ଅଦାଲତ ଅର୍ଗଳିରେ ଭାରତୀୟ ଗଣତନ୍ତ୍ର
ସୁଧାଂଶୁ ଶେଖର ଭୂୟାଁ
ଶେଷ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ହିଁ ଆଶା ଭରସାର ସ୍ଥଳ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଗଣତନ୍ତ୍ରର ମାନମହତ ଯେ ରକ୍ଷା ପାଇଯାଇଛି, ତା’ର ଶ୍ରେୟ ସାଧାରଣ ନାଗରିକ ଦେଶର ସର୍ବୋଚ୍ଚ ଅଦାଲତକୁ ହିଁ ଦେଉଛି। ଗଣତନ୍ତ୍ରର ସମ୍ମାନ ବଞ୍ଚାଇବାରେ ସୁପ୍ରିମକୋର୍ଟର ଅବଦାନ ଅନସ୍ବୀକାର୍ଯ୍ୟ ଓ ଅବିସମ୍ବାଦିତ। ଅଦାଲତ ଯଦି ଏହି ଭାବରେ ସକ୍ରିୟ ହୋଇନଥାନ୍ତେ, ତେବେ ବିଧାୟକ ଆଉ ଘୋଡ଼ା ମଧ୍ୟରେ ପାର୍ଥକ୍ୟଟା ଜାଣିବା ମୁସ୍କିଲ ହୋଇଥାନ୍ତା। ପ୍ରଶ୍ନବାଚୀ ହେଲା, ଯେଉଁ ପରିସରଟା ନୀତିର ବା ରାଜନୀତିର, ସେଠାରେ କାହିଁକି ଅଦାଲତକୁ ବାରମ୍ବାର ହସ୍ତକ୍ଷେପ କରିବାକୁ ହେଉଛି? ସେହି ହସ୍ତକ୍ଷେପଟି କ’ଣ ଭାରତୀୟ ସମ୍ବିଧାନର ଦାର୍ଶନିକ ଅବସ୍ଥାନର ସଙ୍ଗରେ ସଙ୍ଗତିପୂର୍ଣ୍ଣ?
ଭାରତରେ ବିଚାର ବିଭାଗର ପ୍ରାଥମିକ ଦାୟିତ୍ବ ଆଇନ୍ର ବ୍ୟାଖ୍ୟା କରିବା, ଆଇନ୍ ତିଆରି କରିବା ନୁହେଁ। ଆଇନ୍ ତିଆରି କରିବାର ଦାୟିତ୍ବ ଆଇନବିଭାଗର। େସହି ଆଇନ ପ୍ରୟୋଗ କରିବାର ଦାୟିତ୍ବ ଶାସନ ବିଭାଗର। ଦାୟିତ୍ବରେ ଏହି ବିଭାଜନ ହିଁ ଭାରତରେ କ୍ଷମତା-ଭାଗ ନୀତିର ଅଙ୍ଗ। ୧୯୭୦ ଦଶନ୍ଧି ସମୟରୁ ଦେଖାଯାଉଛି, ଭାରତର ବିଚାରବିଭାଗ ଏହି ଗଣ୍ଡି ଅତିକ୍ରମ କରି ଆହୁରି ସକ୍ରିୟ ଭୂମିକା ନେଇଛି ଯାହା ଏବେ ବିଚାରବିଭାଗୀୟ ଅତିସକ୍ରିୟତା ନାମରେ ପରିିଚିତ। ବିଶେଷତଃ ଜରୁରୀ ଅବସ୍ଥା ପରେପରେ ଯେଉଁ ସମୟରୁ ସରକାରଙ୍କ ପ୍ରତି ମଣିଷର ଅନାସ୍ଥା ଓ ଅବିଶ୍ବାସ କ୍ରମେ ପ୍ରବଳରୁ ପ୍ରବଳତର ହୋଇଛି, ସାଧାରଣ ମଣିଷ ଆଖିରେ ବିଚାରବିଭାଗ ଅନେକ ବେଶୀ ମାନବିକ ଓ ବିଶ୍ବାସଯୋଗ୍ୟ ଏବଂ ଅବଶ୍ୟ ରାଜନୈତିକ ଶ୍ରେଣୀଙ୍କ ଅପେକ୍ଷା େଢର କମ୍ କ୍ଷତିକର ହୋଇଉଠିଛି।
