୫୦ ଶିଶୁଙ୍କ ଠାରେ ଦେଖାଦେଇଛି ହୃଦରୋଗଜନିତ ଜଟିଳ ସମସ୍ୟା, ବିନା ମୂଲ୍ୟରେ କରାଯିବ ଅସ୍ତ୍ରୋପଚାର
କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ନାରାୟଣ ହୃଦାଳୟ ହାୱଡା ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ଜିଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା କେନ୍ଦ୍ର (ଡିଇଆଇସି)ଠାରେ ଶିଶୁ ହୃଦରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ଶିବିରର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶିଶୁମାନଙ୍କ ଠାରେ ହୃଦରୋଗଜନିତ ଜଟିଳ ସମସ୍ୟା ଦେଖାଦେଲେ ଏହାର ଚିକିତ୍ସା ନିମନ୍ତେ ଆରବିଏସ୍କେ ମାଧ୍ୟରେ ଏବଂ ନାରାୟଣ ହୃଦାଳୟ ସହାୟତାରେ ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ପୃଷ୍ଟି ଅବଗତ କରାଇଥିଲେ।
ଏହି ଶିବିରରେ ନାରାୟଣ ହୃଦାଳୟ ହାୱଡା ଏବଂ ନାରାୟଣ ହୃଦାଳୟ ଜାମସେଦପୁରରୁ ଆସିଥିବା ଶିଶୁ ହୃଦରୋଗ ବିଶେଷଜ୍ଞ ଡାକ୍ତର ଅନ୍ୱେଷା ମୁଖାର୍ଜି ଏବଂ ଡାକ୍ତର ରଶ୍ମୀ ମଣ୍ଡଳ ଯୋଗଦେଇ ୮୯ଜଣ ଶିଶୁଙ୍କ ହୃଦରୋଗ ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ୧୨ଜଣ ଶିଶୁଙ୍କ ଅସ୍ତ୍ରୋପଚାର ପରବର୍ତ୍ତି ପରୀକ୍ଷା କରାଯାଇଥିବା ବେଳେ ୭୭ଜଣ ଶିଶୁଙ୍କ ନୂତନ ଭାବେ ପରୀକ୍ଷା କରାଯାଇଥିଲା। ଏହି ୭୭ଜଣ ନୂତନ ଭାବେ ପରୀକ୍ଷା କରାଯାଇଥିବା ଶିଶୁଙ୍କ ମଧ୍ୟରୁ ୫୦ଜଣଙ୍କଠାରେ ହୃଦରୋଗ ଜନିତ ସମସ୍ୟା ଚିହ୍ନଟ କରାଯାଇଛି। ଉକ୍ତ ୫୦ଜଣ ଶିଶୁ ହୃଦରୋଗଙ୍କୁ ପର୍ଯ୍ୟାୟକ୍ରମେ ଆରବିଏସକେ ମାଧ୍ୟମରେ ନାରାୟଣ ହୃଦାଳୟକୁ ପଠାଯାଇ ବିନା ମୂଲ୍ୟରେ ଅସ୍ତ୍ରୋପଚାର କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୃଷ୍ଟି ସୂଚନା ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆରବିଏସକେ ୟୁନିଟର ପ୍ରଶାନ୍ତ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୟ କେତନ ବେହେରା, ଡିପିଏମ୍. ଏନ୍ଏଚ୍ଏମ୍ ନିତ୍ୟ ରଞ୍ଜନ ବରାଳ, ଆରବିଏସ୍କେ ପରିଚାଳକ ବିଜନ କୁମାର ସାହୁ, ଡିଇଆଇସିର ସମସ୍ତ କର୍ମକର୍ତ୍ତା ଏବଂ ଆରବିଏସକେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Comments are closed.