www.samajalive.in
Monday, December 8, 2025
14.1 C
Bhubaneswar

ମରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ଚାହିଦା

ନିଖିଳାନନ୍ଦ ପାଣିଗ୍ରାହୀ

ଧରାଯାଉ, ବୃଦ୍ଧ, ପ୍ରୌଢ଼, ଯୁବକ, କିଶୋର, ଏମିତି ପ୍ରତ୍ୟେକଙ୍କ ମଧ୍ୟରୁ ଜଣେଜଣେ ଆମ ସାମନାରେ ଅଛନ୍ତି। ଆମେ ସେମାନଙ୍କୁ ଜଣାଉ ବର୍ତ୍ତମାନ ଏମିତି ସାଙ୍ଘାତିକ ପରିସ୍ଥିତି ଆକସ୍ମିକ ଭାବେ ଦେଖାଦେଇଛି ଯେ ସେମାନଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ବଞ୍ଚିପାରିବ ଏବଂ ଅନ୍ୟ ତିନି ଜଣ ଏଥିପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେବାକୁ ହେବ। ଏହା ଉଣା ଅଧିକେ ସ୍ପଷ୍ଟ ଯେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସ୍ବତଃ ପ୍ରାଣବଳି ଦେବାକୁ ଆଗଭର ହେବେ ନାହିଁ।
ଏପରିକି ଏହି ଅପ୍ରତ୍ୟାଶିତ ପ୍ରଶ୍ନଟି ଗୋଟିଏ ଗୁରୁତର ଭାବେ ପୀଡ଼ିତ ବ୍ୟକ୍ତି ଓ ଜଣେ ସୁସ୍ଥ ମଣିଷ- ଏମିତି ଦୁଇ ଜଣକୁ ଯଦି ପଚରାଯାଏ ଏବଂ ସେମାନଙ୍କ ମଧ୍ୟରୁ ଜଣକୁୁ ଜୀବନ ତ୍ୟାଗ କରିବାକୁ କୁହାଯାଏ, ସେମିତି ସ୍ଥିତିରେ ମଧ୍ୟ ଅସୁସ୍ଥ ଜଣକ ମନ ବଳାଇବେ ନାହିଁ ସଂସାରରୁ ବିଦାୟ ନେବା ପାଇଁ। ତେଣୁ ତ ଲୋକେ କହନ୍ତି- ଆପେ ବଞ୍ଚିଲେ ବାପର ନାଁ।
ଧନୀ ହେଉ ବା ଗରିବ, ମୂର୍ଖ ହେଉ ବା ପଣ୍ଡିତ ନେତା ହେଉ ବା ଜନତା, ଏତାଦୃଶ ଯେତେ ପ୍ରକାର ସମାବେଶ କଳ୍ପନା କରାଯାଉ ନା କାହିଁକି, କେହି ଜଣେ ମଧ୍ୟ ସ୍ବତପ୍ରବୃତ୍ତ ଭାବେ ମରିବା-ଇଚ୍ଛା ପ୍ରକଟ କରିବେ ନାହିଁ। ନିଜ ଜୀବନ ସଂକଟାପନ୍ନ ହେଲେ ମଧ୍ୟ କେହି ଆଶା ହରାଇ ନଥାନ୍ତି।
ଅବଶ୍ୟ ମଣିଷର ଜୀବନ ପ୍ରତି ଲୋଭ ଓ ଆସକ୍ତି ଦୁର୍ନିର୍ବାର। ଆମେ ଯେଉଁ ଆସନ୍ନ ସଂକଟ ବିଷୟ ଏଠାରେ ଉପସ୍ଥାପନ କରିବାକୁ ଯାଉଛି, ତାହା ଆବଶ୍ୟକ କରେ ଯେ ଆମକୁ କେତେଜଣକୁ ହତ୍ୟା କରିବାକୁ ହେବ ହିଁ ହେବ, ଯଦିଓ ସେମାନେ ନିର୍ଦୋଷ।