ଅଦାଲତ ମଧ୍ୟ ସାଧାରଣ ମଣିଷଙ୍କର ଆସ୍ଥାର ମର୍ଯ୍ୟାଦା ରକ୍ଷା କରିଛି। ଜନସ୍ବାର୍ଥ ମାମଲା ପଥରେ ଅଦାଲତ ମଣିଷର ଆହୁରି ପାଖାପାଖି ଆସିଯାଇଛି। ଅତଃପର ସ୍ବାଭାବିକ ଅବସ୍ଥାରେ ଯେଉଁ ଜିନିଷଗୁଡ଼ିକ ସରକାରଙ୍କର ବିବେଚ୍ୟ ହେବା ଉଚିତ୍, ତାହାର ଅନେକଗୁଡ଼ିଏ ପହଞ୍ଚିବାକୁ ଆରମ୍ଭ କରିଛି ଅଦାଲତର ବିଚାର ପରିସର ଭିତରେ। ପରବର୍ଷ ବହିମେଳା କେଉଁଠାରେ ହେବ, ବନ୍ଧର ସର୍ବୋଚ୍ଚ ଉଚ୍ଚତା କେତେ ମଧ୍ୟରେ ସୀମିତ କରାଯିବ, କେଉଁପରି ସେବାର ମୂଲ୍ୟ କେଉଁ ଭାବରେ ସ୍ଥିରୀକୃତ ହେବ, ଏହିପରି ବିବିଧ ପ୍ରଶ୍ନରେ ଅଦାଲତ ଆମ୍ଭମାନଙ୍କର ଜାତୀୟ ଅସ୍ତିତ୍ବର ଟିକିନିଖି ଏବେ ସ୍ଥିର କରିଦେଉଛି। ଅନେକ କ୍ଷେତ୍ରରେ ଆମେ ମଧ୍ୟ ଖିଆଲ କରିପାରୁନାହୁଁ କେଉଁ ଭାବରେ ଆମ୍ଭମାନଙ୍କ ଜୀବନରେ ଅଦାଲତ ନିର୍ଦେଶର ଛାପ ପଡ଼ିଛି।
ବିଚାରବିଭାଗର ପ୍ରାଥମିକ କାର୍ଯ୍ୟ ଆଇନ୍ର ପର୍ଯ୍ୟାଲୋଚନା- କୌଣସି ଆଇନ୍ ବା ଶାସନ ବିଭାଗର କୌଣସି କାର୍ଯ୍ୟ ସମ୍ବିଧାନର ଗଣ୍ଡିକୁ ଅତିକ୍ରମ କରୁଛି କି ନାହିଁ, ବିଚାର କରି ଦେଖିବା। ଭାରତର ପ୍ରଥା ଥିଲା, ଯେଉଁ କ୍ଷେତ୍ରରେ ସମ୍ବିଧାନ ଅତି ପ୍ରବଳ ଭାବରେ ଲଙ୍ଘିତ ହୋଇଛି, କେବଳ ସେହି କ୍ଷେତ୍ରରେ ବିଚାରବିଭାଗ ଏହି ପର୍ଯ୍ୟାଲୋଚନା କରିବେ। ନୀତିନିର୍ଦ୍ଧାରକମାନଙ୍କର ସିଦ୍ଧାନ୍ତକୁ ପ୍ରଭୂତ ଗୁରୁତ୍ବ ଦିଆଯିବା ଉଚିତ୍ ଏବଂ ଖୁବ୍ ପ୍ରକଟ ଭାବରେ ସମ୍ବିଧାନ ବହିର୍ଭୂତ ନହେଲେ ସେମାନଙ୍କର ସିଦ୍ଧାନ୍ତକୁ ସମ୍ବିଧାନସିଦ୍ଧ ହିସାବରେ ଗଣ୍ୟ କରାହେବ। ସୋସିଆଲ କଣ୍ଟ୍ରାକ୍ଟ ବା ସାମାଜିକ ଚୁକ୍ତିର ଦାର୍ଶନିକ ଧାରା ମାନି ବିଶ୍ବାସ କରିବାକୁ ହେବ, ନିର୍ବାଚିତ ସାଂସଦଗଣ ଏବଂ ସରକାର, ସାଧାରଣ ମଣିଷର ଇଚ୍ଛାର, ମତର ପ୍ରତୀକ। ବାସ୍ତବ କ୍ଷେତ୍ରରେ କୌଣସି ମାମଲାର ବିଚାର କରିବାର ସମୟରେ ନୀତିଗତ ବିଷୟର ଅଥବା ରାଜନୈତିକ ପ୍ରଶ୍ନକୁ ଏଡ଼ାଇ ଚଳିବା ଥିଲା ଭାରତୀୟ ବିଚାର ବିଭାଗର ପ୍ରଥା।
ବିଚାରବିଭାଗର ସେହି ସଂଯମ ଏବେ ଅତୀତ। ଖୁବ ସ୍ପଷ୍ଟ ଭାବରେ ବୁଝାଯାଉଛି ଯେ କୌଣସି ପ୍ରଶ୍ନରେ ସରକାରଙ୍କର ନୀତିଗତ ସିଦ୍ଧାନ୍ତ ଯାହା ହେଉ ନା କାହିଁକି, ବିଚାରବିଭାଗୀୟ ଛାଡ଼ପତ୍ର ପାଇବାର ଆଗରୁ କୌଣସି ନୀତି ଚୂଡ଼ାନ୍ତ ନୁହେଁ। ବିମୁଦ୍ରାୟନ ହେଉ ବା ଆଧାରର ବ୍ୟବହାର, ନିର୍ବାଚନର ଦିନ ସ୍ଥିର କରିବାହେଉ ବା ବିସିସିଆଇର ପ୍ରାଶାସନିକ ଢାଞ୍ଚା (ମନେ ରଖିବା ଦରକାର, ବିସିିସିଆଇ ପ୍ରତିଷ୍ଠାନଟି ନିତାନ୍ତ ବେସରକାରୀ) ଦେଶର ଯେ କୌଣସି ସିଦ୍ଧାନ୍ତ କ୍ଷେତ୍ରରେ ଅଦାଲତର ପର୍ଯ୍ୟବେକ୍ଷଣ ବିନା ଗତି ନାହିଁ।
ସମ୍ବିଧାନ ରଚୟିତାମାନେ ବିଚାରବିଭାଗର କୌଣସି ଭୂମିକାର କଥା ଭାବି ନାହାନ୍ତି, ଏହିପରି ଦୁଇଟି କ୍ଷେତ୍ରର କଥା କହୁଛି। ଏକ, ସମ୍ବିଧାନର ୭୨ ଏବଂ ୧୬୧ତମ ଧାରାରେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କ ହାତରେ କାହାକୁ କ୍ଷମା କରିବାର ଅଧିକାର ; ଦୁଇ, ସମ୍ବିଧାନର ୩୫୬ ଧାରା ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରିବା କ୍ଷମତା। ଦୁଇଟି କ୍ଷେତ୍ରରେ କ୍ଷମତା ପ୍ରୟୋଗ ବିଷୟରେ ସିଦ୍ଧାନ୍ତର ଅଧିକାର ଶାସନବିଭାଗର (ସଜାପ୍ରାପ୍ତ ଆସାମୀକୁ କ୍ଷମା କରିବାର ପ୍ରଶ୍ନରେ ରାଷ୍ଟ୍ରପତି ବା ରାଜ୍ୟପାଳ ସଂଶ୍ଳିଷ୍ଟ ସରକାରଙ୍କର ପରାମର୍ଶ ଦ୍ବାରା ହିଁ ଚାଳିତ ହୁଅନ୍ତି)। ସୁପ୍ରିମକୋର୍ଟ କିନ୍ତୁ ଜଣାଇ ଦେଇଛନ୍ତି, ଏହି ସିଦ୍ଧାନ୍ତଗୁଡ଼ିକ ମଧ୍ୟ ବିଚାରବିଭାଗର