ଓଡ଼ିଶା ରାଜନୀତି ଓ ୨୦୧୯ ନିର୍ବାଚନ
ଗୋବିନ୍ଦ ଭୂୟାଁ
ଅଗଷ୍ଟ ୯ରେ ଅନୁଷ୍ଠିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏନଡିଏ ଓ ୟୁପିଏ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ରାଜ୍ୟସଭାରେ ବିଭିନ୍ନ ରାଜନୀତିକ ଦଳର ଗଣିତ ଦୃଷ୍ଟିରୁ ପରିଣତି ଅନିଶ୍ଚିତତା ଭିତରେ ଥିଲା, ନିର୍ଣ୍ଣୟ ସୂତା ଖିଅରେ ଝୁଲୁଥିଲା। ସଫଳତା ଗୋଟାପଣେ କୂଟନୀତିକ ଗୋଟିଚାଳନା ଉପରେ ନିର୍ଭର କରୁଥିଲା। ସେଥିରେ ମୋଦୀ ଜିତିଲେ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତାଦଳ(ୟୁ)ର ସଦସ୍ୟ ହରିବଂଶ ନାରାୟଣ ସିଂହ ଉପାଧ୍ୟକ୍ଷ ହେଲେ। ଏହି ନିର୍ବାଚନ ପାଇଁ ନବୀନବାବୁଙ୍କ ବିଜୁଜନତା ଦଳର ୯ଜଣ ରାଜ୍ୟସଭା ସଦସ୍ୟଙ୍କର ସମର୍ଥନ ଖୁବ୍ ବଡ଼ ଓ ମହତ୍ତ୍ୱପୂର୍ଣ୍ଣ ଥିଲା। ବିଜେପି ଓ ନବୀନବାବୁଙ୍କ ସଂପର୍କ ପୁରୁଣା ଓ ସେମାନେ ପରସ୍ପର ନିର୍ଭରଶୀଳ, ଏ କଥା ପୁଣି ଥରେ ପ୍ରମାଣିତ ହେଲା। ନବୀନବାବୁଙ୍କୁ ସାଙ୍ଗରେ ନେବାକୁ ୟୁପିଏ ତରଫରୁ ପ୍ରଚ୍ଛନ୍ନ-ପ୍ରଚେଷ୍ଟା ଯଥା ସମୟରେ ଆରମ୍ଭ ହୋଇଥିଲା ଏବଂ ବିଚାରଶୀଳ ଢଙ୍ଗରେ ବିଜୁଜନତା ଦଳକୁ ରାଜ୍ୟସଭା ଉପାଧ୍ୟକ୍ଷ ପଦର ପ୍ରସ୍ତାବ ଯଚାଯାଇଥିଲା। ନବୀନବାବୁ ସେ ପ୍ରସ୍ତାବରେ ସମ୍ମତ ହୋଇଥିଲେ ସମ୍ମାନଜନକ ଉପାଧ୍ୟକ୍ଷ ପଦଟି ଓଡ଼ିଶାକୁ ମିଳିଥାନ୍ତା ଓ ସେଥିପାଇଁ ବିଜୁ ଜନତା ଦଳରେ ସମର୍ଥ ବ୍ୟକ୍ତିଙ୍କର ଅଭାବ ନ ଥିଲା। ନବୀନବାବୁ ପ୍ରସ୍ତାବଟିକୁ ଯେପରି ଏଡ଼େଇ ଯାଇଥିଲେ, ସେହିଦିନୁ ଯେ କୌଣସି କାରଣରୁ ହେଉନା କାହିଁକି ସେ ବିଜେପିକୁ ସନ୍ତୁଷ୍ଟ ରଖିବାକୁ ଚାହାନ୍ତି, ଏ କଥାଟି ପୂରା ସ୍ପଷ୍ଟ ହୋଇଯାଇଥିଲା। ହଁ, ୨୦୧୭ ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଏନ୍ଡିଏର ପ୍ରାର୍ଥୀ ଭାବରେ କୋବିନ୍ଦଙ୍କ ନାମ ଘୋଷଣା ହେବାମାତ୍ରେ, ମୁହୂର୍ତ୍ତେ ମାତ୍ର ଅପେକ୍ଷା ନ କରି ନବୀନ ବାବୁ ତାଙ୍କପ୍ରତି ସମର୍ଥନ ଘୋଷଣା କରି ଯେପରି ସମାଲୋଚିତ ହୋଇଥିଲେ; ଏଥର ସେପରି ନ କରି ନଷ୍ପତ୍ତି ପାଇଁ ଲମ୍ବା ସମୟ ନେଲେ, କଥାକୁ ଶେଷଯାଏ ଝୁଲେଇ ରଖିଲେ; ହେଲେ ସମସ୍ତେ ଜାଣନ୍ତି ତାହା ଥିଲା ତୁଚ୍ଛା ନାଟକ !
ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ଦୁଇ ପ୍ରମୁଖ ଜାତୀୟଦଳ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷାକରିବା କଥା ବିଜୁ ଜନତା ଦଳ ତରଫରୁ ବାରମ୍ବାର କୁହାଯାଉଛି। ହେଲେ, ଗତ ଜୁଲାଇ ୨୦ ତାରିଖରେ ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜୁ ଜନତାଦଳର ଭୂମିକାକୁ ଅନୁଶୀଳନ କଲେ, ସମଦୂରତା କଥାଟି ଯେ ଭିତ୍ତିହୀନ; ତାହା ଜଳଜଳ ହୋଇ ଦିଶୁଛି। ଏନଡିଏର ସଭ୍ୟ ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବରେ ମୋଦୀ ସରକାରଙ୍କ ପ୍ରତି କୌଣସି ବିପଦ ନ ଥିବା କଥାଟି ସମସ୍ତଙ୍କୁ ଜଣାଥିଲା। ତେଲୁଗୁ ଦେଶମ୍ ପାର୍ଟି ତରଫରୁ ଆଗତ ଅନାସ୍ଥା ପ୍ରସ୍ତାବଟି, ପରୋକ୍ଷରେ ଥିଲା ବିରୋଧୀ ଶକ୍ତିର ଏକତା ଓ ଏକତା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନର ଏକ ଗଣତାନ୍ତ୍ରିକ ଗଣିତ, ଏକ ରାଜନୀତିକ ପ୍ରକ୍ରିୟା। ସକାରାତ୍ମକ ଦୃଷ୍ଟିରେ ଏହାକୁ ଆମେ ସରକାରଙ୍କୁ କ୍ରିୟାଶୀଳ କରିବାର ଏକ ସୁଯୋଗ ଭାବରେ ବା ଅତିବେଶିରେ ଆହ୍ୱାନ ଭାବରେ ବିଚାର କରିପାରିବା। ହେଲେ ଏହି ବିଚାରରେ ବିଜୁ ଜନତାଦଳ ସାମିଲ ହେଲାନାହିଁ। ଦେଶରେ, ୨୧ବର୍ଷର ଏକ ସଶକ୍ତ ଆଞ୍ଚଳିକ ଦଳଭାବରେ, ମୋଦୀ ସରକାରଙ୍କ ୪ ବର୍ଷର ଉପଲବ୍ଧିକୁ, ବିଶେଷକରି ଓଡ଼ିଶା ପରିପ୍ରେକ୍ଷୀରେ କେନ୍ଦ୍ରଶାସନର ଆଭିମୁଖ୍ୟକୁ ବିଜୁ ଜନତାଦଳ ଲୋକସଭାରେ, ଦେଶବାସୀଙ୍କ ଆଗରେ ଅନ୍ତତଃ ଗଠନମୂଳକ ଭାବରେ ସେଦିନ ଉପସ୍ଥାପିତ କରିପାରିଥାନ୍ତା। ଏହା ଥିଲା ଗଣତାନ୍ତ୍ରିକ କର୍ତ୍ତବ୍ୟ, ରାଜନୀତିକ ଆବଶ୍ୟକତା। ଅନାସ୍ଥାପାଇଁ ଭୋଟରେ ଅଂଶଗ୍ରହଣ କରିବା ତ ଦୂରର କଥା, ବିଜୁଜନତା ଦଳ ଗୃହର ଆଲୋଚନାରେ ମଧ୍ୟ ପକ୍ଷ ହେଲା ନାହିଁ। ଆଲୋଚନା ଶୁଣିଲା ବି ନାହିଁ। ଆଲୋଚନା ପୂର୍ବରୁ ସାଂସଦମାନେ ଡକାଡକି ହୋଇ ଗୃହ ଛାଡ଼ି ପଦାକୁ ବାହାରି ଆସିଲେ। ଏପରି ଆଚରଣକୁ ଆମେ ସମଦୂରତା ବୋଲି କିପରି କହିବା? ଏହା ତ ସମର୍ପଣ, ମନେହୁଏ ପୂର୍ଣ୍ଣ ସମର୍ପଣ।
