ଆଠଗଡରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଆଠଗଡ଼: ଆଠଗଡର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଶେଷ କରି ହାତଲେଖା ପରିଚୟପତ୍ରକୁ ଡିଜିଟାଲରେ ପରିଣତ କରିବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ଆଜିର ଏହି ଶିବିରରେ ବିଭିନ୍ନ ବର୍ଗର ୮୪୫ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ଡାକ୍ତରଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ସେମାନଙ୍କ ମଧ୍ଯରୁ ଯୋଗ୍ଯ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ପରବର୍ତ୍ତୀ ସମୟରେ ଜିଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି। ବିଡିଓ ଆକାଶ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଜିଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଏବଂ ସଭ୍ୟା ମିନତୀ ଗାଗାରାଇ ଯୋଗଦେଇ ଉଦଘାଟନ କରି ସମାଜରେ ଥିବା ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବା ଏହି ଶିବିରର ଉଦ୍ଦେଶ୍ୟ ଓ ଲକ୍ଷ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ୫ ଜଣ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ଓ ତିନିଚକିଆ ସାଇକେଲ ଏବଂ ୨ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। କଟକରୁ ଆସିଥିବା ବିଭିନ୍ନ ବିଭାଗର ଡାକ୍ତର ଦିବ୍ୟାଙ୍ଗ ଲୋକଙ୍କର ସ୍ଵାସ୍ଥ୍ଯ ପରୀକ୍ଷା କରିଥିଲେ । ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ ଶିବିରରେ ଏକ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡେଙ୍ଗା ସଂଯୋଜନା କରିଥିବା ବେଳେ ବିତ୍ତ ଅଧିକାରୀ ନବ କୁମାର କଟକିଆ ଓ ପ୍ରିୟବ୍ରତ ପଣ୍ଡାଙ୍କ ସମେତ ବ୍ଲକ ତଥା ବିଭିନ୍ନ ବିଭାଗର କର୍ମଚାରୀ ସହଯୋଗ କରିଥିଲେ ।
Comments are closed.