ଭେଟରାନ ସ୍ପୋର୍ଟସ ପର୍ସନ ଆସୋସିଏସନ୍ ବୈଠକ ଅନୁଷ୍ଠିତ
ଡେସ୍କ: କଟକ, ଓଡ଼ିଶା ଭେଟରାନ ସ୍ପୋର୍ଟସ ପର୍ସନ ଆସୋସିଏସନ୍ ଆନୁକୁଲ୍ୟରେ ଶନିବାର ଦିନ ବାରବାଟି ଷ୍ଟାଡିୟମ୍ ସ୍ଥିତ ତୀରନ୍ଦାଜ କାର୍ଯ୍ୟାଳୟ ଠାରେ କଟକ ସହରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଖେଳ ଶିକ୍ଷକ ମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର କୁମାର ରାଉତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଜାନୁୟାରୀ ମାସ ୧୦ ତାରିଖ ଠାରୁ ପ୍ୟାରୀ ମୋହନ ଏକାଡେମୀ ପଡିଆ ଠାରେ ଆନ୍ତ ସ୍କୁଲ ଫୁଟବଲ ପ୍ରତିଯୋଗିତା ତଥା ସିନିୟର୍ ବିଭାଗରେ ବସନ୍ତ ଦାସ ସ୍ମାରକୀ ଏବଂ ଜୁନିୟର ବିଭାଗରେ ଭଗବାନ ଦାସ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଆସନ୍ତା ଜାନୁଆରୀ ମାସ ୫ ତାରିଖ ସୁଦ୍ଧା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବିଦ୍ୟାଳୟ ଗୁଡ଼ିକ ସେମାନେ ଏଣ୍ଟ୍ରି ଦାଖଲ କରିବେ। ଏଣ୍ଟ୍ରି ଦାଖଲ ସମୟରେ ଖେଳାଳି ମାନଙ୍କର ନାମ, ବୟସ ଏବଂ କେଉଁ ବିଦ୍ୟାଳୟରୁ ଭାଗ ନେବେ ସେ ସମ୍ପର୍କରେ ସମସ୍ତ ବିବରଣୀର ସୂଚନା ଦେବେ। ପ୍ରତିଯୋଗିତାରେ ସିନିୟର୍ ବିଭାଗର ଚମ୍ପିୟାନ ଦଳକୁ ବସନ୍ତ ଦାସ ସ୍ମାରକୀ ଏବଂ ଜୁନିୟର ବିଭାଗର ଚମ୍ପିୟାନ ଦଳକୁ ଭଗବାନ ଦାସ ସ୍ମାରକୀ ଟ୍ରଫି ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆ ଯାଇଛି। ଏହା ବ୍ୟତୀତ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ମନୋନୀତ ଖେଳାଳିଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ରାଶି ପୁରସ୍କାର ପ୍ରଦାନ କରାଯିବ।
ପ୍ରାରମ୍ଭରେ ସଂଘର ସମ୍ପାଦକ ଶ୍ରୀ ଶ୍ରଦ୍ଧାନନ୍ଦ ଦାସ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ସଂଘର ଉପ ସଭାପତି ଚିତ୍ତରଞ୍ଜନ ଜେଠୀ, ଖିତିସ ଚନ୍ଦ୍ର ପାତ୍ର, ସୁଘୋଷ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ସମସ୍ତ ପ୍ରକାର ସର୍ତ୍ତାବଳୀ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଜିଲ୍ଲା ଶାରୀରିକ ଅଧିକାରୀ ସରୋଜିନୀ ଦାସ ଏହି ଫୁଟବଲ ପ୍ରତିଯୋଗିତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଖେଳ ଶିକ୍ଷକଙ୍କୁ ସଫଳତା ପାଇଁ ସହଯୋଗ କାମନା କରିଥିଲେ। ଶେଷରେ ସୁଘୋଷ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
Comments are closed.