ମହାନଦୀ ପ୍ରସଙ୍ଗଟି ଓଡ଼ିଶା ଆଗରେ ମହାସଂକଟ ଭାବରେ ଉଭା ହୋଇଛି। ଛତିଶଗଡ଼ରେ ବିଜେପି ଶାସନରେ ଅଛି। ଓଡ଼ିଶାର ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ବେଆଇନ ଭାବରେ ମନଇଚ୍ଛା ଉପରମୁଣ୍ଡରେ ମହାନଦୀ ଓ ତା’ର ଶାଖାନଦୀଗୁଡ଼ିକ ଉପରେ ଗଣ୍ଡାଗଣ୍ଡା ଆନିକଟ ନିର୍ମାଣ କରିଚାଲିଛି। ପ୍ରଧାନମନ୍ତ୍ରୀ ଚାହିଁଥିଲେ, ଚାପଦେଇ, ଆପୋଷ ଆଲୋଚନା ମାଧ୍ୟମରେ ସହଜରେ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସମାଧାନ ହୋଇପାରିଥାନ୍ତା। ସେପରି ଚେଷ୍ଟା ସେ କଲେ ନାହିଁ। କେନ୍ଦ୍ର ସରକାର ଛତିଶଗଡ଼କୁ ସୁହାଇଲା ଭଳି ଆଚରଣ ପ୍ରଦର୍ଶନ କରୁଛି ଓ ସୁପ୍ରମିକୋର୍ଟର ହସ୍ତକ୍ଷେପ ପରେ ବହୁ ବିଳମ୍ବରେ ଟ୍ରାଇବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଟ୍ରାଇବ୍ୟୁନାଲର ନିଷ୍ପତ୍ତି ନିଶ୍ଚୟ ବିଳମ୍ବିତ ହେବ। ମହାନଦୀର ଜଳରାଶି ଉପରେ ଓଡ଼ିଶାର ୧୫ଟି ଜିଲାର ଜନଜୀବନ ନିର୍ଭର କରିଥାଏ। ଯଦି ଛତିଶଗଡ଼ ନିର୍ମାଣ କାର୍ଯ୍ୟ ସ୍ଥଗିତ ନ ରଖେ, ଅଣମୌସୁମୀ ସମୟରେ ଓଡ଼ିଶାରେ ଘୋର ଜଳସଂକଟ ସୃଷ୍ଟି ହେବ। ଓଡ଼ିଆ ଢଗ ‘ମାଈପ ଆଗରେ ପାଇକପଣ’ କାଢ଼ିବାପରି ମହାନଦୀ ପାଇଁ ମହାସଂଗ୍ରାମ ହେବ ବୋଲି ମଝିରେ ମଝିରେ ହୁଂକାର ଦେଉଥିବା ବିଜୁ ଜନତାଦଳ ରାଜ୍ୟର ଏ ମହାସଂକଟ ପ୍ରସଙ୍ଗଟି ତଥ୍ୟଭିତ୍ତିକ ଭାବରେ ସେଦିନ କଡ଼ା ସ୍ୱରରେ ଲୋକସଭାରେ ବାଢ଼ିବାର ଅପୂର୍ବ ସୁଯୋଗଟିକୁ ହାତଛଡ଼ା କଲା। ଆନ୍ଧ୍ର ତରଫରୁ ନିର୍ମାଣ କରାଯାଉଥିବା ‘ପୋଲାଭରମ୍’ ନଦୀବନ୍ଧ ଓଡ଼ିଶା ପାଇଁ ଯେଉଁ ସମସ୍ୟା ତିଆରି କରିବ ଏବଂ ଆନ୍ଧ୍ରକୁ କେନ୍ଦ୍ରର ସମର୍ଥନ; ସେ ପ୍ରସଙ୍ଗରେ ମଧ୍ୟ ଆଲୋଚନା କଲା ନାହିଁ। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରୁଛି, ବୈମାତୃକ ଭାବ ଦେଖାଉଛି, ଆର୍ଥିକ ଅନୁଦାନର ପରିଣାମ ସଂକୁଚିତ କରିଦେଉଛି ବୋଲି ପ୍ରତିଦିନ ବିଜୁ ଜନତାଦଳର ପାରିଷଦବର୍ଗ ସଭାସମିତିରେ, ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରୁଛନ୍ତି। ସେଦିନ ପାର୍ଲାମେଣ୍ଟେର ଯୁକ୍ତିନିଷ୍ଠ ଭାବରେ ଏହି କଥାଗୁଡ଼ିକ କହିବାରେ ଅସୁବିଧା କେଉଁଠି ଥିଲା? କେଉଁ ସ୍ୱାର୍ଥ ସେଦିନ ତାଙ୍କୁ ଆଗ ଘେରିଲା; କେଉଁ ଭୟ ବାଟ ଓଗାଳିଲା?
