଆଧାରରେ ଆତଙ୍କବାଦ-ବିରୋଧୀ ଆଇନରେ ଗିରଫ କରାଯିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ମନ୍ତବ୍ୟକୁ ସମସ୍ତେ ଗୁରୁତ୍ୱର ସହ ବିଚାର କରିବା ଦରକାର – ଭିନ୍ନମତ ଗଣତନ୍ତ୍ରର ରକ୍ଷା କବଚ। ଭିନ୍ନମତକୁ ଦେଶଦ୍ରୋହ ବୋଲି କହିବା ହିଁ ଦେଶର ସ୍ୱାର୍ଥବିରୋଧୀ । ଦେଶ ସରକାରୀ ଦଳ ବା ନେତା ଭିତରେ ସୀମିତ ନୁହେଁ । ଦେଶର ସୁରକ୍ଷା ବ୍ୟବସ୍ଥା ଓ ପୁଲିସ ସମ୍ବିଧାନ ତଥା ଆଇନ ବ୍ୟବସ୍ଥା ପ୍ରତି ଉତ୍ତରଦାୟୀ ହେବା, ଦେଶର ସୁରକ୍ଷା ପାଇଁ ନିହାତି ଆବଶ୍ୟକ । ଆଜି ଯଦି କିଛି ଲୋକଙ୍କର ଭିନ୍ନମତ ଉପରେ ଆକ୍ରମଣ ବେଳେ ତାଙ୍କ ସହ ଅସମ୍ମତ ଲୋକେ ମଧ୍ୟ ଏହାକୁ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଉପରେ ଆକ୍ରମଣ ବୋଲି ବିଚାର କରିବେ ନାହିଁ, ତେବେ ଭବିଷ୍ୟତରେ କେହି ବି ସୁରକ୍ଷିତ ରହିବେ ନାହିଁ । ହିଂସା ଓ ପ୍ରତିହିଂସାର ରାଜନୀତି ଲୋକଙ୍କ ମତପ୍ରକାଶର ଅଧିକାର ଉପରେ କଟକଣା ଜାରି କରେ; ନାଗରିକର ସ୍ୱାଭାବିକ ବାର୍ତ୍ତାଳାପର କଣ୍ଠରୁଦ୍ଧ କରେ ଏବଂ ଏଭଳି ଭୟ, ଅସୁରକ୍ଷା ଓ ଆତଙ୍କର ବାତାବରଣ ଭିତରେ ହିଁ ଅଗଣତାନ୍ତ୍ରିକ ଓ ଏକଚ୍ଛତ୍ରବାଦୀ ବିଚାର ଓ ଶାସନ ପରିପୁଷ୍ଟ ହୁଏ । ନାଗରିକ କ୍ରିୟାଶୀଳତା ଓ ମତ-ନିରପେକ୍ଷ, ଆନୁଷ୍ଠାନିକୃତ ସ୍ୱାୟତ୍ତତା ହିଁ ଗଣତନ୍ତ୍ରର ସାରମର୍ମକୁ ସୁରକ୍ଷିତ ରଖିବାରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ ।

Leave A Reply