‘ନେଟ୍‌ ନ୍ୟୁଟ୍ରାଲିଟି’ ସପକ୍ଷରେ ଭାରତ

0

ପ୍ରଦୀପ ମହାପାତ୍ର

ଇଣ୍ଟରନେଟ ସଂଯୁକ୍ତି ବିତରଣ ପ୍ରକ୍ରିୟାରେ ସାମ୍ୟତାକୁ ‘ନେଟ ନ୍ୟୁଟ୍ରାଲିଟି’ କୁହାଯାଏ । ଇଣ୍ଟରନେଟ ସଂଯୁକ୍ତି ମାଧ୍ୟମରେ ୱାର୍ଲ୍ଡ-ୱାଇଡ୍‌-ୱେବରେ ପହଞ୍ଚିହୁଏ । ଉପଭୋକ୍ତାମାନେ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡ଼ରଙ୍କ ମାଧ୍ୟମରେ ଇଣ୍ଟରନେଟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭିସ ପ୍ରୋଭାଇଡ଼ରମାନେ ଭିତ୍ତିଭୂମି ଗଠନରେ ବିପୁଳ ଅର୍ଥ ନିବେଶ କରୁଥିବା ଏବଂ ଅପେକ୍ଷାକୃତ ଶସ୍ତାଦରରେ ଖୁଚୁରା ଉପଭୋକ୍ତାଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦେଉଥିବା ଦ୍ୱାହି ଦେଇ ଇଣ୍ଟରନେଟ ସଂଯୁକ୍ତିକ୍ଷେତ୍ରରେ ତାରତମ୍ୟ ରଖିବା ନିମନ୍ତେ ଦାବି କରିଥାନ୍ତି । ଉଦାହରଣରେ ସର୍ଭିସ ପ୍ରୋଭାଇଡ଼ରମାନେ ବ୍ୟାବସାୟିକ ବୁଝାମଣା କରି କେତେକ ୱେବସାଇଟକୁ ସହଜରେ ପହଞ୍ଚି ପାରିବା କିମ୍ୱା କେତେକ ୱେବ ସାଇଟକୁ ଉପେକ୍ଷା କରିବା ପରିବେଶ ସୃଷ୍ଟି ସଂଭବପର। ଏତଦ୍ଦ୍ବାରା ଇଣ୍ଟରନେଟ ଭଳି ଶକ୍ତିଶାଳୀ ଗଣମାଧ୍ୟମ ପକ୍ଷାପାତିତାରେ ଆକ୍ରାନ୍ତ ହୋଇପଡ଼େ ।
ଆନ୍ତର୍ଜାତିକ ସ୍ତରରେ ନେଟ ନ୍ୟୁଟ୍ରାଲିଟି ସପକ୍ଷରେ ସ୍ୱର ପ୍ରତିଧ୍ୱନିତ ହୋଇଥାଏ । ତେବେ ବ୍ୟାବସାୟିକ, ରାଜନୀତିକ ଓ ସାମାଜିକ କାରଣରୁ କେତେକ କ୍ଷେତ୍ରରେ ଏହି ସ୍ୱାଧୀନତାରେ ଅଙ୍କୁଶ ଜାରି କରାଯାଇଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱାଧୀନଚେତା ରାଷ୍ଟ୍ରରେ ପୂର୍ବ ପ୍ରଚଳିତ ନେଟ ନ୍ୟୁଟ୍ରାଲିଟି ଆଇନକୁ ୨୦୧୮ ମଧ୍ୟଭାଗରେ ଖାରଜ କରିଦିଆଯାଇଛି । ସେଠାରେ ଯୁକ୍ତି ବଢ଼ାଯାଉଛି ଯେ ନେଟ ନ୍ୟୁଟ୍ରାଲିଟି ପ୍ରତିଯୋଗିତାପୂର୍ଣ୍ଣ ବ୍ୟବସାୟକୁ ଉତ୍ସାହିତ ନ କରୁଥିବା କାରଣରୁ ଇଣ୍ଟରନେଟ ମଞ୍ଚର ଦ୍ରୁତ ବିକାଶରେ ସହାୟକ ହୋଇପାରୁ ନାହିଁ।
ଭାରତରେ ଇଣ୍ଟରନେଟର ସଂପ୍ରସାରଣ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ବିଳମ୍ୱ ଘଟିଛି । ତେବେ ଭାରତୀୟ ସମ୍ୱିଧାନର ଧାରା ୧୯(କ) ମୁକ୍ତ ଅଭିବ୍ୟକ୍ତି ଆଧାରରେ ଇଣ୍ଟରନେଟ ମଞ୍ଚ ଉପଯୋଗରେ ସ୍ୱାଧୀନତା ମୂଳରୁ ବଳବତ୍ତର ରହିଛି। ଦେଶରେ ଊନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ମୁଦ୍ରିତ ଗଣମାଧ୍ୟମର ପ୍ରଭାବ କ୍ରମଶଃ ଏକବିଂଶ ଶତାବ୍ଦୀରେ ଅନ-ଲାଇନ ମଞ୍ଚକୁ ସ୍ଥାନାନ୍ତରିତ ହେଉଥିବା ତଥା ସାକ୍ଷରତା ହାର ବୃଦ୍ଧି ପାଇ ଚ଼ାଲିଥିବା ଅବସରରେ ଡିଜିଟାଲ ମଞ୍ଚରେ ସ୍ୱାଧୀନତା ଗୁରୁତ୍ୱ ବହନ କରିଥାଏ ।
ଇଣ୍ଟରନେଟ ବିକାଶକ୍ରମରେ ଭାରତରେ ଏକାଥରକେ ଅତ୍ୟାଧୁନିକ ଉତ୍ପାଦ ବ୍ୟବହାର ‘ଲିପ-ଫ୍ରଗ’ ପରିସ୍ଥିତି ସୃଷ୍ଟି ହୋଇଛି। ​‌େଡସ୍କଟପ କମ୍ପ୍ୟୁଟର ବ୍ୟବହାରରେ ଅଜ୍ଞ ୩୦ କୋଟି ସାଧାରଣ ନାଗରିକ ୨୦୧୮ ମଧ୍ୟଭାଗ ସୁଦ୍ଧା ସ୍ମାର୍ଟଫୋନ, ଅାପ୍ଲିକେସନ ବ୍ୟବହାରରେ ଅଭ୍ୟସ୍ତ ହୋଇପଡ଼ି ଦୈନିକ ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ଡ଼ିଜିଟାଲ ମଞ୍ଚରେ ସମୟ ଅତିବାହିତ କରିବା ପରିସଂଖ୍ୟାନ ଦେଶରେ ଡ଼ିଜିଟାଲ ସମୃଦ୍ଧିର ପ୍ରତିଛବି ଅଙ୍କନ କରିଥାଏ। ପାରମ୍ପରିକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି ଓ ଗଣତନ୍ତ୍ର ବିକାଶରେ ଇଣ୍ଟରନେଟର ଯୋଗଦାନ ଏକ ନୂତନ ସମୀକରଣ ସୃଷ୍ଟି କରିବା ଆଶା କରାଯାଏ ।
ଭାରତ ସରକାରଙ୍କ ପକ୍ଷରୁ ୨୦୦୪ରେ ପ୍ରଣୀତ ବ୍ରଡ୍‌ବ୍ୟାଣ୍ଡ ପଲିସି ଦେଶରେ ଇଣ୍ଟରନେଟ ପରିଚ଼ାଳନାରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଘୋଷଣା। ଏହାର ପ୍ରଭାବରେ ୨୦୦୫ରୁ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଲା। ୨୦୧୦ରେ ସରକାରଙ୍କ ପକ୍ଷରୁ ୩ଜି ସ୍ପେକ୍ଟ୍ରମ ତଥା ଏହା ପରକୁ ୪ଜି ସ୍ପେକ୍ଟ୍ରମ ନିଲାମ ଇଣ୍ଟରନେଟ ସଂପ୍ରସାରଣରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା । ୨୦୧୮ ମାର୍ଚ୍ଚ ସୁଦ୍ଧା ଦେଶରେ ୪୯ କୋଟି ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଇଥିଲା। ସେଥିମଧ୍ୟରେ ୪୧ କୋଟି ବ୍ରଡ୍‌ବ୍ୟାଣ୍ଡ ତଥା ୪୭ କୋଟି ଓୟାରଲେସ ସଂଯୋଗ ଅନ୍ତର୍ଭୁକ୍ତ । ଦେଶରେ ୩୮ ପ୍ରତିଶତ ନାଗରିକ ଇଣ୍ଟରନେଟ ବ୍ୟବହାର କରୁଥିବାସ୍ଥଳେ ସହରାଞ୍ଚଳରେ ୩୪ କୋଟି ଓ ଗ୍ରାମାଞ୍ଚଳରେ ୧୪ କୋଟି ଉପଭୋକ୍ତା ବସବାସ କରୁଥିବା ଜଣାଯାଏ ।
ଇଣ୍ଟରନେଟ ପ୍ରସାର ହେତୁ ଏକ ବୃହତ ଜନସଂଖ୍ୟାର ବିଶ୍ୱସନୀୟତା ହାସଲପରେ ଆନ୍ତର୍ଜାତିକ ସ୍ତରରେ କେତେକ ବ୍ୟାବସାୟିକ ପ୍ରତିଷ୍ଠାନ ଇଣ୍ଟରନେଟ ସେବାକୁ ନିୟନ୍ତ୍ରଣ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ । ଏହି ପ୍ରବାହ ଭାରତରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ଫେସବୁକ ପକ୍ଷରୁ ‘ଫ୍ରି ବେସିକ୍ସ’ ଓ ଏୟାର-ଟେଲ ପକ୍ଷରୁ ‘ଏୟାରଟେଲ ଜିରୋ’ ଯୋଜନାରେ ଜନସାଧାରଣଙ୍କୁ ବିନାମୂଲ୍ୟରେ ଇଣ୍ଟରନେଟ ସେବା ଯୋଗାଇବା ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା । ତେବେ ଏଭଳି ସେବାରେ ଉପଭୋକ୍ତାମାନଙ୍କୁ କେତେକ ନିର୍ଦିଷ୍ଟ ଇଣ୍ଟରନେଟ ମଞ୍ଚ ପରିଦର୍ଶନରେ ସୀମିତ ରଖିବା ବ୍ୟବସ୍ଥା କରାଯାଇଥିଲା। ଅର୍ଥାତ ମୁକ୍ତ ଇଣ୍ଟରନେଟରେ ଜଣେ ବ୍ୟବହାରକାରୀ ପୃଥିବୀର ସମସ୍ତ ବୈଧ ୱେବସାଇଟ ବ୍ରାଉଜ କରିବା ସୁବିଧା ଉପଲବ୍ଧ ଥିବାବେଳେ ପ୍ରସ୍ତାବିତ ଯୋଜନାରେ ସେବା ପ୍ରଦାନକାରୀଙ୍କ ସହ ବ୍ୟାବସାୟିକ ଅନୁବନ୍ଧନ ପ୍ରାପ୍ତ ମାତ୍ର କେତେଗୋଟି ୱେବସାଇଟ ବ୍ୟବହାର ନିମନ୍ତେ ସୁଯୋଗ ସୀମିତ ରଖିବା ମସୁଧା ହୋଇଥିଲା ।
ସ୍ୱାଧୀନଚ଼େତା ଇଣ୍ଟରନେଟ ବିଶାରଦମାନେ ଏହାର ବିରୋଧ କରିଥିଲେ । ୨୦୧୫ରୁ ନେଟ ନ୍ୟୁଟ୍ରାଲିଟି ସପକ୍ଷରେ ବିଭିନ୍ନସ୍ତରରେ ସ୍ୱର ଉତ୍ତୋଳିତ ହୋଇଥିଲା । ଟେଲିଯୋଗାଯୋଗ ବ୍ୟାପାର ନିୟନ୍ତ୍ରଣ କରୁଥିବା ‘ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ’ (ଟ୍ରାଇ) ନେଟନ୍ୟୁଟ୍ରାଲିଟି ବଜାୟ ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ରହିଥିଲେ। ୨୦୧୭ ନଭେମ୍ୱର ମାସରେ ଟ୍ରାଇ ପକ୍ଷରୁ ଦେଶରେ ନେଟ ନ୍ୟୁଟ୍ରାଲିଟି ସପକ୍ଷରେ ନୀତିଗତ ନିଷ୍ପତ୍ତି ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ୨୦୧୮ ଜୁଲାଇ ୧୧ରେ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟର ‘ଟେଲକମ କମିସନ’ ‘ଟ୍ରାଇ’ର ସୁପାରିସକୁ ଗ୍ରହଣକରି ନେଟ ନ୍ୟୁଟ୍ରାଲିଟି ମଞ୍ଜୁର କରିଥିଲେ ।
ଭାରତରେ ନେଟ ନ୍ୟୁଟ୍ରାଲିଟି ପରିବେଶରେ ପ୍ରାୟ ଦେଢ଼ ଶହ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡ଼ରଙ୍କୁ କୌଣସି ପ୍ରକାର ପକ୍ଷପାକ୍ଷିତା କରିବା ନିଷେଧ କରାଯାଇଛି । ‌େ‌ଡଟା ବିତରଣରେ ଦର ନିର୍ଦ୍ଧାରଣ, ୱେବସାଇଟ ଓ ଆପ୍ଲିକେସନ ବ୍ୟବହାର, ଇଣ୍ଟରନେଟର ବେଗ ନିର୍ଦ୍ଧାରଣ ଇତ୍ୟାଦି କୌଣସି କ୍ଷେତ୍ରରେ ମନମୁତାବକ ନୀତି ଉପଯୋଗ କରିପାରିବେ ନାହିଁ। ତତ୍‌ସଙ୍ଗେ ନେଟ ନ୍ୟୁଟ୍ରାଲିଟି ଉପଯୋଗ ଓ ବିରୁଦ୍ଧାଚ଼ରଣ ସମୀକ୍ଷା କରାଯାଇ ଦଣ୍ଡ ବିଧାନର ବ୍ୟବସ୍ଥା ରଖାଯିବ ।
ଭାରତୀୟ ସାମ୍ୱିଧାନିକ ବ୍ୟବସ୍ଥାରେ ଅଭିବ୍ୟକ୍ତିର ସ୍ୱାଧୀନତା ସ୍ୱଚ୍ଛ । ଏକ ପକ୍ଷରେ କଣ୍ଠରୋଧକୁ ବିରୋଧ କରାଯାଉଥିବା ସ୍ଥଳେ ଅପରପକ୍ଷରେ ଅାର୍ଥନୀତିକ, ସାମାଜିକ ଓ ପ୍ରତିରକ୍ଷାମୂଳକ ପରିସ୍ଥିତିକୁ ଆଧାରକରି ଅଭିବ୍ୟକ୍ତିର ସ୍ୱାଧୀନତା ସରକାରୀ ସ୍ତରରେ ନିୟନ୍ତ୍ରଣ ଲାଗି ସୁବିଧାସୁଯୋଗ ଉପଲବ୍ଧ । ପାରମ୍ପରିକ ଉଦାରତାକୁ ଆୟୂଧକରି ପ୍ରାକୃତିକ ନେଟ୍‌ ନ୍ୟୁଟ୍ରାଲିଟି ବଳବତ୍ତର ରଖିବା ନିମନ୍ତେ ବିଧିବିଧାନ ଭାରତୀୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଲା ବୋଲି କୁହାଯାଇପାରେ ।
ପ୍ରାକ୍ତନ ସାମ୍ୱାଦିକତା ବିଭାଗ ମୁଖ୍ୟ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

Leave A Reply