ବିଜେପି ସରକାର ୨୦୧୪ ମସିହାରେ କେନ୍ଦ୍ରରେ କ୍ଷମତାକୁ ଆସିବାପରେ ‘ଯୋଜନା କମିସନ’ ବ୍ୟବସ୍ଥାକୁ ଉଚ୍ଛେଦକରି ‘ନିତି ଆୟୋଗ’ ଗଠନ କରିଛନ୍ତି। କାର୍ଯ୍ୟକାଳ ୪ବର୍ଷ ପୂରିଗଲାଣି। ଏକ ଦୈନିକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ କହିଛନ୍ତି, ‘ନିତି ଆୟୋଗର ନୀତିଟି କ’ଣ, ତାହା ଆଜିସୁଦ୍ଧା ମୋପାଇଁ ଅସ୍ପଷ୍ଟ’। ଦେଶର ବିକାଶର ଆର୍ଥନୀତିକ ଦିଗ ଓ ଦୃଷ୍ଟିକୁ ନିର୍ଣ୍ଣୟ ଓ ନିୟନ୍ତ୍ରଣ କରୁଥିବା ବ୍ୟବସ୍ଥାଟିର ଲକ୍ଷ୍ୟ ଓ କାର୍ଯ୍ୟକୁ ଯଦି ଭର୍ତ୍ତୃହରିବାବୁଙ୍କ ପରି ଜଣେ ବିଜ୍ଞ ଓ ଅଭିଜ୍ଞ ରାଜନେତା ଏତେଦିନ ଧରି ତଥାପି ବୁଝିନାହାନ୍ତି; ତେବେ ସେହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗଟି ଅନ୍ତତଃ ସେଦିନ ଲୋକସଭାରେ ଓଡ଼ିଶାର ସାଂସଦମାନେ ଉପସ୍ଥାପିତ କରିଥିଲେ ମନେହୁଏ ବେଶ୍ ପ୍ରାସଙ୍ଗିକ ହୋଇଥାଆନ୍ତା। କକ୍ଷତ୍ୟାଗ କରିବାର କ’ଣ କାରଣ ଥିଲା?
ବିଜୁ ଜନତାଦଳ ପାଇଁ ନିହାତି ଅପ୍ରୀତିକର ହୋଇଥିବା ଏହି ପ୍ରସଙ୍ଗଗୁଡ଼ିକ ଉଠେଇବାର କାରଣ ହେଉଛି ଏଥିରେ ରାଜ୍ୟର ସ୍ୱାର୍ଥ ଓ ଜାତୀୟ ସ୍ୱାର୍ଥ ଜଡ଼ିତ ରହିଛି। ଜନତାଙ୍କ ସମର୍ଥନରେ ନିର୍ବାଚନ ଜିଣିଥିବା ରାଜନୀତିକ ଦଳଟି ଜନସ୍ୱାର୍ଥକୁ ଛାଡ଼ି ଦଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଗଣତନ୍ତ୍ର ପ୍ରତି ଚରମ ବିଶ୍ୱାସଘାତ ଓ ରାଜନୀତିକ ସୁବିଧାବାଦ ।
ମୋଦୀ ସରକାର ବିରୋଧରେ ଅନାସ୍ଥା ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ- ଏ ଦୁଇଟି କ୍ଷେତ୍ରରେ ବିଜେଡି ଓ ବିଜେପିର ଭୂମିକା ଯାହା ଦେଶବାସୀ ନିକଟରେ ଅବଲୋକନ କଲେ ତା’ର ପ୍ରଭାବ ସ୍ୱାଭାବିକ ଭାବରେ ୨୦୧୯ ନିର୍ବାଚନ ଉପରେ ପ୍ରତିଫଳିତ ହେବ। ନବୀନବାବୁ ଓ ମୋଦିଜୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି, କେବଳ ଶାସନରେ ରହିବାର ସ୍ୱାର୍ଥପାଇଁ। ସେ ଦୁହେଁ ଯେ କୌଣସି ସମୟରେ, ଯେ କୌଣସି ପ୍ରସଙ୍ଗରେ ନିଷ୍ପତ୍ତିର ଗୋଟାଏ ବିନ୍ଦୁରେ ଏକାଠି ହୋଇପାରିବେ। ଏକଥା ଏବେ ଆଉ କାହାରିକୁ ଅଛପା ରହିଲା ନାହିଁ। ଅର୍ଥାତ୍ ବିଜେଡିର ବିକଳ୍ପ ଭାବରେ ବିଜେପିକୁ ବା ବିଜେପିର ବିକଳ୍ପଭାବରେ ବିଜେଡିକୁ, ମନେହୁଏ କେହି ସଚେତନ ଭୋଟର ଆଉ ସହଜରେ ଗ୍ରହଣ କରିବେ ନାହିଁ।