ଏମିତି ଏକ ନିଷ୍ଠୁର ନିଷ୍ପତ୍ତି ସଂପ୍ରତି ଚିନ୍ତାଶୀଳ ବ୍ୟକ୍ତିଙ୍କୁ ମଧ୍ୟ ଏକ ଜଟିଳ ଗୋଲକ ଧନ୍ଦାରେ ଛନ୍ଦି ଦେଇଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବିଜ୍ଞ ବ୍ୟକ୍ତିମାନେ ଏହାର ଉତ୍ତର ଦେବାବେଳେ ଦୋଦୋପାଞ୍ଚ ହେଉଛନ୍ତି। ସେ ଯାହାହେଉ ଏହା ଯେତେ ବିରାଟ ଆହ୍ବାନ ହେଲେ ସୁଦ୍ଧା ଏହାର ଉଚିତ ସମାଧାନ ଏଡ଼ାଇଦେବା ଅସମ୍ଭବ। ସଂପ୍ରତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯେତେ ପ୍ରବଳ ବେଗରେ ଅଗ୍ରଗତି କରୁଛି, ସମୟ କ୍ରମେ ଏହାହିଁ ଦାବି କରୁଛି ଆମଠାରୁ ସ୍ପଷ୍ଟ ଉତ୍ତର। ପ୍ରଶ୍ନଟି ହେଉଛି: କାହାର ଜୀବନ ମୂଲ୍ୟବାନ? ଅବଶ୍ୟ ସମସ୍ତଙ୍କ ଜୀବନ ଅମୂଲ୍ୟ, କିନ୍ତୁ ଏଠାରେ ଯେଉଁ ପ୍ରଶ୍ନଟି ଉତ୍‌ଥାପନ ହେଉଛି, ତାହା ଏତେ ସରଳ ନୁହେଁ। ବିଭିନ୍ନ ବ୍ୟକ୍ତି ମଧ୍ୟରୁ ଆମକୁ ବାଛିବାକୁ ହେବ; କାହାର ଜୀବନର ମୂଲ୍ୟ ଅଧିକ? ଜଣେ ବା ବହୁ ଜଣକୁ ବଞ୍ଚାଇବାକୁ ହେଲେ, ଅନ୍ୟମାନଙ୍କୁ ମାରିବା ଦରକାର ହେଉଥିବାରୁ ଏହା ଜଟିଳ ରୂପ ନେଉଛି।
ମାର୍ଚ୍ଚ ୨୦୧୮ର ଗୋଟିଏ ଘଟଣା ଅଣଚାଶ ବର୍ଷର ହର୍ଜବର୍ଗ ନାମକ ଜଣେ ପଦାଚାରୀ ରାସ୍ତା ପାର ହେଉଥିବାବେଳେ ଉବର କମ୍ପାନୀର ଏକ ଚାଳକବିହୀନ କାର ଅଚାନକ ତୀବ୍ର ବେଗରେ ମାଡ଼ିଆସିଲା। ଫଳରେ ହର୍ଜବର୍ଗଙ୍କ ଦୁର୍ଘଟଣାବଶତଃ ତତ୍‌କ୍ଷଣାତ୍‌ ମୃତ୍ୟୁହେଲା। ଚାଳକବିହୀନ କାର୍‌ ଏଥିପାଇଁ ନିର୍ମାଣ କରାଯାଇଛି ଯେ ଏହାର ପ୍ରଚଳନ ସଡ଼କ-ଦୁର୍ଘଟଣାକୁ ହ୍ରାସ କରିବ, କିନ୍ତୁ ଉକ୍ତ ଦୃଷ୍ଟାନ୍ତରେ ବ୍ୟତିକ୍ରମ ସୁସ୍ପଷ୍ଟ। ଆଶଙ୍କା ଜନ୍ମିଲା ଯେ ଏମିତି ପରିସ୍ଥିତିରେ ମଣିଷ କାର-ଡ୍ରାଇଭର​ ‌େହାଇଥିଲେ, ସେ ଗାଡ଼ିକୁ ତୁରନ୍ତ ରୋକି ଲୋକଟିକୁ ବଞ୍ଚାଇଥାନ୍ତା, ମାତ୍ର ଡ୍ରାଇଭରବିହୀନ କାର୍‌ ଯୋଗୁଁ ଘଟିଲା ନାହିଁ। ଆରିଜୋନାର ଫିନିକ୍ସଠାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଚାଳକବିହୀନ କାର ଦ୍ବାରା ହୋଇଥିବା ସର୍ବପ୍ରଥମ ଦୃଷ୍ଟାନ୍ତ।
ଏହି ଦୁଃଖଦ ପ୍ରାଣହାନି କାର-ନିର୍ମାଣ ଓ ଗବେଷକମାନଙ୍କୁ ଉଦ୍‌ବିଗ୍ନ କଲା। ସେମାନେ ଏହାର କାରଣ ଖୋଜିବାରେ ଲାଗିଲେ। ତୁରନ୍ତ ଚାଳକବିହୀନ କାର୍‌ ଚଳାଚଳ ବନ୍ଦ କରାଗଲା। ନ୍ୟାସନାଲ ଟ୍ରାନ୍ସପୋର୍ଟର ସେଫ୍‌ଟି ବୋର୍ଡ଼ ଅନୁସନ୍ଧାନ କରି ଜାଣିପାରିଲା ଯେ ହର୍ଜବର୍ଗ କଳାପୋଷାକ ପିନ୍ଧିଥିଲେ ଏବଂ ରାସ୍ତା‌େ‌ର ଗାଡ଼ି ଚଳାଚଳ ନଦେଖି ରାସ୍ତା ଉପରକୁ ଓହ୍ଲାଇଲେ। ସେତେବେଳେ କାର୍‌ ପାଖରୁ ମୋଟେ ଏକ ଦଶମିକ ତିନି ସେକେଣ୍ଡ ଥିଲା। ନାନା ପ୍ରତିକୂଳତା ଏବଂ କମ୍‌ ସମୟ ସତ୍ତ୍ବେ କାର୍‌ ସ୍ବତଃ ବ୍ରେକ୍‌ ପ୍ରୟୋଗ କରି ଅଟକିଯିବା କଥା, କିନ୍ତୁ ଏହି ଜରୁରୀ କାର୍ଯ୍ୟଟି ତାହା କରିପାରି ନଥିଲା। କାର-ନିର୍ମାଣରେ ଅଧିକ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ।
ଏମିତି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଚାଳକବିହୀନ ଗାଡ଼ିର ତ୍ରୁଟି ଓ ଅପୂର୍ଣ୍ଣତାର ପରିଚାୟକ। ଅଧିକ ନିର୍ଭୁଲ କୌଶଳ କରିବାପାଇଁ ଏବେ ଉଦ୍ୟମ ଚାଲୁରହିଛି। ତଥାପି ଅସ୍ବୀକାର କରି ହେଉନାହିଁ ଯେ କସ୍ମିନକାଳେ ଭବିଷ୍ୟତରେ ଏଭଳି ଘଟିବ ନାହିଁ। କାରଣ ଦୁର୍ଘଟଣା ହେଉଛି ଦୁର୍ଘଟଣା ଏବଂ ଏହା ଆକସ୍ମିକ; ସାଧାରଣତଃ ପ୍ରାୟୋଜିତ ନୁହେଁ।
ଏମିତି ସମ୍ଭାବ୍ୟ ବିରଳ ଆକସ୍ମିକତାକୁ ଆଖିର ଆଗରେ ରଖି ସଂପ୍ରତି ଏକ ଭିନ୍ନ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ଟୁଲୋଜ ସ୍କୁଲ ଅଫ୍‌ ଇକ୍‌ନୋମିକ୍ସ ପ୍ରଫେସର ଫ୍ରାସୁଆଁ ବେନ୍ନେଫେନ ଓ ତାଙ୍କ ସହଯୋଗୀମାନେ ‘ମାଇଣ୍ଡମେସିନ’ ନାମକ ଏକ ଅନ୍‌-ଲାଇନ କୁଇଜ୍‌ ଜୁନ୍‌ ୨୦୧୬ରୁ ଆରମ୍ଭ କରିଛନ୍ତି। ଏମ୍‌ଆଏଟି ୱେବ୍‌ସାଇଟରେ ଉପଲବ୍ଧ କରି କାର୍ଯ୍ୟକ୍ରମରେ ଅଠରମାସ ମଧ୍ୟରେ ଦୁଇ ନିୟୁତ ବ୍ୟକ୍ତି ଭାଗନେଇ ସାରିଲେଣି। ଏହି କୁଇଜ୍‌ର ଲକ୍ଷ୍ୟ ହେଉଛି ଯେ କାର୍‌ ଭିତରେ ବସିଥିବା ଯାତ୍ରୀ ଓ ବାହାରେ ଯାତାୟାତ କରୁଥିବା ପଦାଚାରୀ ମଧ୍ୟରୁ ଦୁର୍ଘଟଣା ସମୟରେ କ’ଣ କରାଯିବା ଉଚିତ? ଧରାଯାଉ, କାର୍‌ରେ ଦୁଇଜଣ ଯାତ୍ରୀ ବସିଛନ୍ତି। ଦୁର୍ଘଟଣା ଘଟିଲେ, ବାହାରର ଦଶଜଣ ପଦାଚାରୀ ମୃତାହତ ହେବେ। ତେବେ ଚାଳକବିହୀନ କାର୍‌ଟି କ’ଣ କରିବ? ଯାନ ମଧ୍ୟର ଯାତ୍ରୀଙ୍କୁ ସୁରକ୍ଷା ଦେବ ନା ବାହାରର ଲୋକମାନଙ୍କୁ ଇତ୍ୟାଦି ଏମିତି ନୈତିକ ପ୍ରଶ୍ନମାନଙ୍କର ଉତ୍ତର ମଗା ଯାଇଛି। ଉକ୍ତ କାର୍‌ରେ ତ ମଣିଷ-ଚାଳକ ନାହାନ୍ତି। ଏହାକୁ ସଫ୍ଟଓୟାର ପ୍ରୋଗାମ୍‌ ମାଧ୍ୟମରେ ଯେମିିତି ପ୍ରସ୍ତୁତ କରାଯିବ, ସେ ସେମିତି କାର୍ଯ୍ୟକଳାପ ପାଳନ କରିବ। ଏହାର ନୀତି ନିର୍ଦ୍ଧାରଣ ପାଇଁ ଏମିତି ପ୍ରସ୍ତୁୁତି ଦରକାର।
ଏମିତି ପ୍ରଶ୍ନମାନଙ୍କ ଉତ୍ତର ଭାବେ , ଏ ଏଫପି ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାଯାଏ, ‘ଏକ ଓ ଅନେକ’ ମଧ୍ୟରୁ ‘ଅନେକ’କୁ ଗ୍ରହଣ କରାଯାଉ। ‘ବୟସ୍କ ବନାମ ଶିଶୁ’ କ୍ଷେତ୍ରରେ ଶିଶୁ, ମଣିଷ ବନାମ ପଶୁ ବିଚାରବେଳେ ମଣିଷ ଇତ୍ୟାଦି ପସନ୍ଦଯୋଗ୍ୟ। ତେବେ ସର୍ବମାନ୍ୟ ଉତ୍ତର ପ୍ରତିଟି ପ୍ରଶ୍ନରେ ମିଳିପାରିନାହିଁ। ଏହା ଅଞ୍ଚଳଭିତ୍ତିକ ହେଉଛି। ଯଥା- ଲାଟିନ ଆମେରିକାର ଓ ଫ୍ରେଞ୍ଚ ଭାଷାଭାଷୀଲୋକେ ମହିଳା ଏବଂ ସୁସ୍ଥ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେଇଛନ୍ତି। ଆମେ ସଂପ୍ରତି କୃତ୍ରିମ ବୁଦ୍ଧିମତ୍ତାକୁ ଗୁରୁତ୍ବଦେଇ ମଣିଷ ଜାଗାରେ ଯନ୍ତ୍ରକୁ ସ୍ଥାପନ କରୁଛେ, କିନ୍ତୁ ଏଥିରୁ ଉଦ୍‌ଭବ ନୈତିକତା- ପ୍ରଶ୍ନର ଉତ୍ତର ଆମ ପାଇଁ ସୁଦୂର ପରାହତ ହୋଇଛି।
ବଡ଼ଖେମୁଣ୍ଡି ବଙ୍ଗଳା, ବ୍ରହ୍ମପୁୁର

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories