ଦେଶର ପାରମ୍ପରିକ ନୃତ୍ୟଶୈଳୀ ଏବଂ ଓଡ଼ିଶା ନୌବାଣିଜ୍ୟ ଇତିହାସରେ ଦର୍ଶକ ହେଲେ ମନ୍ତ୍ରମୁଗ୍ଧ
ପ୍ରବାସୀ ଭାରତୀୟ ଦିବସରେ ଭାରତ ଏବଂ ଭାରତୀୟତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ପକ୍ଷରୁ ପ୍ରବାସୀ ଭାରତୀୟ ଦିବସର ଦ୍ୱିତୀୟ ଦିନରେ ଜନତା ମଇଦାନ ଠାରେ ଭାରତ ଏବଂ ଭାରତୀୟତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କଳାକାରମାଙ୍କ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହୋଇଥିଲା। ଏଥିରେ ଦେଶର ସାଂସ୍କୃତିକ ବିବିଧତା ମଧ୍ୟରେ ଅମର ଏକତା ଓ ବୈଭବ ପ୍ରତିଫଳିତ ହୋଇଛି। ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦେଶଗୁଡ଼ିକ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ବିଭିନ୍ନ ନୃତ୍ୟ ପରିବେଷଣ ହୋଇଛି ।
ସିନ୍ଧୁ-ସରସ୍ୱତୀ ସଭ୍ୟତା, ନୌବାଣିଜ୍ୟ ଏବଂ ସାଂସ୍କୃତିକ ସଂଯୋଗକୁ ଚିତ୍ରଣ କରୁଥିବା ବିଷୟବସ୍ତୁକୁ ନେଇ ଶାସ୍ତ୍ରୀୟ କୁଚିପୁଡି ନୃତ୍ୟ ସହିତ ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମାରକନ୍ ଉପକୂଳ ଏବଂ ପାରସ୍ୟ ଉପସାଗର ଏବଂ ପଶ୍ଚିମରେ ବାବିଲୋନ ପର୍ଯ୍ୟନ୍ତ ଏବଂ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକ ସହିତ ଆମର ନୌଯାତ୍ରା ଏବଂ ବାଣିଜ୍ୟ ଏହି ନୃତ୍ୟରେ ପ୍ରତିଫଳିତ ହୋଇଥିଲା। ଦ୍ୱିତୀୟ ପରିବେଷଣ ରାମାୟଣ ଏବଂ ବୁଦ୍ଧଙ୍କ ଆଧ୍ୟାତ୍ମିକ ଯାତ୍ରାର ଝଲକ ଉପରେ ଆଧାରିତ ଥିଲା । ବିଶ୍ୱରେ ଭାରତର ପ୍ରଜ୍ଞାର ପ୍ରଚାର ଏବଂ ଭାରତ ବିଶ୍ୱକୁ ସାର୍ବଜନୀନ ଶାନ୍ତି ଏବଂ ସମନ୍ୱୟର ପଥ ପ୍ରଦର୍ଶନ କରିଥିବା ଉପରେ ଏହି ନୃତ୍ୟ ପର୍ଯ୍ୟବେସିତ ଥିଲା ।
ତୃତୀୟ ପ୍ରଦର୍ଶନରେ ଭାରତନାଟ୍ୟମ୍, ଓଡ଼ିଶୀ, କଥକ, ମଣିପୁରୀ, କଥକଲି ଏବଂ କୁଚିପୁଡ଼ି ଭଳି ଶାସ୍ତ୍ରୀୟ ନୃତ୍ୟର ମିଶ୍ରଣ ଥିଲା। କଳାକାରମାନେ ନିଜର ନୃତ୍ୟ, ସଙ୍ଗୀତ ଏବଂ ପରିପାଟୀ ମାଧ୍ୟମରେ ସମାବେଶକୁ ବିମୋହିତ କରିଥିଲେ । ବିଶେଷକରି ଓଡ଼ିଶା ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ସଙ୍ଗୀତ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ସଙ୍ଗୀତର ମିଶ୍ରଣ ସହିତ ଗୁଜୁରାଟ, ରାଜସ୍ଥାନ, କାଶ୍ମୀର, ମଧ୍ୟ ପ୍ରଦେଶ, ମଣିପୁର, ଅରୁଣାଚଳ ପ୍ରଦେଶ ଏବଂ ପଞ୍ଜାବର ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଛଉନୃତ୍ୟର ତାଳେ ତାଳେ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ ।
ଶେଷରେ, ୧୧୦ ଜଣ ନୃତ୍ୟଶିଳ୍ପୀ ହାତରେ ମାଟିର ଦୀପ ଧରି ଶାନ୍ତ ଏବଂ ଚମତ୍କାର ପରିବେଶରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ କବିତା ଉପରେ ‘ପ୍ରଗତିଶୀଳ’ ଓ ‘ବସୁଧୈବ କୁଟୁମ୍ବକମ୍’ ଚିନ୍ତନ ଉପରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ଶାନ୍ତି, ସମୃଦ୍ଧିର ବାର୍ତ୍ତା ଦେଉଥିଲା ।
ମୈତ୍ରେୟୀ ପାହାରିଙ୍କ ସ୍ୱରରେ ବିଭିନ୍ନ ପ୍ରଦର୍ଶନୀର ଚିତ୍ର ବର୍ଣ୍ଣନା କରାଯାଇଥିଲା । ପରଦା ପଛରେ ଏକ ଏଲଇଡ଼ି ପୃଷ୍ଠଭୂମିରେ ପ୍ରାସଙ୍ଗିକ ଚିତ୍ର ପ୍ରଦର୍ଶନ ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଆହୁରି ହୃଦୟସ୍ପର୍ଶୀ କରୁଥିଲା ।
Comments are closed.