୨୦୧୪ ନିର୍ବାଚନରେ ନବୀନ ବାବୁ ଚତୁର୍ଥ ଥରପାଇଁ ବିଜୟୀ ହେଲେ। ହେଲେ ୨୦୧୭ ଫେବୃଆରୀରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳକୁ ବିଜେଡି ପ୍ରତି ଲୋକଙ୍କର ବିମୁଖଭାବ ବଢ଼ିଯାଇଥିଲା। ଲୋକେ ପରିବର୍ତ୍ତନ ଚାହୁଁଥିଲେ। ନେତୃତ୍ୱ କନ୍ଦଳ ଓ ସଂଗଠନ କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ କଂଗ୍ରେସ ଲୋକଙ୍କ ନିକଟକୁ ଯାଇପାରିଲା ନାହିଁ, ଲୋକଙ୍କର ବିଶ୍ୱାସଭାଜନ ହୋଇପାରିଲା ନାହିଁ। ପରିବର୍ତ୍ତନ ସପକ୍ଷବାଦୀମାନେ କେନ୍ଦ୍ରରେ ଶାସନରେ ଥିବା ବିଜେପି ଆଡ଼କୁ ମୁହାଁଇଗଲେ; ଭାବିଲେ ତାହା ହେଉଛି ବିକଳ୍ପ। କଂଗ୍ରେସକୁ ପଛକୁ ଠେଲି ବିଜେପି ଦ୍ୱିତୀୟ ସ୍ଥାନକୁ ଗଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଲୋକଙ୍କର ମନ ଜିଣିପାରିଲା ନାହିଁ, ଖାଲି ବଡବଡ଼ କଥା ଗପିଲା। ୨୦୧୮ ଫେବୃଆରୀରେ ବିଜେପୁର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ଶୋଚନୀୟ ଭାବରେ ବିଫଳ ହେଲା, ବିକଳ୍ପ ହୋଇପାରିବାର ବିଚାର ଆଉ ବିଜେପି ପାଖରେ ରହିପାରିଲା ନାହିଁ। ବିଜେପୁରରେ ଦଳୀୟ ଚିହ୍ନରେ ବିଜେପିର ଜିଲାପରିଷଦ ପ୍ରାର୍ଥୀମାନେ ପାଇଥିବା ୯୨ହଜାର ଭୋଟ ଏଥର ୬୨ ହଜାରରେ ପହଞ୍ଚିଗଲା। ଦୁଃଖର କଥା, ସେଠି କ୍ରମାଗତ ଚାରିଥର ନର୍ବାଚନ ଜିତିଥିବା କଂଗ୍ରେସ ପାଇଲା ମାତ୍ର ୧୦,୨୭୪ଖଣ୍ଡ ଭୋଟ। ମନେହୁଏ କଂଗ୍ରେସ ନିର୍ବାଚନ ଲଢୁ ନ ଥିଲା, ଖାଲି ପାହି ଜଗିଥିଲା।
ଲହୁଲୁହାଣ ହୋଇ ଲଢ଼ିଥିଲା ବିଜେପି। ଏହି ନିର୍ବାଚନରେ ଏକ ଆଚମ୍ବିତ କଥା ଦେଖାଗଲା। ୨୦୧୪ରୁ ଓଡ଼ିଶାରେ ବିଜେପିର ମୁହଁ ସାଜିଥିବା ଧର୍ମେନ୍ଦ୍ର ପ୍ରଧାନ କାହିଁକି କେଜାଣି ମୁଖ୍ୟମନ୍ତ୍ରୀଙ୍କୁ ସ୍ପର୍ଶ ନ କରି ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଘନଘନ ଆକ୍ରମଣ କଲେ। ହେଲେ ଉଁ କିମ୍ବା ଚୁଁ ମୁହଁ ନ ଖୋଲି ସେ ସରକାରୀ ଅଧିକାରୀ ଜଣକ ନିଜ ବୃତ୍ତିଧର୍ମ ପାଳନ କଲେ। ନିର୍ବାଚନ ଫଳ ତ ପ୍ରକାଶ ପାଇଲା। କ’ଣ ଘଟିଲା କେଜାଣି ସେହି ଦିନୁ ଧର୍ମେନ୍ଦ୍ରବାବୁ ଆଉ କୌଣସି ପ୍ରସଙ୍ଗରେ ପାଣ୍ଡିୟାନଙ୍କୁ ଟାଣୁନାହାନ୍ତି। ପୂରା ଚୁପ୍ !