ପର୍ଯ୍ୟବେକ୍ଷଣର ପରିଧି ମଧ୍ୟରେ ପଡେ ଏବଂ ଅଦାଲତ ଯଦି ମନେ କରେ ଯେ ସିଦ୍ଧାନ୍ତଗୁଡ଼ିକ କୌଣସି ବାହାରର କାରଣ, ଅବାନ୍ତର ଯୁକ୍ତି ଅଥବା ଅନ୍ୟାୟ ବାସନା ଦ୍ବାରା ପ୍ରଭାବିତ, ତେବେ ଶାସନ ବିଭାଗର ସିଦ୍ଧାନ୍ତ ନାକଚ କରିଦେବାର ଅଧିକାର ମଧ୍ୟ ତା’ର ରହିଛି। ଆପାତ ଦୃଷ୍ଟିରେ ଏଇଟା ଗୋଟାଏ ଜଟିଳ ସମସ୍ୟାର ସହଜ ସମାଧାନ, କିନ୍ତୁ କେଉଁ ସିଦ୍ଧାନ୍ତ କେଉଁ ବାହାରର କାରଣ, ଅବାନ୍ତର ଯୁକ୍ତି ବା ଅନ୍ୟାୟ ବାସନା ଦ୍ବାରା ପ୍ରଭାବିତ କି ନୁହେଁ, ସେହି ବିଚାର କ’ଣ େନୖର୍ବ୍ୟକ୍ତିକ ହୋଇପାରେ? ଏକେବାର ଏକ ପରିସ୍ଥିତିରେ ମଧ୍ୟ ଏକ ବିଚାରପତିଙ୍କଠାରୁ ଅନ୍ୟ ବିଚାରପତିଙ୍କ ମତ କ’ଣ ପୃଥକ ହୋଇପାରିବ ନାହିଁ? ପ୍ରଶ୍ନଟା ଏବେ ଆହୁରି ପ୍ରାସଙ୍ଗିକ, କାରଣ ଦେଶର ସର୍ବୋଚ୍ଚ ଅଦାଲତରେ ମଧ୍ୟ ହରେକ ଫାଇଲ ପ୍ରକାଶ୍ୟରେ ଚଳିଆସିଛି।
ଯଦି ଦେଖାଯାଏ କୌଣସି ସରକାର ଗଣତନ୍ତ୍ରର ଧର୍ମରେ ବିଶ୍ବାସୀ ନୁହନ୍ତି, ଅଥବା ଦେଶର ମୌଳିକ ଚରିତ୍ରଟିକୁ ଓଲଟାଇଦେବାକୁ ଉଦ୍ୟତ, ଗଣତନ୍ତ୍ରର ରଥର ଚକାରେ ସେହି ସରକାର ଚୂର୍ଣ୍ଣ ହେବ। ଏବେ କିନ୍ତୁ ସମୟଟା ମାରାତ୍ମକ। ସରକାର ବିଭିନ୍ନ ଭାବରେ ବିଚାରବିଭାଗରେ ହସ୍ତକ୍ଷେପ କରିବାକୁ ଚାହଁୁଛନ୍ତି- କେତେବେଳେ ସୁପ୍ରିମକୋର୍ଟରେ କିଛି ବିଶେଷ ବିଚାରକଙ୍କର ନିଯୁକ୍ତି ଅଟକାଇଦେଇ, କେତେବେଳେ ନ୍ୟାସନାଲ୍ ଜୁଡ଼ିସିଆରି ଆପଏଣ୍ଟମେଣ୍ଟ କମିଟି ପରି କିଛି ତିଆରି କରି। ଏହି ସମୟରେ ଆମେ ଯଦି ପ୍ରତିଟି ସମସ୍ୟା ନେଇ ବିଚାରବିଭାଗର ଦ୍ବାରସ୍ଥ ହେବା, ତା’ହେଲେ ତାହା ଅଚିରେ ବିପରୀତ ଫଳଦାୟୀ ହୋଇପାରେ। ମନେ ରଖିବା ଭଲ ଯେ ଭାରତର ସମ୍ବିଧାନ ଅନୁସାରେ କୌଣସି ବିଚାରକଙ୍କୁ ତାଙ୍କ ପଦରୁ ବିଚ୍ୟୁତ କରିବା ଦୁଃସାଧ୍ୟ। ବାସ୍ତବ କ୍ଷେତ୍ରରେ ସରକାର ଯଦି ବିଚାରବିଭାଗ ଭିତରେ ନିଜଲୋକ ଢ଼ୁକାଇ ଦେବାର ରାସ୍ତାଟା ଖୋଲିଦେଇପାରେ, ଯଦି ‘କମିଟେଡ’ ବିଚାରପତିମାନେ ‘କମିଟେଡ’ ରାୟ ଦେବାକୁ ଆରମ୍ଭ କରନ୍ତି ଏବଂ ପ୍ରତିଟି ସିଦ୍ଧାନ୍ତ କ୍ଷେତ୍ରରେ ବିଚାରବିଭାଗର ଶେଷ କଥା କହିବାର ପ୍ରବଣତାଟି ବଳବତ୍ତର ରହେ, ଗଣତନ୍ତ୍ର ପକ୍ଷରେ ତାହା ସୁସମ୍ବାଦ ହେବନାହିଁ।
ସରକାରଙ୍କର ଆସ୍ଥା ଭୋଟ ୧୫ଦିନ ପରେ ହେବ ନା ୪୮ଘଣ୍ଟା ମଧ୍ୟରେ ହେବ, ଏହି ପ୍ରକାରର ସିଦ୍ଧାନ୍ତ ପାଇଁ ଅଦାଲତର ଦ୍ବାରସ୍ଥ ହେବା ଅପେକ୍ଷା େଢର ଭଲ ନୁହେଁ କି ଗୋଟିଏ ନିର୍ଦିଷ୍ଟ ନିୟମବିଧି ତିଆରି କରିନେବା, ଏହି ଧରଣର ପରିସ୍ଥିତିରେ ରାଜ୍ୟପାଳମାନେ ଯେଉଁ ବିଧି ମାନି ଚଳିବାକୁ ବାଧ୍ୟ ରହିବେ? ଏହି ନୀତିଗତ ସିଦ୍ଧାନ୍ତ ନିର୍ଦ୍ଧାରଣର ଅଧିକାର ରହିବ ସଂସଦର ହାତରେ, କିନ୍ତୁ ଅତୀତରେ ସରକାରିଆ କମିସନ ବା ପୁଞ୍ଜି କମିସନଙ୍କ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ଯୌଥ କମିସନ ତିଆରି ହୋଇଛି। ଏହି ପ୍ରକାରର ସିଦ୍ଧାନ୍ତ କରିବା ପାଇଁ ଏହି ଗୋତ୍ରର ଯୌଥ କମିସନ ତିଆରି କରାଯିବାଟା ଥୟ। ବିଚାରବିଭାଗକୁ କେବଳ ଦେଖିବାକୁ ହେବ, କୌଣସି ସିଦ୍ଧାନ୍ତ କ୍ଷେତ୍ରରେ ନିର୍ଦ୍ଧାରିତ ନିୟମ ବିଧି ଠିକ୍ ଭାବରେ ପରିପାଳନ କରାଯାଉଛି କି ନାହିଁ। ଏହିପରି ଆହୁରି ବେଶ୍ କେତେକ କ୍ଷେତ୍ରରେ ବିଚାରବିଭାଗର ଦୂରତ୍ବ ବଜାୟ ରଖିବା ଭଲ ବୋଲି ନିରପେକ୍ଷ ବୁଦ୍ଧିଜୀବୀ ଓ ଆଇନ୍ଜୀବୀମାନେ ମତ ପ୍ରଖ୍ୟାପନ କରନ୍ତି।
ଏକଶହ ପଚିଶ କୋଟିର ଦେଶର ମଣିଷ ଇ.ଭି.ଏମ.ର ସାମ୍ନାରେ ଛିଡ଼ା ହୋଇହୋଇ ସରକାରଙ୍କର ନୀତି ଏବଂ କର୍ମକାଣ୍ଡ ବିଚାର କରନ୍ତି। ସେହି ବିଚାରର ଗୁରୁତ୍ବକୁ ହାଲକାରେ ଉଡ଼ାଇ ଦେବା ସପକ୍ଷରେ କୌଣସି ସୁଯୁକ୍ତି ନାହିଁ।