ନବୀନବାବୁଙ୍କର ବାରମ୍ବାର ନିର୍ବାଚନ ଜିଣିବା ପଛରେ ତାଙ୍କ ନେତୃତ୍ୱର ବିଚକ୍ଷଣତା ବା ଲୋକପ୍ରିୟତା କେତେ ରହିଛି ତାହା ଭିନ୍ନ କଥା; କିନ୍ତୁ ବିରୋଧୀ ଦଳ, ମୁଖ୍ୟତଃ କଂଗ୍ରେସ ଦଳର ବିଫଳତା ହେଉଛି ତାଙ୍କର ସବୁଠୁ ବଡ଼ ସଂପଦ, ସବୁଠୁ ବଡ଼ ଶକ୍ତି। ଏବେ କଂଗ୍ରେସକୁ ଲୋକେ ବିକଳ୍ପ ଭାବରେ କେତେଦୂର ଗ୍ରହଣ କରିବେ, ତାହା ଜୋରଦେଇ କହିହେବ ନାହିଁ, କିନ୍ତୁ ଗତ ଏପ୍ରିଲ ମାସରେ ନିରଜଂନ ପଟ୍ଟନାୟକ ସଭାପତି ଭାବରେ ରାଜ୍ୟ କଂଗ୍ରେସର ଦାୟିତ୍ୱ ନେବାପରେ କଂଗ୍ରେସ ସମର୍ଥକଙ୍କ ଭିତରେ ଆତ୍ମବିଶ୍ୱାସ ଯଥେଷ୍ଟ ବଢ଼ିଛି। ଅବଶ୍ୟ ଦଳକୁ ସଜାଡ଼ି ଲୋକଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ହାତରେ ସମୟ କମ୍ ଏବଂ ବାଟରେ ଅନେକ ‘ହମ୍ପସ୍’। କଂଗ୍ରେସ କହୁଛି, ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ଆଗୁଆ ସାରିବ ଏବଂ ପ୍ରାର୍ଥୀଭାବରେ ଯୁବକ ଓ ମହିଳାଙ୍କୁ ଗୁରୁତ୍ୱ ଦିଆଯିବ। ପୁଣି କୁହାଯାଉଛି ‘ୱନେବିଲିଟି’ ବା ‘ଜିତିବାର ଯୋଗ୍ୟତା’କୁ ଅଗ୍ରାଧିକାର ଦିଆଯିବ। ଆମେ ଜାଣିବାରେ ଜିତିବାର ଯୋଗ୍ୟତାଟି ପ୍ରାର୍ଥୀର ଉଚ୍ଚ ବ୍ୟକ୍ତିତ୍ୱ, ଦଳର ବିଚାର ପ୍ରତି ବିଶ୍ୱାସ ଓ ରାଜନୀତି ପ୍ରତି ଶୁଦ୍ଧ ପ୍ରତିବଦ୍ଧତାକୁ ବୁଝାଇଥାଏ। ଏଗୁଡ଼ିକ ଏକତ୍ର ଯଦି ଜଣେ ଯୁବକଠାରେ ମିଳେ, ତେବେ ସେ ତ ସର୍ବୋତ୍କୃଷ୍ଟ। ତେବେ ରାଜ୍ୟ କଂଗ୍ରେସ ତଥାକଥିତ ‘ୱିନେବିଲିଟି’ ଭିତରେ କେଉଁ ବିଶେଷ ଯୋଗ୍ୟତାକୁ ଖୋଜୁଛି କେଜାଣି ହେଲେ ସେହି ଖୋଜିବା ଉପରେ ଓଡ଼ିଶା କଂଗ୍ରେସର ୨୦୧୯ କେବଳ ନୁହେଁ, ୨୦୨୪ ମଧ୍ୟ ନିର୍ଭର କରୁଛି। ଦେଖାଯାଉ!